Charles Mackayଙ୍କର “Miller of the Dee” କବିତାରେ ମିଲ ଚଳାଉଥିବା ଅତି ସାଧାରଣ ଲୋକଟିଏ ନିଜକୁ ସର୍ବଶ୍ରେଷ୍ଠ ସୁଖୀ ଏପରିକି ନିଜ ଦେଶର ରାଜାଙ୍କଠାରୁ ମଧ୍ୟ ଅଧିକ ସୁଖୀ ବୋଲି ନିଜକୁ ଅଭିହିତ କରୁଛି । ମିଲ ଚଳାଉଥିବା ସମୟରେ ସେ ସୁମଧୁର ଗୀତଟିଏ ଗାଉଛି ଯେ ସେ ସମସ୍ତଙ୍କ ଅପେକ୍ଷା ସୁଖୀ । ରାଜ୍ୟର ମୁଖ୍ୟ ରାଜା ମଧ୍ୟ ତା’ର ସମକକ୍ଷ ହୋଇପାରିବେ ନାହିଁ ।
ଦିନେ ରାଜା ସେହି ବାଟ ଦେଇ ଯାଉଥିବା ସମୟରେ ମିଲରର ସେହି ଗୀତରେ ଆକର୍ଷିତ ହୋଇଗଲେ । ସେ ଭାବିଲେ ଦୁନିଆଁରେ ଏପରି କିଏ ଜଣେ ଲୋକ ଥାଇପାରେ ନିଜକୁ ସର୍ବଶ୍ରେଷ୍ଠ ସୁଖୀ କହିବାର ଦାମ୍ଭକତା କରିପାରୁଛି । ମିଲର ପାଖକୁ ଯାଇ ପଚାରିଲେ “ତୁମ ସୁଖର କାରଣ କ’ଣ ?” ଉତ୍ତରରେ ସେ କହିଲା-
“I love my mill
I love my wife
I love my children three”
ମୁଁ ତିନୋଟି ଜିନିଷକୁ ପ୍ରାଣ ଭରି ଭଲପାଏ, ଯେଉଁଥିପାଇଁ ମୁଁ ସମସ୍ତଙ୍କ ଅପେକ୍ଷା ସୁଖ ଅନୁଭବ କରେ ।
ପ୍ରଥମତଃ “I love my mill” ମୁଁ ମୋ ମିଲକୁ ବହୁତ ଭଲପାଏ । ଯାହା ପାଇଁ ମୁଁ ରୋଜଗାରକ୍ଷମ, ଯାହା ପାଇଁ ମୁଁ ପରିବାରକୁ ଭଲଭାବରେ ଭରଣ ପୋଷଣ କରିପାରୁଛି, ସେହି ମିଲର ମୁଁ ଅତି ଯତ୍ନ ନିଏ । ଅର୍ଥାତ୍ ମୋ କର୍ମକୁ କର୍ମକ୍ଷେତ୍ରକୁ ବହୁତ ଭଲପାଏ । ଅନ୍ୟ ଅର୍ଥରେ ମୋ କର୍ତ୍ତବ୍ୟ କର୍ମ ମୁଁ କରେ । କର୍ତ୍ତବ୍ୟରେ କେବେ ଅବେଳା କରେ ନାହିଁ । କର୍ମ ହିଁ ମୋ ଜୀବନ, “କର୍ତ୍ତବ୍ୟ ହିଁ ଭଗବାନ୍”, ନୀତିରେ ମୁଁ ଅନୁପ୍ରାଣିତ । ତେଣୁ ଆନନ୍ଦ ମନରେ କର୍ତ୍ତବ୍ୟ କର୍ମ ମୁଁ କରି ଚାଲିଛି ।
ଦ୍ୱିତୀୟତଃ “I love my wife” ଗୃହସ୍ଥ ଜୀବନରେ ମୋ ସ୍ତ୍ରୀକୁ ପ୍ରାଣଭରି ଭଲପାଏ । ଆମ ନିତି ଦିନିଆ ଜୀବନରେ ଦୁଃଖ କିଛି ଥାଏ ବୋଲି ମୁଁ ଅନୁଭବ କରେ ନାହିଁ । ଉତ୍ତମ ବୁଝାମଣା, ସ୍ନେହ, ଶ୍ରଦ୍ଧା, ହସଖୁସି ମଧ୍ୟରେ ଆମର ସୁନାର ସଂସାର ଗଡ଼ି ଚାଲେ ।
ତୃତୀୟତଃ “I love my children three”. ଶେଷରେ ମୋ ପିଲାମାନଙ୍କୁ ମୁଁ ଅକାତରରେ ସ୍ନେହ ଶ୍ରଦ୍ଧା ଅଜାଡ଼ି ଦିଏ ।
ଅନ୍ୟ ଅର୍ଥରେ ମୁଁ କର୍ମ କ୍ଷେତ୍ରରେ ମୋ କର୍ତ୍ତବ୍ୟ କର୍ମ କରେ, ମୋର ସ୍ତ୍ରୀ ଓ ପିଲାମାନଙ୍କୁ ଭଲ ପାଏ । ଜୀବନ ସ୍ରୋତରେ ଦୁଃଖ ଯେ କ’ଣ ଅଛି ମୁଁ ଜାଣି ପାରେ ନାହିଁ । ଏହି ତିନୋଟି ହିଁ ମୋ ସୁଖର କାରଣ ।
ରାଜା ବିପୁଳ ଧନ ସମ୍ପତ୍ତିର ଅଧିକାରୀ । ଅନେକ କ୍ଷମତାର କେନ୍ଦ୍ରବିନ୍ଦୁ । ଅନେକ ସେବାକାରୀ, ଦାସ ଦାସୀଙ୍କଦ୍ୱାରା ପରିବେଷ୍ଟିତ ହୋଇଥିଲେ ମଧ୍ୟ ସବୁବେଳେ ବିଭିନ୍ନ ସମସ୍ୟା ଘେରରେ ବ୍ୟତିବ୍ୟସ୍ତ ଓ ଅଶାସ୍ତ୍ର । ଅତି ମୂଲିଆ ଶ୍ରେଣୀର ମିଲର ଭଳି ନିଜକୁ ସୁଖୀ କହିବାର ସତ୍ ସାହାସ ତାଙ୍କର ନାହିଁ । ମୁକୁଟ ମଣ୍ଡିତ ରାଜଶିର ନୁହଁଇ ଖାନ୍ତିର ଆସ୍ପଦ ।Unease lies the head that wears a crown. ଯେ ନିଜକ କର୍ତ୍ତବ୍ୟ କର୍ମ ସୁଚାରୁ ରୂପେ କରେ, ଆୟକୁ ଦେଖି ବ୍ୟୟ କରେ, ସ୍ତ୍ରୀ ପିଲାଙ୍କ ମେଳରେ ଖୁସି ରହେ, ସେ ପ୍ରକୃତରେ ସୁଖୀ ।
One who is content with one’s lot is happy.