ଜଞ୍ଜାଳ ପଗଡ଼ି, ମୁଣ୍ଡରେ ତୁ ଭିଡ଼ି
ମିଠେ ହେଉ ହରବର
ଦୁର୍ଲଭ-ମଣିଷ-ଜୀବନ ଲଭି ତୁ
ଭାବୁଛୁ କାହିଁ ଅସାର । (୧)
ସତ୍ୟ, ଦୟା, କ୍ଷମା, ସ୍ନେହ, ଅନୁରାଗ
ଯେତକ ଗୁଣ ଅପାର
ଗଢ଼ିଛନ୍ତି ବିହି, ସବୁ ଗୁଣ ଦେଇ
ତଥାପି କାହିଁ ତୋ ଡର ? (୨)
ସୂର୍ଯ୍ୟ, ଚନ୍ଦ୍ର, ବାୟୁ ଧରଣୀ, ଆକାଶ
ସାଥେ ବରଷାର ଧାର,
ତା’ ସାଥେ ଅଛନ୍ତି ବୃକ୍ଷ, ଗୁଳ୍ମ ଲତା
ଝରଣା, ନଦୀ ଓ ନାଳ । (୩)
ଧରଣୀରେ ଶୋହେ ଫଳ, ପତ୍ର, ଫୁଲ
ସବୁ ଯେ ଅଟେ ତୋହର ।
ତଥାପି କାହିଁକି କହରେ ମଣିଷ
ଅବୁଝା ଯେ ମନ ତୋର ? (୪)
ମୋର ମୋର କହି ନିଇତି ମରୁଛୁ
ଲୋଭ, ମୋହ ଗ୍ରାସେ ଘୋର
ବିଭୂପାଦେ ସବୁ ଅରପି ଯେ ଦେଏ
ଜୀବନ ଜଞ୍ଜାଳ ତୋର । (୫)