କବିତା

ହେ ଜଗନ୍ନାଥ

Rajanigandha Swain's Odia Poem HEY JAGANNATHA

ତୁମ ଲୀଳା ଛାର ମଣିଷ ଜାଣିବ କିପରି,
ଠାରରେ ହେଲ କି ଗାରରେ ହେଲ
ତୁମେ ତ ପ୍ରଭୁ ସବୁଠି,
ମୂକକୁ କର ମୂଖର

ହେ ଜଗନ୍ନାଥ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁମେ ତ ଅନାଥର ନାଥ
ହେ ପରମ ପ୍ରଭୁ ଜଗନ୍ନାଥ,
ତୁମେ ହିଁ କୃଷ୍ଣ ତୁମେ ହିଁ ରାଧେ
ମୁଁ ଛାର ମଣିଷ ଜାଣିବି କେମନ୍ତେ
ତୁମେ ହିଁ ୧୬ ସହସ୍ର ବ୍ରଜନାରୀ
ମନ ମୋହୁ ଥିଲ ପୁଣି ବଂଶୀ ଧରି
ତୁମେ ତ ପୁରୁଷ ତୁମେ ନାରୀ
ସଭିଏଁ ଜାଣନ୍ତି ଯୁଗେ ଚାରି,
ଯମୁନା କୂଳେ କଦମ୍ୱ ମୂଳେ ରାସ ରଚି
ଗୋପିଙ୍କ ବସ୍ତ୍ର କଲ ଚୋରୀ
ଦୌପଦୀ ଥରେ ସଖା ତୁମକୁ ଦେଲା ଡାକି
କୌରବ ସଭାରେ ତା’ର ମାନ ମହତ ଦେଲ ରଖି,
ତୁମ ଲୀଳା ତୁମେ ଦାତା
ମୁଁ ପରା ନିମିତ୍ତ ମାତର,
ମୋ କାମ ପ୍ରଭୁ ତୁମେ କର
ହେ ପରମ ପ୍ରଭୁ ଚକ୍ରଧର,
ଏ ଜୀବନ ପରା ତୁମ ଦାନ
ତୁମେ ତ ଏହାର ପରମ କାରଣ,
ଦେବ ଯଦି ଦିଅ ଜୀବନ ଦେହ ବା ମରଣ
କେବେ କରିବିନି ପ୍ରଭୁ ଊଣା ମନ,
ତୁମେ ତ ପ୍ରଭୁ ମୋର
ମୁଁ ତୁମର ଦାସ
କରିଛି ତୁମ ଶ୍ରୀ ଚରଣେ ଆସ
ହସ ଲୁହ ସବୁ ପ୍ରଭୁ ତୁମ ଦାନ
ସାକ୍ଷୀ ତୁମେ କାଳୀୟ ଗଞ୍ଜନ,
ଯେତେ ମୋର ଆପଣାର
ସବୁ ହେଲେ ପର,
ତୁମେ ପରା ଏକା ନିଜର
ପ୍ରଭୁ ବେଣୁ ଧର
ତୁମକୁ କଲି ଆପଣାର
କର ହେ ଉଦ୍ଧାର

ଆହେ ଶଙ୍ଖ ଚକ୍ରଧର
ତୁମ ଛଡ଼ା ପ୍ରଭୁ କିଛି ମୁଁ ଜାଣିନି
ଜୀବନେ ଅନ୍ୟ କିଛି ବି ଭାବିନି
ଅନ୍ଧାର ଘେରା କୁଟୀରେ ମୋର
ତୁମେ ତ ଦ୍ୱୀପ ଶିଖା,
ଅଥଳ ସାଗରେ ବୁଡ଼ିଗଲା ବେଳେ
ତୁମକୁ କରିଛି ଭରଷା
ଅଜାମ୍ୱିଳ ତରିଲା ପୁତ୍ରନାମ ଧରି
ତୁମ ଲୀଳା ଛାର ମଣିଷ ଜାଣିବ କିପରି,
ଠାରରେ ହେଲ କି ଗାରରେ ହେଲ
ତୁମେ ତ ପ୍ରଭୁ ସବୁଠି,
ମୂକକୁ କର ମୂଖର
ମୁଁ ତ ନିମିତ୍ତ ମାତର,
ତୁମ ଦୟାରେ ପଙ୍ଗୁ ଲଙ୍ଘେ
ଗିରି ପରବତ
ତୁମ ବଳରେ ସଭିଏଁ ସମର୍ଥ
ଅସାର ସପନ ଦେଖିଲି
ତେଣୁ ତୁମକୁ ଆଶ୍ରା କଲି,
ମୋର ସବୁକିଛି ଦେଲ ସମର୍ପି
ନିଜର ବୋଲି ଆଜି ରହିନି କିଛି,
ଧନହୀନ, ମନ୍ତ୍ରହୀନ, ଭକ୍ତିହୀନ ମୁହିଁ
କେମିତି ପୂଜିବି ପ୍ରଭୁ ଜାଣିପାରୁ ନାହିଁ,
ତୁମକୁ ଜାଣିବା ପାଇଁ ଜ୍ଞାନ ମୋର ନାହିଁ
ଜାଣିଛି ଏତିକି ଖାଲି ତୁମେ ସର୍ବବ୍ୟାପୀ ବୋଲି,
ନିରାକାର ତୁମେ କରୁଣାର ମୂର୍ତ୍ତି,
ତୁମ ବିନୁ ମୋର ଅନ୍ୟ ଗତି ନାହିଁ
ଗର୍ବୀର ଗର୍ବକୁ ଦିଅ ଖଣ୍ଡ ଖଣ୍ଡ କରି
ଭକତର ଅପମାନ ହେଲେ
ଦିଅ ମାନ ମହତ ରଖି,
କେଉଁ ନାମ ଧରି ତୁମକୁ ଡାକିବି
ବ୍ରହ୍ମା, ଶଙ୍କର ବି ନ ପାରିଲେ ଜାଣି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top