-: ପୂର୍ବରୁ :-
ଭାଗ ୬
ଜେଲ୍ ଭିତରେ ଦୁଇଦିନ ଧରି ପଡିରହିଛନ୍ତି ସୀତାଂଶୁ, ଅରୁଣିମା, ଅଂଶୁମାନ ଓ ନିତ୍ୟାନନ୍ଦ । ଅରୁଣିମା ଆଖିରେ ଲୁହ ଥମିବାର ନାଁ ଧରୁନି । ସୀତାଂଶୁ ମ୍ଳାନ ଦିଶୁଛନ୍ତି । ସତେଯେମିତି ଜୀବନଟା ଉଜୁଡି ଯାଇଛି ଏକବାରେ । ନିତ୍ୟାନନ୍ଦ ତା ମାଲିକ ଓ ମାଲିକାଣୀଙ୍କ ପାଇଁ ଚିନ୍ତିତ । ଅଂଶୁମାନର ମୁହଁ ରାଗରେ ଦପ୍ ଦପ୍ ଜଳୁଛି ! ସତେ କି ଏବେ ସେ ଜିଜ୍ଞାସାକୁ ଚରମ ଶାସ୍ତି ଦେବ । ଏମିତି କିପରି କରିପାରିଲା ଜିଜ୍ଞାସା ? ନାରୀ ନିର୍ଯ୍ୟାତନାର ମିଛ ମାମଲା ରୁଜୁ କରି ସମସ୍ତଙ୍କୁ ଜେଲ୍କୁ ଠେଲି ଦେଇପାରିଲା । କେତେ ନୃଶଂସ ଓ ଉଦ୍ଧତା ସେ ? ପାପାମାମା କି ଦୋଷ କରିଥିଲେ ତା ପାଖରେ ! ସେମାନେ ତ ତା ସହିତ ଦୁଇଦିନ ବି ଏକାଠି ରହି ନାହାନ୍ତି । ଅଥଚ ସେ ଦୁହିଁଙ୍କୁ ବି ଏ ଘଟଣାକୁ ଟାଣି ସେମାନଙ୍କୁ ନିନ୍ଦିତ କରିଛି ! ତା ପରିବାରର ଗୌରବକୁ ନଷ୍ଟ କରିଛି । ସି ହାଜ୍ ଟୁ ପେ’ ଫର୍ ଦିସ୍ । ଈଶ୍ୱର ତାକୁ କେବେ ଶାନ୍ତି ନଦିଅନ୍ତୁ । ପାପାମାମାଙ୍କ ଅସହାୟତା ଅଂଶୁମାନକୁ ଦୁର୍ବଳ କରୁଛି । ନିଜର ଭଲପାଇବାର ସେ ମୁହୂର୍ତ୍ତମାନଙ୍କୁ ସେ ଆଜି ଘୃଣା କରୁଛି । କେତେ ନୀଚ ସ୍ତରକୁ ଚାଲିଯାଇଛି ଜିଜ୍ଞାସା । ସେ କେବେ ବି କାହାର ଝିଅ, ବୋହୂ କିମ୍ବା ସ୍ତ୍ରୀ ହୋଇନପାରେ । ଓକିଲ ସହିତ କଥାବାର୍ତ୍ତା ଚାଲିଛି ।
ହଠାତ୍ ଖବରଟିଏ ସମସ୍ତଙ୍କୁ ଚକିତ କଲା-କେସ୍ ୱିଥ୍ ଡ୍ର’ହୋଇ ଯାଇଛି । ଆପୋଷ ବୁଝାମଣାରେ ସମାଧାନ କରାଇବାକୁ ଚାହାନ୍ତି ସେମାନେ । ନିଜେ ଜିଜ୍ଞାସା ଭୁଲ୍ ସ୍ୱୀକାର କରି ଅଣ୍ଡର୍ ଟେକିଙ୍ଗ୍ ଲେଖି ସେମାନଙ୍କୁ ମୁକୁଳାଇ ନେଇଛି ! ଏକଥାଟି ହଜମ ହେଉନି ଅଂଶୁର । ଯିଏ ଦୁଇଦିନ ଧରି ଜିଦ୍ରେ ଅଟଳ ଥିଲା ଯେ ସେ କେବେ ବି ମଥା ନୋଇଁବ ନାହିଁ । ସେ ମାତ୍ର କେଇ ଘଣ୍ଟା ପରେ ନିଜକୁ କିପରି ଏତେ ବଦଳାଇ ପାରିଲା ? କେମିତି ସେ ପକାଇଥିବା ଛେପ ଢୋକି ପାରିଲା । ଯିଏ ତା ଆଗରେ ରକ୍ତମୁଖା ହୋଇ ଶପଥ କରିଥିଲା ଅଂଶୁମାନକୁ ବରବାଦ୍ କରିଦେବ, ସେ ପୁଣି ନିଜର ମଥା ନୁଆଁଇଲା କିପରି ?
ଛଅମାସର ଅବଧି ସରିବାକୁ ବାକିଥିଲା ଆଉ କିଛି ଦିନ । ଜିଜ୍ଞାସା ନିରୀହ ମେଣ୍ଢା ଛୁଆଟି ପରି ବଦଳି ଯାଇ ଘରସଂସାରରେ ମନଦେବ ବୋଲି ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲା । ସେ ରାତିରେ ପ୍ରଥମକରି ଅଂଶୁଠାରୁ ଖାଇଥିବା ଚାପୁଡାଟିକୁ ବି ଭୁଲିଯାଇଥିଲା । ପୁରା ନୀରବି ଯାଇଥିଲା ସେ । ହଠାତ୍ ଆବିର୍ଭୂତ ହେଲେ ଜିଜ୍ଞାସାର ଡାଡି ଶୁଭ୍ରାଂଶୁ ଓ ମମି ଅନିମା । ଶୁଭ୍ରାଂଶୁ ରାଜନେତା ଥିବାରୁ ବୋଧହୁଏ ନିଜ ପରିବାରର କୌଣସି ଇସ୍ୟୁ ବନାଇବାକୁ ଚାହୁଁନଥିଲେ ମିଡିଆରେ । ନହେଲେ ଆଜିଯାଏଁ ଝିଅକଥାରେ କିମ୍ବା ଝିଅ ସଂସାରରେ କେବେ ବି ମୁଣ୍ଡ ପୂରାଇନଥିବା ତାର ଡାଡି ମମି ହଠାତ୍ ଦୟା ଦେଖାଇବାକୁ ଚାଲି ଆସିଲେ କିପରି ? ଶୁଭ୍ରଂଶୁ ବାବୁ ହାତ ଯୋଡି ମଥା ନୁଆଁଇ ପ୍ରଥମେ କ୍ଷମାପ୍ରାର୍ଥନା କଲେ ସୀତାଂଶୁ ଓ ଅରୁଣିମାଙ୍କଠାରୁ । ସେମାନଙ୍କ ହାତ ଧରିଲେ । ନିଜ ଝିଅର ଔଦ୍ଧତ୍ୟ କଥା ଯଦି ସେ ଆଗରୁ ଜାଣିଥାନ୍ତେ ତେବେ କଥା ଏତେ ଆଗକୁ ବଢିନଥାନ୍ତା ବୋଲି କହି ନିଜ ତରଫରୁ ସଫେଇ ଦେଲେ । କିନ୍ତୁ ଅଂଶୁମାନ ଘୃଣାରେ ମୁହଁ ବୁଲେଇନେଲା ।
ସବୁ ଭୁଲ୍ ଅନିମାଙ୍କର ବୋଲି ସ୍ୱୀକାର କରିନେଲେ ଅନିମାଦେବୀ । ସେ ହୁଏତ ଠିକ୍ ଶିକ୍ଷା ଦେଇ ନାହାନ୍ତି ଯାହା ଗୋଟେ ଆଦର୍ଶ ମାଆ ତା ଝିଅକୁ ଦେବା କଥା । ସେଥିପାଇଁ ଜିଜ୍ଞାସା ସବୁବେଳେ ଅଂଶୁମାନକୁ ଠକିଆସିଛି କଳେ ବଳେ କୌଶଳେ । ତେବେ ଆଜିଠାରୁ ଏପରି ହେବନି । ଜିଜ୍ଞାସା ତା ପରିବାରର ଦାୟିତ୍ୱ ନେବ । ଅଥଚ ଅଂଶୁମାନ ଏସବୁକୁ ରାଜିନୁହେଁ ମାନିବାକୁ । ସେ ଗୋଟିଏ ଛାତତଳେ ରହିବାକୁ ଚାହେଁନି ଜିଜ୍ଞାସା ସହିତ । ସେ ପ୍ରକୃତରେ ଡିଭୋର୍ସ ଚାହେଁ ତାଠାରୁ । ତାକୁ ଦେଖିବା କ୍ଷଣି ରାଗରେ ସର୍ବାଙ୍ଗ ଜଳିଉଠୁଛି ଅଂଶୁର ।
ତଥାପି ହାତ ଯୋଡୁଛନ୍ତି ତାର ଡାଡି-ଏମିତି କୁହନି..ଅଂଶୁ । ତୁମକୁ ପାଇବା ତାର ଭାଗ୍ୟ..ଆଉ ମୋର ବି.. । ମୁଁ କଥା ଦେଉଛି ତା ତରଫରୁ ଆଉ କୌଣସି ଭୁଲ୍ ହେବନି । ତୁମେ କେବେ ଯଦି ଆଗରୁ ଏକଥା ଜଣାଇ ଥାଆନ୍ତ, ତେବେ ଏତେ ଯାଏ କଥା ଯାଇନଥାନ୍ତା କେବେ । ସେ କଣ ତୁମକୁ ଏତେ ବ୍ଲାକ୍ମେଲିଂ କରି ରଖିଥିଲା ? ତୀକ୍ଷ୍ଣ ଦୃଷ୍ଟି ପହଁରିଗଲା ତାଙ୍କର ଜିଜ୍ଞାସା ଉପରେ । ଜିଜ୍ଞାସା ଅପରାଧିନୀ ପରି ଛିଡା ହୋଇ ରହିଥାଏ ଗୋଟେ କଣରେ । ଅଂଶୁମାନ ନିଜ ଆଖିକୁ ବିଶ୍ୱାସ କରିପାରୁନଥାଏ । ସବୁବେଳେ ନିଜର ପ୍ରଭାବ ଓ ଅସ୍ତିତ୍ୱ ଜାହିର୍ କରୁଥିବା ଓ ନିଜ ଧୂନ୍ରେ ଜୀଉଁଥିବା ଝିଅଟି ତା ଡାଡିଙ୍କୁ ଏତେ ଭୟ କରେ । ସବୁବେଳେ ଉଗ୍ର ଆଧୁନିକତାକୁ ପ୍ରଶୟ ଦେଉଥିବା ଓ ନାରୀ ସଶକ୍ତିକରଣରେ ବିଶ୍ୱାସ ରଖୁଥିବା ତା ମମି.. ଆଜି ଏତେ ନୀରବ.. ? ବିବାହ ବେଳେ ତ ସେ ପାପାମାମାଙ୍କୁ ଅପମାନିତ କରିଥିଲେ । ଆଉ ପରେ ସବୁବେଳେ ଝିଅକୁ ଭୁଲ୍ ବାଟରେ ପରିଚାଳିତ କରୁଥିଲେ । ଆଜି ଅଚାନକ୍ ସେ ଦୁହେଁ ବଦଳିଗଲେ କିପରି ?
ଛେଳିଛୁଆ ଭଳି ସବୁବେଳେ ସ୍ତ୍ରୀ ଆଗରେ ମେଁ ମେଁ କରୁଥିବା ନିରୀହ ଶୁଭ୍ରାଂଶୁ ଆଜି ହଠାତ୍ ସିଂହରେ ପରିଣତ କିପରି ହେଲେ? ସବୁକିଛି ବିରାଟ ମାୟାଜାଲ ପରି ଲାଗୁଥିଲା ଅଂଶୁକୁ । ସେ ଭାବୁଥିଲା-ଏସବୁ ସ୍ୱପ୍ନ ନୁହେଁ ତ? ସ୍ଥିତି ଏପରି କିପରି ବଦଳିଗଲା ? ୟା’ଭିତରେ ସେମାନଙ୍କର କିଛି ଅଭିସନ୍ଧି ନାହିଁ ତ ?
ଅରୁଣିମା ଓ ସୀତାଂଶୁ ସେତେବେଳ ଯାଏଁ ନିରବ ଥିଲେ । ଅପ୍ରକାଶ୍ୟ ଯନ୍ତ୍ରଣାରେ ଘାରି ହେଉଥିଲେ । ଏତେବଡ ବିପତ୍ତିକୁ ସେମାନେ ଢୋକିବାର ବିଫଳ ପ୍ରୟାସ ଜାରିରଖିଥିଲେ ଯାହା ! କେସ୍, ପୋଲିସ୍, ମିଥ୍ୟା ଦୋଷାରୋପ ଓ ସର୍ବୋପରି ଅଂଶୁ..ସବୁକିଛି ମିଶି ହୃଦୟରେ ତୀବ୍ର ଦହନ ସୃଷ୍ଟି କରିଥିଲେ । ସେମାନଙ୍କ ସାମାଜିକ ପ୍ରତିପତି କ୍ଷୁଣ୍ଣ ହୋଇଥିଲା । ଆଜୀବନ ସତ୍ପଥରେ ରହି ବି ଆଜି ସେମାନଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଥିଲା । ଆମର ଏ ବିଚିତ୍ର ଆଇନ୍ କାନୁନ୍ କିଭଳି ଅନାୟାସରେ ନିର୍ଦ୍ଧୋଷ ବ୍ୟକ୍ତିମାନଙ୍କର ପ୍ରଭୂତ କ୍ଷୟକ୍ଷତି ସାଧନ କରିପାରେ ତାର ଏକଦୃଷ୍ଟାନ୍ତ ପାଲଟିଯାଇଥିଲେ ଅରୁଣିମା ଓ ସୀତାଂଶୁ । ଏତେବଡ ଅପମାନକୁ ସେମାନେ ସହ୍ୟ କରି ପାରୁନଥିଲେ । ଅରୁଣିମା ତ କାନ୍ଦି କାନ୍ଦି ନିସ୍ତେଜ ହୋଇଯାଉଥିଲେ । ସାଲାଇନ୍ ଲାଗିଥିଲା ଦେହରେ । ଅଂଶୁମାନ ଅରୁଣିମା ପାଦପାଖେ ବସି ପିଲାଙ୍କ ପରି କାନ୍ଦୁଥିଲା । ସୀତାଂଶୁ ଭାଂଗି ପଡିଥିଲେ । ବିଚଳିତ ଓ ବିପର୍ଯ୍ୟସ୍ତ ହୋଇପଡିଥିଲେ ସମସ୍ତେ । ଘରଟା ସାରା ଅସୁରୀୟ ନୀରବତା..! ଏସବୁ ପାଇଁ ଶୁଭ୍ରାଂଶୁ ହାତଯୋଡି କ୍ଷମାପ୍ରାର୍ଥନା ପାଇଁ ଗଲା ବେଳେ ଅରୁଣିମା ବିରକ୍ତିରେ ମୁହଁ ବୁଲାଇନେଲେ । ଅଂଶୁ ବି ଏସବୁକୁ ସାମ୍ନା କରିବାକୁ ଅକ୍ଷମ । ଗୋଟେ ମହାବାତ୍ୟା ସେମାନଙ୍କ ଘରକୁ ବିପର୍ଯ୍ୟୟ କରି ଚାଲିଗଲା ପରେ ହଠାତ୍ ମନକୁ ଶାନ୍ତ କରିବା ନିଶ୍ଚିତ ଭାବେ କଷ୍ଟସାଧ୍ୟ । ଅଂଶୁ, ସୀତାଂଶୁ ଓ ଅରୁଣିମା ସେ ଅଭାବିତ କାଣ୍ଡକୁ ଭୁଲିପାରୁ ନାହାନ୍ତି ।
ମନେପଡୁଛି-ଜିଜ୍ଞାସାର ଅଭିଯୋଗକୁ ଭିତ୍ତିକରି କିପରି ଖାଇବା ସ୍ଥାନରୁ ପୋଲିସ୍ ସେମାନଙ୍କୁ ନେଇଆସିଲା ଥାନାକୁ..ତାପରେ ଜେଲ୍କୁ । ସେମାନଙ୍କୁ ସାମାନ୍ୟ ଭାବିବାକୁ ବି ସମୟ ଦେଇନଥିଲା ସେ । ଚକ୍ରାନ୍ତ କରି ନିରୀହ ମେଣ୍ଢାଛୁଆମାନଙ୍କୁ ବନ୍ଦୀ ବନାଇବାରେ ଯେପରି ତାର ପରମ ତୃପ୍ତି ! ସେତେବେଳେ ନିଷ୍ଠୁର, ଉଦ୍ଧତ ଓ ଅହଂକାରୀ ଜିଜ୍ଞାସା, ଅଂଶୁମାନର କୌଣସି ଅନୁରୋଧକୁ କର୍ଣ୍ଣପାତ ନକରି ଚାଲିଯାଇଥିଲା ସଗର୍ବରେ । ତା ପାଦତଳର ହିଲ୍ ଠକ୍ଠକ୍ ଆୱାଜ କରି ସେମାନଙ୍କୁ ସୂଚେଇ ଦେଉଥିଲା-ନା ଆଉ ନୁହେଁ.. ! ତୁମମାନଙ୍କୁ ଏହାର ଚରମ ଶାସ୍ତି ମିଳିବ । ସେ ଘୂର୍ଣ୍ଣିବଳୟ ଏବେ ତୁମ ଦ୍ୱାରଦେଶରେ । ମୁଁ ବିଶିଷ୍ଟ ରାଜନେତା ଶୁଭ୍ରାଂଶୁ ପାଣିଗ୍ରାହୀଙ୍କର ଏକମାତ୍ର ରାଜଦୁଲାଳୀ । ପାଦତଳେ କେତେ କୁଜିନେତା ଓ ବ୍ୟୁରୋକ୍ରାଟମାନେ ଚାକରଙ୍କ ପରି ଖଟନ୍ତି । ତୁମେ ଆଜି ମୋର ଅପମାନ କଲ ? ଖୁବ୍ ସାହସ ? ନିଜକୁ କଣ ବୋଲି ଭାବିଛ ? ସେଥିପାଇଁ ତୁମକୁ ଚରମ ଶାସ୍ତି ମିଳିବ । ରାଜରାସ୍ତାରେ ହାତରେ ବେଡିପକାଇ ଚଲେଇ ଚଲେଇ ନେବି । ସାରା ସଂସାର ଦେଖିବ ତୁମ ଚାରି ଅପରାଧୀଙ୍କୁ । ଯେଉଁମାନେ ଚୋର ଡକାୟତଙ୍କ ଭଳି ମୁଣ୍ଡ ନୁଆଇଁ ଚାଲିଥିବେ ଖାଲିପାଦରେ.. ! ସେହିଠାରେ ମୋ କଥା ତୁମର ନିଶ୍ଚୟ ମନେପଡିବ ଅଂଶୁମାନ ଷଡଙ୍ଗୀ । ଯେଉଁ ପାପା ମାମାଙ୍କଠାରେ ତୁମ ଜୀବନର ସମସ୍ତ ଦୁର୍ବଳତା..ସେମାନଙ୍କୁ କି ଅପମାନ ମିଳିବ ତୁମେ ଦେଖିବ ସେସବୁ । ୟୁ ଡିଜର୍ବ ଇଟ୍.. ।
ସେସବୁ କଥାକୁ ଏତେ ସହଜରେ କିପରି ଭୁଲିପାରିବେ ସେମାନେ ? କିପରି ଭୁଲିଯିବ ଅଂଶୁ ? ତା ଜୀବନର ଦୁର୍ବଳତମ ସ୍ଥାନରେ ପ୍ରହାର କରିଛି ଜିଜ୍ଞାସା । ବେଲ୍ରୁ ଆସିବା ପରେ ଘରେ ଶୁଭେଚ୍ଛୁ ଓ ଘନିଷ୍ଠ ବନ୍ଧୁମାନଙ୍କ ଗହଳି । ସମସ୍ତେ ଦୁଃଖିତ ଏ ଘଟଣାରେ । କେହି ମନ୍ତବ୍ୟ ଦେଲେ-ଏକାକୀ ଭାବିବାକୁ ଦୁଇଜଣଙ୍କୁ କିଛି ସମୟ ଦିଆଯାଉ । ଅଂଶୁମାନ ତା ପାପାମାମାଙ୍କ ସହିତ କିଛିଦିନ ନିଜ ଘରେ ଯାଇ ରହିବ । ଆଉ ସେ ସମୟରେ ଶୁଭ୍ରାଂଶୁ ଓ ଅନିମା ନିଜ ଝିଅକୁ ଭଲ ବାଟକୁ ଆଣିବାର ପ୍ରଚେଷ୍ଟା ଜାରି ରଖିବେ । ଶୁଭ୍ରାଂଶୁ ଓ ଅନିମାଙ୍କର ଆଶା-ଜିଜ୍ଞାସା ନିଜ ସାମାଜିକ ସ୍ଥିତି ପାଇଁ ବଦଳିଯିବ ନିଶ୍ଚୟ । ସୀତାଂଶୁ ଓ ଅରୁଣିମା ତେବେ ବି ନୀରବ ଥିଲେ । ହୁଏତ ଗୋଟେ ନିର୍ବାକ୍ ସ୍ଥିତିରେ । ସନ୍ଧ୍ୟା ହୋଇଆସୁଥିଲା । ଅଂଶୁ ଛାତ ବାଡାକୁ ଆଉଜି ଛିଡାହୋଇଥିବା ଅରୁଣିମାଙ୍କ ଦେହକୁ ଲାଗି ଛିଡାହେଲା । ଅରୁଣିମା ଗଭୀର ଭାବେ ଚିନ୍ତାମଗ୍ନ ଥିଲେ ବୋଧହୁଏ । ସାମାନ୍ୟ ଚମକିପଡିଲେ ଅଂଶୁର ସାନିଧ୍ୟରେ । ଅଂଶୁ ମାମାକୁ ତା କାନ୍ଧ ଉପରକୁ ଆଉଜେଇ ଆଣି କହିଲା-ଏବେ ଭଲଲାଗୁଛି ତ ମାମା ?
ଅରୁଣିମା ଅଂଶୁର ମଥାକୁ ସାଉଁଳେଇ ଦେଇ କହିଲେ-ହଁ ବାପା..ଏବେ ଭଲ ଲାଗୁଛି । ଆଉ ତୁ..ତୁ କେମିତି ଅଛୁ..ଧନ? ଅଂଶୁ ମାମା କାନ୍ଧରେ ମଥାରଖି କୋହଭରା କଣ୍ଠରେ କହିଲା-ସରି ମାମା..ମୋ ପାଇଁ ତୁମେ ସମସ୍ତେ ଦଣ୍ଡ ପାଉଛ । ବହୁଚେଷ୍ଟା କରି ମୁଁ ଆଉ ନିଜକୁ ନିୟନ୍ତ୍ରଣରେ ରଖିପାରିଲିନି । କିନ୍ତୁ ବିଶ୍ୱାସ କର-ମୋର ସମସ୍ତ ଚେଷ୍ଟାକୁ ସେ ବ୍ୟର୍ଥ ପ୍ରମାଣିତ କରିସାରିଛି ! ତା ଛାଇକୁ ବି ମୁଁ ଭବିଷ୍ୟତରେ ସହ୍ୟ କରିପାରିବି ନାହିଁ । ସେଥିପାଇଁ ତୁ କେବେ ବୁଝାଇବୁ ନାହିଁ ମୋତେ । କଥା ଦେ’ ମାମା..ଆଗକୁ ତା ସହିତ ରହିବାକୁ କହିବୁନି । ଅରୁଣିମାଙ୍କ ଆଖି ଭିଜିଆସୁଥିଲା ଅସମାହିତ ପ୍ରଶ୍ନରେ । ଦୁଇଜଣଙ୍କ ଲୁହଧାର ମିଶି ଭିନ୍ନଏକ ଆଶ୍ୱସନା ଦେଉଥିଲେ ସମୟକୁ ।
ଏଥର ଅରୁଣିମା ମନ୍ଦିରକୁ ବାହାରିଲେ । ଅବଶ୍ୟ ଗୋଟେ ବଡ ଗ୍ରହରିଷ୍ଟ କଟିଯାଇଛି । ତଥାପି ରାତି ବାକି ଅଛି । ଜୀବନକୁ ସଜାଡିବାକୁ ହେବ । ପୁଣି ଗୋଟେ ସକାଳ ପାଇଁ ସ୍ୱପ୍ନ ଦେଖିବାକୁ ପଡିବ । ଅବଶ୍ୟ ଅଂଶୁର ମନ ଭାଙ୍ଗି ଯାଇଛି । ତା ଛୋଟିଆ ସଂସାରଟା ଏବେ ବି ତମସାଚ୍ଛନ୍ନ । ସେଥିପାଇଁ ଈଶ୍ୱରଙ୍କୁ ଶୁଭ ସକାଳଟିଏ ପାଇଁ ପ୍ରାର୍ଥନା କରିବ ସେ । କାନି ପତାଇ ତା ଭାଗର ଖୁସି ଟିକକ ମାଗିବ । ଈଶ୍ୱର କଣ କେବେ ଗୋଟେ ମାଆର ବିକଳ ପ୍ରର୍ଥନାକୁ ଅସ୍ୱୀକାର କରିପାରିବେ ? ସବୁତକ ବିଶ୍ୱାସ ନେଇ ଅରୁଣିମା ବାହାରିଲା..ଘିଅ, ସଞ୍ଜ, ଭୋଗଆଦି ସାମଗ୍ରୀ ଧରି । ଅଂଶୁ ସୀତାଂଶୁଙ୍କ ପାଇଁ ବି ଏକାନ୍ତ ସମୟ ଦରକାର । ସେ ଦୁହେଁ ଅନେକ ଦିନ ପରେ ମାର୍କେଟ୍କୁ ବାହାରିଲେ । ଚାରିଆଡର ଚାପା ଗୁଞ୍ଜରଣକୁ ଭୂକ୍ଷେପନକରି ଅଂଶୁ ସ୍ୱାଭାବିକ ହେବାକୁ ଚେଷ୍ଟା ଜାରି ରଖିଲା । ଫେରିଆସୁଥାଏ ସୀତାଂଶୁଙ୍କ ମୁହଁର ତେଜ.. ।
ଅରୁଣିମା ପହଂଚିଲା ବେଳକୁ ମନ୍ଦିରରେ ଆଳତୀ ଚାଲିଥାଏ । ଘଣ୍ଟିଘଣ୍ଟା ଶବ୍ଦରେ ପୂରି ଉଠୁଥାଏ ସମଗ୍ର ପରିବେଶ । ନନା ଆଳତୀ ବଢାଇଦେଲେ ହାତକୁ । ଅରୁଣିମାର ଆଖି ପୂରି ଯାଇଥିଲା ଲୁହରେ । ଅଂଶୁ ପାଇଁ ମନଟା ଯନ୍ତ୍ରଣାରେ କୋରିପକାଉଥାଏ । ଏବେ କଣ କରିବ ସେ ? ମନ୍ଦିରରେ କିଛି ସମୟ ବିତାଇବାକୁ ଖୁବ୍ ଇଚ୍ଛା ହେଲା । ଖୁବ୍ ଶାନ୍ତ ଲାଗୁଥିଲା ପରିବେଶ । ଭବିଷ୍ୟତର ଯୋଜନା କରୁକରୁ ପାଖ ଚଉତରାରେ କିଛି ସମୟ ପାଇଁ ବସିଲା ସେ । କାଳେ ମନଟା ଟିକେ ଶାନ୍ତି ଲାଗିବ । ଏତେଦିନ ଧରି ଝଡର ମୁକାବିଲା କରୁଛନ୍ତି ସେମାନେ ! ଗହଳି କଟିଯାଇଥିଲା ମନ୍ଦିରରୁ । ଧୂପଦୀପର ସୁଗନ୍ଧରେ ମହକିତ ହେଉଥିଲା ସାରା ଅଂଚଳ । ହଠାତ୍ କ୍ଷୀଣ ସ୍ୱରଟିଏ ଅରୁଣିମାର ଆଖ ପାଖରେ ପହଁରିଗଲା ମୁହୂର୍ତ୍ତଟେ ପାଇଁ ।
-କଣ କ୍ଷମା କରିବୁନି ଏ ଅପରାଧୀଟିକୁ.. ? ଚିହ୍ନାଜଣା ସ୍ୱରଟିକୁ ଶୁଣି ଚିହିଁକି ଉଠିଲା ଅରୁଣିମା ।
ତୁମେ ଏଠି କାହିଁକି ? କଣ ଚାହଁ ମୋଠାରୁ ? ବିରକ୍ତିର ଏସିଡ୍ ଯେପରି ଜାଳିଦେଲା ତାର ସମଗ୍ର ଶରୀର ।
କେବଳ ତୋ ଖୁସି..ଚାହେଁ ! ତୁ ବି ଏକଥା ଜାଣୁ ଭଲଭାବରେ । ଆଗନ୍ତୁକଙ୍କର ଅନୁନୟ ବିନୟ କିନ୍ତୁ ତୁଷ୍ଟ କରିପାରୁନଥିଲା ଅରୁଣିମାକୁ ।
ଓ..ସେଥିପାଇଁ ତେବେ ଏ ସବୁନାଟକ..? ଝିଅକୁ ଶିଖାଇ ଆମସମସ୍ତଙ୍କୁ ଜେଲ୍ ପଠାଇବାର କି ସୁନ୍ଦରବାହାନା ? ତୁମେ କଣ ସେହି ମଣିଷ ,ଯିଏ..କହୁକହୁ ଅଟକିଗଲା ସେ ।
ହଁ ମୁକ୍ତା.. ମୁଁ ସେଇ ମଣିଷ ହୋଇ ଏବେ ବି ଅଛି । ଅଥଚ ଆମ ଭିତରେ ଆଜି ବି ଅବୁଝାମଣାର ପାଚେରି । ଯେବେ ବି ସାମ୍ନା ସାମ୍ନି ହେଉଛେ..ସେତେବେଳେ କିଛି ନାକିଛି ଅସୁବିଧା, ଦ୍ୱିଧା । ସାରାଜୀବନ ଆମେ କେହି କାହାରିକୁ ବୁଝିପାରିଲେ ନାହିଁ । ଏହି ତ ଭାଗ୍ୟର ବିଡମ୍ବନା.. । ଯାବତ୍ଜୀବନ ତୋ ମଙ୍ଗଳ କାମନା କରି ବି ଆଜି ତୋ ପାଇଁ ସମସ୍ତ ଦୁର୍ଦ୍ଧଶାକୁ ଡାକିଆଣିଛି । ଅଜାଣତରେ ତୋ ପାଇଁ ଅମଙ୍ଗଳ କରିବସିଛି ! ସ୍ୱୀକାର କରିନେଉଛି ମୋର ଯାବତୀୟ ଭୁଲ୍ । ସେ ଅଭାବିତ କାଣ୍ଡ ପାଇଁ ମୁଁ ଦାୟୀ.. । ତୁ ଯାହା ଦଣ୍ଡ ଦେବୁ ମୁଁ ଗ୍ରହଣ କରିନେବି ମୁକ୍ତା । କିନ୍ତୁ ମୋତେ ଟିକେ ବୁଝିବାକୁ ଚେଷ୍ଟା କର । ପ୍ରତିଥର ମନର କ୍ଷତକୁ କୋରି ଖୁସି ହ’ନା ।
ଏକଥା ତୁମେ କହିପାରୁଛ? ଜେଲ୍କୁ ନେଇ..ଏତେ ନିନ୍ଦା ଓ ଅଶାନ୍ତିର ଚକ୍ରବ୍ୟୁହରେ ଆମ ସମସ୍ତଙ୍କୁ ପେଷିବା ପରେ ବି ମୁଁ ତୁମ ସହିତ ଖୁସବାସିଆ କଥା କହିବି । ତୁମେ ତ ସବୁବେଳେ ସେହି ଚରମ ସ୍ୱାର୍ଥପର ନା ? କେତେବେଳେ ନିଜର ଅହଂ ପାଇଁ ତ ପୁଣି କେତେବେଳେ ନିଜର ରାଜନୀତି ପାଇଁ । ନିଜର ସ୍ୱାର୍ଥ ପାଇଁ ସବୁବେଳେ ତୁମେ ଅନ୍ୟ ଆଗରେ ଛୋଟ ହେବାକୁ ଭଲପାଅ ବୋଧେ ! ଏଇଟା ହିଁ ତୁମର ଆଦିମ ପ୍ରବୃତ୍ତି । ସେତେବେଳେ ବି ମୁକୁଳି ଯାଇଥିଲ ଆଉ ଆଜି ବି..ନିଜର ସୁଖ ସୁବିଧା ଦେଖେଇ ମୁକୁଳି ଯିବାକୁ ଚେଷ୍ଟା କରୁଛ । ଅରୁଣିମାର ଏସବୁକଥା ମନକୁ ଖୁବ୍ ଆଘାତ ଦେଉଥିଲେ ବି ଦୀର୍ଘଶ୍ୱାସ ପକାଇଲେ ଶୁଭ୍ରାଂଶୁ । ଭାବିଲେ-ଆମେ ଦୁହେଁ ପାଚେରୀ ଦୁଇପଟର ଭିନ୍ନ ଇଲାକାର ମଣିଷ..ପରସ୍ପରକୁ ଦେଖିବା କଥା ତ ଛାଡ ଦୁହିଁଙ୍କ ସ୍ୱର ବି ପରସ୍ପର ପାଇଁ ବିଷାକ୍ତ.. । ଜୀବନଟା ସାରା ନିକଟତର ହେବା ନାଁରେ ଆମେ ପରସ୍ପରଠାରୁ ଦୂରେଇ ଚାଲିଛେ ଦ୍ରୁତ ଗତିରେ । ତଥାପି ବୁଝାଇବାକୁ ଯାଇ କହିଲେ-ବିଶ୍ୱାସ କର ମୁକ୍ତା, ମୁଁ ଏସବୁ କିଛି ଜାଣେନି । ଅନିମା କି ଜିଜ୍ଞାସା କେହି ମୋତେ କେବେ ବି କିଛି ଜଣାଇ ନାହାନ୍ତି । ତୁ ବି କୋଉ ଜଣାଇଛୁ ସବୁ କଥା ? ତୋର ତ ସବୁବେଳେ ସେହି ଆଡଆଡ ମନୋଭାବ । ମୁଁ ଠିକ୍ରେ ଭାବିପାରେନି ତୋ ସହିତ ସମସ୍ତଙ୍କ ଆଗରେ କି କଥା ହେବି । କିଛି ଭୁଲ୍ ହୋଇଯିବନି ତ ? ତୁ ମୋ କଥାକୁ ଅନ୍ୟଥା ନେଇଯିବୁନି ତ ? ଯାହାହେଲେ ବି..ତୁ ବିବାହିତା ତା ପରେ ମୋର ବର୍ତ୍ତମାନର ସମୁଦୁଣୀ । ଆମ ଭିତରର କୌଣସି ସଂପର୍କ ଅନ୍ୟମାନଙ୍କୁ ଦ୍ୱିଧା ଓ ଦ୍ୱନ୍ଦ୍ୱରେ ନପକାଉ । ଅନ୍ୟ କାହାକୁ ସ୍ପର୍ଶ ନକରୁ । ସେଥିପାଇଁ ମନକୁ ମାରି ମୁଁ ରହିଯାଏ । ଏବେ ବି ତୋତେ ସମୁଦୁଣୀ ହିସାବରେ ନୁହେଁ..ସେହି ନାକକାନ୍ଦୁରୀ ମୁକ୍ତା ଭଳି ଦେଖେ । ସେ ସଂପର୍କ କୋଉଠୁ ଆଜିଯାଏଁ ଭୁଲିପାରିଛି ଯେ ଭୁଲିଯିବି ! ଅବଶ୍ୟ ତୁ ଭୁଲିଯାଇଛୁ ! ଦୁଇପ୍ରକାରର ଜୀବନ ମୁଁ ଜୀଇଁ ପାରିନି । ହେଲେ ମୋର ତ୍ରୁଟି ମୁଁ ସ୍ୱୀକାର କରିନେଉଛି । ତୁ ଯାହା ଦଣ୍ଡ ଦେବୁ ଅଚିରେ ମାନିନେବି ।
କୋଉ ସଂପର୍କର କଥା କହୁଛ ତୁମେ ଶୁଭ ଭାଇ? ମୋ ବିବାହବେଳେ ବାରବାର ତୁମକୁ କହିଥିଲି ଯେ ମୋ ସହିତ ସଂପର୍କ ରଖିବ । କିନ୍ତୁ ତୁମେ ନିଜ ଠିକଣା ବଦଳାଇ ଦେଲ । ଏମିତିକି ଭାଇ ବି ଜାଣିନଥିଲା ତୁମ ବିଷୟରେ । ତାପରେ କାହାକୁ ନଜଣାଇ ବିବାହ କରିଗଲ । ଗାଁକୁ ବି ଗଲନାହିଁ ତାପରଠାରୁ । ଖବର କାଗଜରେ ତୁମର ରାଜନୀତିରେ ଯୋଗଦାନ ବିଷୟରେ ଶୁଣି ଖୁବ୍ କଷ୍ଟରେ ତୁମ ଫୋନ୍ ନମ୍ବର ଆଣି ଯୋଗାଯୋଗ କରିଥିଲି । ହେଲେ ତୁମ ସେକ୍ରେଟାରୀ କହିଲା-ସାର୍ ବ୍ୟସ୍ତ । ପରେ କରନ୍ତୁ । ତାପରେ କେତେବେଳେ ନୋ ଆନ୍ସର୍ ତ କେତେବେଳେ ବିଜି । ତାପରେ ଭାବିନେଲି-ତୁମେ ମୋ ସହିତ ସଂପର୍କ ରଖିବାକୁ ଚାହୁଁନ ।
ସେବେଠାରୁ ମନକୁ ବୁଝାଇ ନେଇଥିଲି..ହେଲେ ଅଂଶୁର ନିର୍ବନ୍ଧଦିନ ତୁମକୁ ଦେଖି ଅବାକ୍ ହୋଇଯାଇଥିଲି । ଅଂଶୁ ଜିଜ୍ଞାସାର ପରିଚୟକୁ ଖୁବ୍ ସୁନ୍ଦର ଭାବେ ଗୋପନ ରଖିଥିଲା ସେଯାଏଁ । ସେ ଜାଣିଥିଲା ରାଜନୀତି ସହିତ ସଂପୃକ୍ତ ଲୋକଙ୍କ ସହିତ ତା ପାପା ସଂପର୍କିତ ହୋଇପାରିବେନି । ଆଉ ଆମ ଆଶୀର୍ବାଦ ବିନା ସେ ବିବାହ କରିପାରିବନି ଖୁସିରେ । ତାର କଣ ଭୁଲ୍ ଥିଲା ଜାଣ ଶୁଭ ଭାଇ ? ସେ ଆମକୁ ଯେତିକି ଭଲ ପାଉଥିଲା ଜିଜ୍ଞାସାକୁ ତାଠାରୁ ଅଧିକ ଭଲ ପାଉଥିଲା ସେତେବେଳେ । ସେଥିପାଇଁ ସେ ଏତେବଡ ମିଛ କହିପାରିଥିଲା ଯଦିଓ ଜାଣିଥିଲା ସତ୍ୟ ପ୍ରଘଟ ହେବା ପରେ ଆମକୁ ଭିଷଣ ମାନସିକ ଆଘାତ ହେବ ।
ସବୁକିଛି ଆମେ ଅଂଶୁର ଖୁସି ଭାବି ଗ୍ରହଣ କରି ନେଇଥିଲୁ । ତୁମକୁ ତ ବିବାହର ଏତେବର୍ଷ ପରେ ଦେଖି ମୁଁ ନିର୍ବାକ୍ ଓ ନିସ୍ପନ୍ଦ ପାଲଟି ଯାଇଥିଲି । ଖୁସି ହେବି ନା ଦୁଃଖ କରିବି ଜାଣିପାରିଲିନି । ତେଣୁ କିଛି ବି କଥା ହୋଇପାରିନଥିଲି.. । ଅଂଶୁ ଖାଲି ଏତିକି କହିଥିଲା ତୁମଦୁହିଁଙ୍କ ବିଷୟରେ..ଯେ ସେମାନେ ଭଲଲୋକ । ଚାକିରୀରେ ଅଛନ୍ତି । ସେମାନେ ଆଡମ୍ବରପୂର୍ଣ୍ଣ ବିବାହ କରିବାକୁ ଅନିଚ୍ଛୁକ.. । ତା କଥା ଶୁଣି ଆମ ମନ ଓ ସ୍ୱପ୍ନ ଭାଙ୍ଗିଯାଇଥିଲା । ପ୍ରଚଣ୍ଡ ଅଭିମାନରେ ମୁଁ ବିଶେଷ ଖୋଳତାଡ କରିନଥିଲି ତୁମମାନଙ୍କ ବିଷୟରେ । ଭାବିଲି-ଅଂଶୁ ଏବେବଡ ହୋଇଯାଇଛି । ନିଜପାଇଁ ସେ ଆମଠାରୁ ବେଶୀ ସତର୍କ ଓ ସଚେତନ । ସେ ତ ନିଜେ ପ୍ରତିଷ୍ଠିତ !
ଅବଶ୍ୟ ତୁମ ପତ୍ନୀ ଅନିମାଙ୍କ ସହିତ ମୁଁ ଥରୁଟିଏ କଥା ହୋଇ ତୁମ ନମ୍ବର ମାଗଥିଲି,ସେ ମୋ କଥାକୁ ଗୁରୁତ୍ୱ ଦେଇନଥିଲେ । ତୁମେ ବ୍ୟସ୍ତ ଅଛ କହି ଆଭଏଡ୍ କରୁଥିଲେ । ତୁମ ପରିଚୟକୁ ସମସ୍ତେ ଗୋପନ ରଖିଥିଲେ ସୀତାଂଶୁ ଓ ମୋ ପାଖେ । ହୁଏତ ଅଂଶୁ ସେ ଷଡଯନ୍ତ୍ରରେ ସାମିଲ୍ ଥାଇପାରେ । ନିଜ ପୁଅର ତ୍ରୁଟି ପାଇଁ ମୁଁ କାହାକୁ ଦୋଷୀ କହିବି ଏଇଆ ଭାବି ନୀରବିଗଲି । ଅଭିମାନତକ ରୁଣ୍ଡ ହେଉଥିଲା ଅଂଶୁ ଉପରେ । ଯେତେବେଳେ ପିଲାମାନଙ୍କ ଛୋଟଛୋଟ କଳି ଝଗଡା ଉଗ୍ରରୂପ ନେବାକୁ ଯାଉଥିଲା ସେତେବେଳେ ଅନିମା ଦେବୀଙ୍କ ସହିତ କଥା ହେବାକୁ ଚେଷ୍ଟା କରୁଥିଲି । ସେ କିନ୍ତୁ ଏଡେଇ ଯାଉଥିଲେ ମୋତେ ।
ଏମିତି ବାରବାର ଫୋନ୍ କଲା ପରେ ଯେବେଠାରୁ ସେ ମୋତେ ପୁରୁଣାକାଳିଆ ଚିନ୍ତାଧାରାର ମଣିଷ ଓ ଅଂଶୁ ପାଇଁ ଜିଜ୍ଞାସାର ଭବିଷ୍ୟତ ନଷ୍ଟ ହୋଇଯାଇଛି ବୋଲି କହିଲେ ମୁଁ ସେବେଠାରୁ ଭାଙ୍ଗିପଡିଲି । ଲାଗିଲା ଏ ବାକ୍ୟବାଣ ଯେପରି ତୁମର ! ତୁମେ ସବୁଜାଣି ବି ଯେପରି ପରୋକ୍ଷରେ ମୋତେ ଅପମାନିତ କରୁଛ । ଜାଣିଜାଣି ମୋ ଖୁସିର ସଂସାରରେ ନିଆଁ ଲଗାଉଛ ! କିପରି ଭାବିବି ତୁମେ ତୁମ ଏକାମାତ୍ର ଝିଅ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ବୋଲି! ଏପରି କଣ ହୋଇପାରେ ଶୁଭ ଭାଇ..? ତୁମେ ପୁଣି ମୋ ସଂସାରକୁ ଛାରଖାର୍ କରିପାରିବ, ଏଇଆ ଭାବି ଅଭିମାନରେ ରହିଗଲି । ଅବଶ୍ୟ ମୋ ବିବାହ ପରେ ତୁମ ବିଷୟରେ ସାଙ୍ଗ ତନୁଠାରୁ ସବୁ ଶୁଣିଥିଲି । ତୁମ ପାଇଁ ମୋ ମନତଳେ ଭିନ୍ନ ଏକ ଆବେଗ ଥିଲା, ମୁଁ ବି ମାନୁଛି ! ହେଲେ ସେସବୁର ଛାଇ ମୋ ସଂସାର ଉପରେ ପକାଇବାକୁ କେବେ ବି ଚାହିଁନି । ତୁମେ କିନ୍ତୁ ମୋତେ ଠକିଦେଲ । ସେତେବେଳେ ବି ଆଉ ଏବେ ବି..!
ମୋର ଆଉ ଏତେ ପରୀକ୍ଷା ନେ’ନା ମୁକ୍ତା । ତୁ ତ ସବୁ ଜାଣିଛୁ । ମୋ ସ୍ଥିତିରେ ଥାଇ ତୁ ଟିକେ ଚିନ୍ତା କରିବୁ ସମୟ ପାଇଲେ । ମୋର ମନେଅଛି ଜିଜ୍ଞାସା ଯେତେବେଳେ ମୋତେ ଅଂଶୁମାନର ପ୍ରସ୍ତାବ ଦେଲା ଓ ମୁଁ ତାର ପରିଚୟ ପାଇଲି, ସେତେବେଳେ ଚକିତ ହୋଇଯାଇଥିଲି । ତାପରେ ଭାବିଲି ହୁଏତ ଏହା ହିଁ ଈଶ୍ୱରଙ୍କ ଇଚ୍ଛା । ଯାହାହେଉ ସଂପର୍କର ଭିନ୍ନ ରୂପରେଖ ନେଇ ତୁ ଆସିବୁ ତ ମୋ ଜୀବନର ପରିସର ଭିତରକୁ । ତୋତେ ଦୂରରୁ ଦେଖିନେଇ ମୁଁ ବି ସୁଖୀ ହୋଇ ପାରିବି ! ତାପରେ ତୋତେ ଅନିମା ଫୋନ୍ କରି ବିବାହ ସଂପର୍କିତ ସମସ୍ତ କଥାହେଲା । ତାପରେ ସୀତାଂଶୁ.. ! ମୁଁ ତୋତେ ଯେବେ ଭେଟିଲି ସେଥରକ ତୁ ପୁରା ବଦଳି ଯାଇଥିଲୁ । ତୋ ପାଟିରୁ ସେ ଡାକ-ଶୁଭଭାଇ ବୋଲି ମୁଁ ସେତେବେଳେ ଶୁଣିପାରିଲିନି । ଭାବିଲି ତୁ ବୋଧହୁଏ ମୋତେ ଭୁଲିଯିବାକୁ ଚାହୁଁଛୁ । ହେଲେ ପିଲାମାନଙ୍କ ଖୁସି ପାଇଁ ବାଧ୍ୟହୋଇ ଏ ପ୍ରସ୍ତାବରେ ସମ୍ମତି ପ୍ରଦାନ କରିଛୁ । କାହିଁକି କେଜାଣି ଅବଶୋଷ ଭିତରେ ମୁଁ ରୁନ୍ଧିହେଲି । ପୂର୍ବ ପରି ତୁ ଆଜି ବି ମୋତେ ଦୂରେଇ ଦେବାକୁ ଚାହୁଁ ।
ଜାଣେ ତୋ ଜୀବନ ଓ ତୋର ପରିସର ଭିନ୍ନ ୟା’ଭିତରେ । କିନ୍ତୁ ତୁ କେମିତି ଆନମନା । ତୋର ସେ ଦ୍ୱିଧା ମୋତେ ସ୍ପର୍ଶ କରୁଥିଲା । ତୋ ଭିତରର ଜଂଜାଳ ମୋତେ ବିଚଳିତ କରୁଥିଲା । ହୁଏତ ଆଜିଯାଏଁ ମୁଁ ତୋତେ କି ତୋ ମନକୁ ବୁଝିବାରେ ସଂପୂର୍ଣ୍ଣ ଅକ୍ଷମ । ଜାଣିଥିଲି ତୁ ତୋର ଏକମାତ୍ର ପୁଅର ଜିଦ୍ରେ ବାଧ୍ୟହୋଇ ହଁ ଭରିଥିଲୁ ? ଅବଶ୍ୟ ମୋ ଠିକଣା ସେତେବେଳେ ବଦଳାଇ ଦେଇଥିଲି ମୋ ଜ୍ଞାତସାରରେ । କାରଣ ତୁ ବିବାହବେଳେ ମୋତେ ଖାପଛଡା ଲାଗିଥିଲୁ । ତୋ ଅସନ୍ତୋଷ ତୋ ମୁହଁରେ ପ୍ରତିଫଳିତ ହେଉଥିଲା । ଭାବୁଥିଲି-ଏବେ ବି ମୁଁ ତୋତେ କଷ୍ଟ ଦେଉଛି ! ହେଲେ ଗୋଟେ କଥା..ସେଥିପାଇଁ ଆଗରୁ ତୋଠାରୁ କ୍ଷମା ମାଗିନେଉଛି ! ଭାବୁଛି ଏବେ ତୁ ଭାବିବୁନି ଯେ ମୋର ଅହଂ କେବେ ଆମ ସଂପର୍କ ଭିତରେ ଆସିଛି ବୋଲି । ସାରା ଜୀବନ କଷ୍ଟ ତ ମୁଁ ପାଇଛି । ମୁଁ ସବୁଠାରୁ ବେଶୀ ଅବଶୋଷ ଓ ଯନ୍ତ୍ରଣାରେ ଘାରି ହୋଇଛି । ସେଥିପାଇଁ ରାଜନୀତିର ବ୍ୟସ୍ତବହୁଳ ଜୀବନକୁ ଆପଣାଇ ନେଲି । ତୋରି ପାଇଁ କେବଳ ବ୍ୟସ୍ତବହୁଳତା ଭିତରେ ହଜିଗଲି । ଯେମିତି ମୋର ସେ ପୁରୁଣା ଅତୀତ ମୋତେ ବାରମ୍ବାର କବଳିତ କରିପାରିବ ନାହିଁ ।
କୋଉ ପୁରୁଷ ତା ପ୍ରେମିକାକୁ ଅନ୍ୟର ସିନ୍ଦୂର ଲଗାଇ ବଧୂବେଶରେ ଦେଖିବାକୁ ଚାହେଁ ମୁକ୍ତା ? ତୁ କଣ ପ୍ରକୃତରେ ମୋତେ ସେତେବେଳେ ବୁଝିପାରିନଥିଲୁ ? ନା..ମୋ ସହିତ ଛଳନା କରୁଥିଲୁ । ହଁ ବାକି ରହିଲା-ମୋ ଠିକଣା ବଦଳାଇବା କଥା..ଆଉ କଣ କରିଥାନ୍ତି କହ ତ ? ବାରବାର କ୍ଷତାକ୍ତ ହେବା ଅପେକ୍ଷା ବରଂ ସେ ସ୍ଥିତିକୁ ସାମ୍ନା ନକରିବାଟା ହିଁ ଉଭୟଙ୍କ ପାଇଁ ଭଲ । ସେଥିପାଇଁ ଝିଅ ବାହାଘର ପରେ ମୁଁ ଦୂରେଇ ଯାଇଥିଲି ସମସ୍ତଙ୍କଠାରୁ । ମାନୁଛି ମୋର ଜଘନ୍ୟ ଅପରାଧ । ତୋର,ସୀତାଂଶୁ ତଥା ତୋ ପରିବାରର ସମ୍ମାନ ହାନି ହୋଇଛି । ସେଥିପାଇଁ ତ ତୋ ପଛେପଛେ ମନ୍ଦିରକୁ ଚାଲିଆସିଛି ମିଛ ବାହାନା କରି । ଆଗରୁ ବି ତ ତୁ ଏଇଆ କରୁଥିଲୁ । ଆଜି ବି ସେମିତି ଅପରିବର୍ତ୍ତିତ ଅଛୁ । ଭାବିଲି ଭଗବାନଙ୍କ ସାମ୍ନାରେ ତୋତେ ମୋ ମନକଥା କହିବି । ହୁଏତ ତୁ ମୋତେ ବୁଝିପାରିବୁ ।
ପରିସ୍ଥିତି ବଦଳିଯାଇଛି ଆଜି । ମୋ ପୁଅର କ୍ଷତିରେ ମୁଁ ଆଜି କ୍ଷତାକ୍ତ । ତା ଜୀବନକୁ ନେଇ ମୁଁ ଚିନ୍ତିତ ଆଜି ! କିନ୍ତୁ ଗୋଟାଏ ଅଭିଯୋଗ ତୁମ ପାଖରେ-ତୁମ ହାତରେ ସବୁଥାଇ ବି ତୁମେ ଖୁବ୍ ଅବହେଳା କରିଛ । ତୁମେ କଣ ତୁମଝିଅକୁ ଜାଣିନଥିଲ ? ସେ ଯେ ଏମିତି ଅଘଟଣ ଘଟାଇପାରେ ବୋଲି ବିଶ୍ୱାସ କରିନଥିଲ ? ତା କଥା..ପଚାରୁଛୁ, ମୁକ୍ତା ? ଗୋଟିଏ ମାତ୍ର ଝିଅ ବୋଲି ଖୁବ୍ ଅୟସରେ ବଢିଆସିଛି । ଜାଣେ ସେ ଭଲବୋହୂଟିଏ ହେବାର ଯୋଗ୍ୟ ନୁହେଁ । କିନ୍ତୁ ତୁ କାଳେ ତାକୁ ଝିଅ କରି ରଖିବୁ ! ସେ ଲୋଭରେ ମୁଁ ବି ରାଜି ଥିଲି । କାରଣ ସେ କ୍ଷମତା ତୋ ଭିତରେ ରହିଆସିଛି ମୋର ।
ସତ କହିବାକୁ ଗଲେ ତୋ ଉପରେ ମୋର ଏତେ ଆସ୍ଥା ଥିଲା ଯେ ମୁଁ ନିଶ୍ଚିନ୍ତ ହୋଇଯାଇଥିଲି ଜିଜ୍ଞାସାର ଭବିଷ୍ୟତକୁ ନେଇ । ହେଲେ ସେ ଯେ ଏତେ ଅବୁଝା ଓ ସ୍ୱାର୍ଥପର, ପରେ ଜାଣିଲି ଯେତେବେଳେ ନିତ୍ୟାନନ୍ଦ ସେରାତିରେ ସବୁକଥା ମୋତେ ଫୋନ୍ରେ କହିଥିଲା । ତୁ ଜାଣିଥିବୁ କି ନାଁ..ନିତ୍ୟାନନ୍ଦ ତୁମ ପରିବାରର ସବୁଠାରୁ ବେଶୀ ବିଶ୍ୱସ୍ତ! ମାଲିକର ସୁଖ ପାଇଁ ସେ ଯାହା ବି କରିପାରେ ! ସେ ଦିନେ ରାତିରେ ମୋ ଫୋନ୍ନମ୍ବର ଯୋଗାଡ କରି ମୋତେ ଜିଜ୍ଞାସାର ସବୁ କୁକର୍ମ ବିଷୟରେ କହିଥିଲା । ଯାହା ଜିଜ୍ଞାସା ଜାଣିବା ପରେ ନିତ୍ୟାନନ୍ଦକୁ ଶକ୍ତଧକ୍କା ଦେଇଥିଲା । ସେଥିପାଇଁ ଅଂଶୁମାନ ସହିତ ତାରଝଗଡା ତୀବ୍ର ରୂପନେଲା ଓ ଅଂଶୁମାନ ବି ଜିଜ୍ଞାସାକୁ ମାରିଥିଲା ରାଗରେ..ଯାହାର ପରିଣାମ ମୁଁ ଆଜି ତୋସାମ୍ନାକୁ ଆସିବାକୁ ବାଧ୍ୟହେଲି ।
ତିନିବର୍ଷ ପରେ..ମୁଁ ମନେପଡିଲି ତୁମର? ତା ବି ଏଭଳି ବିପର୍ଯ୍ୟୟ ସମୟରେ..? ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା ଅରୁଣିମା ।
ତୋତେ କଣ କେତେବେଳେ ଭୁଲିପାରିଲି କି ? ସେଥିପାଇଁ ତ କିଛି ଗୋଟାଏ ଅବିଶ୍ୱାସ ଗ୍ରାସ କରିଥିଲା ଅନିମାକୁ । ତୋ ସହିତ ମାତ୍ର ଦୁଇଥର ଭେଟହେବା ପରେ ସେ ହୁଏତ କିଛି ଅନୁମାନ କରିନେଇଥିଲା । ଅବଶ୍ୟ ସେ ଜାଣେ ତୁ ଆମ ଗାଁ ଝିଅ ଓ ମୋ ସାଙ୍ଗର ଭଉଣୀ ବୋଲି । କିନ୍ତୁ ତୋତେ ଦେଖି ମୋ ମୁହଁର ବଦଳିଯାଉଥିବା ଭାବ.. ଖୁସି କିମ୍ବା ତୋ ପ୍ରତି ଥିବା ଅହେତୁକ ଦୁର୍ବଳତା ମୋତେ ପୁଣି ଆନମନା କରିଦେଉଥିଲା । ଯାହାକୁ ଅନିମା ଲକ୍ଷ୍ୟ କରି ଅନେକ ପ୍ରଶ୍ନ ପଚାରେ । ଅନେକ ଟୀକା ଟୀପ୍ପଣୀ ଦିଏ । ଏସବୁର ପ୍ରଭାବ କାଳେ ଆମ ପିଲାମାନଙ୍କ ଉପରେ କିମ୍ବା ଆମ ସଂସାର ଉପରେ ପଡିବ ବୋଲି ମୁଁ ଦୂରେଇ ଯିବାକୁ ଉଚିତ୍ ମଣିଲି ।
ଆଉ କିଛି କଥା ନାହିଁ ତା ଭିତରେ !
ହଁ ଗୋଟେ କଥା..ରାଜନୀତି ଖାଲି ମୋ ଅତୀତକୁ ଭୁଲିଯିବାର ଗୋଟେ ବାହାନା । ମୋ ଭବିଷ୍ୟତ ନୁହେଁ । କିନ୍ତୁ ତା ଭିତରେ ମୁଁ ଫଶିସାରିଛି । ସେଥିପାଇଁ ଏକାଟିଆ ଏଠିକୁ ସମସ୍ତଙ୍କ ଆଗୋଚରରେ ଆସିବାକୁ ହେଲା । ଅନେକ ଫୋନ୍ କଲ୍ ବି ଆସୁଛି । ମିଡିଆବାଲା ୟା’କୁ ଭିନ୍ନ ରୂପରେଖ ଦେବାକୁ ଲାଗି ପଡିଲେଣି । ସେସବୁ ପାଇଁ ମୁଁ ବ୍ୟସ୍ତ ନୁହେଁ ମୁକ୍ତା । ହେଲେ ତୋର ଏ ଶାଣିତ କଥା ଖୁବ୍ କଷ୍ଟ ଦେଉଛି ମୋତେ ।
ଅରୁଣିମା କିଛି ସମୟ ନୀରବିଗଲା । ସତେ ତ ସେମାନେ ଯେତିକି ଅପମାନିତ ତାଠାରୁ କାହିଁ ବେଶୀ ପ୍ରଭାବ ଶୁଭ ଭାଇଙ୍କ ଉପରେ ପଡିଛି ! ସେ ବି ନିଜ ଝିଅ ପାଇଁ ଚିନ୍ତିତ ଥିବେ । ତା ସତ୍ତ୍ୱେ ବି ତା ପାଇଁ ସେ ଏକାକୀ ଏତେବାଟ ଧାଇଁଆସିଛନ୍ତି । ଏମିତି ନିଷ୍ଠୁର ହେବାଟା ଉଚିତ୍ ନୁହେଁ ତାର । ହେଲେ ଅଂଶୁ.. ?
କଣ ଭାବୁଛୁ ମୁକ୍ତା ? ମନଖୋଲି କହ । କିଛି ଭାବେନି । କାରଣ ୟା’ପରେ ଏତେ ଭଲଭାବେ ମୁଁ ତୋତେ ଏସବୁ ବୁଝାଇପାରିବା ଅସଂଭବ ହୋଇପଡିବ ।
ଗୋଟେ କଥା ମାଗିବି, ଦେବ..ଏଥର । ବାସ୍ ଶେଷଥର ପାଇଁ..! ଆଗରୁ ତ ଦେଇନଥିଲ..ଏବେ ବି ହୁଏତ ଠକି ଦେଇପାର । ଅଭିମାନର ସ୍ୱର ଲୁଚିଥିଲା ତା ଅନୁନୟରେ ।
କି କଥା..? ଆତଙ୍କିତ ଦୃଷ୍ଟିରେ ପଚାରିଲେ ଶୁଭ୍ରାଂଶୁ ।
ମୋ ପୁଅକୁ ତୁମ ଝିଅଠାରୁ ମୁକ୍ତି..ସାରା ଜୀବନ ପାଇଁ..! ସେତିକି କରେଇ ପାରିବ ? ଆମ ଭିତରର ସବୁ ଦ୍ୱେଷ ଭୁଲିଯିବି ।
କିନ୍ତୁ ସେ ତ ନିଜର ତ୍ରୁଟିକୁ ସଂଶୋଧନ କରିବାକୁ ଚାହେଁ । ଶୁଭ୍ରାଂଶୁ ଆଶ୍ଚର୍ଯ୍ୟ ହୋଇ କହିଲେ ।
ମୁଁ ଜାଣେ ସେ ପାରିବନି । ପ୍ଲିଜ୍ ମୋ ପୁଅର ସ୍ୱାଧୀନତା ମୋତେ ଫେରାଇଦିଅ ଶୁଭଭାଇ । ୟା’ଠୁ ଅଧିକ କିଛିଚାହେଁନି । ସେ ତିନିବର୍ଷକାଳ ଅଣନିଃଶ୍ୱାସୀହୋଇ ଛଟପଟ ହେଉଛି !
ଠିକ୍ ଅଛି, ଏଇଆ ଯଦି ତୋର ଶେଷ କଥା ତେବେ ମୁଁ ରଖିବି ନିଶ୍ଚୟ..ଅରୁଣିମା ଆଖି ତିନ୍ତିଯାଉଥିଲା ଲୁହରେ । ସେ ଜାଣିଥିଲା ସେ ସ୍ୱାର୍ଥପର ହୋଇଯାଇଛି ଆଜି ବି । ହେଲେ ତା ପାଇଁ ଆଉ ବାଟ ବି ତ କିଛି ନଥିଲା । ମାଆର କର୍ତ୍ତବ୍ୟରେ ଅବହେଳା ହୋଇଯିବ ଯେ ! ଏତେବର୍ଷର ତପସ୍ୟା ତାର ନିଷ୍ଫଳ ହୋଇଯିବ କାଳେ !
ଶୁଭ୍ରାଂଶୁ ଅନ୍ଧକାରର ବହଳତା ଭେଦି ଫେରୁଥିଲେ ଘରକୁ । ମନରେ ଅଜସ୍ର ଅଭିମାନ ଧରି ! ଆଜି ବି ମୁକ୍ତା ତୁ ତୋ ଶୃଂଖଳରେ ବନ୍ଧା..ଥରୁଟିଏ ମନଖୋଲି ସତ କହିପାରିଲୁ ନାହିଁ । ଝିଅରୁ ନାରୀ ପାଲଟିଥିବା ମୁକ୍ତା କଣ ଏତେ ସ୍ୱାର୍ଥପର ? ନିଜପାଇଁ ଓ ତା ପରିବାର ପାଇଁ ବର ମାଗିନେଇ ଚାଲିଗଲା । ଭାବିଲାନି ଶୁଭ୍ରାଂଶୁ କଥା । ତା ପରିବାର ଓ ତା ପ୍ରତିପତ୍ତି କଥା ? ଆଖି ଓଦା ହୋଇଆସିଥିଲା ଲୁହରେ । ସମସ୍ତେ ଚାଲିଯାଇଥିଲେ ଯେଝା ବାଟରେ ।
ଆଜି କେବଳ ହସ୍ପିଟାଲ୍ କ୍ୟାମ୍ପସ୍ର କ୍ୱାର୍ଟରରେ ଜିଜ୍ଞାସା, ଅନିମା ଓ ଶୁଭ୍ରାଂଶୁ । ଆକାଶକୁ ଚାହିଁଲେ ସେ । ଏତେ ତାରାମାନେ ଥାଇ ବି ଅନ୍ଧାର ଘୋଟି ଆସିଲା ଭଳି ଲାଗିଲା ଶୁଭ୍ରାଂଶୁଙ୍କୁ । ଫୋନ୍ରେ ଉତର ଦେଇଦେଇ ଥକି ପଡିଛନ୍ତି ସେ । ଘରକୁ ଫେରିଥିଲେ କେତେ ମିଡିଆବାଲା ତାଙ୍କୁ ଘେରାଉ କରିଥାନ୍ତେ । ଭଲହୋଇଛି ଜିଜ୍ଞାସା କ୍ୱାର୍ଟରରେ ସେମାନେ ରହିଯାଇଛନ୍ତି । ଏବେ ମୋବାଇଲ୍ ସବୁ ସ୍ୱିଚ୍ଅଫ୍ ମୋଡ୍ରେ ଅଛି । ମନରେ କେତେ ପ୍ରଶ୍ନ କେତେ ଝଡ.. ।
କାହିଁକି ମୁକ୍ତା, ଆଜି ବି ମୋ ମନତଳେ ତୋ ପାଇଁ ହଲଚଲ୍ ? ତୋତେ ଏତେ ଟିକେ ବି ଭୁଲିପାରିଲିନି ଏ ଜନ୍ମରେ । ନିଜେ ପରିସ୍ଥିତିଠାରୁ ଯେତିକି ଯେତିକି ଦୂରକୁ ଧାଇଁଲି ସେତିକି ସେତିକି ମୁଁ ତୋତେ ଭେଟିଲି ମୋ ମନପାଖେ । ତୁ ସେମିତି ପୂର୍ବଭଳି ମୋ ମନଭିତରକୁ ଧସେଇ ପଶିଲୁ । ମୁଁ ଆଘାତ ପାଇ ବି ତୋତେ କେବେ ଭୁଲିପାରିଲିନି । ତୋତେ ସଂପୂର୍ଣ୍ଣ ରୂପେ ମାଆ ଓ ସ୍ତ୍ରୀ ଭାବରେ ଦେଖି ମୁଁ ମୋ ନିଜକୁ ବି ଭୟକଲି । ମୋ ପ୍ରତିକ୍ରିୟାକୁ ଗୋପନ ରଖିବାକୁ ପୁଣି ଗୋଟେ ଅନ୍ଧାଧୁନିଆଁ ଦୌଡ ଆରଂଭ କରି କକ୍ଷଚ୍ୟୁତ ହୋଇପଡିଲି । ସତ ଜାଣିଲା ବେଳକୁ ମୋ ସଂସାର ଉଚ୍ଛନ୍ନ । କଣ ପାଇଲି ମୁଁ ଏଥିପାଇଁ ?? କେବେ ବି ଭାବିଲୁନି ମୋ ବିଷୟରେ । ତୋ ଶୁଭଭାଇର ଖୁସି ବିଷୟରେ..??
ତୋର କିଛି ଅସୁବିଧା ନହେଉ ବୋଲି ମୁଁ ଦୂରେଇଗଲି ସମସ୍ତଙ୍କଠାରୁ । ଏମିତିକି ମୋ କର୍ତ୍ତବ୍ୟଠାରୁ ବି । ତୁ କଣ ତଥାପି ମୋତେ ବୁଝିପାରିଲୁ ? ତୁ ତୋ ପୁଅ ପାଇଁ ବ୍ୟାକୁଳ ହେଲେ ବି ମୁଁ ବି ମୋ ଝିଅର ଭବିଷ୍ୟତ ପାଇଁ ବ୍ୟସ୍ତ ! ତୁ ମାଆ ହେଲେ ବି ମୁଁ ବି ବାପ ! ତଥାପି କଥା ଦେଉଛି-ମୁଁ ତୋ ଦୁଃଖର କାରଣ କେବେ ହେବି ନାହିଁ । ମୁକ୍ତାକୁ ଅଙ୍ଗାର ବୋଲି ଭାବିବି ନାହିଁ । ଅନିମା ପଚାରିଲା-ମୋ ଫୋନକୁ ଆମ କିଟିପାର୍ଟିର ସ୍ତ୍ରୀଲୋକମାନେ ଫୋନ୍ କରିଛନ୍ତି ଏହି ଗଣ୍ଡଗୋଳ ବିଷୟରେ । ସେମାନଙ୍କୁ କହିଦେଲି-ଏସବୁ ଡାହା ମିଛ । ତୁମେ ଭାବିପାରିବନି ଏ ପିଲାଟା ଆମକୁ କେମିତି ଅଜବ ସ୍ଥିତିରେ ପକାଇଦେଲା ! ଆମ ଷ୍ଟାଟସ୍ ଉପରେ ଆଂଚ ଆସିବ ଏଥର । ତୁମେ ଏଥିପାଇଁ କିଛି ଗୋଟାଏ କର । ଚୁପ୍ ରହିଲେ ଶୁଭ୍ରାଂଶୁ । ଅନିମା ବ୍ୟସ୍ତସ୍ୱରରେ ପଚାରିଲା-ଆରେ କିଛି କହୁନା କାହିଁକି?
କଣ କହିବି..ତୁମକୁ? ଆପଣା ହସ୍ତେ ଜିହ୍ୱା ଛେଦି କେ ଅଛି ତାର ପ୍ରତିବାଦୀ..ତୁମେ ହିଁ ତ ତା ପତନର କାରଣ । ତୁମର ଆଗକୁ ଧାଇଁବାର ନିଶା ତା ଭିତରେ ତାକୁ ଧ୍ୱଂସ କରି ଦେଇଛି ! ସେ ବି ସବୁକିଛି ନିଜ ଇଚ୍ଛାରେ କରିବାକୁ ଚାହେଁ । ମଣିଷର ମୂଲ୍ୟ କି ପରିବାରର ମୂଲ୍ୟ ତା ପାଖରେ କିଛି ନାହିଁ ।
ତୁମେ ବି କିଛି କମ୍ ଦୋଷୀ ନୁହଁ ? କେବେ ଟିକେ ସମୟ ଦେଇଛ ତାକୁ କିମ୍ବା ମୋତେ ? ସବୁବେଳେ ପଲିଟିକ୍ସ । ଆକ୍ଷେପ କଲା ଅନିମା ଶୁଭ୍ରାଂଶୁଙ୍କୁ ।
ଓଃ..ତୁମର ଏଇ ଝଗଡା..ତର୍କ ଆଉ ଅଜବ ଜିଦ୍ ଭିତରେ ସେ ନାରୀ ସୁଲଭ ଗୁଣ କଣ କିଛି ଅଛି ଯେ ତୁମଠାରୁ ତୁମଝିଅ ଶିକ୍ଷା କରିବ ..ଅନିମା ? ଦେଖିପାରୁଛ ତୁମ ଉଚ୍ଚାକାଂକ୍ଷା ତା ଜୀବନକୁ କେମିତି ମାଟିରେ ମିଶାଇଦେଲା ! ଆଜି ତୁମେ ନିଜେ ସୁଖୀଥାଇ ଦେଖୁଛ ନିଜଝିଅର ପରାଜୟକୁ । ଭଲ ମାଆଟିଏ ଅନ୍ତତଃ ହୋଇପାରିଥାନ୍ତ ନିଜେ ଚାହିଁଥିଲେ । ହେଲେ ସବୁବେଳେ ମହିଳା ସମିତି, କିଟିପାର୍ଟି ଭିତରେ ତୁମେ କାହାକୁ ସମୟ ଦିଅ କୁହ ତ ? ତୁମର ତ ସବୁବେଳେ କିଛି ନା କିଛି ଆବଶ୍ୟକ ହୁଏ । ଅଥଚ ତୁମେ ଅନ୍ୟର ଆବଶ୍ୟକତାକୁ ଆଖି ବୁଜିଦିଅ । ସେଥିପାଇଁ ତୁମ ଝିଅ ଉଚ୍ଚଶିକ୍ଷିତା ହେଲେ ବି ନାରୀର ସେ କମନୀୟତା, ନମନୀୟତା ଭାବ କାହିଁ ?
ହେଲେ ଏବେ ତ ପରିସ୍ଥିତି ଠିକ୍ ଅଛି । ପୂର୍ବକଥା ସବୁ ଭୁଲିଯାଅ । ବର୍ତ୍ତମାନ ସ୍ଥିତିକୁ ସଂଭାଳିବାକୁ ଚେଷ୍ଟାକର । ତୁମେ ଖାଲି ଅଂଶୁକୁ ବୁଝାଇଦେଲେ ସବୁ ଠିକ୍ ହୋଇଯିବ ବୋଲି ମୋର ବିଶ୍ୱାସ । ପ୍ଲିଜ୍ ଶୁଭ୍ର..ସେଥିପାଇଁ ମିଡିଆବାଲାଙ୍କୁ ବି କିଛି ଟଙ୍କା ଦେଇଦିଅ ଯେମିତି ସେମାନେ ଚୁପ୍ ରହିବେ ।
ସେସବୁ କିଛି କରିପାରିବିନି ଅନିମା । କାଲି ମୁଁ ଇସ୍ତଫା ଦେବାକୁ ଭୁବନେଶ୍ୱର ଯାଉଛି । ହଠାତ୍ ଭୂସ୍ଖଳନ ହେବା ପରି ଚମକିପଡିଲା ଅନିମା-ଏଁ..କଣ କହୁଛ ତୁମେ ?
ହଁ ମୁଁ ଠିକ୍ କହୁଛି..ଇସ୍ତଫା ଦେଇଦେବି । କାହାକୁ ବାରମ୍ବାର ଏତେ ଉତ୍ତର ଆଉ ଦେଇପାରିବିନି ମୁଁ । ମୋର ତ ପୁଣି ନିଜର ମାନ ସମ୍ମାନ ଅଛି ।
ହେଲେ..ଅନିମା ଭାବୁଥିଲା ସେମାନେ ପାଉଥିବା ସୁଖସୁବିଧା ଓ ନାରୀ ମହଲରେ ତାକୁ ଦିଆଯାଉଥିବା ପ୍ରାଧାନ୍ୟ, ସମ୍ମାନ ସବୁକିଛି ତୁଚ୍ଛ ହୋଇଯିବ ? ଇସ୍ତଫା ଦେବା ପରେ ଲୋକମାନେ ତାକୁ ତାତ୍ସଲ୍ୟ କରିବେ । ରାସ୍ତାରେ ଏତେ ଥାଟରେ ଯାଉଥିଲା ବେଳେ କେତେ ସମ୍ମାନ ମିଳୁଥିଲା । ଅଥଚ ଇସ୍ତଫା ପରେ..କେହି ପଚାରିବେନି ତାକୁ ।
ଶୁଭ୍ର ପ୍ଲିଜ୍ ଏ ନିଷ୍ପତ୍ତି ବଦଳାଅ.. । ଆମକଥା ଟିକେ ଭାବ । ଏଥିପାଇଁ ଚରମ ନିଷ୍ପତ୍ତି ନିଅ ନାହିଁ..ପ୍ଲିଜ୍ । ଆଉ କଣ ଅପ୍ସନ୍ ଅଛି ଯଦି କୁହ । ସେ ବିଷୟରେ ଚିନ୍ତା କରିବା ।
ତେବେ ଜିଜ୍ଞାସାକୁ ଡିଭୋର୍ସ ଦେବାକୁ ହେବ । ଶୁଭ୍ରାଂଶୁ ରୋକ୍ଠୋକ୍ ଶୁଣାଇଦେଲେ । ସେ ଜାଣିଥିଲେ ଅନିମାର ଦୁର୍ବଳତା..କିପରି ତାଠାରୁ କାମ ଆଦାୟ କରିଯାଇପାରେ ।
କିନ୍ତୁ ସେ ତ ଏଥର ନିଜକୁ ସଂଭାଳିନେବ ବୋଲି ମୋତେ କଥା ଦେଇଛି । ଅନିମା ଶୁଭ୍ରାଂଶୁକୁ ବୁଝାଇଲେ ।
ଜାଣ ଅନିମା ଫଟାକାନ୍ଥରେ ଯେତେ ମାଟି ଲେପ ଦେଲେ କାନ୍ଥରେ ପୁନଶ୍ଚ ଫାଟ ସୃଷ୍ଟିହୁଏ । ଜିଜ୍ଞାସାକୁ କେ.ବି.କେ ବଦଳି କରିଦେବାର ଧମକରେ ସେ ତାର ସ୍ୱର ନରମ କରି ତା ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଜେଲ୍ ଦଣ୍ଡରୁ ମୁକ୍ତି ଦେଇଛି ବୋଲି କଣ ତୁମେ ଜାଣିନାହଁ ? ତେଣୁ ସେ ପିଲା କଣ ତାର ସ୍ୱଭାବ ବଦଳାଇବ କେବେ ? ଖାଲି ନିଜ ସ୍ୱାର୍ଥ ପାଇଁ.. ସାମୟିକ ଭାବେ ବଦଳିଯାଇଥିବାର ଅଭିନୟ କରୁଛି ! ବରଂ ସେ ଶାସ୍ତି ପାଇବା ଉଚିତ୍ । ସେମାନଙ୍କର ମଙ୍ଗଳ ପରସ୍ପରଠାରୁ ଦୂରେଇ ରହିବାରେ..ଏକତ୍ର ରହିବାରେ ନୁହେଁ । ଅଂଶୁଭଳି ସଚ୍ଚୋଟପିଲା ଚୋଟକୁ ଭୁଲନ୍ତି ନାହିଁ ସହଜରେ । ଯଦି ସେ ଦୁହେଁ ପୃଥକ୍ ରହିବେ ତାହେଲେ ମୁଁ ଇସ୍ତଫା ନଦେବା କଥା ଚିନ୍ତା କରିବି । ଅନ୍ୟମାନଙ୍କୁ କହିବି ଯେ ସେମାନଙ୍କର ଡିଭୋର୍ସ କେଶ୍ ଚାଲିଛି ବୋଲି !
ଏଥିରେ ତୁମର ରାଜନୀତି କ୍ୟାରିଅରର କିଛି ଅସୁବିଧା ହେବନି ତ?
କିଛିଦିନ ହଇଚଇ ହେବ ? ଲୋକେ କିଛି ନାକିଛି କହିବେ ଓ କିଛିଦିନ ପରେ ସେସବୁକୁ ଭୁଲିଯିବେ ଅନିମା । ସେଥିପାଇଁ ବ୍ୟସ୍ତ ହୁଅନି ।
ନିର୍ଦ୍ଧାରିତ ଦିନରେ ଭଲରେ ଭଲରେ ଡିଭୋର୍ସ ହୋଇଯାଇଥିଲା । ଅଂଶୁ ଏବେଯାଏଁ ବି ତାର ସ୍ୱାଭାବିକ ସ୍ଥିତିକୁ ଫେରି ଆସିପାରୁନଥିଲା । ସବୁବେଳେ ଉଦାସ ଭାବ ଆଚ୍ଛନ୍ନ କରି ରଖିଥିଲା ! ଅରୁଣିମା କିମ୍ବା ସୀତାଂଶୁଙ୍କ ମୁହଁ ବି ମ୍ଳାନ ଥିଲା ସେଦିନ । ମୁକ୍ତାର ମୁହଁକୁ ଏତେ ମ୍ଳାନ ଦେଖି ଶୁଭ୍ରାଂଶୁ ଆକଳନ କରିପାରୁଥିଲେ ତା ମନୋସ୍ଥିତିକୁ । କୋର୍ଟରୁ ଫେରିଲା ବେଳେ ମୁକ୍ତାର ଭିଜା ଭିଜା ଆଖି ତିନ୍ତାଇ ଦେଉଥିଲା ଶୁଭକୁ । ହୁଏତ ସେ ଧନ୍ୟବାଦଟିଏ ଦେବାକୁ ଚାହୁଁଥିଲା ସମସ୍ତଙ୍କ ଅଗୋଚରରେ । ହେଲେ ଶୁଭ୍ରାଂଶୁ ଭାବୁଥିଲେ-ଏହିଭଳି କଣ ଆମ ସଂପର୍କର ଅନ୍ତ ଘଟିବାକୁ ଥିଲା ମୁକ୍ତା ? ଏ ଜନ୍ମରେ ଆମ ଭିତରେ ମଧୁର ସଂପର୍କଟିଏ ସୃଷ୍ଟି ହେବା ବୋଧହୁଏ ଅସମ୍ଭବ ।
ଅଂଶୁମାନର ନୀରବତା ଦେଖି ଶୁଭ୍ରାଂଶୁ ଜାଣି ପାରୁଥିଲେ ମୁକ୍ତା ମନତଳର ଦୁଃଖ । ସଂପର୍କର ଶେଷ ବାହାନାଟା ଏବେ ହାତରୁ ମୁକୁଳି ଯାଉଥିଲା । ଆଉ ହୁଏତ ତାକୁ କେବେ ଦେଖିହେବ କି ନା କେବେ.. ! ସେ ଆଖି ଆଗରେ ଲୁଚିବା ଯାଏଁ ଶୁଭ୍ରାଂଶୁ ତାକୁ ଚାହିଁଥିଲେ । ଆଖିଟା ଓଦା ହୋଇ ଆସୁଥିଲା । ସେସବୁକୁ ଲୁଚାଇବା ପାଇଁ ସେ ଗୋଟେ କଣକୁ ଚାଲିଯାଉଥିଲେ..ଶୁଭ ଭାଇ..ଡାକରେ ଚମକିପଡିଲେ ଶୁଭ୍ରାଂଶୁ । ଆଗରେ ମୁକ୍ତା ଛିଡା ହୋଇଛି ।
ମୋତେ ଏମିତି ଋଣୀ କରିଦେଲ ସାରା ଜୀବନ । ତୁମ ପାଇଁ ଆଜି ବି ମୁଁ କିଛି କରିପାରିଲିନି । ବରଂ ନିର୍ମମ ଭାବେ ମୋ ପୁଅର ମୁକ୍ତି ମାଗିନେଲି ତୁମ ଝିଅଠାରୁ । ଆଉ ତା ବି ତୁମେ ଖୁସିଖୁସି ଦେଇଦେଲ ମୋ ପଣତରେ । ଆଜି ବି ମୋ ଦୁଃଖ ଓ ଦୁଃସ୍ଥିତିକୁ ତୁମେ ସହିପାରନି ନା ? ହେଲେ ଦେଖ ନା ମୋ ଅସହାୟତାକୁ-ମୁଁ ଯେ କେତେ ସ୍ୱାର୍ଥପର ? ନା ସହିପାରୁଛି ନା କିଛି କରିପାରୁଛି ! ମୋତେ କିନ୍ତୁ ଘୃଣା କରିବ ୟା’ପରଠାରୁ । ମନା କରିବନି.. । କାରଣ..ମୁଁ ଘୃଣାଯୋଗ୍ୟା ! ଏତିକି କହୁକହୁ ତା ଆଖିରୁ ଲୁହ ଝରି ପଡୁଥିଲା.. ଶ୍ରାବଣର ଅମାନିଆଁ ବର୍ଷାଧାର ପରି ! ଦୀର୍ଘଶ୍ୱାସଟିଏ ଭେଦି ଯାଉଥିଲା ଉଭୟଙ୍କୁ । ଆଗରୁ ମୁକ୍ତା ଆଖିର ଲୁହ ବି ତାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଉଥିଲା । ସକାଳର କାକରଟୋପା ଭଳି ତାକୁ ସତେଜ କରୁଥିଲା । ଅଥଚ ଆଜି ତା ଲୁହ ଶୁଭ୍ରାଂଶୁଂକୁ ଜମା ଭଲଲାଗୁ ନଥିଲା । ମନେ ହେଉଥିଲା ତା ଲୁହର ବନ୍ୟାରେ ସେ ଯେମିତି ଅସ୍ତିତ୍ୱ ହରାଇ ବହିଚାଲିଛି କୋଉ ଅନ୍ଧକାରର ଗହ୍ୱର ଭିତରକୁ! ..ସେଇ ସେ କୃଷ୍ଣଗର୍ତ୍ତ ଆଡକୁ..!
ଦେଖ୍..ଏ କଥା ମୁଁ ତୋର ରଖିପାରିବିନି । ଘୃଣା..ଆଉ ତୋତେ..? ଯାହାପାଇଁ ଛାଡିଆସିଲି ଆୟୁଷର ଅର୍ଦ୍ଧାଧିକ ସମୟ ? ଯାହାପାଇଁ ମୁଁ ମୋ ନିଜଠାରୁ ଦୂରେଇଗଲି ! ନିଜକୁ ଠକିଲି ! କିଏ ଫେରାଇବ ସେସବୁ କ୍ଷଣ, ଦିନ, ମାସ ଆଉ ବର୍ଷ ! କିନ୍ତୁ ତୁ ବ୍ୟସ୍ତ ହ’ନି । ଆମ ଭିତରର ସଂପର୍କ ବୋଧହୁଏ ଏତିକି..ମୁକ୍ତା । ଅଂଶୁକୁ ଭଲଝିଅ ମିଳିଯିବେ । ଜିଜ୍ଞାସା ବି ନିଜ ବ୍ୟବସ୍ଥା ନିଜେ କରିନେବ । ତାକୁ ଜାଣେ ମୁଁ ? କାରଣ ସେମାନେ ଆଜିକାଲି ପିଲା । ଜୀବନକୁ ଖୁବ୍ ଶୀଘ୍ର ବଦଳାଇ ପାରନ୍ତି । କିନ୍ତୁ ୟା’ଭିତରେ ଆମେ ହିଁ ପେଷିହେଲେ । ଆମଭିତରର ସଂପର୍କ ଘୋରି ହୋଇଗଲା । ଏମିତି ଦୁଃସ୍ଥିତି ଭିତରେ ମୁହାଁମୁହିଁ ହେବାର ଥିଲା ଆମ ଭାଗ୍ୟରେ । ହେଲେ ଏବେ ତୋ ମନାକାଶ ବାଦଲମୁକ୍ତ ! ତୁ ପୁଣି ତୋ ସଂସାର ଭିତରେ ସୁଖୀ ରହ । କିନ୍ତୁ ଶୁଭ୍ରାଂଶୁ କହିପାରିଲେନି ଯେ ୟା’ବାଦ୍ ବି ତୁ ମୋର ସେହି ମୁକ୍ତା.. ! ଯେ.. ମୋ ମନତଳେ ସ୍ୱତନ୍ତ୍ର । ଆଜି ବି ମୁଁ ତୋ ମାୟାରେ.. । ସେଥିପାଇଁ ମୋ ସଂସାରକୁ ଅଣଦେଖା କରି ତୋ ଚିନ୍ତା କରିବାକୁ ବାଧ୍ୟହେଲି ।
ଅରୁଣିମା ଆଉ କିଛି କହିବ କହିବ ହେଉଥିଲା । କିଛିକ୍ଷଣ ପାଇଁ ତା ଆଖି ଚଂଚଳ ହୋଇଉଠିଥିଲା.. । ହୁଏତ ମନଭିତରର ସବୁତକ ଦ୍ୱିଧା ଭାଙ୍ଗି ସେ ଆଜି ପଦୁଟିଏ କହିଥାନ୍ତା କିଛି । ଯାହା ସେ କେବେ ବି କହିନି ତାକୁ ଚହଲା ବୟସରେ । ସେପଟୁ ସୀତାଂଶୁଙ୍କ ସ୍ୱର.. । ତାଙ୍କ ଡାକରେ ସେ ଚାଲିଯାଉଥିଲା ଦୂରକୁ ଆହୁରି ଦୂରକୁ ପୁଣି ଥରେ.. । ହେଲେ ତାର ସେ ବ୍ୟସ୍ତତା ତାର ସେ ଚାହାଣୀ ଆଜି ବି ଶୁଭ ମନରେ ପୁନଶ୍ଚ ନୂଆ କରି ଏକ କ୍ଷତ ସୃଷ୍ଟି କରୁୁଥିଲା । ଅତୀତଟା ଭିତରେ ସେ ବି ବୋଧହୁଏ ଆଜି ଛନ୍ଦି ହୋଇ ପଡିଥିଲା । କିଛି ବର୍ଷତଳର ସ୍ମୃତି ତାର ପଥାରୂଢ କରୁଥିଲେ । ତା ଶେଷ ଡାକଟା କାନପାଖେ ନିନାଦିତ ହେଉଥିଲା ବାରମ୍ବାର..ଶୁଭ ଭାଇ…!
ଉଭୟ ପାଲଟିଯାଇଥିଲେ ଛକର ଦୁଇଟି ଭିନ୍ନ ରାସ୍ତା..ଯାହା ଭବିଷ୍ୟତରେ କେବେ ମିଶିବାର ନଥିଲା । ଭାଗ୍ୟ ଉଭୟଙ୍କୁ ଅସହାୟ କରିଦେଇଥିଲା ଯାବତ୍ ଜୀବନ । ଅସହାୟ କବଳିତ ମଣିଷ ଦୁଇଟା ନିଜ ନିଜର ଅଭିମାନ ଓ ଅବଶୋଷକୁ ଧରି ଚାଲିଥିଲେ କର୍ତ୍ତବ୍ୟ ପଥରେ । ଜୀବନର ଝଡବାତ୍ୟାରୁ ମୁକୁଳି ଯାଇଥିଲେ ବି କିଛି ଅମୂଲ୍ୟ ଚିଜ ହରାଇବାର ଗ୍ଳାନି ମନ ଭିତରେ ତୀବ୍ର ତାଡନା ସୃଷ୍ଟି କରି ସାରିଥିଲା । ଯାଉଯାଉ ଅଟକିଗଲା ଅରୁଣିମା..ଡାକଟିଏ ଶୁଭିଗଲା କାନପାଖେ-ମୁକ୍ତା.. ! ପଛକୁ ଚାହିଁଲା ସେ..ନା..କେହିନାହାନ୍ତି ଆଖାପାଖରେ.. ।
ଶୁଭ୍ରାଂଶୁଙ୍କ ଗାଡି ବହୁଦୂରକୁ ଚାଲିଯାଇଥିଲା । କିନ୍ତୁ ସେ ଡାକର ପ୍ରତିଧ୍ୱନି ସାରାଜନ୍ମ କବଳିତ କରୁଥିଲା ତାକୁ ।