ସ୍ୱାଧୀନତା ସଂଗ୍ରାମର ପ୍ରଥମ ପର୍ଯ୍ୟାୟ ଚାଲିଥିଲାବେଳେ କନିକା ଜମିଦାରରେ ଅତ୍ୟାଚାର ଓ ପ୍ରଜାମେଳି ଥିଲା ଏକ ଉଲ୍ଲେଖଯୋଗ୍ୟ ଘଟଣା । କନିକା ଜମିଦାର ପ୍ରଜାଙ୍କ ଉପରେ ୬୪ ପ୍ରକାର କର ଟିକସ ଧାର୍ଯ୍ୟ କରିଥିବାରୁ ଓ ରାଜସ୍ୱ ବୃଦ୍ଧି କରି ଚାଲିଥିବାରୁ ପ୍ରଜାମାନେ ତା’ର ତୀବ୍ର ପ୍ରତିବାଦ କରିଥିଲେ ଓ ସରକାରଙ୍କ ଦ୍ୱାରା ବନ୍ଦୋବସ୍ତ କରାଯାଉ ବୋଲି ଦାବୀ କରିଥିଲେ । କନିକା ଜମିଦାର ସେଥିପାଇଁ ରାଜି ହୋଇନଥିଲେ । ଲୋକେ ବର୍ଦ୍ଧିତ ହାରରେ ଖଜଣା ଦେବାକୁ ରାଜି ନଥିଲେ । କନିକା ଜମିଦାରୀରେ ପ୍ରବେଶ ନ କରିବାକୁ କଟକ ଓ ବାଲେଶ୍ୱର ଜିଲ୍ଲାର ବହୁ କଂଗ୍ରେସ ନେତାଙ୍କ ଉପରେ ୧୪୪ ଧାରା ଜାରି ହୋଇଥିଲା । କନିକାର ପ୍ରକୃତ ଅବସ୍ଥା ଦେଖିବା ପାଇଁ ସେତେବେଳେ ଓଡ଼ିଶାର ଡିଭିଜନାଲ୍ କମିଶନର୍ କନିକା ଆସିଥିବା ସମୟରେ କନିକାର ଲୋକେ ତାଙ୍କୁ ନିଜର ଅଭାବ ଅସୁବିଧା ଜଣାଇବାକୁ ଆସୁଥିଲେ ମାତ୍ର କମିଶନର୍ଙ୍କୁ ଆକ୍ରମଣ କରିବା ପାଇଁ ଲୋକେ ଆସୁଛନ୍ତି ବୋଲି ତାଙ୍କୁ ଜାଣିଶୁଣି କନିକା ରଜା ଭ୍ରାନ୍ତ ଧାରଣ ଦେଲେ ତେଣୁ ଲୋକଙ୍କ ଉପରକୁ ଗୁଳି ଚାଲିଥିଲା । ଦୁଇଜଣ ଲୋକ ପୋଲିସ୍ ଗୁଳିରେ ପ୍ରାଣ ହରେଇଥିଲେ । ନିର୍ଦ୍ଦୟ ଭାବରେ ଲୋକଙ୍କୁ ଲାଠିମାଡ଼ ହୋଇଥିଲା ଓ ମହିଳାମାନଙ୍କର ଇଜ୍ଜତ ନଷ୍ଟ କରାଯାଇଥିଲା । ଏ ଅତ୍ୟାଚାର ସହି ନପାରି କନିକାର ବହୁଲୋକ କନିକାରୁ ଘରଦ୍ୱାର, ସମ୍ପତ୍ତିବାଡ଼ି ଛାଡ଼ି ଚାଲିଆସିଥିଲେ । ସଂଗ୍ରାମୀ ଚକ୍ରଧର ବେହେରାଙ୍କ ନେତୃତ୍ୱରେ ପ୍ରଜାମାନେ ଆନ୍ଦୋଳନ ଚଳାଇଥିଲେ । କନିକାର ଅବସ୍ଥା ଅନୁସନ୍ଧାନ ଉଦ୍ଦେଶ୍ୟରେ ଆସିଥିବା ପଣ୍ଡିତ ଗୋପବନ୍ଧୁ ଦାସ ଓ ଭାଗୀରଥି ମହାପାତ୍ରଙ୍କୁ ଭଦ୍ରକଠାରେ ଗିରଫ୍ କରାଯାଇଥିଲା ଏବଂ ବିଚାରରେ ସେମାନଙ୍କୁ ଛ’ମାସ କାରାଦଣ୍ଡ ଆଦେଶ ହୋଇଥିଲା ।
ଏହି ସମୟରେ କଟକ ଓ ବାଲେଶ୍ୱରରେ ହଜାର ହଜାର ଘର ହଠାତ୍ ପୋଡ଼ି ଯାଉଥିବା ଦେଖାଗଲା ଏହା ଏକ ଭୟାବହ ଘଟଣା । ପୋଲିସ୍ ଏଥିପାଇଁ କାହାରିକୁ ଗିରଫ୍ କରିନଥିଲେ । ପୋଲିସ୍ ଲୋକେ ନିଜେ ଘରପୋଡ଼ି କଂଗ୍ରେସ ଲୋକଙ୍କ ନା ଦେଉଥିବା ସନ୍ଦେହ କରାଯାଉଥିଲା । କଂଗ୍ରେସ୍ କର୍ମୀମାନେ ରାତି ଅନିଦ୍ରା ହୋଇ ଘର ଜଗି କରି ରହିଥିଲେ ।
ସ୍ୱାଧୀନତା ସଂଗ୍ରାମର ଏହି ପ୍ରଥମ ପର୍ଯ୍ୟାୟବେଳେ ପୂର୍ବତନ ଗଡ଼ଜାତମାନଙ୍କ ଭିତରୁ କେନ୍ଦୁଝର ଗଡ଼ଠାରେ ଅଭୂତପୂର୍ବ ଜାଗରଣ ଦେଖା ଯାଇଥିଲା । ୧୯୨୧ ମସିହା ମଇ ମାସ ୧୩ ତାରିଖରେ କେନ୍ଦୁଝର ଗଡ଼ଠାରେ ପୂର୍ବ ଗଡ଼ଜାତର ପଲିଟିକାଲ୍ ଏଜେଣ୍ଟ୍ ରହିଥିବାବେଳେ ଶିବନାରାୟଣପୁର ସାହିର ମହନ୍ତ ଚେମ ତ୍ରିପାଠୀଙ୍କ ନେତୃତ୍ୱରେ ଯାଉଥିବା ଏକ ଶୋଭାଯାତ୍ରା ପୋଲିସ୍ ବେଆଇନ୍ ଘୋଷଣା କରିଥିଲେ ଓ ଶୋଭାଯାତ୍ରାର ନେତାମାନଙ୍କୁ ଥାନା ଭିତରେ ନିସ୍ତୁକ ମାଡ଼ ଦେଇଥିଲେ । ପରେ ସେମାନଙ୍କ ବିଚାର ହୋଇ ଦଣ୍ଡାଦେଶ ହୋଇଥିଲା । ସେମାନଙ୍କ ଭିତରୁ ଜଗବନ୍ଧୁ ଚକ୍ରବର୍ତ୍ତୀଙ୍କୁ ଏଗାର ବର୍ଷ, ନନ୍ଦ କିଶୋର ପୁହାଣଙ୍କୁ ବାର ବର୍ଷ ଓ ବଳରାମ ଦାସଙ୍କୁ ପାଞ୍ଚବର୍ଷ ଦଣ୍ଡାଦେଶ ହୋଇଥିଲା ।