କବିତା

ପଲ୍ଲୀ ପ୍ରୀତି

Sudipta Pani's odia poem Palli Priti

ମାଟିର ବାସନା ଶଶିର ଜୋଛନା
ଭୁଲି ହେଲ ସ୍ୱାର୍ଥପର
ପିତାମାତାଙ୍କର ସ୍ନେହ ଭୁଲିଗଲ
ଦାସ ହେଲ ସହରର।୨।

ପଲ୍ଲୀ ପ୍ରୀତି

ଗ୍ରାମକୁ ଭୁଲିଲ ସହର ଆସିଲ
ବିଦ୍ୟା ଅଧ୍ୟୟନ ପାଇଁ
ଆଉକେ ଆସିଲା ଘର ବସାଇଲା
ପଲ୍ଲୀକୁ ଫେରିଲା ନାହିଁ ।୧।

ମାଟିର ବାସନା ଶଶିର ଜୋଛନା
ଭୁଲି ହେଲ ସ୍ୱାର୍ଥପର
ପିତାମାତାଙ୍କର ସ୍ନେହ ଭୁଲିଗଲ
ଦାସ ହେଲ ସହରର ।୨।

ଦେହସୁଖ ପାଖେ ବନ୍ଧା ପଡ଼ିଗଲ
ଖୋଜିଲ ମିଥ୍ୟା ପ୍ରଣୟ,
ଅର୍ଥ ଲୋଭ ପାଇଁ ଶିର ବିକିଦେଲ
ସ୍ଵାଧୀନତା କଲ କ୍ଷୟ ।୩।

ଅତୀତର ସ୍ମୃତି ସାଉଁଟି ଆଣହେ
ସାଙ୍ଗସାଥୀ ପରିଜନ
ବେଳ ବୁଡ଼ିଗଲେ ଡେରି ହୋଇଯିବ
ଭାଙ୍ଗି ଯାଇଥିବ ମନ ।୪।

ସଲାମ୍ କରହେ ପୂର୍ବ ପୁରୁଷଙ୍କ
ଦିବ୍ୟ ପ୍ରଦୀପ ଶିଖାକୁ
ଚାଲ ଫେରିଯିବା ଅତୀତର ସେହି
ପଲ୍ଲୀ ଜୀବନ ଢାଞ୍ଚାକୁ ।୫।

ଅନ୍ଧାର ରାତିରେ ଡିବି ଆଲୁଅରେ
ପଢ଼ିବାର ଯେଉଁ ମଜା
ତାହାକି ପାଇବ ଆଜିର ଯୁଗରେ
ପଡ଼ିଛି ଯାହାର ଖୋଜା? ।୬।

ଭୂମି ଚଷିବାକୁ ବଳଦ ଧରିଣ
ଚାଷୀଟିଏ ଯାଏ ଚଳି
ଗୋଧୂଳି ସମୟେ ବାହୁଡ଼ଇ ଧରି
ଲଙ୍ଗଳ ଯୋତ ଯୁଆଳି ।୭।

ସ୍ନାନ କରିବାକୁ ପୋଖରୀ କୂଳକୁ
ଧାଉଁ ଦଶ ବାରଜଣ
ସ୍ନାନରେ ବିଳମ୍ବ ହୋଇଯାଏ ଯେବେ
ପିଠିରେ ବସେ ପାଞ୍ଚଣ ।୮।

ପୋଖରୀ ବନ୍ଧରେ ଛିଡ଼ା ହୋଇ ଆମେ
ପାଣି ଭିତରକୁ ଡେଉଁ
ପାଣିର ଛିଟିକା ପଡ଼ିଲେ ଦେହରେ
ଲୋକେ ହୋନ୍ତି ହାଉ ଚାଉ ।୯।

ସନ୍ଧ୍ୟାର ସମୟେ ମହାନଦୀ ପାଶେ
ସମୀର ବହଇ ଧୀରେ
ତାହାର ଆନନ୍ଦ ଆଉ କି ପାଇବ
କୋଠା ଘରର ଏ.ସି. ରେ ।୧୦।

ବରଷା ଋତୁରେ ଅସରା ବର୍ଷାରେ
ଗାଆଁ ଦାଣ୍ଡ ଭିଜୁଥାଏ
ରଅଫ ଖାତାର ଚିରା ପୃଷ୍ଠାମାନ
ଡଙ୍ଗା ହୋଇ ଭାସୁଥାଏ ।୧୧।

ଗହୀର ମଧ୍ୟରେ ଟାପୁ ଦେଖି କରି
ସାଙ୍ଗ ମେଳି ହୋଇ ଆସୁ
ଜାଲ ତ ନଥାଏ ମଶାରୀକୁ ଘେନି
ମାଛ ମାରିବାକୁ ପଶୁ ।୧୨।

ବିନା ପୋଷାକରେ ମାଛ ଧରିବାକୁ
ନ ଥାଏ କାହାର ଡର
ଭୟ ଖାଲି ଥାଏ ବାପା ଦେଖିଦେଲେ
ବସିବ ବେତ ପାହାର ।୧୩।

ଗ୍ରୀଷମ ଦିନରେ ଫସଲ କ୍ଷେତରେ
ତେଣ୍ଡା ସଜ ହାତେ ଧରି
ଜଳ ବୁହାଇଲେ ଅନ୍ୟ ଜଣେ ଦିଏ
ମାଟିରେ ସିଆର କରି ।୧୪।

ବରଷକୁ ଥରେ ଚାଳ ଛପରରେ
ଲାଗଇ ଅନେକ ନଡ଼ା
ପୁରୁଣା ନଡ଼ାକୁ ଖତ କରିବାକୁ
ହେଇଯାନ୍ତି ହଡ଼ବଡ଼ା ।୧୫।

ରବି ଛୁଟିଗଲେ ଗରା କାଖେ ଧରି
ଆସନ୍ତି ମାଆ ଭଉଣୀ
ଗାଆଁ ମୁଣ୍ଡେ ଥିବା ନଳ କୂପଠାରୁ
ବୁହାଇ ଆଣନ୍ତି ପାଣି। ।୧୬।

ଗୋଧୂଳି ସମୟେ ଗୋ ପଲ ଫେରନ୍ତି
ଗାଈଆଳ କ୍ଳାନ୍ତ ଦିଶେ
ଗାଆଁ ମନ୍ଦିରରୁ ଘଣ୍ଟି ଘଣ୍ଟା ଶୁଭେ
ଆକାଶରେ ତାରା ହସେ ।୧୭।

ଋତୁ ଅନୁସାରେ ଋତୁ ଚାଲିଯାଏ
ଫସଲ ବି ହୋଇଥାଏ
ସାଙ୍ଗସାଥୀ ମିଶି ଚୋରେଇ ଖାଇବା
ମଜା ଭିନ୍ନ ମନେହୁଏ ।୧୮।

ବାଟି,କୁଆବାଡ଼ି ନିମିକି,କବାଡ଼ି
ପାଣି ପାହାଡ଼, ପତାଦି
ମିଶି ଖେଳି ବଡ଼ ହୋଇଲେ ସମସ୍ତେ
ଭୁଲିବନି ଏ ଯେମିତି ।୧୯।

ଭୁଲଯାଅ ନାହିଁ ଅତୀତ ସ୍ମୃତିକୁ
ସେହି ଆମ ଧରୋହର
ଆସିବ କି ଆଉ ସେ ପୁରୁଣା ଦିନ
ଅନ୍ତରେ କର ବିଚାର ।୨୦।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top