ଦରିଦ୍ରତା ଏପରି ଏକ ଚିହ୍ନ,
ଯାହା ସବୁକିଛି ଛଡାଇନିଏ ,
ପ୍ରତିବଦଳରେ ବହୁତ କିଛି ଶିଖାଇ ଦିଏ ।
ଏଠି ସମ୍ମାନ ବଦଳରେ , ଉପହାସ ମିଳେ ।
କର୍ତ୍ତବ୍ୟ ଗୁଡାକ ଦାୟିତ୍ୱ ର ବୋଝ ପାଲଟି ଯାଏ ।
ଏଠି ଇଚ୍ଛା ସବୁ ରାତ୍ରିର ଚନ୍ଦ୍ରମା ଭଳି ,
ଦୂରରୁ ସୁନ୍ଦର ଲାଗେ , ମାତ୍ର ଛୁଇଁ ହୁଏନି ।
ଦରିଦ୍ରତା ଏପରି ଏକ ଛିଟା ,
ଯେଉଁ ଛିଟା ର କାଳିମା ଜୀବନକୁ ଅନ୍ଧାରରେ ଭିରିଦିଏ ସିନା ,
ମାତ୍ର ଆଲୋକର ବହ୍ନି ସୁଦ୍ଧା ସ୍ପର୍ଶ କରେନା ।
ଏଠି ପ୍ରେମ ବଦଳରେ , ପ୍ରତାରଣା ମିଳେ ।
ସମ୍ପର୍କ ଗୁଡାକ ଟଙ୍କାର ତରାଜୁରେ ତଉଲା ଯାଏ।
ଏଠି ଆଶା , ଆକାଂକ୍ଷା ସବୁ ଗଙ୍ଗଶିଉଳି ପରି ଝଡି ଯାଏ ,
ମାତ୍ର ପୂର୍ଣ୍ଣତାର ମାର୍ଗ ନଥାଏ।
ଦରିଦ୍ରତା ଏପରି ଏକ ଶବ୍ଦ ,
ଯେଉଁ ଶବ୍ଦ ପ୍ରକାଶ କରି ହୁଏନା ସିନା ,
କେବେ ବକ୍ଷର କମ୍ପନ ରେ ଥରିଉଠେ,
ତ କେବେ ହୃଦୟର ସେହି ଅକୁହା ବେଦନରେ।
ଏଠି ବିଶ୍ୱାସ ବଦଳରେ , ବିଷ ର ଯନ୍ତ୍ରଣା ମିଳେ ।
ଭାବନା ଯେଉଁଠି ସ୍ୱାର୍ଥ ବିଜଡିତ ସେଠି ବିଶ୍ୱାସର ଆଶା ବିଡମ୍ବନା ମାତ୍ର।
ଏଠି ସୁଖ ସମୟରେ ସମସ୍ତେ ଆପଣାର ଲାଗନ୍ତି ,
ମାତ୍ର ଦୁଃଖ ବେଳେ ଭାଗ୍ୟ ସହ ଛନ୍ଧି ଲେଉଟି ଯାଆନ୍ତି।
ଦରିଦ୍ରତା ଏପରି ଏକ ଦାରୁଣ ଦୁଃଖ ,
ଯେଉଁ ଦୁଃଖ ସବୁ ଆଖିର ଲୁହ ହୋଇ ବହିଯାଏ ,
ମାତ୍ର, ଓଠରେ ହସ ଉଇଁ ପାରେନା ।
ଏଠି ଅନୁକମ୍ପା ବଦଳରେ , ଦୟା ମିଳେ।
ପରିହାସ ର ଲାଂଛନ ରେ ଆତ୍ମସଂମାନ ବି ହରାଇବାକୁ ପଡେ ।
ଏଠି କଳ୍ପନା ରେ ଲକ୍ଷ୍ୟ ସବୁ ଗଢ଼ାଯାଏ… ସଜାଯାଏ… ,
ମାତ୍ର ବାସ୍ତବ ରେ ତାହା ଗଢ଼ିହବା ଆଗରୁ ହିଁ ଭାଙ୍ଗିଯାଇଥାଏ।
