ଗଳ୍ପ

ଘର ବାହୁଡ଼ା

Ramakanta Das's odia story Ghara Baahudaa

ଦେଢ଼ଶୁରଙ୍କର ପାଟିରେ ଗୋଟାପଣେ ଥରି ଉଠିଲା ପ୍ରମିଳା । କାହିଁକି ଏତେ ରାନ୍ଧୁଚି ? ଘରେ ଖାଇବାକୁ ପରା କେତେ ଲୋକ ? କାହା ପାଇଁ ରନ୍ଧା ହେଉଚି ସବୁ ?

ଘର ବାହୁଡ଼ା

ନୂଆଉ. . . ନୂଆଉ ଡାକ ଛାଡ଼ି ଘର ଭିତରକୁ ପଶି ଆସିଲା ମିତା । ପ୍ରମିଳାର ମୁଣ୍ଡ ବିନ୍ଧୁଥିଲା । ଖଟ ଉପରେ ପେଟେଇ ପଡ଼ି ତକିଆରେ ମୁହଁ ଚାପି ଶୋଇଥିଲା ସେ । ହୁଁ କି ଚୁଁ ଜବାବ୍ ଦେଲାନି । ସେମିତି ଶୋଇ ରହିଲା ଚୁପ୍ ଚାପ୍ ।

ଦେହ ଭଲ ନାହିଁ କି ବୋଲି ମିତା ପଚାରିଲା । ଖାଇବାକୁ ଡାକିଲା ଖାଇବା ଛୁଟିରେ ସେ ସ୍କୁଲ୍‌ରୁ ଫେରିଚି । ସକାଳ ପହରୁ ଖଟି ଖଟି ବଡ଼ ଅବଶ ଲାଗିଲାଣି ପ୍ରମିଳାକୁ । ଏଇ ତ ଦୁଇମିନିଟ୍ ହେବ ଖଟରେ ପଡ଼ିଚି କି ନାହିଁ ମିତା ଆସି ଡାକିଲାଣି ଖାଇବାକୁ । ଉଠିବାକୁ ଜମା ଇଚ୍ଛା ହେଉନଥିଲା ପ୍ରମିଳାର । ଆଖିବୁଜି କପାଳର ଦୁଇପାଖକୁ ଧୀରେ ଧୀରେ ଆଉଁସିଲା ।

– ତମ ମୁଣ୍ଡ ବିନ୍ଧୁଚି କି ନୂଆଉ, ଚିପିଦେବି ?

ପ୍ରମିଳା କିଛି କହିବା ପୂର୍ବରୁ ମିତା ଅମୃତାଞ୍ଜନ ଆଣି ତା’ ପାଖରେ ବସିଲା । କପାଳ, ବେକମୂଳ, ସବୁଆଡ଼େ ଅମୃତାଞ୍ଜନ ଲଗାଇ ଧୀରେ ଧୀରେ ଘଷିଦେଲା । ଟିକେ ଆରାମ ଲାଗିଲା ପ୍ରମିଳାକୁ ।

ଆଜି ଗୁରୁବାର । ରାତି ପାହି କୁଆ କା କରିବା ପୂର୍ବରୁ ପ୍ରମିଳା ଶେଯ ଛାଡ଼ିଥିଲା । ଘରଦ୍ୱାର ଲିପା ପୋଛା ସାରି ଚିତା ଦେଇ ଉଠିଲା ବେଳକୁ ମଝି ପିଣ୍ଡାକୁ ଖରା ଛୁଇଁଲାଣି । ତରତରରେ ପ୍ରମିଳା ଚାଲିଗଲା ଗାଧୋଇବାକୁ । ସେଠି ଯାଇ ଦେଖେ ତ ଗଲାରାତିର ଅଇଁଠା ବାସନ ପଡ଼ିଚି । ସବୁ କାମ ଛିଣ୍ଡେଇ ରୋଷେଇ ଘରେ ପଶିଲା ବେଳକୁ ଆଠଟା । ତେଣେ ଶାଶୁଙ୍କ ଚା ପିଇବା ବେଳ ଗଡ଼ିଗଲାଣି । ଶ୍ୱଶୁର ତରତର ହେଲେଣି କ’ଣ ଟିକେ ଜଳଖିଆ କଲେ ବିଲଆଡ଼େ ଯିବେ । ଅମଳ ସମୟ, ଏତିକିବେଳେ ଟିକେ ନିଘା ନ କଲେ କୋଉ ବାଟେ କିଏ ମାରିନେବ ଜଣା ପଡ଼ିବନି କିଛି । ମିତା କି ଚିକୁ କେହି ଉଠି ନଥିଲେ । ନ ହେଲେ ସେମାନେ ପୁଣି ନୂଆଉ ନୂଆଉ ଡାକ ଛାଡ଼ି କାନ ଫଟାଇ ଦେଇଥାଆନ୍ତେ । ମନେ ମନେ ଚିଡ଼ି ଉଠିଲା ପ୍ରମିଳା । ସିଏ ମଣିଷ ନା ମେସିନ୍ ଯେ ସୁଇଚ୍ ଚିପିଦେଲେ ସବୁକାମ ହୋଇଯିବ ।

– ନୂଆଉ, ତମକୁ ଟିକେ ଭଲ ଲାଗୁଚି ଏବେ ।

ପ୍ରମିଳା ଚାହିଁଲା ମିତା ମୁହଁକୁ । ଝାଉଁଳା ଦିଶୁଚି ମୁହଁଟି । ବୋଧେ ଖରାରେ ଏତେ ବାଟ ଚାଲି ଆସିଥିବାରୁ ଏମିତି ଲାଗୁଚି । କହିଲା, ମିତା ତମେ ଯାଅ ମାଆଙ୍କୁ ମାଗି ଖାଇନିଅ । ଆଖିବୁଜି ପୁଣି ଶୋଇବାକୁ ଚେଷ୍ଟା କଲା ସେ ।

– ମାଆ ନାହିଁ । ସରମି ଖୁଡ଼ି ଘରକୁ ଯାଇଛି ତାଙ୍କର ଆଜି ଶେଷ ପୂଜା ପାଳି ବୋଲି ।

ବୋଉ ନାହାନ୍ତି । ମନେ ମନେ ବିରକ୍ତ ହେଲା ପ୍ରମିଳା । ଏଇତ ଟିକେ ଆଗରୁ ତାଙ୍କୁ ଖାଇବାକୁ ଦେଇ ଆସିଥିଲା ସେ । ଏତେ ଶୀଘ୍ର ପୁଣି କୁଆଡ଼େ ଚାଲିଗଲେ । ତାଙ୍କୁ କ’ଣ ଜଣାପଡୁନି ଯେ ସକାଳ ପହରୁ ଏକା ଏକା ଖଟୁଚି ସେ । କେତେ ଆଉ ଖଟିବ । ଅନ୍ତତଃ ପିଲାଟିକୁ ଗଣ୍ଡେ ବାଢ଼ିକି ଖାଇବାକୁ ତ ଦେଇ ପାରିଥାଆନ୍ତେ । ଏତେ ବଡ଼ ଘରର ଦାୟିତ୍ୱ ସମ୍ଭାଳିବା କ’ଣ ସହଜ କଥା ! ଶାଶୁ, ଶ୍ୱଶୁର, ଯା’, ଦେଢ଼ଶୁର, ସେମାନଙ୍କ ପୁଅ ଝିଅ, ନଣନ୍ଦ, ଦିଅରଙ୍କୁ ନେଇ ଘରେ ପନ୍ଦରଜଣ । ସମସ୍ତଙ୍କ କଥା ବୁଝିଲା ବେଳକୁ ସେ ଅଣନିଃଶ୍ୱାସୀ ହୋଇପଡୁଚି ।

ଉଠିଯାଇ ମିତା ପାଇଁ ଖାଇବାକୁ ବାଢ଼ିଲା ପ୍ରମିଳା । କେଜାଣି କାହିଁକି ଏତିକି ବେଳେ ବୋଉ କଥା ବହୁତ ମନେ ପଡ଼ିଲା । ସବୁଦିନ କଲେଜ୍‌ରୁ ଫେରି ବୋଉକୁ ଏମିତି ଖାଇବାକୁ ମାଗୁଥିଲା ସେ । କେବେ ଯଦି ବାଢ଼ିବାରେ ଟିକେ ଡେରି ହୋଇଗଲା ତା’ ହେଲେ ତ କଥା ସରିଲା । ସିଧା ଯାଇ ରୁଷିକି ଶୋଉଥିଲା ଯେ ଯିଏ ଯେତେ ଡାକିଲେ ବି ଶୁଣୁନଥିଲା । ଶେଷରେ ବହୁ ବୁଝାଶୁଝା ପରେ ଉଠୁଥିଲା । ବୋଉ କହୁଥିଲା- ଏଠି ଏମିତି ହେଉଚୁ, ଶାଶୁ ଘରକୁ ଗଲେ କିଏ କେତେ କରିଦେବ ଦେଖିବୁ ଯେ !

ଆଖିପତା ଓଦା ହୋଇ ଆସିଲା ପ୍ରମିଳାର । ବୋଉ ସତ କହୁଥିଲା, ଏଠି କିଏ ବା ଅଛି ଯେ ତା’ କଥା ବୁଝିବ ! ଖାଇବାବେଳେ ଆଜି ଗୁଣ୍ଡେ ବି ଭାତ ପାଟିକି ନେଇନି ସେ । ଭୋକ ହେଉନି କହି ଉଠି ଆସିଥିଲା । କାହିଁ କିଏ ବି ତ ପଦେ ବୁଝିଲେନି ତା’ କଥା ! ସମସ୍ତେ ଖାଇପିଇ ଯେଝା ବାଟରେ ଗଲେ । କିଏ ବି ତ ବଳେଇକି ଖୁଆଇ ଦେଲେନି ଗଣ୍ଡେ ! ସକାଳର ସେଇ ଘଟଣା କଥା ମନେ ପଡ଼ିଯିବାରୁ ପୁଣିଥରେ ମୁଣ୍ଡବିନ୍ଧାଟା ଜୋର୍‌ରେ ଆରମ୍ଭ ହୋଇଗଲା ତାର । ଆଜି ଚୂଲିରୁ ଡାଲି ଓହ୍ଲାଇ ସାରି ପ୍ରମିଳା ପରିବା କାଟିବାକୁ ଯାଇ ଦେଖେ ତ ପରିବା ଡାଲାରେ ଆଳୁ ଚାରୋଟି ଛାଡ଼ି ଆଉ କିଛି ନାହିଁ । ସେଇ କଥା ଯାଇ ଶାଶୁଙ୍କୁ କହିଥିଲା ସେ । ଏତିକିବେଳେ ଖଞ୍ଜା ଘରୁ ଦେଢ଼ଶୁରଙ୍କ ପାଟି ଶୁଭିଲା- ପରିବା ନାହିଁ । ପଅର ଦିନ ପରା ହାଟ ହୋଇଥିଲା । ଏତେ ଶୀଘ୍ର କେମିତି ସରିଗଲା ସବୁ । ସାନବୋହୂଙ୍କୁ ପଚାର କାହିଁକି ଏତେ ଏତେ ରାନ୍ଧୁଛନ୍ତି ?

ଦେଢ଼ଶୁରଙ୍କର ପାଟିରେ ଗୋଟାପଣେ ଥରି ଉଠିଲା ପ୍ରମିଳା । କାହିଁକି ଏତେ ରାନ୍ଧୁଚି ? ଘରେ ଖାଇବାକୁ ପରା କେତେ ଲୋକ ? କାହା ପାଇଁ ରନ୍ଧା ହେଉଚି ସବୁ ? ସମସ୍ତଙ୍କ ପାଇଁ ନା ତା’ ନିଜ ପାଇଁ ? ସିଏ କ’ଣ ନିଜେ ଖାଇଦଉଚି ସବୁ ? ଠିକ୍ ଅଛି ଆଜିଠୁ ଆଉ ସେ କିଛି ଖାଇବନି । ଏଇ ଅଭିମାନରେ କିଛି ଖାଇନଥିଲା ସେ । କିନ୍ତୁ କିଏ ବୁଝିଲା ତା’ ମନ କଥା ! ଖାଲି ପେଟରେ ରହିଥିବାରୁ ଏସିଡ଼ିଟି ହୋଇ ମୁଣ୍ଡ ବିନ୍ଧିଲାଣି । ମିତା ଥାଳିରେ ବସିପଡ଼ିଲା ପ୍ରମିଳା । ତାକୁ ଗଣ୍ଡେ ଖୁଆଇ ଦେଉ ଦେଉ ନିଜେ ଦୁଇଗୁଣ୍ଡା ପାଟିକୁ ନେଲା ।

xxxxxx

– ତମର କ୍ୱାର୍ଟର ମିଳିଲା ? ରାତିର ଅନ୍ଧାର ଭିତରେ ଏଇ ପ୍ରଶ୍ନଟି ଥିଲା ପ୍ରମିଳାର ସୀତାକାନ୍ତଙ୍କୁ ।

– ନାଇଁ ମିଳିନି, ମିଳିଯିବ !

– ଏଇ କଥା ତ ତମେ ମତେ ବର୍ଷେ ହେଲା କହୁଚ ।

ବାହାର ପିଣ୍ଡାରୁ ଝରକା ଦେଇ ଆଶୁଥିବା ଝାପ୍ସା ଆଲୁଅରେ ପ୍ରମିଳା ମୁହଁରେ ଢେଉ ଭାଙ୍ଗୁଥିବା ଅଭିମାନକୁ ପଢ଼ିବାକୁ ଚେଷ୍ଟା କଲା ସୀତାକାନ୍ତ । ତାକୁ ସାମାନ୍ୟ ପାଖକୁ ଟାଣି ଆଣି ପଚାରିଲା, ତମେ ଏତେ ରାଗୁଚ କାହିଁକି ? ଏଠି କ’ଣ ତମର ଅସୁବିଧା ଶୁଣେ ।

କିଛି କହିଲାନି ପ୍ରମିଳା । ନିରବ ରହିଲା । କହିଲେ ବା ଲାଭ କ’ଣ ଯେ ! ଏଇନା ସାଙ୍ଗେ ସାଙ୍ଗେ ଆରମ୍ଭ ହୋଇଯିବ ଯେତେସବୁ ଅଯାଚିତ ଉପଦେଶ । ଏହା ହିଁ ତ ସେ ଶୁଣି ଆସିଲାଣି ଦୀର୍ଘ ଦୁଇବର୍ଷ ହେଲା- ଦେଖ ପ୍ରମିଳା, ମଣିଷ ଦୁଃଖ ପାଏ କାହିଁକି କହିଲ ? ସ୍ୱାର୍ଥପରତାରୁ ! ଆମେ ସବୁ ଧୀରେ ଧୀରେ ସ୍ୱାର୍ଥପର ହୋଇଚାଲିଚୁ । କେବଳ ନିଜ ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ନେଇ ବଞ୍ଚିବାକୁ ଚେଷ୍ଟା କରୁଚୁ । ଫଳରେ ଏମିତି ଗୋଟେ ସମୟ ଆସି ପହଞ୍ଚିଲାଣି ଯେଉଁଠି ଗୋଟେ ଯୌଥ ପରିବାରଟେ ଚିନ୍ତା କରିବା ଅସମ୍ଭବ ବ୍ୟାପାର । ଏସବୁ ହୁଏତ ତମପାଇଁ ବା ମୋ ପାଇଁ କିଛି ଫରକ୍ ନ ଆଣିପାରେ କିନ୍ତୁ ଫରକ୍ ଆଣିବ ଆମ ଆଗାମୀ ବଂଶଧର ପାଇଁ । ସେମାନେ ସବୁ ବଞ୍ଚିତ ହେବେ ଜେଜେ ମାଆ, ଜେଜେ ବାପା, ଦାଦା, ଖୁଡ଼ି ପ୍ରଭୃତିଙ୍କ ସ୍ନେହରୁ. . . ।

ମନ ଭିତରେ ଯେତେ ଅଭିଯୋଗ ଥିଲେ ବି ନିରବ ରହିଥାଏ ପ୍ରମିଳା ସୀତାକାନ୍ତଙ୍କ ପାଖରେ । ବଡ଼ ଅଜବ ମଣିଷ ତା’ ସ୍ୱାମୀ ଜଣକ । ବେଳେବେଳେ ଲାଗନ୍ତି ନିହାତି କୁନିଛୁଆଟିଏ ଯେମିତି । ଆଉ ବେଳେବେଳେ ମନେ ହୁଅନ୍ତି କେମିତି ଦୁର୍ବୋଧ୍ୟ, ଅପହଞ୍ଚ । ଆଶ୍ଚର୍ଯ୍ୟ ହୁଏ ପ୍ରମିଳା । ଏ ଦୁନିଆଁରେ ଏମିତି ଲୋକ ଅଛନ୍ତି !

କୋଉ ଅସୁବିଧା କଥା ଶୁଣେଇବ ପ୍ରମିଳା ତାଙ୍କୁ । କାଠ ଚୂଲିର ଧୂଆଁରେ ରୁନ୍ଧି ହୋଇଯିବା କଥା ନା ଚାଳରୁ ଝରିପଡୁଥିବା କଳା ଅଳନ୍ଦୁ ଲଗା କୁଟାକଥା । ଖାଇବା ପରେ ବାସନ ଉଠାଇ ଅଇଁଠା ଜାଗାକୁ ଗୋବର ପାଣି ମିଶା କନାରେ ପୋଛିବା କଥା ଭାବିଲା ବେଳକୁ ଥରିଯାଏ ପ୍ରମିଳାର ଦେହ । ଅନେକଥର କହିଲାଣି ସେ ସୀତାକାନ୍ତଙ୍କୁ ଚାଲ ଏ ମାଟି ଘରଭାଙ୍ଗି କୋଠା କରିଦେବା । ତାଙ୍କର କିନ୍ତୁ ସେଇ ଗୋଟିଏ କଥା, ଏତେ ବଡ଼ ଘର କୋଠା କରିବାକୁ ବହୁତ ଟଙ୍କା ଲାଗିବ । ଆଉ କ’ଣ ଖାଲି ବଖରେ, ଦି’ବଖରା କରି ଏକା ଆମେ ରହିବା । ତା’ ଛଡ଼ା ବାପା, ବୋଉଙ୍କର ଏ ଘରପ୍ରତି ଗୋଟେ ଅଲଗା ମୋହ ଅଛି । ଏ ଘର ଭାଙ୍ଗିଦେଲେ ତାଙ୍କ ମନ କଷ୍ଟ ହେବନି ।

ତଥାପି ସେଦିନର ସମସ୍ତ ଘଟଣା ସୀତାକାନ୍ତଙ୍କୁ ଶୁଣାଇଥିଲା ପ୍ରମିଳା । ଆଉ କହିଥିଲା, ସକାଳୁ ଶେଯ ଛାଡ଼ିବାଠୁଁ ରାତିରେ ଶେଯ ଧରିବାଯାଏ କାମ କରି ମୋ ଅଣ୍ଟା ପିଠି ଲାଗି ଯାଉଚି । ତଥାପି ମିଳୁଚି କ’ଣ ? ଖାଲି ଲାଞ୍ଛନା, ମିଛ ଅପବାଦ । ଘରେ ତ ସମସ୍ତେ ବେଶ୍ ଆରାମରେ ଅଛନ୍ତି । ତା’ହେଲେ ସେ କାହିଁକି ଏକା ଏମିତି ହନ୍ତସନ୍ତ ହେଉଥିବ ?

ଶେଷରେ ପ୍ରମିଳା କାନ୍ଦି ପକେଇଲା ବି । ତା’ ଲୁହରେ ନରମି ଯାଇଥିଲା ସୀତାକାନ୍ତ । ତାକୁ ବୋଧ ଦେଇଥିଲା । କହିଥିଲା- ଠିକ୍ ଅଛି, ଏଥର ନିଶ୍ଚୟ କ୍ୱାର୍ଟର ପାଇଁ ଚେଷ୍ଟା କରିବି । ନ ହେଲେ କୋଉଠି ଭଡ଼ାଘରେ ଦେଖିବା । ତମେ ତୁନି ହୁଅ ।

xxxxxx

ଦୁଇଦିନ ହେଲା ସୀତାକାନ୍ତ ଯାଇଛନ୍ତି ଟୁର୍‌ରେ । କେବେ ଫେରିବେ କିଛି ଠିକଣା ନାହିଁ । ଏକୁଟିଆ ବଡ଼ ବୋର୍ ହୋଇଗଲାଣି ପ୍ରମିଳା ଏବେ ବଡ଼ ଘରଟା ଭିତରେ । ପ୍ରଥମେ ପ୍ରଥମେ ଯେତେବେଳେ ସେମାନେ ଏଇଠିକୁ ଆସିଥିଲେ ବେଶ୍ ଭଲ ଲାଗିଥିଲା ପ୍ରମିଳାକୁ । ହଠାତ୍ ତାର ମନେ ହୋଇଥିଲା, ସେ ଯେମିତି ଉଡ଼ି ଆସିଚି କୌଣସି ଏକ ଆବଦ୍ଧ ପିଞ୍ଜରା ଭିତରୁ ବାହାରକୁ । ବର୍ତ୍ତମାନ ସିଏ ଖୋଲା ଆକାଶର ମୁକ୍ତ ବିହଙ୍ଗଟିଏ । ଖୁବ୍ ହାଲ୍କା ଲାଗୁଥିଲା ତାକୁ । ପାଣି ଉପରେ ସୋଲଟିଏ ଭାସିଯିବା ପରି ଭାସି ଭାସି ଯାଉଥିଲା ତା’ର ମନ ।

ଆଦର୍ଶ ଆପାର୍ଟମେଣ୍ଟର ତୃତୀୟ ମହଲାରେ ଭଡ଼ା ନେଇଥିଲେ ସେମାନେ । ତାଙ୍କ ତଳ ଘରଟିକୁ ଛାଡ଼ି ଦେଲେ ଆପାର୍ଟମେଣ୍ଟର ଅନ୍ୟ ସବୁ ବାସିନ୍ଦା ଅଣଓଡ଼ିଆ । ତେଣୁ ଅନ୍ୟମାନଙ୍କ ସହ ଭଲ ପରିଚୟ ଥିଲେ ବି ଗତ କିଛିଦିନ ଭିତରେ ବେଶ୍ କିଛି ଅନ୍ତରଙ୍ଗତା ସୃଷ୍ଟି ହୋଇଥିଲା । ତଳ ଘରର ମିସେସ୍ ମହାନ୍ତିଙ୍କ ସହ । ସୀତାକାନ୍ତ ଅଫିସ୍ ଚାଲିଗଲା ପରେ ପ୍ରମିଳାକୁ ଯେତେବେଳେ ଏକା ଏକା ଲାଗେ ସେତେବେଳେ ଚାଲିଯାଏ ତାଙ୍କରି ଘରକୁ । ମିସେସ୍ ମହାନ୍ତି ବି ଭାରି, ମେଳାପି ! ସେଇଠି ଘଣ୍ଟେ ଦୁଇଘଣ୍ଟା କଟିଯାଏ ଆରାମରେ । ଏବେ କିନ୍ତୁ ସେମାନେ ବି ଘରେ ନାହାନ୍ତି । କିଛିଦିନ ପାଇଁ ଯାଇଚନ୍ତି ଦକ୍ଷିଣ ଭାରତ ଭ୍ରମଣରେ ।

କେତେଗୁଡ଼ିଓ ଆପାର୍ଟମେଣ୍ଟକୁ ନେଇ ଗୋଟିଏ କ୍ଷୁଦ୍ର କଲୋନୀ ସୃଷ୍ଟି ହୋଇଚି ସେଠି । ତା’ର ଠିକ୍ ମଝାମଝି ପ୍ରଭୁ ଜଗନ୍ନାଥ ମନ୍ଦିର । ପ୍ରତିଦିନ ସନ୍ଧ୍ୟାରେ ପ୍ରମିଳା ଚାଲିଯାଏ ସେଇ ମନ୍ଦିରକୁ । ଆଳତୀ ପରେ ଦର୍ଶନ ସାରି ଫେରେ । ବେଶ୍ ଶାନ୍ତି ଲାଗେ ତାକୁ । ଏବେ କିନ୍ତୁ କିଛିଦିନ ହେଲା ଆଉ ନିୟମିତ ସେଠାକୁ ବି ଯାଇପାରୁନଥିଲା । ପ୍ରଥମେ ଯେମିତି କଲୋନୀର ନୂଆ ନୂଆ ମୁହଁ ସହ ପରିଚୟ ହେବାକୁ ଆନନ୍ଦ ମିଳୁଥିଲା, ଏବେ ସେମିତି ବି ନାହିଁ । ପ୍ରତିଟି ନୂଆ ଜିନିଷର ଏକ ସ୍ୱତନ୍ତ୍ର ମୋହ ଥାଏ । ପୁରୁଣା ହୋଇଘଲେ ସେ ମୋହ ତୁଟିଯାଏ । ମୁକ୍ତ ହେବାର ଆଦିମ ନିଶା ଛାଡ଼ିଯିବାରୁ ତାର ଏବେ ଘର କଥା ବେଶି ବେଶି ମନେ ପଡୁଚି । ମନ ଭୁଲାଇବାକୁ ପ୍ରମିଳା ସେଇ ମନ୍ଦିର ଆଡ଼େ ବାହାରିଲା ।

ବଡ଼ଠାକୁରଙ୍କ ଆଳତୀ ପରେ ମନ୍ଦିର ବେଢ଼ା ପରିକ୍ରମା କଲା ସେ । ସବୁ ଦେବଦେବୀଙ୍କ ପାଖରେ ଦୀପ ବସାଇଲା । ଲକ୍ଷ୍ମୀଙ୍କ ସାମା ପାହାଚରେ କିଛି ସମୟ ବସି ଘରକୁ ଫେରିଲା । ତଥାପି କାହିଁକି ମନରେ ପୂର୍ବପରି ଶାନ୍ତି ଆସୁନଥିଲା ତା’ର । କେମିତି ମାଡ଼ି ମାଡ଼ି ପଡୁଥିଲା ଘର ଭିତରର ନିର୍ଜନତା । ସୀତାକାନ୍ତଙ୍କ କଥା ବେଶି ମନେ ପଡୁଥିଲା । ମନେ ପଡୁଥାନ୍ତି ମିତା, ଚିକୁ ଆଉ ସମସ୍ତେ । ଥାଆନ୍ତେ କି ସେମାନେ ପାଖରେ । ନୂଆଉ. . . ନୂଆଉ ଡାକରେ ଦଣ୍ଡେ ବି ପାଖ ଛାଡ଼ନ୍ତେ ନି । ଦୁଇଜଣଯାକ ବଡ଼ଯାଙ୍କ ପୁଅ ଝିଅ । ଦିଅରଙ୍କଠୁ ଶିଖି ସେମାନେ ବି ନୂଆଉ ଡାକୁଛନ୍ତି ତାକୁ । ତାକୁ ବି ବେଶ୍ ଭଲ ଲାଗେ ସେ ଡାକ । ନୂଆଉରୁ ସେ ପାଲଟି ଯାଏ ସ୍ନେହମୟୀ ବୋଉଟେ । କୋଳେଇ ନିଏ ସେମାନଙ୍କୁ ।

ସେଦିନ ଆସି ପହଞ୍ଚି ଯାଇଥିଲେ ପ୍ରମିଳାର ବାପା, ବୋଉ । ସେମାନଙ୍କୁ ଏମିତି ହଠାତ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ସେ ।

ବନଦାଦାଙ୍କ ନାତୁଣୀ ବାହାଘର ଥିଲା କଟକରେ । ସେମାନେ ବହୁତ କରି ଡାକିଥିଲେ । ତେଣୁ ଦୁହେଁ ଆସିଥିଲେ । ଗଲାବେଳେ ତା’ ପାଖେ ମୁହଁ ମାରି ଦେଇଥିଲେ ଟିକେ । ସୀତାକାନ୍ତ କ’ଣ ଏତେ ସକାଳୁ ଅଫିସ୍ ଯାଏ ବୋଲି ପଚାରିଥିଲେ ବାପା । ପ୍ରମିଳା କହିଥିଲା ସୀତାକାନ୍ତ ଟୁର୍ କଥା ।

ଜୀବନରେ ପ୍ରଥମଥର ପାଇଁ ବାପା ବୋଉଙ୍କୁ ନିଜର ଅତିଥିରୂପରେ ପାଇଥିଲା ସେ । ଏଇ ବାପା ବୋଉ ତାକୁ ଏଡ଼ିଟେରୁ ଏଡ଼େଟେ କରିଚନ୍ତି, କେତେ ଅଳି ଅଝଟ ସହିଛନ୍ତି ତା’ର । ତା’ର ମନେ ଅଛି, ପିଲାବେଳେ ସେ ଅତ୍ୟନ୍ତ ଦୁର୍ବଳ ଥିଲା । କେତେବେଳେ ବି ସ୍ୱାସ୍ଥ୍ୟ ଭଲ ରହେନି ତା’ର । ପ୍ରାୟ ସମୟ ରାତିରେ କାଶ ହୁଏ । କାଶି କାଶି ବେଦମ୍ ହୋଇଯାଏ । ବାପା ସାରା ରାତି ନ ଶୋଇ ତାକୁ କାନ୍ଧରେ ପକାଇ ବୁଲୁଥାନ୍ତି ମଝି ଅଗଣା ସାରା । ତା’ ପିଠି ଆଉଁସି ଦିଅନ୍ତି । କେତେବେଳେ ଟିକେ ଛାଇ ନିଦ ଆସିଲେ ତାକୁ ନେଇ ଶୁଆଇ ଦିଅନ୍ତି ବୋଉ କୋଳରେ ।

ବାପାଙ୍କର ଆଜିକାଲି ଦେହ ଜମା ଭଲ ରହୁନି । ଗତଥର ଘରକୁ ଗଲାବେଳେ ଶୁଣିଥିଲା ସେ ରାତିସାରା ବାପା କାଶୁଛନ୍ତି, ଖୁଁ ଖୁଁ ହୋଇ । କହୁଥିଲେ, ଔଷଧ ଖାଇଲେ ବି କମୁନି ।

ରେଭେନ୍ସା ହଷ୍ଟେଲ୍‌ରେ ଥିଲାବେଳେ ଥରେ ତା’ର ଅଳ୍ପଟିକେ ଜର ହୋଇ ଭଲ ଲାଗୁନଥିଲା । ସାଙ୍ଗ ଚପଳା ହାତରେ ଖବର ପଠାଇ ଦେଇଥିଲା ଘରକୁ । କିନ୍ତୁ ଆଶ୍ଚର୍ଯ୍ୟ ! ବାପା ପରଦିନ ସକାଳ ପାଞ୍ଚଟାରେ ଆସି ପହଞ୍ଚିଥିଲେ ହଷ୍ଟେଲ୍‌ରେ । ରାତି ଦୁଇଟାରୁ ଘରୁ ବାହାରି ଟ୍ରେନ୍ ଧରିଥିଲେ । ଅଥଚ ଏବେ ତାଙ୍କ ଦେହ ଖରାପର ଖବର ପାଇଲେ ପାଞ୍ଚଦିନରେ ବି ସେ ସୁବିଧା କରି ଯାଇ ତାଙ୍କୁ ଟିକେ ଦେଖି ଆସି ପାରୁନି ।

ପରବର୍ତ୍ତୀ ଦୁଇଦିନ ବାପା ବୋଉଙ୍କ ଗହଣରେ କେମିତି ଯେ କଟିଗଲା କିଛି ଜଣାପଡ଼ିଲାନି । ବାପା- ବୋଉ ବାହାରୁଥିଲେ ଫେରିଯିବାକୁ । ପ୍ରମିଳା ବାଧ୍ୟ କରୁଥିଲା ଆଉ ଦିନେ ଦୁଇଦିନ ରହିଯିବା ପାଇଁ । ବାହାନା କରୁଥିଲା, ଇଏ ଘରେ ନାହାନ୍ତି, ତୁମେ ଏମିତି ଆସି ଚାଲିଗଲ ବୋଲି ଶୁଣିଲେ ମନଦୁଃଖ କରିବେ । ରହିଯାଅ, ସିଏ ଆସିଲେ ଦେଖା ହୋଇ ଚାଲିଯିବା ।

– ନାଇଁ ତେଣେ ଘରେ ପରା କେହି ନାହାନ୍ତି । ବାପା କହିଲେ ।

– କେହି ନାହାନ୍ତି ! ! ଆଶ୍ଚର୍ଯ୍ୟ ହେଲା ପ୍ରମିଳା । କାଇଁ ସୁର ଭାଇ, ଭାଉଜ, ପିଲାମାନେ ସମସ୍ତ କୁଆଡ଼େ ଗଲେ କି ?

ବାପା ହଠାତ୍ ଉଦାସ ହୋଇଗଲେ । କିଛି କହିବେ କହିବେ ହୋଇ କହିପାରିଲେନି । ନିରବ ରହିଲେ ।

– କୁଆଡ଼େ ଯାଇଛନ୍ତି ସେମାନେ ? ପୁଣି ପଚାରିଲା ପ୍ରମିଳା ।

ବୋଉ କହିଲା- ସେମାନେ ଆଉ ଘରେ ରହୁନାହାନ୍ତି । ବୋହୂ କଥାରେ ଏବେ ବାହାରେ ଘର ଭଡ଼ା ନେଇ ରହୁଛନ୍ତି ।

– ଭାଉଜଙ୍କ କଥାରେ. . . । ଭାଇ କ’ଣ କରୁଛନ୍ତି ? କିଛି କହୁନାହାନ୍ତି ସିଏ ?? ଆଶ୍ଚର୍ଯ୍ୟ ହେଲା ପ୍ରମିଳା ।

– ନାଇଁରେ ମାଆ, କ’ଣ କହିବ ସିଏ ? ଆଜିକାଲି ତ ବାପା, ମାଆ ବୁଢ଼ା ହୋଇଗଲେ ସବୁ ପୁଅବୋହୂଙ୍କୁ ବୋଝ । ତେଣିକି ଆମର ଭାଗ୍ୟ । ଅସ୍ପଷ୍ଟ ଶୁଭୁଥିଲା ବାପାଙ୍କ ସ୍ୱର ।

ଚାଲିଯାଇଥିଲେ ବାପା, ବୋଉ । ଚହଲିଗଲା ପ୍ରମିଳା । ସତରେ ସିଏ ବି ତ ଏମିତି ସୀତାକାନ୍ତଙ୍କୁ କହି ଆସି ଏଇଠି ରହିଛି । ତା’ ପାଇଁ ତା’ ନିଜ ବାପା ବୋଉ ଯେମିତି, ତା’ ଶାଶୁ, ଶ୍ୱଶୁର ବି ସୀତାକାନ୍ତଙ୍କ ପାଇଁ ସେମିତି । କେମିତି ଦୋଷୀ ଦୋଷୀ ଭାବ ମାଡ଼ି ବସୁଥିଲା ପ୍ରମିଳାକୁ । କ’ଣ ପାଇଁ ସୀତାକାନ୍ତଙ୍କୁ ତାଙ୍କ ଅନିଚ୍ଛା ସତ୍ତ୍ୱେ ବାଧ୍ୟ କରିଥିଲା ଏଠି ଆସି ରହିବାକୁ । କି ସୁଖ ବା ସେଥିରେ ସେ ପାଇଲା ! ସତରେ କ’ଣ ସେ ସୁଖରେ ଅଛି ? ଶାନ୍ତିରେ ଅଛି ?

ପରଦିନ ସୀତାକାନ୍ତ ଫେରିଥିଲା ଟୁର୍‌ରୁ । ରାତିରେ ଖାଇବାବେଳେ ପ୍ରମିଳା ପ୍ରଶ୍ନକଲା ତାଙ୍କୁ- ମୁଁ ଗୋଟେ କଥା କହିବି କରିବ ?

– ବାପ୍‌ରେ ! ତମେ ପୁଣି କହିବ, ଆଉ ତାକୁ ନ କରି ଏ ଅଧମର ଚାରା କାହିଁ । ଖୁବ୍ ରସିକିଆ ଭଙ୍ଗୀରେ ଉତ୍ତର ଦେଇ କହିଲା ସୀତାକାନ୍ତ ।

– ମତେ କାଲି ନେଇ ଗାଁରେ ଛାଡ଼ିଦେଇ ଆସ । ସବୁଦିନ ପାଇଁ ।

ଆକାଶରୁ ଖସି ପଡ଼ିଲା ସୀତାକାନ୍ତ । ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲା ପ୍ରମିଳା ମୁହଁକୁ । ପ୍ରମିଳା ହସୁଥିଲା ମୁରୁକି ମୁରୁକି !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top