ଗଳ୍ପ

ଛେଳି

Odia Author Abhash Kumar Boral

ଆଜିକୁ କୋଡ଼ିଏ ବର୍ଷ ତଳେ ମୁଁ ତମକୁ ଏମିତି ବେକକୁ ପୋକ କାମୁଡ଼ିଥିଲାବୋଲି ଦେଖାଇଥିଲି, ତମେ କ’ଣ କରିଥିଲ ମନେ ଅଛି ? ପୁରା ମୁହଁଟାକୁ ସେ’ଠି ଲଦି ଦେଇଥିଲ ।

ଛେଳି

ତା ପ୍ରତି ମୋର ଦୁର୍ବଳତା ବଢ଼ିଯାଉଥିଲା । କାହିଁକି ସେ କଥା ମୁଁ କିଛି କହି ପାରିବିନି । ଅଥଚ ତାକୁ ମୁଁ କିଛି ଜଣାଇ ପାରିନଥିଲି । ଜଣାଇବାର ସାହାସ ମୋର ଆଦୌ ନ ଥିଲା । ସେ ସେକଥା ହୃଦୟଙ୍ଗମ କରିପାରିଥିବେ କି କଣ ସେକଥା ବି କିଛି କହି ପାରିବିନି । ତାଙ୍କ ସହିତ ମୋର ଆଦୌ ପରିଚୟ ବି ନ ଥିଲା । ଦେଖିବାକୁ ପତଳା ଚେହେରା, ରଙ୍ଗ ଗୋରା । ଅଥଚ ମୁହଁରେ ଅଯଥା ଗାମ୍ଭିର୍ଯ୍ୟ ଗୁଡ଼ାଏ ବୋହି ବୋହି ସେ ରାସ୍ତାରେ ଚାଲିଚାଲି ଯାଆନ୍ତି । ସେମିତି ଦିନେ ରାସ୍ତାରେ ଯାଉଥିବା ସମୟରେ ମୁଁ ତାଙ୍କୁ ଭେଟିଲି । ଭେଟିଥିଲି ତା ନୁହେଁ ବରଂ କେବଳ ଖାଲି ଅତିକ୍ରମ ଯାହା କରିଥିଲି । ସେ ଦିନ ହିଁ ଦେଖିବା ପରଠାରୁ ତାଙ୍କୁ ମୁଁ ଭୁଲିପାରିନଥିଲି । ସେ ଦିନ ସମୟ ପରଠାରୁ କେବଳ ତାଙ୍କୁ ବୋହିବା ହିଁ ମୋଦ୍ୱାରା ସମ୍ଭବ ହେଉଥିଲା । କିନ୍ତୁ କେମିତି ତାଙ୍କୁ ମୁଁ ଭେଟିବି ସେଇଟା ଯେମିତି ମୋର ଗୋଟିଏ ବଡ଼ ପ୍ରଶ୍ନ ହୋଇଉଠିଲା । ଚେହେରାରୁ ସେ ବିବାହିତ ଜଣା ପଡ଼ୁଥିଲେ । ସେମିତି ମୋର ଭେଟିବାର କୌଣସି କାରଣ ନଥିଲା । କାରଣଟିଏ ବାହାର କରିବା ବି ମୋ ପକ୍ଷରେ ସମ୍ଭବପର ନଥିଲା । ସେଥିପାଇଁ ବି ଅନେକ କାରଣ ଥିଲା । କାରଣଟା ମୋର ବୟସ । ମୋର ବୟସ ଆବଶ୍ୟକତା ଠାରୁ ଅଧିକ ହୋଇଯାଇଥିବାପରି ମୋତେ ନିଜକୁ ଲାଜ ଲାଗୁଥିଲା ।

ସତରେ ବି ମୋର ବୟସ କିଛିଟା ବଢ଼ିଯାଇଥିଲା । କିନ୍ତୁ ଏତେ ବେଶୀ ବଢ଼ି ନଥିଲା ଯେ ମୁଁ ମୋ ନିଜକୁ ବୟସ୍କ ବୋଲି ଭାବି ବସିବି କିମ୍ୱା ଏମିତି ବି ହୋଇପାରେ ଯେ ମୁଁ ମୋ ନିଜକୁ ବୟସ୍କ ବୋଲି ଭାବୁ ନଥିଲି ଯେତେଟା ବୟସ ମୋର ହୋଇଯାଇଥିଲା । ମୁଣ୍ଡ ସାରା ବାଳ ଧଳା, ତା’ପୁଣି ସ୍ତ୍ରୀ ର ବାଧ୍ୟ ହେବାକୁଯାଇ ମୁଣ୍ଡରେ କଳାରଙ୍ଗ ଲଗାଇବାରୁ । ଆଖିରେ ଶକ୍ତିଶାଳି ଚଷମା ଏବଂ ଶରୀରର ସାମାନ୍ୟ ମେଦ ବୃଦ୍ଧିକାରଣରୁ ମୁଁ ନିଜକୁ ବୟସ୍କ ବୋଲି ଭାବିବସିଥିଲି । କିନ୍ତୁ ଦେହଟା ଆକାଶ ଠାରୁ ବି ଅଧିକ ଝୁଲି ଆସିଥିଲା । ଏହିସବୁ ବିପରୀତ ସଂଜ୍ଞାମାନଙ୍କୁ ଧରି ତାଙ୍କୁ କେମିତି ମୁଁ ସାମ୍ନା କରିବି ବୁଝିପାରୁନଥିଲି । ତାର ଆଉଗୋଟିଏ କାରଣ ଥିଲା । କାରଣଟି ଏଇଆ ଯେ, ମୋର ବୟସ ବଢ଼ୁଥିଲା, ମୁଁ ସେକଥା ଜାଣିପାରୁନଥିଲି । ଅଥଚ ସମସ୍ତେ ମୋତେ ବାରମ୍ୱାର ସୂଚାଇ ଦେଉଥିଲେ ଯେ ମୋର ବୟସ ଯଥେଷ୍ଟ ବଢ଼ିଯାଇଛି । ଏସବୁ ସତ୍ତ୍ୱେ ମୁଁ କାହିଁକି ଯେ ତାଙ୍କ ପ୍ରେମରେ ପଡ଼ିଯାଇଥିଲି ମୁଁ ବୁଝିପାରୁନଥିଲି । ସେ ଦେଖିବାକୁ ସେତେଟା ସୁନ୍ଦରୀ ନଥିଲେ, ସାଧାରଣ ଆଖିରେ, ତଥାପିବି ମୁଁ ତାଙ୍କୁ ପୃଥିବୀର ସବୁଠୁ ସୁନ୍ଦରୀ ବୋଲି ଅନୁଭବ କରୁଥିଲି । ଏମିତି ଏକ ଦହନରେ ମୁଁ ଭାଜି ହାଇପଡ଼ୁଥିଲେ ସୁଦ୍ଧା କିଛି କରିପାରିବାଭଳି ଅବସ୍ଥାରେ ମୁଁ ନଥିଲି । ତାଙ୍କ ଘର ଯେଉଁଠି ସେ ରହୁଥିଲେ ସେଇଟା ମୋ ଘରଠାରୁ ବେଶୀ ଦୂରନଥିଲା । ସାମ୍ନାଧାଡ଼ିର ବାଁ ପାଖକୁ ମାତ୍ର ତିନୋଟି ଘରପରେ ଚତୁର୍ଥଘରେ ସେ ଦୁଇ ମହଲା ଉପରେ ଭଡ଼ା ରହୁଥିଲେ । ତାଙ୍କ ରହୁଥିବା ଘରର ବାଲକୋନୀ, ମୋ ଘରର ବାଲକୋନୀର କୋଣରେ ବସିଲେ ସଂପୂର୍ଣ୍ଣ ଦିଶୁଥିଲା । ସେଇ କାରଣରୁ ବାଲକୋନୀର ସେଇ ଯାଗାଟି କ୍ରମଶଃ ମୋର ଅତି ଆପଣାର ହୋଇ ଉଠୁଥିଲା । ସେ ମୋର ସେହିଯାଗା ବିଷୟରେ ଆବିଷ୍କାର କରିପାରିଲେ କି ନାହିଁ ଜାଣିପାରୁନଥିଲି । କାରଣ ତାଙ୍କ ବ୍ୟବହାରରେ ମୋ ପ୍ରତି ତାଙ୍କର ଆକର୍ଷଣ ଆଦୌ ଲକ୍ଷ୍ୟ କରି ପାରିନଥଲି । ତଥାପି ବି ତାଙ୍କୁ ମଝିରେ ମଝିରେ ଦେଖୁଥିଲି ଏବଂ ଦେଖିବା ପାଇଁ ହିଁ ବସୁଥିଲି ।

ସେକଥା ମୋ ସ୍ତ୍ରୀ ବୁଝିପାରିଲା କି କଣ, ମୋତେ ବାରମ୍ୱାର କାହିଁକି ବସି ରହୁଛ ବୋଲି ତାଗିଦା କରୁଥିଲା । ଏବ ମଝିରେ ମଝିରେ ମୋ ପାଖରେ, ସାଙ୍ଗ ଦେବାପରି ବସୁଥିଲା । ସେ ତାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲା ମୋତେ ବସାଇ ନଦେବାକୁ । ସେଥିପାଇଁ ସେ ନିଜକୁ କ୍ରମଶଃ ବଦଳାଇବାକୁ ଆରମ୍ଭ କରିଦେଲା । ବଦଳାଇଲା ନିଜ କଥାବାର୍ତ୍ତାର ଢ଼ଙ୍ଗ । ବଦଳାଇଲା ନିଜ ପିନ୍ଧିବାର ଶୈଳୀ । ତା’ର କଥାବାର୍ତ୍ତା ଏବଂ ଚାଲି ଚଳଣରେ ଅଜବ ଧରଣର ପରିବର୍ତ୍ତନ ଆସିଲା ।

ତାର ସମସ୍ତ ଆଚାର ବ୍ୟବହାରରୁ ମୁଁ ଅନୁଭବ କରୁଥିଲି ମୋ ପ୍ରତି ତାର ସଂଦେହ ।

ନିଜକୁ ଯଥାସମ୍ଭବ ଲୁଚାଇବାରେ ବି ବୋଧ ହୁଏ ମୁଁ ଧରା ପଡି ଯାଇଥିଲି ତା ନିକଟରେ । ସେହି ମହିଳା ପ୍ରତି ମୋର ଆକର୍ଷଣ ସେ ଧରିପାରୁ ନଥିଲା ଯଦିଓ ତଥାପି ବୁଝିପାରୁଥିଲା ମୋ ଭିତରର ଭଗ୍ନାଂଶ ।

ମୋ ସାରା ଜୀବନର ସମୟ ସହିତ ସମ୍ପୂର୍ଣ୍ଣ ଭାବେ ନିଜକୁ ସାମିଲ କରିଦେଇଥିବା ଏଇ ସ୍ତ୍ରୀ ଲୋକଟା ଯେ ମୋ ମୁହଁକୁ ଚାହିଁ ଦେଇ ବିି ବୁଝିପାରେ ମୋ’ଭାଷା, ସେକଥା ଜାଣିଲେବି କିଛି କରିବା ମୋ ପାଖରେ ସମ୍ଭବପର ନଥିଲା । ଧିରେଧିରେ ମୁଁ ଟାଣି ହୋଇ ଯାଉଥିଲି, ଅଚାନକ ଆକର୍ଷଣ ରେ ସେହି ମହିଳା ଟି ଦିଗକୁ ।

ଅଜବ ଧରଣର ଶିହରଣ ମୋ ଦେହରେ ଖେଳି ଯାଉଥିଲା । ତା କଥା ଭାବିବା ମାତ୍ରେ । ତା ପୁଣି ଏ ବୟସରେ ଯେଉଁ ବୟସରେ ସାଧାରଣ ଶିହରଣ ଆସିପାରେ ନାହଁ ସମସ୍ତେ ଯାଣନ୍ତି । ମୋର ବି ପ୍ରଥମେ ପ୍ରଥମେ ସେହି ଧାରଣା ହେଉଥିଲା ଯେ ବୟସ କାରଣରୁ ଏସବୁ ହୋଇ ପାରେନା ମନେ ମନେ ବି କଥା ଧରି ନେଇଥିଲି ଯେ ମୁଁ କ୍ରମଶଃ ଶାରିରୀକ ଭାବେ ଅଯୋଗ୍ୟ ହୋଇ ଯାଇଛି । କିନ୍ତୁ ନିଜର ଏମିତି ପରିବର୍ତ୍ତନ ଦେଖିବା ପରେ ସେ ଧାରଣାରେ ମୋର ପରିବର୍ତ୍ତନ ଆସିଲା ।

କାହିଁକି ଏମିତି ହେଲା ସେକଥା ମୁଁ ଠିକ୍ ଭାବରେ ବୁଝି ନ ପାରିଲେ ବି ଏତିକି ନିଶ୍ଚୟ ବୁଝି ପାରୁଥିଲି ଯେ ମୋ ଭିତରେ କିଛି ଗୋଟାଏ ଭୁଲ୍ ଘଟିବାକୁ ଯାଉଛି । ସେ ଭୁଲ୍ ଟା ମୁଁ ଘଟାଉଥିଲି ବା ଆପେ ଆପେ ଘଟୁଥିଲା ସେ ବିଷୟ ରେ ସନ୍ଦିହାନ ଥିଲି । ସେ ସବୁ କେମିତି ମନକୁ ମନ ଘଟି ଯାଉଥିଲା । ସେଥିରୁ ବାହାରିବାକୁ ଚେଷ୍ଟା କରୁଥିଲି କିନ୍ତୁ ବାହାରି ପାରୁନଥିଲି । ମୁଁ କଣ ଯାଣିଥିଲ ସେ ଛୋଟା ଛେଳି ଟେ ମୋ ଆଗକୁ ଏମିତି ହଠାତ୍ ପଳାଇ ଆସିବ ବୋଲି । ସେ ସବୁ ସେଇ ଛେଳି ର ଦୋଷ ଥିଲା । ଯିବା ବେଳ ହଠାତ୍ ମୋ ଗାଡ଼ି ଆଗକୁ ପଳାଇ ଆସିଲା । ଗୋଟିଏ ଅଢେଇ ଫୁଟର ଛେଳିଟିଏ । ବିଚରା ରାସ୍ତା ପାର ହେବା କୁ ବହୁତ ଚେଷ୍ଟା କରୁଥଲା । କାରଣ ତାର ଗୋଟାଏ ଗୋଡ ଛୋଟା ହୋଇ ଯାଇଥିଲା ।

ଅଚାନକ ତାର ଉପସ୍ଥିତି ରେ ମୁଁ ବ୍ରେକ୍ ଦେବାକୁ ବାଧ୍ୟ ହେଲି, ଦୟା ପାଇଁ । କେଯାଣି କାହିଁକି ତାକୁ ଟପି ଅତିକ୍ରମ କରିବାକୁ ମୋର ଇଚ୍ଛା ବା ସାହସ ହେଲାନି । ସେଇଠି ସେମିତି ଠିଆ ହୋଇ ରହିଲି ବେଶ୍ କିଛି ସମୟ । ସେ ଚାଲି ପାରୁନଥାଏ । ତା’ର ପଛ ପାଖର ବାଁ ଗୋଡଟା କୌଣସି କାରଣରୁ ଛୋଟା ହୋଇଯାଇଥିଲା ବୋଧହୁଏ । ସେଇ କାରଣରୁ ସେ ଅନେକ ସମୟ ନେଲା ରାସ୍ତା ଅତିକ୍ରମ କରି ପାର ହେବାକୁ । ସେ ଯିବା ପର୍ଯ୍ୟନ୍ତ ମୋତେ ଠିଆ ହୋଇ ରହିବାକୁ ପଡ଼ିଲା । ଚାହିଁଥିଲେ ମୁଁ ତାକୁ ଅତିକ୍ରମ କରି ଆସି ପାରିଥା’ନ୍ତି । କିନ୍ତୁ କେଜାଣି କାହିଁକି ମୋର ତାକୁ ଡ଼େଇଁ ଆସିବା କୁ ଆଦୌ ଇଚ୍ଛା ହେଲାନି । ମୁଁ ସେଇଠି ସେମିତି ଠିଆ ହୋଇ ରହିଲି, ସେ ଯିବା ପର୍ଯ୍ୟନ୍ତ । ଛେଳିଟିର ଚାଲିବାର ଦେଖି ମୋର କାହିଁକି କେବଳ ତାଙ୍କରି କଥା ହିଁ ମନେ ପଡ଼ଲା ।

ମୁଁ ବଡ଼ ବ୍ୟସ୍ତ ହୋଇପଡ଼ିଲି, ଏ ପ୍ରକାର ସାମଞ୍ଜସ୍ୟରେ । ଅନେକ ଚେଷ୍ଟା କଲି କେମିତି ଏ ଦୁଇଟି ପରିପୂରକ ବସ୍ତୁକୁ ପରସ୍ପରଠାରୁ ଫେଡ଼ିବି । କିନ୍ତୁ ଫେଡ଼ିବାକୁ ଯେତେଯେତେ ଚେଷ୍ଟା କରୁଥିଲି ସେତିକି ସେ ଦୁଇଟି ପରସ୍ପର ସହିତ ମିଶିଯାଉଥିଲେ ।

ଏମିତି ମୋତେ ଅନେକ ସମୟ ଧରି ଛେଳିଟିକୁ ଦେଖିବାକୁ ପଡ଼ିଲା ଯେତେବେଳ ପର୍ଯ୍ୟନ୍ତ ଛେଳିଟି ରାସ୍ତା ପାର ହୋଇଯାଇନଥିଲା ।

ସେ ଦିନ ଫେରିଆସିଲି ଆଉ ଆସିବାପରେ କେଜାଣି କାହିଁକି ସେ ମହିଳା ଜଣକ ମୋ ଉପରେ ଭୂତପରି ସବାର ହୋଇବସିଲେ । ମୁଁ ଯେତେ ଚେଷ୍ଟା କଲେବି ମୋ ଉପରୁ ଓହ୍ଲାଉନଥିଲେ । ଧୀରେ ଧୀରେ ସେ ମୋ ଉପରେ ସମ୍ପୂର୍ଣ୍ଣ ସବାର ହୋଇଗଲେ । ମୁଁ କେବଳ ତାଙ୍କରି କଥା ଭାବିବାଛଡ଼ା ଆଉ କିଛି ଭାବୁନଥିଲି । ସେ କେତେବେଳେ ଆସିବେ, କେତେବେଳେ ଯିବେ ୟା ଛଡ଼ା ଆଉକିଛି ଯେମିତି ମୋର କାମ ନଥିଲା । କୋଉଠୁ ଆସିବ ? ବୃଦ୍ଧଲୋକଙ୍କର ଯେ କିଛି କାମ ନଥାଏ ସେ ବିଶେଷକରି ବାହାରକୁ ଆସୁ ନଥିଲେ । ସକାଳେ ସ୍କୁଲ୍ ୟୁନିଫର୍ମ ପିନ୍ଧା ପିଲାଟିଏ ଧରି ଛାଡ଼ି ଆସନ୍ତି, ବୋଧହୁଏ ତାଙ୍କରି ପୁଅ, ତାକୁ ହିଁ ଧରି ଛାଡ଼ି ଆସନ୍ତି, ଆଉ ବେଳେବେଳେ କଦବା କ୍ୱଚିତ୍ ବଜାର ହାଟ ଇତ୍ୟାଦି ପାଇଁ । ମୁଁ ମନଦେଇ ସେହି ସମୟ ମାନଙ୍କୁ ଅପେକ୍ଷା କରିବାକୁ ଲାଗିଲି । ତାଙ୍କ ଯିବା ଆସିବା ବାଟକୁ ଅପେକ୍ଷା କରି ରହିଲି । କିନ୍ତୁ କାହିଁକିଯେ ଅପେକ୍ଷା କରୁଥିଲି ତାର କୌଣସି ସଠିକ ଉତ୍ତର ମୋ ପାଖରେନଥିଲା । ସେହି ଅପେକ୍ଷା ଭିତରେ, ମୋ ମାନସିକତାରେ ଅସମ୍ଭବ ପରିବର୍ତ୍ତନ ଆସିଲା । ମୋ ଦେହରେ ଯୌବନ ଫେରିଆସିବାର ମୁଁ ଅନୁଭବ କଲି । ସମୟ ଅସମୟରେ ଅବ୍ୟବହୃତ ଏକ କ୍ୟାଲେଣ୍ଡର ପରି ଟଙ୍ଗାହୋଇଥିବା ଆଇନା ସାମ୍ନାରେ ଠିଆହେବା ଏବଂ ନିଜକୁ ଚାହିଁବା ଆରମ୍ଭ କରିଦେଲି ।

ଏପରି ପରିବର୍ତ୍ତନକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ବି ସ୍ତ୍ରୀ ଜାଣିପାରୁଥିଲା । ସେ ମୋର ଏ ପରିବର୍ତ୍ତନ ପାଇଁ ନିଜକୁ ଦାୟୀ କରୁଥିଲା କି କଣ, ନିଜକୁ ବଦଳାଇବାରେ ବ୍ୟସ୍ତ ହୋଇପଡ଼ୁଥିଲା । ବ୍ୟସ୍ତ ହେବାର ବି ଅନେକ କାରଣ ଥିଲା । ସେ ଗତ କିଛିଦିନଧରି ମୋଠାରୁ ନିଜକୁ ଏକ ପ୍ରକାର ଦୂରେଇ ନେଇଥିଲା । ଆମ ଦୁଇଜଣଙ୍କ ଭିତରେ ବୁଝାମଣା ହେଲାପରି ଆମେ ରହୁଥିଲୁ । କୌଣସି ବି ସମୟରେ ତାକୁ ପାଖରେ ଯଦି ଆଶାକରୁଥିଲି, ସେ ନିଜ ବାର୍ଦ୍ଧକ୍ୟର ଦ୍ୱାହି ଦେଇ ମୋ ପାଖରୁ ଦୂରେଇ ରହୁଥିଲା । ବୋଧହୁଏ ସେହି କାରଣରୁ ଆମ ଦୁଇଜଣଙ୍କଭିତରେ ଅଦେଖା ସରଳ ରେଖାଟିଏ ଟାଣି ହୋଇ ଯାଇଥିଲା । ମୋର ଆକସ୍ମିକ ପରିବର୍ତ୍ତନରେ ତା ଭିତରେ ବି ପରିବର୍ତ୍ତନ ଆସିଯାଇଥିଲା କି କଣ ସେ ବି ନିଜକୁ ବଦଳାଇବାରେ ଲାଗିପଡ଼ିଥିଲା ।

ସେ ଦିନ କିନ୍ତୁ ଘଟଣା ଏମିତି ଘଟିବ ବୋଲି ଆମେ ଦୁହେଁ କେବେବି ଆଶାକରିନଥିଲୁ ନିଶ୍ଚୟ, ନହେଲେ ଏପରି ଘଟିବାର କୌଣସି କାରଣ ନଥିଲା ।

ସେ ଦିନ ମୁଁ ସକାଳୁ ସେଇ ମହିଳା ଜଣଙ୍କପାଇଁ , ତାଙ୍କ ପୁଅର ସ୍କୁଲ ଯିବାସମୟରେ ନିଜକୁ ପ୍ରସ୍ତୁତ କରୁଥିଲି । ପୋଷାକ ପତ୍ର ପିନ୍ଧିସାରି ଅଇନା ଆଗରେ ନିଜକୁ ଦେଖିଥିବା ସମୟରେ ମୋ ସ୍ତ୍ରୀ ମଧ୍ୟ ଆସିଲେ ସେହି ଯାଗାକୁ ।

ସେ ବୋଧହୁଏ ଆସିଥିଲେ, ନିଜକୁ ପ୍ରସ୍ତୁତ କରିବାକୁ । ମୁଁ ଅଇନା ଆଗରେ ଠିଆ ହେବାର ଦେଖି ମୋତେ ପଚାରିଲେ – ଆଜି କ’ଣ କୁଆଡ଼େ ଯିବ କି? ମୁଁ ତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲି – ହଠାତ୍ ଏଭଳି ପ୍ରଶ୍ନର କାରଣ? ତାଙ୍କ ପ୍ରଶ୍ନରେ ସାମାନ୍ୟ କଟାକ୍ଷ ଥିବାଭଳି ମୋର ଧାରଣା ହେଲା । ନହେଲେ ତାଙ୍କୁ ଉଚ୍ଚ ସ୍ୱରରେ ଉତ୍ତର ଦେବାର କୌଣସି କାରଣ ନିଶ୍ଚୟ ନଥିଲା । ସେ ଉତ୍ତର ଗିଳିଲା ପରି କହିଲେ – ହଠାତ୍ ଆଜିର ସଜବାଜ ଦେଖି ମନେ ହେଉଛି ଯେମିତି କୁଆଡ଼େ ବାହାରିଛ । କିନ୍ତୁ ତମର ତ ସେମିତି କାମ କିଛି ଥିଲାପରି ଜଣାପଡ଼ୁନି । ଥିଲେ ତ ମୋତେ ତମେ କହିଥାଆନ୍ତ ।

ମୁଁ କାହିଁକି କେଜାଣି ତା’ କଥାରେ ହଠାତ୍ ବିରକ୍ତ ହୋଇ ଉତ୍ତର କଲି – ସବୁ କଥା କଣ ତୁମକୁ କହିବା ଦରକାର ? ତମେ ସେ ସବୁ କାମର ଅର୍ଥ କଣ ବୁଝିବ । ତା ଛଡ଼ା ଆଜିକାଲି ତ ସବୁଦିନ ମୁଁ ସକାଳୁ ଗାଧୁଆ ଗାଧି କରୁଛି, ସେଥିରେ ତମର ଅସୁବିଧା କଣ ? ସେ ମୋତେ ଉତ୍ତର ଦେଇ କହିଲେ – ଆଜିଯାଏଁତ କେବେବି ଏମିତି ମୋତେ ନକହି କିଛି କରିନ । ଆଜି ହଠାତ୍ ମୁଁ ପଚାରି ଦେଲାରୁ ଅସୁବିଧା କଣ ହୋଇଗଲା ? ସବୁବେଳେ ତ ପଚାରେ ।

ମୁଁ ମୋ ଭୁଲ୍ ବୁଝିବାକୁ ଆରମ୍ଭ କରି ଦେଇଥିଲି । ବୁଝାଇବାକୁ ଯାଇ କହିଲି – ସକାଳୁ କାମ ତକ ସାରିଦେଲେ ଦିନଯାକ ଅନେକ ସମୟ ମିଳିବ କାମ କରିବାକୁ । ସେଥିପାଇଁ ଭାବିଲି ଅତ୍ୟନ୍ତ ନିତ୍ୟକର୍ମ ସବୁ ସାରିଦେଲେ ଯାଏ । ଅନ୍ୟ କାମ କିଛି ତ କରିହେବ ।

ମୁଁ ବୁଝିବାର ଚେଷ୍ଟା ଆରମ୍ଭ କରିବା ବେଳକୁ ସବୁ ସରିଯାଇଥିଲା । ତୀର ହାତରୁ ବାହାରି ଯାଇଥିଲା । ସେ ସେତେବେଳେ ଝଗଡ଼ାର ଦାଣ୍ଡ ଦୁଆରକୁ ଆସି ସାରିଥିଲେ । କହିଲେ – ଏ ପରିବର୍ତ୍ତନ ତ ତମର ବେଶ୍ କିଛିଦିନ ହେଲା ହେଲାଣି । ମୁଁ କେବଳ ଆଜି ପଚାରି ଦେଲି ମାତ୍ର । ମୋର କାହିଁକି ମନେ ହେଇଛି ତମେ ପୁଣି କିଛି ଖରାପ ଦିଗରେ ଯାଉଛ ।

ମୁଁ ବିଶେଷ କରି ଝଗଡ଼ା କରିବାର ଅବସ୍ଥାରେ ନ ଥିଲି । ତେଣୁ ଚୁପ୍ ରହିବାକୁ ଠିକ୍ ମନେକରି ସେ ଯାଗା ଛାଡ଼ିଦେବାକୁ ମନସ୍ଥ କରି ଆସୁଛି ସ୍ତ୍ରୀ ମୋତେ ପଛରୁ ଶୁଣାଇ ଶୁଣାଇ କହିଲେ – ଆସିଲ ଦେଖିବ ମୋ ବେକ ପାଖରେ କଣ ଗୋଟାଏ ଉଠୁଛି ।

ମୁଁ ବାଧ୍ୟ ଶିଶୁଟି ପରି ତାଙ୍କ ପାଖରେ ଯାଇ ପହଞ୍ଚିଲି ଦେଖିବାକୁ ସତରେ ଯଦି କିଛି ହୋଇଥାଏ ।

ସେ ନିଜର ବେକ ଦେଖାଇଦେଲେ । ବେକ ପାଖରେ କଳା ଦାଗଟିଏ । କିଛି ଗୋଟିଏ ପୋକ ଫୋକ କାମୁଡ଼ି ଦେଇଥିବାପରି ମନେ ହେଲା । ମୁଁ ଆଘାତ ପାଇବା ପରି ଦେଖାଇ ହୋଇ କହିଲି – ସତରେ ତ ! ଏମିତି ହେଲା କେମିତି ? ସେ ହସିଲେ କହିଲେ ଠିକ୍ କରି ଚିହ୍ନିଲ, ଇଏ ତମର ଦାନ୍ତ ଦାଗ ନୁହେଁତ ! ମୁଁ ମନା କରିବା ପରି କହିଲି – ନା ମୋର ଏମିତି ହୋଇପାରେନା ! ମୁଁ କଣ ପଶୁ ହୋଇଛି ଯେ ତୁମକୁ ଦାନ୍ତ ଲଗାଇ ଦେବି ? ସତ କହିଲ ଏଇଟା ଏମିତି କେମିତି ହେଲା?

ସେ କହିଲେ – ମୋ ବାପ ଘରୁ ଆଣିଥିଲି । ମନେ ପଡ଼ୁନି ? ଯୌତୁକରେ ଆସିଥିଲା ବୋଲି ? ଉତ୍ତର ଦେଇପାରୁ ନ ଥିଲି । କଣ ବା ଦେବି ? ଏଇ ଅବସ୍ଥାରେ ଯେ କୌଣସି ସ୍ୱାମୀଟିଏ ଖୁବ ହତାଶ ହୋଇପଡ଼େ । ମୋର ବି ସେଇଆ ହେଲା । ମୁଁ ଆଗକୁ କି ପଛକୁ ନ ଯାଇ ପାରି ହତାଶ ହୋଇ ଠିଆ ହୋଇ ରହିଲି । କଳି କରିବାକୁ ପ୍ରବଳ ଇଚ୍ଛା ହେଉଥିଲେ ବି ଆଗକୁ ବଢ଼ିବାକୁ ସାହାସ କୁଳଇ ନଥିଲା ବୟସ ବଢ଼ିଗଲେ ମଣିଷ ମାନେ ଯେ ମୋପରି ହତାଶ ହୋଇ ଯାନ୍ତି ସେ କଥା ମଝିରେ ମଝିରେ ମୋର ହୃଦୟଙ୍ଗମ ହେଉଥିଲା ।

ସେହି ସମୟରେ ମୋ ଆଖିଆଗରେ ଭାସି ଆସିଲା ସେହି ଛେଳିଟିର ମୁହଁ । ଛୋଟା । ରାସ୍ତା ପାରହୋଇ ପାରୁନଥିଲା । ମନରୁ କାଢ଼ିବାକୁ ଚେଷ୍ଟା କଲି କାରଣ ସେ ଛେଳିଟି କ୍ରମଶଃ ମୋ ଭଳି ଦିଶିବାକୁ ଆରମ୍ଭ କରୁଥିଲା ।

ମୋର ଅବସ୍ଥା ସ୍ତ୍ରୀ ବୋଧହୁଏ ବୁଝୁଥିଲା, ସେ ମୋର ହତାଶ ହୋଇଯାଇଥିବା ମୁହଁକୁ ଚାହିଁ ଛୋଟ ହସଟିଏ ଫିଙ୍ଗି ଦେଇ କହିଲା – ସେଠି ଠିଆହୋଇ କଣ ଦେଖୁଛ ? ଆସି ଆଉଁସି ପାରୁନ ? ମୋର କଣ ଆଉ କଣ କିଏ ବାପଘରୁ ଆସିବ ମୋତେ ଆଉଁସିବାକୁ ? ମୁଁ ବାଧ୍ୟ ଶିଶୁଟି ଭୂଲ୍ କରିବସି ମା ପାଖରେ ସାଲିସ କରିବାକୁ ଯିବାପରି ତା ପାଖକୁ ଗଲି । ପାଖରେ ପହଞ୍ଚି ବି ସାହସ ହେଉନଥିଲା ତାକୁ ଛୁଇଁବାକୁ ।

ସେ ଆଦେଶ ଦେଇ କହିଲା – ପୁଣି ଠିଆ ହେଇ ରହିଲ କ’ଣ ? ମୁଁ ଯନ୍ତ୍ରଚାଳିତ ମେସିନ ପରି ତା ବେକର ସେଇ ଯାଗାରେ ହାତ ବୁଲାଇ ଆଣିଲି ।

ସେ କହିଲା- ବୁଢ଼ା ହୋଇ ଗଲଣି, ଜାଣି ପାରୁନ । ଆଜିକୁ କୋଡ଼ିଏ ବର୍ଷ ତଳେ ମୁଁ ତମକୁ ଏମିତି ବେକକୁ ପୋକ କାମୁଡ଼ିଥିଲାବୋଲି ଦେଖାଇଥିଲି, ତମେ କ’ଣ କରିଥିଲ ମନେ ଅଛି ? ପୁରା ମୁହଁଟାକୁ ସେ’ଠି ଲଦି ଦେଇଥିଲ । କହିଥିଲ ପାଟିରେ ବି ମଣିଷର ଔଷଧ ଅଛି, ଗୋଟିଏ ଚୁମ୍ୱନରେ ଭଲ ହୋଇଯିବ । ତା ପରେ କ’ଣ କଲ କହିବି ?

ମୁଁ ମନେ ପକାଉଥିଲି ମୋର ସେଇ ପୂର୍ବବସ୍ଥା । ସତରେ ଏଇ ଭିତରେ ମୁଁ ଅନେକଟା ବଦଳି ଗଲିଣି । ଅନେକ ଦିନ ଧରି ସ୍ତ୍ରୀକୁ ଯେମିତି ଆଦୌ ଦେଖିନି ! ସେମିତି ଲାଗୁଥିଲା ମୋତେ । ଧୀରେ ଧୀରେ ଓଠ ବଢ଼ାଇ ପୁରୁଣା ଦିନର ସେଇ ସମୟକୁ ଫେରି ଯିବାକୁ ଚାହୁଁଥିଲି । ସେଇ ଦିଗରେ ଚେଷ୍ଟା କରୁ କରୁ ଯୌବନ ଫେରି ଆସିବା ପରି ଲାଗିଲା । ସେ ବି ପୁରୁଣା ଦିନର ସେଇ ସ୍ତ୍ରୀ ଟି ହୋଇଗଲା ।

ମୋ ସ୍ପର୍ଶରେ ବିଛଣା ଚାଦରଟି ପରି ଖୋଲିଗଲା ଖଟ ଉପରେ । ତା ଦେହସାରା ଗୁଣନରେ ବଢ଼ିଯାଇଥିବା ମାଂସ ସବୁ ମୋତେ ଅଧିକ ପଶୁ କରିପକାଇଥିଲା ମୁଁ ସେଇ ଛେଳିକୁ ରାସ୍ତା ପାର ହେଉଥିବାର ଦେଖିଲି ।

ସେଇ ଭିତରେ ଯେ ମୋର ଅନେକ ଦାୟିତ୍ୱବୋଧ ଆସି ଯାଇଥିଲା, ମୁଁ ବୁଝିପାରୁଥିଲି । ନିଜ ଦାୟିତ୍ୱର କର୍ତ୍ତବ୍ୟ କରିବାକୁ ଯାଇ ଦେଖିଲି ଯେ ଏ ଭିତରେ ସେ ଧଳା ହୋଇଯାଇଥିବା ନିଜ ମୁଣ୍ଡର ବାଳସବୁ ରଙ୍ଗ ଲଗାଇ କଳା କରିପକେଇଥିଲା । ସେତିକିରେ ଏତେ ସୁନ୍ଦର ଦିଶୁଥିଲା !

ସେଇ ସନ୍ଧ୍ୟାରେ ସ୍ତ୍ରୀ ଦୁଆରମୁହଁରୁ ଡ଼ାକ ଛାଡ଼ିଲେ – ଆସ ଦେଖିବ, କାହାକୁ ସାଙ୍ଗରେ ଆଣିଛି । ମୁଁ ବାହାରକୁ ଯାଇ ଦେଖିଲି ତା ସଙ୍ଗରେ ସେହି ମହିଳା ଜଣକ ଆସିଛନ୍ତି । ମୁଁ ପହଞ୍ଚିବାରୁ ସ୍ତ୍ରୀ କହିଲା- ତମେ ୟା’ଙ୍କୁ ଦେଖିବାକୁ ସକାଳେ ସଜେଇ ହୋଇ ବସିଥିଲ ପରା ! ଦେଖ ମୁଁ ତାଙ୍କୁ ସାଙ୍ଗରେ ନେଇ ଆସିଛି । କଣ କଥାବାର୍ତ୍ତା ହେବ ହୁଅ ।

ତାର ସେହି କଥାରେ ମହିଳାଜଣକ ଖୁବ୍ ଲାଜେଇ ଯାଇ କହିଲେ – ମଉସା ନମସ୍କାର । ମୁଁ ନମସ୍କାର ତ ଗ୍ରହଣ କଲି । କିନ୍ତୁ କଥାବାର୍ତ୍ତା ନ କରି ପାରି ମନେ ପକେଇଲି: ସେହି ଛେଳିଟିକୁ ….. ମାଂସ ଦୋକାନରେ, ମୋ ପରି ଛାଲ ଉତୁରା ଦେହଟି କରି ଯଦି ଟାଙ୍ଗି ହୁଅନ୍ତା ତେବେ ସେ ମାଂସ ଦୋକାନୀ ଟି କେତେ ପଇସା ଲାଭ କରି ପାରନ୍ତା !!!!!

ଲୋକପ୍ରିୟ ଲେଖା

To Top