ପ୍ରବନ୍ଧ

ଜିଜୀବିଷା ଓ ଜୀବନର ଊର୍ଜା

Dr Nilamadhab Kar's Odia Prose Jijibisha O Jeebanara Urjaa

ଜୀବନକୁ ସରଳ ସୁନ୍ଦର ରଖିବାରେ ସ୍ୱାସ୍ଥ୍ୟର ଭୂମିକା ଖୁବ ବେଶୀ ।

ଜିଜୀବିଷା ଓ ଜୀବନର ଊର୍ଜା

ବଞ୍ଚି ରହିବାର ଇଚ୍ଛା – ଜିଜୀବିଷା – ଏକ ମୌଳିକ ତଥା ସାଧାରଣ କଥା । ସମସ୍ତେ ଏ ସଂସାରରେ ଅଧିକରୁ ଅଧିକ ଦିନ ବଞ୍ଚି ରହିବାକୁ ଚାହାନ୍ତି । ରବୀନ୍ଦ୍ର ନାଥଙ୍କ ‘ମରିତେ ଚାଇନା ଆମି ସୁନ୍ଦର ଧରଣୀତେ’ ଲେଖା ଏ ବିଷୟକୁ ସୁନ୍ଦର ଭାବେ ପ୍ରତିଫଳିତ କରିଥାଏ । ତେବେ ଜିଜୀବିଷାର ପ୍ରଗାଢ଼ତା ବେଳେବେଳେ କମିଯିବା ଦେଖାଯାଏ । ଜୀବନରୁ ଯେମିତି ମନ ପୁରିଯାଏ । ଆଉ ବଞ୍ଚି ରହି ଲାଭ କଣ, ମରିଗଲେ ଭଲ ହୁଅନ୍ତା, ଏମିତି କିଛି ହେଇଯାଆନ୍ତି କି ମରିଯାଆନ୍ତି, ଇତ୍ୟାଦି ଚିନ୍ତା ମନକୁ ଆସେ । ଜୀବନରେ କେବେ କେବେ ମରିଯିବାର ଇଚ୍ଛା ଯେ ମନକୁ ଛୁଇଁଥାଏ, ଏ କଥା ଅନେକ ଲୋକ ମାନନ୍ତି । ତେବେ ଅଧିକାଂଶ ଲୋକ ଏହି ଭାବନାକୁ ଅନାୟାସରେ ଆଡ଼େଇ ଦେଇ ପାରନ୍ତି । ତେବେ କେହି କେହି ମୃତ୍ୟୁ ଓ ଆତ୍ମହତ୍ୟାର ଚିନ୍ତା, ତା ପାଇଁ ଉପାୟ, ଇତ୍ୟାଦି ଭାବି ବସନ୍ତି, ଓ ତା ପାଇଁ ଉଦ୍ୟମ କରନ୍ତି । ଦୁଃଖର କଥା ଏବେ ଆତ୍ମହତ୍ୟା ମୃତ୍ୟୁର ଏକ ମୁଖ୍ୟ କାରଣ ହେବାରେ ଲାଗିଛି, ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ।

ମାନସିକ ଚାପ ସୃଷ୍ଟି କରୁଥିବା ପରିସ୍ଥିତି ସବୁ ଜିଜୀବିଷା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ଓ ଆତ୍ମହତ୍ୟାର କାରଣ ହୋଇପାରେ । ମାନସିକ ଚାପକୁ ସମ୍ଭାଳିବା ପାଇଁ ଅନେକ ଉପାୟ ଅଛି, ସେସବୁ ବୁଝି, ନିଜ ପାଇଁ ଉପଯୁକ୍ତ ମନେ ହେଉଥିବା ଉପାୟସବୁ ନିର୍ଦ୍ଦିଷ୍ଟ କରି ରଖିବା ଓ ସେସବୁର ଉପଯୋଗ କରିବା ଉଚିତ । ଏହା ଛଡ଼ା ଆତ୍ମହତ୍ୟା ବିଭିନ୍ନ ମାନସିକ ଓ ସାମାଜିକ କାରଣ ସହ ଜଡ଼ିତ ଥାଏ । ମନରୋଗ ଓ ମାନସିକ ଅସୁବିଧାଗୁଡିକର ଚିକିତ୍ସା ଔଷଧ, ମନସ୍ତାତ୍ୱିକ ସାହାଯ୍ୟ, ପରିବାର ଓ ସାମାଜିକ ସହାୟତାରେ ସମ୍ଭବ ।

ତେବେ କେବଳ ରୋଗ ଚିକିତ୍ସା, ଜୀବନରେ ଅସୁବିଧାଗୁଡ଼ିକର ସମାଧାନ, ବା ନକାରାତ୍ମକ ଚିନ୍ତା ଓ ପରିଣାମର ଉପଶମ ଜୀବନକୁ ସୁନ୍ଦର ଓ ସୁଦୃଢ଼ କରି ଗଢ଼ି ପାରିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ ସକାରାତ୍ମକ ଭାବନା, ପ୍ରଯୋଜନା, ଓ ବ୍ୟବସ୍ଥା ଆଦି ଦରକାର । ଏସବୁ ବିଷୟରେ ଜୀବନର ଆରମ୍ଭରୁ ପ୍ରତିଟି ବ୍ୟକ୍ତି ବିଶେଷ, ପିତାମାତା, ଶିକ୍ଷକ ଓ ଗୁରୁଜନମାନେ ସଚେତନ ରହିବା ଆବଶ୍ୟକ ।

ପ୍ରଥମତଃ ଜୀବନରେ ମହତ୍ତର ଲକ୍ଷ୍ୟ ରହିବା ଅନ୍ତତଃ ଆବଶ୍ୟକ । ଏହା ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ବା ପଦବୀରେ ସୀମିତ ରହିବା ଉଚିତ ନୁହେଁ । ନିଜ କର୍ତ୍ତୃତ୍ୱ ଭିତର ଓ ବାହାରର ବିଭିନ୍ନ କାରଣରୁ ସେସବୁ ପୂର୍ଣ୍ଣ ହେଇ ନପାରିଲେ, ଜୀବନ ସାରା ଦୁଃଖ ବା ଅନୁଶୋଚନା ଲାଗିରହେ । ତେବେ ଏସବୁ ପୁରଣ ହେଲେ ବି, ପରେ ବଦଳି ଯାଉଥିବା ପରସ୍ଥିତିରେ ଏ ସବୁ ଲକ୍ଷ୍ୟ ଅର୍ଥପୂର୍ଣ୍ଣ ରହି ନପାରେ ।
ଜୀବନରେ କଠିନ ସମୟ ଓ ପରିସ୍ଥିତି ସମସ୍ତେ ଅନୁଭବ କରିଥାନ୍ତି । କୌଣସି ପ୍ରତିକୂଳ ପରିସ୍ଥିତିରେ ଆଶା ହରେଇବା ଉଚିତ ନୁହେଁ । ଆଶା ହରେଇଲେ, ସାଧ୍ୟ ପରିସ୍ଥିତି ସବୁ ଯେମିତି ଦୁସାଧ୍ୟ ପାଲଟିଯାଏ । ଏମିତିକି ଚିକିତ୍ସା ପରେ ବି ଆରୋଗ୍ୟ ଲାଭ କରିବା କଠିନ ହୋଇଯାଏ । ଆଶା ହିଁ ଜୀବନକୁ ଆଗକୁ ନେଇଯିବା ପାଇଁ ଇଚ୍ଛା ଶକ୍ତି ଯୋଗାଇଥାଏ । ପରିସ୍ଥିତିର ଯଥାଶକ୍ତି ସମାଧାନ ପାଇଁ ଚେଷ୍ଟା କଲାପରେ ବି ସବୁବେଳେ ମନ ମୁତାବକ ଫଳ ମିଳି ନଥାଏ । ଏ ଅବଶ୍ୟମ୍ଭାବୀ ପରିଣାମ ପାଇଁ ବିକଳ୍ପ ଉପାୟ ଓ ଯାତ୍ରା ପାଇଁ ମାନସିକ ଭାବେ ପ୍ରସ୍ତୁତ ରହିବା ଉଚିତ । ଗୋଟିଏ ଅପୂର୍ଣ୍ଣ ଇଚ୍ଛାରେ ଜୀବନର ରାସ୍ତା ସରିଯାଏ ନାହିଁ । ସବୁ ପରିସ୍ଥିତି କିନ୍ତୁ ଅନେକ ଉପଯୋଗୀ ଅନୁଭବ ଓ ଶିକ୍ଷା ଦେଇଥାଏ । ସେସବୁ ଜାଣିବା ସଙ୍ଗେ ସଙ୍ଗେ ସେସବୁର ସଦୁପୋଯୋଗ କରିବା ଦରକାର ।
ଜୀବନର ଲକ୍ଷ୍ୟ ସାଧନ ପାଇଁ କଠିନ ପରିଶ୍ରମ ସହ, ଏହାର ପନ୍ଥା ସାଧୁତା ଓ ନ୍ୟାୟପରାୟଣତା ଉପରେ ଆଧାରିତ ହେବା ଆବଶ୍ୟକ । ଅନ୍ୟଥା ପରବର୍ତ୍ତୀ ସମୟରେ ଅନାବଶ୍ୟକ ମନସ୍ତାପ, ଭୟ ଓ ନିରାନନ୍ଦ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କାରଣ ନିଜର କର୍ମକୁ ନିଜଠୁ ଲୁଚେଇ ହୁଏନି, ନିଜ ପୂର୍ବ କର୍ମ ଉପରେ ମନସ୍ତାପ ହେଲେ, ପର ଜୀବନରେ ଗଭୀର ପ୍ରଶାନ୍ତିର ଅନୁଭବ ପାଇବା କଷ୍ଟକର ହେଇଯାଏ । ସମ୍ପୂର୍ଣ୍ଣ ଭାବେ ତ୍ରୁଟିହୀନ ହେବାର ସାମର୍ଥ୍ୟ କାହାରି ନାହି, ଏ କଥା ମନେ ରଖିବା ଉଚିତ । ନିଜ ତ୍ରୁଟିରେ କେବଳ ଆତ୍ମଗ୍ଳାନିରେ ଭରି ନଯାଇ, ନିଜକୁ କ୍ଷମା କରିପାରିବାର ଉଦାରତା ରଖିବା ଦରକାର ।

ଜୀବନକୁ ସରଳ ସୁନ୍ଦର ରଖିବାରେ ସ୍ୱାସ୍ଥ୍ୟର ଭୂମିକା ଖୁବ ବେଶୀ । ‘ଶରୀରମାଦ୍ୟଂ ଖଳୁ ଧର୍ମସାଧନମ୍’ । ସୁସ୍ଥ ନିରୋଗ ଦେହରେ ହିଁ ଏକ ସୁସ୍ଥ ମନ ରହିପାରିବ । ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ଯତ୍ନ ନେବା ଅତି ଆବଶ୍ୟକ । ଏକଥା ଜାଣି ସୁଦ୍ଧା ଅନେକେ ଏ ବିଷୟରେ ଉପଯୁକ୍ତ ପଦକ୍ଷେପ ନିଅନ୍ତି ନାହିଁ । ଯଦିଓ ଏସବୁ ସାଧାରଣ ଜୀବନରେ ଖୁବ ସମ୍ଭବ, ଯଥା: ସୁଷମ ଓ ପୃଷ୍ଟିକର ଖାଦ୍ୟ, ଦିନକୁ ଅନ୍ତତଃ ୩୦ ମିନିଟ ଶାରୀରିକ ବ୍ୟାୟାମ, ବା ଯୋଗ ଅଭ୍ୟାସ; ୬ ରୁ ୮ ଘଣ୍ଟାର ନିଦ, ଓ ନିଶାଦ୍ରବ୍ୟଠୁ ଦୁରେଇ ରହିବା ଇତ୍ୟାଦି । ତା ଛଡ଼ା କିଛି ସମୟ ଧ୍ୟାନ, ପ୍ରାଣାୟମ ଓ ମନକୁ ଆରମ ଲାଗୁଥିବା କାମ, ଯେମିତିକି, ବହି ପଢିବା, ସଂଗୀତ ଶୁଣିବା, ବଗିଚା କାମ, ଚିତ୍ର କରିବା, ପରିବାର ଓ ସାଙ୍ଗସାଥିଙ୍କ ସହ ସମୟ ଅତିବାହିତ କରିବା ଇତ୍ୟାଦି । ଘରକାମ ବା ଅର୍ଥ ଉପାର୍ଜନ କରିବାର ମୂଳ କାମ ଛଡ଼ା, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଅନ୍ୟମାନଙ୍କ ସହ ସମୟ କାଟିବା ଦରକାର । କାରଣ ନିଃସଙ୍ଗତା ଅନେକ ମାନସିକ ଓ ଶାରୀରିକ ଅସୁବିଧାର କାରଣ ହୋଇଥାଏ ଓ ଆଜିକାଲିର ଅସ୍ଥିର ଜୀବନ ଓ ଇଣ୍ଟର୍ନେଟର ଯୁଗରେ ଏହାର ପ୍ରଭାବ ବଢ଼ିବାରେ ଲାଗିଛି ।

ଜୀବନରେ ସର୍ବଦା ସକାରାତ୍ମକ ଚିନ୍ତାଧାରାର ଅଜସ୍ର ଭୂମିକା ଓ ଉପାଦେୟତା ଅଛି । କୌଣସି ପ୍ରତିଦାନର ଆଶା ନ ରଖି ପରୋପକାର କରିବାରେ ଆନନ୍ଦ ମିଳିଥାଏ, ତେଣୁ ଏଥିପାଇଁ ଉପାୟ ଓ ସୁଯୋଗ ଖୋଜିବା ଦରକାର । ପରିସ୍ଥିତି ଓ ଅନ୍ୟମାନଙ୍କ ସହିତ ଖାପ ଖୁଆଇ ଚଳିବାର କୌଶଳ ଜାଣିବା ଅତ୍ୟନ୍ତ ଉପଯୋଗୀ । ମତାନ୍ତର ଓ ମନାନ୍ତରକୁ ପରିଚାଳନା କରିପାରିବା ଓ ସମ୍ଭାଳି ପାରିବାର ନିଜର ସକ୍ଷମତାକୁ ବୃଦ୍ଧି କରିବା ଉଚିତ । କାରଣ ଅଧିକାଂଶ ବେଳେ ପାରସ୍ପରିକ ସମ୍ପର୍କର ଅସୁବିଧା ହିଁ ମାନସିକ ଚିନ୍ତାର କାରଣ ହୋଇଥାଏ ।

ଅନ୍ୟ ସହ ନିଜର ତୁଳନା କରି ଖୁସି ବା ଦୁଃଖୀ ହେବା ବାଞ୍ଚନୀୟ ନୁହେଁ, ଏହାଦ୍ୱାରା ଅନେକେ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଅକାରଣରେ ନିଜର ମୌଳିକତାକୁ ଭୁଲିଯାନ୍ତି ଓ ଚିନ୍ତାଗ୍ରସ୍ତ ରହନ୍ତି । ତୁଳନା କରିବାକୁ ହେଲେ, ନିଜର ପୂର୍ବ ସକ୍ଷମତା ସଙ୍ଗେ ବର୍ତ୍ତମାନର ଅବସ୍ଥାକୁ ତୁଳନା କରି ତାକୁ ପୂର୍ବାପେକ୍ଷା ଆହୁରି ସୁଦୃଢ଼ କରିବାକୁ ଚେଷ୍ଟା କରିବା ଦରକାର ।

ଅନ୍ୟର ଭଲପାଇବା ସମସ୍ତେ ଚାହାନ୍ତି, ଓ ଜୀବନରେ ତାର ମହତ୍ଵ ଉପଲବ୍ଧି କରନ୍ତି । ଅନେକଙ୍କ ପାଇଁ ହୁଏତ ତାହା ଆଶାନୁରୂପ ହୁଏନା ବା ମିଳିପାରେନା । ତେବେ ବିନା ଆଶାରେ, ଜୀବନରେ ଅନ୍ତତଃ ଜଣଙ୍କୁ ମନ ଖୋଲି ଭଲ ପାଇଲେ, ଜୀବନର ରାସ୍ତା ସାବଲୀଳ, ଉତ୍ସାହପୂର୍ଣ୍ଣ, ଅର୍ଥପୂର୍ଣ୍ଣ ହୋଇପାରିବ । ବେଳେବେଳେ ସେଇ ଗୋଟିଏ କାରଣ, ଜୀବନ ଜୀଇଁବାକୁ ପ୍ରେରଣା ଦେବ, ନିଜ ପାଇଁ ନହେଲେ ବି ଭଲପାଉଥିବା ଲୋକଟି ପାଇଁ ଜିଜୀବିଷାର ପ୍ରାବଲ୍ୟ ଆକାଶଛୁଆଁ ହେବ । ନିଛଳ, ନିସର୍ତ୍ତ, ଭଲପାଇବା ସହ, ସହନଶୀଳତା, କରୁଣା ଓ କ୍ଷମା ଆଦି ଗୁଣାବଳୀର ବି ଜୀବନରେ ଆବଶ୍ୟକତା ରହିଛି, ଯାହା ଜୀବନର ଗୁଣମାନକୁ ବୃଦ୍ଧି କରିଥାଏ ।

ଅତୀତକୁ ନେଇ ଦୁଃଖୀ, ଓ ଅଜଣା ଭବିଷ୍ୟତର ଆଶଙ୍କାରେ ଅନେକ ଲୋକ ବର୍ତ୍ତମାନ ସମୟରେ ଜୀଇଁବା ଭୁଲି ଯାଆନ୍ତି । ‘ଗତସ୍ୟ ଶୋଚନା ନାସ୍ତି’ । ଯାହା ବିତିଯାଇଛି ତାକୁ ବଦଳେଇ ହେବନି, କିନ୍ତୁ ସେଥିରୁ ଶିଖିହେବ । ଅତୀତର ଶିକ୍ଷା, ବର୍ତ୍ତମାନ ଓ ଭବିଷ୍ୟତ ଜୀବନକୁ ଆହୁରି ସହଜ, ସୁନ୍ଦର କରି ଗଢ଼ିପାରିବ । ଭବିଷ୍ୟତ ପାଇଁ ଚିନ୍ତା ବା ଆଶଙ୍କା ନ କରି, ତା ପାଇଁ, ପ୍ରସ୍ତୁତ ହେବା ଦରକାର । କେହି ଭବିଷ୍ୟତକୁ ଦେଖିନାହିଁ ସିନା, ତାର ଅନିଶ୍ଚିତତା ଓ ପରିବର୍ତ୍ତନଶୀଳତାକୁ ସମସ୍ତେ ଜାଣନ୍ତି । ତେଣୁ ଅହେତୁକ ଉଦବେଗରେ ସମୟ ଅପଚୟ ନ କରି, ବରଂ ଭବିଷ୍ୟତର ସମ୍ଭାବ୍ୟ ପରିସ୍ଥିତି ପାଇଁ ନିଜକୁ ଉପଯୁକ୍ତ ଭାବେ ସଜ୍ଜ କରିବା ଉଚିତ ।

ବ୍ୟସ୍ତ ଜୀବନରେ କିଛି ସମୟ ବାହାର କରି ଆତ୍ମନିରୀକ୍ଷଣ ଓ ବିଶ୍ଲେଷଣ କରିବା ଦରକାର । ଏହାଦ୍ୱାରା ନିଜ ମନର ଅବସ୍ଥା, ଓ ନିଜ ଜୀବନର ଲକ୍ଷ୍ୟ ପ୍ରତି ଦୃଷ୍ଟି ରଖି ହେବ । ମଣିଷ ଜୀବନର ପ୍ରକୃତ ଲକ୍ଷ୍ୟ ଯେ ପାର୍ଥିବ ଅର୍ଜନ ଠାରୁ ଅଧିକ ବ୍ୟାପକ, ଏ କଥା ହୃଦୟଙ୍ଗମ କରିବା ଏକ ଅନନ୍ତ ଅନୁଭବ । ପରବର୍ତ୍ତୀ ସୋପାନରେ, ଜଣେ ବ୍ୟକ୍ତିବିଶେଷ ଯେ ଏକ ବିଶାଳ ଶୃଙ୍ଖଳାର, ଚିନ୍ତାଧାରାର, ଉଦ୍ଦେଶ୍ୟର ଅଂଶ, ସେ ଆତ୍ମଜ୍ଞାନ ଲାଭ କରିବା ଓ ନିଜ ଜୀବନକୁ ସେହି ବୃହତ୍ତର ସର୍ବଜନ ହିତାୟ କର୍ମରେ ଉତ୍ସର୍ଗ କରିବା, ଜିଜୀବିଷାକୁ ଏକ ଉତ୍ତମ ଊର୍ଜା ପ୍ରଦାନ କରିଥାଏ । ଏହି ଅଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ, ଜୀବନକୁ ଏହାର ପ୍ରକୃତ ଲକ୍ଷ୍ୟ ସହ ପରିଚିତ କରାଇବା ସଙ୍ଗେ ସଙ୍ଗେ ବ୍ୟକ୍ତିକୁ ଅନିର୍ବଚନୀୟ ଆନନ୍ଦ ଓ ଜୀବନକୁ ଅର୍ଥପୂର୍ଣ୍ଣଭାବେ ଜୀଇଁବାକୁ ପ୍ରଜ୍ଞା ଦେଇଥାଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top