ସୁବର୍ଣ୍ଣ ଇତିହାସର ଦ୍ୱାହି ଦେଇ
ଭଙ୍ଗୁର ବର୍ତ୍ତମାନର ପଥରେ
ଅନ୍ଧକାରମୟ ଭବିଷ୍ୟତକୁ
ଯାତ୍ରା କରୁଥିବା ପଥିକଟିଏ
ଉତ୍କଳ ତା’ର ନାଁ ।। ୧ ।।
ନିଜ ପୂର୍ବ ଗୌରବ ଗାରିମା ଭୁଲିଯାଇ
ଅନିଶ୍ଚିତତାର ସାଗର ବକ୍ଷରେ
ଢେଉ ସାଥେ ଲଢ଼େଇ କରି ଠିକଣା ଖୋଜୁଥିବା
ଦିଗହରା ନାବିକଟିଏ
ଉତ୍କଳ ତା’ର ନାଁ ।। ୨ ।।
ରୂପାଜହ୍ନକୁ କରାୟତ କରିବାକୁ ଚେଷ୍ଟା କରି
ବିଶାଳ ମହାକାଶର ଅସଂଖ୍ୟ ନକ୍ଷତ୍ରଙ୍କ ମେଳରେ
ନିଜ ପରିଚୟ ଖୋଜି ବୁଲୁଥିବା
ଅସହାୟ ମହାକାଶଚାରୀଟିଏ
ଉତ୍କଳ ତା’ର ନାଁ ।। ୩ ।।
ହାତରେ ଦିଗବାରେଣୀ ଯନ୍ତ୍ର ଥାଇ ସୁଦ୍ଧା
ଅଗନାଅଗନି ବନସ୍ତ ଭିତରେ
ଗନ୍ତବ୍ୟସ୍ଥଳକୁ ରାସ୍ତା ପାଉ ନଥିବା
ପଥହରା ବାଟୋଇଟିଏ
ଉତ୍କଳ ତା’ର ନାଁ ।। ୪ ।।
ଆଳସ୍ୟର ବଶୀଭୂତ ହୋଇ
ଗୋଟିଏ ଗୋଟିଏ ପଇସା ପାଇଁ
ପର ପାଖେ ହାତ ପତାଉଥିବା
ଅମାପ ଦୁର୍ଲଭ ଅସରପିର ମାଲିକ
ଉତ୍କଳ ତା’ର ନାଁ ।।୫ ।।
