ସାମ୍ନାସାମ୍ନି ହୋଇଗଲେ
ବନ୍ଧୁଜଣେ ଥିଲେ ଟେନ୍ସନରେ;
ପଚାରିଲାରୁ କହିଲେ- ଖୁସିରେ
ଚଳିଯାଉଥିଲି ମୁଁ ପେନ୍ସନରେ!
ହେଲେ ଭାଇ ଝିଅଟା ମୋ ପରୀକ୍ଷା
ଫରୀକ୍ଷା ଦେବାକୁ ଯାଇଥିଲା;
କାହବୋଲି ପଡି କେଜାଣି
ଆଧୁନିକ କବିତା ଲେଖିଲା !
ଲେଖିଲା ତ ଲେଖିଲା ରୁଷାହଟା କରି
ମୋଠୁ ତିରିଶି ହଜାର ଦେଇ;
କାହାକୁ ଗୋଟେ ଦେଇଚି
ଛପେଇବ ବୋଲି ବହି !!
ମୁଁ କହିଲି- ୟେତ ଆନନ୍ଦର କଥା
ଝିଅ ଆପଣଙ୍କର ନାଁ କଲାଣି;
ବନ୍ଧୁ କହିଲେ- ବହି ନବାହାରୁଣୁ
ଶ୍ରେଷ୍ଠକବି ବୋଲି ଘୋଷଣା ହେଲାଣି !
କୋଉଗୋଟେ ବଡ ଉତ୍ସବରେ
ତାକୁ ମିଳିବ ପୁରସ୍କାର;
ଏବେ ସେଇକଥାକୁ ନେଇ ପଡୁଚି
ଉଠୁଚି ଆମ ଛୋଟିଆ ସହର! !
ଲାଜରେ ବାହାରୁନି ତା ମମି
ଲୁଚି ରହୁଚି ଘରେ;
ସ୍ଥାନୀୟ କବି ପଚାରୁଛନ୍ତି- ୟେ
କେବେ କଣଟା ଲେଖିଲା କିରେ ?
ବାତେରା ଟୋକାଏ କରୁଛନ୍ତି
ନାନ ବାଟରେ ପ୍ରଚାର;
ଟିଭି, ପେପରରେ ଦେଖୁନ କି
ଆଜିକାଲି କେମିତି ମିଳେ ପୁରସ୍କାର !