ରାଧୁଆର ମୂଳରୁ କିଛି ପାଠ ଶାଠ ହେଲା ନାହିଁ । ଗାଁ ରେ ଦିନ ରାତି ବୁଲିଲା, ତାସ ଖେଳିଲା । ସେତିକି ନୁହେଁ , କୌଣସି କଷ୍ଟ କାମ କଲା ନାହିଁ । ଉତ୍ତରାଧିକାରୀ ସତ୍ଵରେ ସେ ଛୋଟ ମୋଟ ନିଶା ଅଭ୍ୟାସ ପାଇଥିଲା । ଆବଶ୍ୟକ ପଡିବାରୁ ଛେଳି ଜଗିବା କାମଟି ଆପଣେଇଲା । ସେ କାମଟି ସିକୁରିଟି ଗାର୍ଡ ଭଳିଆ ଯେ କୌଣସି କାମଚୋର କରି ପାରିବ । ସବୁଦିନ ଗାଁର ଛେଳି ସବୁ ନେଇ ପାଖ ଜଙ୍ଗଲକୁ ଚରାଇବାକୁ ଗଲା । ଥରେ ଛେଳି ଜଗିବା ଅବସ୍ଥାରେ ପାନ ଖଣ୍ଡେ ଖାଇବାକୁ ଇଚ୍ଛା ହେଲା । ପାଖରେ ପାନ ନଥିବାରୁ , ଗାଁ ଲୋକଙ୍କୁ ଡାକିବାକୁ ପାଟି କଲା ବାଘ ବାଘ । ସବୁ ଲୋକ ଠେଙ୍ଗା ବାଡ଼ି ଧରି ଦୌଡ଼ି ଆସିଲେ । ରାଧୁଆ ତାଙ୍କୁ ସତ କଥା କହି ପାନ ଖଣ୍ଡେ ମାଗି ଖାଇଲା । ଲୋକେ ବିରକ୍ତ ହେଇ ଚାଲିଗଲେ । କିଛିଦିନ ପରେ ବିଡି ପିଇବାର ଇଚ୍ଛା ହେବାରୁ ସମାନ ଡ୍ରାମା କଲା । ବାରମ୍ବାର ଏପରି କରିବାରୁ ଲୋକ ବାଘ ବାଘ ପାଟି ଶୁଣିଲେ ଆଉ ଆସିଲେ ନାହିଁ । ଦିନେ ସତକୁ ସତ ଗୋଟିଏ ବାଘ ଆସିଲା, ରାଧୁଆ ଯେତେ ପାଟି କଲେ ବି କେହି ଆସିଲେ ନାହିଁ । ବାଧ୍ୟହେଇ ରାଧୁଆ ଗୋଟେ ଗଛ ଉପରେ ଚଢି ଗଲା । ତା ଜୀବନ ବଂଚିଗଲା କିନ୍ତୁ ବାଘ ଗୋଟିଏ ଛେଳି ନେଇଗଲା । ଗାଁ ଲୋକ ରାଧୁଆ ଜୀବନ ବଞ୍ଚି ଯାଇଥିବାରୁ ଆଶ୍ୱସ୍ତ ହେଲେ । କିନ୍ତୁ ଏ ଘଟଣା ବାରମ୍ବାର ଘଟିଲା । ଲୋକେ ବି ବାଘକୁ ସାମ୍ନା କରିବାକୁ ସାହସ କଲେ ନାହିଁ । ବାଘ ମାରିବାକୁ ବନ୍ଧୁକ ଦରକାର, ଠେଙ୍ଗା ବାଡ଼ି କାମ ଦେବ ନାହିଁ । ସମସ୍ତେ ମିଶି ଜଙ୍ଗଲ ଅଫିସର ଜଙ୍ଗଲୀ ବାବୁଙ୍କ ପାଖକୁ ଗଲେ । ବାବୁ କହିଲେ, ସରକାରୀ ଗାଡ଼ିରେ ତେଲ ପକାଇବାକୁ ପଇସା ନାହିଁ । ତା ଛଡା ସରକାର ବନ୍ଧୁକରେ ଯେଉଁ ଗୁଳି ଦେଇଛନ୍ତି ତାହା କେବଳ ମହାବଳ ବାଘ ମାରିବାକୁ । ଛେଲିଖୀଆ ବାଘକୁ ମାରିଲେ ସରକାର ରାଗିବେ । ତେଣୁ ୫୦୦୦ ଟଙ୍କା ଦେଲେ, ସେ ଯାଇ ଦେଖି ଆସିବେ ବାଘଟା କେଉଁ ଭଳିଆ, ମହାବଳ ନା ଛେଲିଖିଆ । ବାବୁଙ୍କ କଥା ଶୁଣି ଗାଁ ଲୋକ କାନ ମୁଣ୍ଡ ଆଉଁଶି ଘରକୁ ଫେରିଲେ । ବାଘ ବାରମ୍ଵାର ଆସି ଗୋଟେ ଗୋଟେ ଛେଳି ସଫା କରିବାକୁ ଲାଗିଲା । ବହୁଦିନ ଏପରି ଚାଲିବାରୁ ଗାଁ ଲୋକେ ଆଉ ଛେଳି ଚାଷ କଲେ ନାହିଁ । ବିଚାର ରାଧୁଆ ରୋଜଗାର ପନ୍ଥା ହରେଇଲା ।
ଦିନେ ଘର ଘର ବୁଲି କିଛି ପଇସା ମାଗିଲା, କହିଲା ମୋ ବାପାର ଗୋଟିଏ ସ୍ୱପ୍ନ ଥିଲା ଆମର ଗୋଟିଏ ଘର ହେବ, ଭାବିଥିଲି ଛେଳି ଜଗି ଯାହା ପଇସା ପାଇବି ସେଥିରେ ଘର ଖଣ୍ଡେ କରିବି, ତାହା ହେଇ ପାରିଲା ନାହିଁ । ଆପଣମାନେ ସାହାଯ୍ୟ କଲେ ଛୋଟ ଘର ଖଣ୍ଡେ କରନ୍ତି । ତା ଦୁଃଖ ଦେଖି ସମସ୍ତେ କିଛି କିଛି ସହାଯ୍ୟ କଲେ । ରାଧୁଆ ଗାଁ ମୁଣ୍ଡରେ ଏକ ଅନାବାଦୀ ସରକାରୀ ଜାଗାରେ ଘର ଖଣ୍ଡେ କଲା । ଘର ପ୍ରତିଷ୍ଠା ଦିନ ସବୁ ଗାଁ ଲୋକଙ୍କୁ ଡାକିଲା । ରାଧୁଆ ଘର ଦେଖି ଗାଁ ଲୋକ ଟେରା ହେଇଗଲେ, ଏକା ଥରେ ତିନି ମହଲା କୋଠା ଓ ପାଖରେ ଭଡା ଦେବା ପାଇଁ ତିନିଟା ଦୋକାନ ଘର । କେହି କିଛି ବୁଝି ପାରିଲେ ନାହିଁ, କିନ୍ତୁ ଖୋଲିକି ପଚାରି ପାରିଲେ ନାହିଁ, ରାଧୁଆ ଏତେ ପଇସା କଉଠୁ ଆଣିଲା ?
ଚାକିରୀ ସରିବା ପରେ ଗାଁକୁ ଆସିକି ରହୁଥାନ୍ତି ଜଣେ ପୋଲିସ ବାବୁ । ତାଙ୍କୁ କଥାଟା ବେଶୀ ଅଡୁଆ ଲାଗିଲା, ସହଜରେ ହଜମ ହେଲା ନାହିଁ । ହଠାତ ଉଠିପଡ଼ି ରାଧୁଆକୁ ଗୋଟେ ବ୍ରହ୍ମ ଚାପୁଡ଼ା ପକେଇଲେ, ରାଧୁଆ ତଳେ ପଡିଗଲା । ଫୁରସତ ନ ଦେଇ ଗୋଇଠା ଉପରେ ଗୋଇଠା ମାରି ଚାଲିଲେ । ସେଥିରେ ପୁଣି ପୋଲିସ ଭାଷାରେ ଗାଳି । ୧୦ ମିନିଟ କାଳ ଏମିତି ଚାଲିଲା, ଗାଳି ମଝିରେ ପଚାରୁ ଥାନ୍ତି, ସତ କହ ଏତେ ଟଙ୍କା କଉଠୁ ଆଣିଲୁ । ପୋଲିସ ବାବୁଙ୍କ ଉଗ୍ର ରୂପ ଦେଖି ରାଧୁଆ ଡରିଗଲା । କହିଲା କହୁଛି ..କହୁଛି …। ପୋଲିସ ବାବୁ ରହିଗଲେ ।
ଉଠିବା ପରେ ରାଧୁଆ ତିନି ଗ୍ଲାସ ପାଣି ପିଇ ଗଲା ।
ତା ପରେ କହିଲା ..ପ୍ରକୃତରେ ବାଘ ଫାଘ କିଛି ଆସିନଥିଲା । ମୁଁ ଗୋଟିଏ କଂସେଇ ସାଙ୍ଗରେ ଯୋଗାଡ଼ କରି ସବୁ ଛେଳି ବିକି ଦେଇଛି । ସେଇ ପଇସାରେ ଏ ଘର କରିଛି । …
ଜଣେ ପଚାରିଲା , ଆଚ୍ଛା ସେ ବାପାଙ୍କ ସ୍ୱପ୍ନ କଥା କଣ ସତ, ସେକଥା ଆମକୁ କାହିଁକି କହିଲୁ ।
ରାଧୁଆ କହିଲା, ଆପଣ ମୋ ବାପାକୁ ଜାଣିଛନ୍ତି । ଘୋଡା ମଦୁଆଟେ ଥିଲା, ମଦ ପିଇ ପିଇ ମରିଗଲା । ବଞ୍ଚଥିବା ବେଳେ ଯାବତିୟ ଅପକର୍ମ ରେ ଲିପ୍ତ ଥିଲା । ମୁଁ ଭାବିଲି ବାପାଙ୍କ ସ୍ୱପ୍ନ କଥା କହି ଆପଣ ମାନଙ୍କୁ ଠକିବି । ପୋଲିସ ସାର ଆସିବାରୁ କଥାଟା ବିଗିଡି ଗଲା ।
ଜଣେ କହିଲା ..ଶ.. ଇଏ ପୁରୁଣା ରାଧୁଆ କୁ ଟପିଗଲା , ସେଇଟା ଖାଲି ଠକ ଥିଲା, ଏଇଟା ଠକ ସାଙ୍ଗକୁ ଟାଉଟର ।
ଆଉଜଣେ କହିଲା ଭାଇ, ଆଜିକାଲି ଅନେକ ନେତା ଏଇ ରାଧୁଆ ଭଳିଆ ‘ବାପାଙ୍କ ସ୍ୱପ୍ନ’ କହି ଆମକୁ ଠକୁଛନ୍ତି । ‘ବାପାଙ୍କ ସ୍ୱପ୍ନ’ ହେଉଛି ବୋକା ବନେଇବାର ଅସ୍ତ୍ର, ଅସଲ କଥା ହେଲା ଗାଦି ମାଡି ବସି ଲୁଟି ଖାଇବା ।