ଗଳ୍ପ

ଅହିନନ୍ଦିନୀ ଉଲୂପୀ

Dr Archana Nayak's odia story Ahinandini Ulupi

ଏତେ ବର୍ଷ ପରେ ପୁତ୍ରକୁ ଦେଖି ପିତା ଶ୍ରଦ୍ଧାରେ ତାଙ୍କୁ ଆଲିଙ୍ଗନ କରିବା ପରିବର୍ତ୍ତେ ଦ୍ୱନ୍ଦ୍ୱ ଯୁଦ୍ଧକୁ ଆହ୍ୱାନ କରୁଛନ୍ତି । ଇଏ କି ସଙ୍କଟର ସେ ସମ୍ମୁଖୀନ ହେଲେ !

ଅହିନନ୍ଦିନୀ ଉଲୂପୀ

-: ପୂର୍ବରୁ :-

ଏ ଭିତରେ ବିତିଯାଇଥିଲା ଅନେକ ବର୍ଷ । ମହାଭାରତ ଯୁଦ୍ଧ ସମାପ୍ତ ହୋଇ କୁରୁଜ୍ୟେଷ୍ଠ କୁନ୍ତୀପୁତ୍ର ଯୁଧିଷ୍ଠିର ହସ୍ତିନାପୁରରେ ରାଜପଦରେ ଅଭିଷିକ୍ତ ହୋଇ ସାରିଥିଲେ । ଦିନେ ନଗରରେ ଆସି ଉପସ୍ଥିତ ହେଲେ ମହାନତେଜା ଋଷି ବ୍ୟାସଦେବ ।

ମହାରାଜ ଯୁଧିଷ୍ଠିର ନିଜର ଭ୍ରାତାଗଣ, ପତ୍ନୀ ଓ ପୁରବାସୀଙ୍କ ସମେତ ଋଷି ବ୍ୟାସଙ୍କର ଚରଣବନ୍ଦନା କଲେ । ରାଜପ୍ରାସାଦରେ ବ୍ୟାସଙ୍କର ଅବସ୍ଥାନ କାଳରେ ଆଲୋଚନା କ୍ରମରେ ରାଜା ଯୁଧିଷ୍ଠିର କହିଲେ, “ହେ ଋଷିଶ୍ରେଷ୍ଠ ବ୍ୟାସ, ଆମ୍ଭେମାନେ ଆପଣଙ୍କର ଓ କୃଷ୍ଣଙ୍କର ପ୍ରସାଦରେ ଯେଉଁ ରତ୍ନସମୂହ ଆହରଣ କରିଛୁ, ଅଶ୍ୱମେଧ ମହାଯଜ୍ଞ ଅନୁଷ୍ଠାନ କରି ସେସବୁ ସେହି କାରଣରେ ବ୍ୟୟ କରିବାକୁ ଚାହୁଁଛୁ । ସେଥିପାଇଁ ଆପଣ ଅନୁମତି ପ୍ରଦାନ କରିବା ହୁଅନ୍ତୁ ।”

ବ୍ୟାସ ତାଙ୍କୁ ଅନୁମତି ପ୍ରଦାନପୂର୍ବକ ବିଧି ଅନୁସାରେ ଦକ୍ଷିଣାନ୍ୱିତ ଅଶ୍ୱମେଧ ଯାଗର ଅନୁଷ୍ଠାନ କରିବା ପାଇଁ ସମୁଚିତ ଉପଦେଶ ଦେଲେ । ଯୁଧିଷ୍ଠିରଙ୍କ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଯଜ୍ଞର ଦାୟିତ୍ୱ ଗ୍ରହଣ କଲେ ଋଷି ବ୍ୟାସ, ଶୈଳ ଓ ଯାଜ୍ଞବଳ୍କ୍ୟ ।

ସମସ୍ତ ବିଧି ବ୍ୟବସ୍ଥା ସମ୍ପନ୍ନ ହେବା ପରେ ବ୍ୟାସ ନିର୍ଦ୍ଦେଶ ଦେଲେ “ହେ କୌନ୍ତେୟ, ଯଜ୍ଞସିଦ୍ଧି ନିମିତ୍ତ ଉପଯୁକ୍ତ ଅଶ୍ୱକୁ ପରୀକ୍ଷା କରି ତାହାକୁ ଏହି ସସାଗରା ଧରାରେ ପରିଭ୍ରମଣ କରିବା ପାଇଁ ମୁକ୍ତ କରାନ୍ତୁ । ସେହି ଅଶ୍ୱ ତୁମ୍ଭର ପ୍ରଦୀପ୍ତ ଯଶୋରାଶି ପ୍ରଦର୍ଶନ କରି ଏ ସମଗ୍ର ଧରଣୀ ପରିଭ୍ରମଣ ପୂର୍ବକ ପ୍ରତ୍ୟାଗତ ହେଉ ଏବଂ ଏହି ଅଶ୍ୱବିଧି ଓ ଶାସ୍ତ୍ରାନୁସାରେ ଯେଉଁପରି ଉତ୍ତମରୂପେ ସୁରକ୍ଷିତ ରହିବ ତାହାର ଉପାୟ କର ।”

ବ୍ୟାସଙ୍କ ନିକଟରୁ ନିର୍ଦ୍ଦେଶ ପାଇ ମହାରାଜ ଯୁଧିଷ୍ଠିର ବିବେଚନା କଲେ ତେଜସ୍ୱୀ ଭୀମସେନ ଓ ନକୁଳ ରାଷ୍ଟ୍ରରକ୍ଷା କରିବାକୁ ସମର୍ଥ ଅଟନ୍ତି ଓ ବୁଦ୍ଧିମାନ ସହଦେବ କୁଟୁମ୍ୱ ଗଣଙ୍କର ତତ୍ତ୍ୱାବଧାନ କାର୍ଯ୍ୟ ନିର୍ବାହ କରିପାରିବେ ।

ଏକମାତ୍ର ଧନଞ୍ଜୟ ହିଁ ଅଶ୍ୱରକ୍ଷା କରିବାକୁ ସମର୍ଥ । ଶ୍ରେଷ୍ଠ ଧନୁର୍ଦ୍ଧାରୀ ଓ ବହୁ ଦିବ୍ୟାସ୍ତ୍ରର ଅଧିକାରୀ ଅର୍ଜୁନଙ୍କୁ ଅଶ୍ୱରକ୍ଷା କାର୍ଯ୍ୟରେ ନିଯୁକ୍ତ କରିବାକୁ ସ୍ଥିରକରି ଯୁଧିଷ୍ଠିର କହିଲେ, “ହେ ପାର୍ଥ, ଏହି ଅଶ୍ୱ ପୃଥିବୀରେ ଇଚ୍ଛାନୁସାରେ ଭ୍ରମଣ କରିବ । ତୁମ୍ଭେ ତାହାର ଅନୁଗମନପୂର୍ବକ ତା’ର ସୁରକ୍ଷା କରିବ । ଏହି ପରିଭ୍ରମଣ କାଳରେ ଅଶ୍ୱ ଯେଉଁ ରାଜ୍ୟ ମଧ୍ୟରେ ଗମନ କରିବ ସେ ରାଜ୍ୟର ରାଜାମାନଙ୍କୁ ଏହି ଯଜ୍ଞବୃତ୍ତାନ୍ତ କହି ସେମାନଙ୍କୁ ଯଜ୍ଞକୁ ଆସିବାକୁ ନିମନ୍ତ୍ରଣ କରିବ । ଯେଉଁ ରାଜା, ତୁମ୍ଭର ପ୍ରତିକୂଳାଚରଣ କରିବେ ତାଙ୍କୁ ଯୁଦ୍ଧ ନ କରିବା ପାଇଁ ପ୍ରଥମେ ପ୍ରବର୍ତ୍ତାଇବ । ତା’ପରେ ଯଦି ସେ ଅମାନ୍ୟ କରିବେ, ତେବେ ତା’ର ବିହିତ ବ୍ୟବସ୍ଥା କରିବ ।”

ଧନଞ୍ଜୟ ଅର୍ଜୁନ ଏକ ଶ୍ୱେତ ଅଶ୍ୱରେ ଆରୋହଣ କରି ଅଶ୍ୱମେଧ ଯଜ୍ଞ ପାଇଁ ଉଦ୍ଦିଷ୍ଟ ସେହି କୃଷ୍ଣସାର ଅଶ୍ୱର ଅନୁସରଣ କଲେ । ଅର୍ଜୁନଙ୍କ ଭୀମ ନିହ୍ଲାଦଯୁକ୍ତ ଗାଣ୍ଡୀବ ଧନୁର ପରାକ୍ରମ କାହାରିକୁ ଅବିଦିତ ନଥିଲା । ସେ ଯେଉଁ ରାଜ୍ୟରେ ପ୍ରବେଶ କରୁଥିଲେ ସେ ରାଜ୍ୟର ରାଜା ନାନା ଧନରତ୍ନ ସହ ଅର୍ଜୁନଙ୍କର ତୋଷ ବିଧାନ କରୁଥିଲେ ଓ ଅର୍ଜୁନଙ୍କ ଦ୍ୱାରା ଯଜ୍ଞରେ ଯୋଗ ଦେବାର ନିମନ୍ତ୍ରଣ ପାଇ ନିଜକୁ ଧନ୍ୟ ମନେ କରୁଥିଲେ ।

କିନ୍ତୁ କେତେକ କ୍ଷେତ୍ରରେ ଅର୍ଜୁନଙ୍କ ବୀରତ୍ୱ ସମ୍ପର୍କରେ ଅଜ୍ଞାତ ଥିବା ବା ଅହଂକାରରେ ପ୍ରମତ୍ତ ଥିବା କେତେକ କିରାତ, ଯବନ, ମ୍ଳେଚ୍ଛ ଓ କ୍ଷତ୍ରିୟ ରାଜାମାନେ ତାଙ୍କର ବିରୋଧ କରି ପରାଜିତ ହେଲେ । ଅର୍ଜୁନ ଜ୍ୟେଷ୍ଠଭ୍ରାତାଙ୍କର ନିର୍ଦ୍ଦେଶ ରକ୍ଷା କରି କାହାରିକୁ ନିଧନ କରୁନଥିଲେ ବରଂ ପରାସ୍ତ ରାଜାମାନଙ୍କୁ ଯଜ୍ଞକୁ ନିମନ୍ତ୍ରଣ କରି ଆଶ୍ୱସ୍ତ କରୁଥିଲେ ।

ଯଜ୍ଞ ଅଶ୍ୱର ଗତିକୁ ନିୟନ୍ତ୍ରଣ କରିବାର ନିୟମ ନଥିଲା, କେବଳ ତା’ର ଅନୁଧାବନର ନିର୍ଦ୍ଦେଶ ଥିଲା । ଉକ୍ତ ଯଜ୍ଞୀୟ ବାଜି କ୍ଷୀପ୍ର ବେଗରେ ବନରୁ ବନାନ୍ତର ଦେଶରୁ ଦେଶାନ୍ତର ଗମନ କରି କରି ମଣିପୁର ପତିଙ୍କ ଦେଶରେ ଉପସ୍ଥିତ ହେଲା ।

ମଧ୍ୟମ ପାଣ୍ଡବ ଅର୍ଜୁନଙ୍କ ଆଗମନର ବାର୍ତ୍ତା ପାଇ ଚିତ୍ରାଙ୍ଗଦାଙ୍କର ପୁତ୍ର ମଣିପୁରର ଅଧୀଶ୍ୱର ବଭ୍ରୁବାହନ ବ୍ରାହ୍ମଣମାନଙ୍କ ସହିତ ବହୁ ଧନରତ୍ନ ଉପହାର ସ୍ୱରୂପ ନେଇ ବିନୀତ ଭାବରେ ପିତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ପ୍ରଣାମ ଜଣାଇଲେ ।

କିନ୍ତୁ ଅର୍ଜୁନ ତାଙ୍କର ଏ ଆଚରଣରେ ଆଦୌ ସନ୍ତୁଷ୍ଟ ହେଲେ ନାହିଁ । ସେ ଚାହୁଁଥିଲେ ତାଙ୍କର ଅବର୍ତ୍ତମାନରେ ମଧ୍ୟ ତାଙ୍କର ପୁତ୍ର କ୍ଷତ୍ରିୟ ଧର୍ମ ଅବଲମ୍ୱନ କରି ଯୁଦ୍ଧବିଗ୍ରହରେ ଅସ୍ତ୍ରଚାଳନାରେ ସମରୂପ ଦକ୍ଷତା ହାସଲ କରିଥିବ । କ୍ଷତ୍ରିୟ କନ୍ୟା ଚିତ୍ରାଙ୍ଗଦା ନିଶ୍ଚୟ ତାଙ୍କର ପୁତ୍ରକୁ ଅସ୍ତ୍ରବିଦ୍ୟାରେ ଧୂରୀଣ କରିଥିବେ । ତେଣୁ ଜଣେ କ୍ଷତ୍ରିୟ ରାଜା ଭାବରେ ତାଙ୍କର ଏ ପ୍ରକାର ବିନୀତ ଆଚରଣ ଗ୍ରହଣୀୟ ନୁହେଁ । ବରଂ ସେ ତାଙ୍କୁ ଯୁଦ୍ଧକୁ ଆହ୍ୱାନ କରିବା ଉଚିତ୍ ହୋଇଥାନ୍ତା ।

ଅର୍ଜୁନ ପୁତ୍ରର ବୀରତ୍ୱର ପରୀକ୍ଷା ନେବା ପାଇଁ ରୁକ୍ଷସ୍ୱରରେ କହିଲେ, “ହେ ରାଜା, ଆମ୍ଭେ ଯୁଧିଷ୍ଠିରଙ୍କର ଯଜ୍ଞୀୟ ଅଶ୍ୱ ରକ୍ଷା କରିବା ପାଇଁ ତୁମ୍ଭ ରାଜ୍ୟକୁ ଆଗମନ କରିଛୁ, ତୁମ୍ଭର ପିତା ଭାବରେ ନୁହେଁ । ଏ ରାଜ୍ୟର ରାଜା ଭାବରେ ଅନ୍ୟ ଜଣେ ରାଜାଙ୍କର ବଶ୍ୟତା ସ୍ୱୀକାର କରିବା ପାଇଁ ତୁମ୍ଭେ ପ୍ରଥମରୁ କିପରି ପ୍ରସ୍ତୁତ ହୋଇଯାଉଛ ? ଆମ୍ଭେ ଯୁଦ୍ଧ ନିମିତ୍ତ ଏଠାରେ ସମାଗତ ହୋଇଅଛୁଁ । ଅଥଚ ତୁମ୍ଭେ ସ୍ତ୍ରୀଲୋକ ସଦୃଶ ପ୍ରତିଗ୍ରହ କରୁଛ ! ଏହା କ୍ଷତ୍ରିୟ ପକ୍ଷରେ ଅତ୍ୟନ୍ତ ନିନ୍ଦନୀୟ ।”

ତରୁଣ ରାଜା ବଭ୍ରୁବାହନ ପିତାଙ୍କର ଏପରି କଠୋର ରାଜ୍ୟ ଶ୍ରବଣ କରି ବିମୂଢ଼ ହୋଇଗଲେ ।

ବଭ୍ରୁବାହନ ରାଜପ୍ରାସାଦରେ ପିତାଙ୍କୁ ଦର୍ଶନ କରିବା ପାଇଁ ପ୍ରସ୍ତୁତ ହେବାବେଳେ ନିଜ ଭିତରେ ଅପୂର୍ବ ଆବେଗ ଅନୁଭବ କରୁଥିଲେ । ତାଙ୍କର ହୃଦୟ ଆଲୋଡ଼ିତ ହେଉଥିଲା ପିତାଙ୍କୁ ସାକ୍ଷାତ୍ କରିବା ସହ ତାଙ୍କର ସ୍ନେହ ଓ ଆଶୀର୍ବାଦ ଲାଭ କରିବା ପାଇଁ । ସେ ବାଳୁତ ଥିବାବେଳେ ପିତା ତାଙ୍କୁ ଆଦର ଯତ୍ନ କରୁଥିବାର କଥା ସେ ମା’ଙ୍କ ନିକଟରୁ ଶୁଣୁଥିଲେ । ପିତାଙ୍କର ବୀରତ୍ୱ, ଶୌର୍ଯ୍ୟ ଓ ଅନୁପମ ସୌମ୍ୟତା ବିଷୟରେ ଶୁଣି ଶୁଣି ତାଙ୍କୁ ଦର୍ଶନ କରିବାର ଏକାନ୍ତ ଇଚ୍ଛା ସେ ମନରେ ପୋଷଣ କରି ସେହି ପରମ ସୁଯୋଗର ଅପେକ୍ଷା କରୁଥିଲେ । ତାଙ୍କ ରାଜ୍ୟରେ ଯଜ୍ଞ ଅଶ୍ୱ ସହ ଅର୍ଜୁନଙ୍କର ଆଗମନ ସମ୍ୱାଦ ତାଙ୍କୁ ଆନନ୍ଦ ବିହ୍ୱଳ କରିଥିଲା । ପିତାଙ୍କର ବକ୍ଷଲଗ୍ନ ହେବାର ଆକାଂକ୍ଷାରେ ତାଙ୍କର ପୁତ୍ରପ୍ରାଣ ଅହରହ ସ୍ପନ୍ଦିତ ହେଉଥିଲା ।

ପିତାଙ୍କର ସମ୍ୱର୍ଦ୍ଧନା ପାଇଁ ଉପଢ଼ୌକନମାନ ସଜ୍ଜିତ କରିବାବେଳେ ମାତା ଚିତ୍ରାଙ୍ଗଦାଙ୍କର ଭାବାନ୍ତର ସେ ଲକ୍ଷ୍ୟ କରିଥିଲେ । ତାଙ୍କ ଚକ୍ଷୁ ବାରମ୍ୱାର ଅଶ୍ରୁସଜଳ ହେଉଥିଲା, ହସ୍ତପଦ କମ୍ପିତ ହେଉଥିଲା, ଅଧର ସ୍ଫୁରିତ ହେଉଥିଲା କିନ୍ତୁ ଶବ୍ଦଟିଏ ଉଚ୍ଚାରିତ ହୋଇପାରୁନଥିଲା ।

ପାଦ ଇତସ୍ତତଃ ହେଉଥିବାରୁ ସେ ବାରମ୍ୱାର ଝୁଣ୍ଟି ପଡୁଥିଲେ । ସେ ପ୍ରାସାଦରୁ ବହିର୍ଗତ ହେବାପୂର୍ବରୁ ତାଙ୍କର ମସ୍ତକ ଆଘ୍ରାଣ କରି କହିଥିଲେ, “ପୁତ୍ର, ତୁମ୍ଭର ପିତା ବିଶ୍ୱବିଜୟୀ ପାଣ୍ଡବଶ୍ରେଷ୍ଠ ଅର୍ଜୁନ । ତୁମ୍ଭର ଜନ୍ମହେବାର କିଛିଦିନ ପରେ ସେ ମଣିପୁର ରାଜ୍ୟ ତ୍ୟାଗକରି ଚାଲିଯାଇଥିଲେ । ଯିବା ପୂର୍ବରୁ ତୁମ୍ଭର ପ୍ରତିପାଳନରେ କୌଣସି ତ୍ରୁଟି ଯେପରି ନ ହୁଏ ସେଥିପାଇଁ ମତେ ବାରମ୍ୱାର ସଚେତନ କରିଥିଲେ । ସେଥିପାଇଁ ମୁଁ ତୁମ୍ଭଙ୍କୁ କ୍ଷତ୍ରିୟ ଧର୍ମାନୁସାରେ ବର୍ଦ୍ଧିତ କରିଛି । ଆର୍ଯ୍ୟ ପୁରୁଷର ଆଚରଣ ବ୍ୟବହାର ସମ୍ପର୍କରେ ସମୁଚିତ ଶିକ୍ଷାପ୍ରଦାନ କରିଛି । ତେଣୁ ତୁମେ ତୁମ୍ଭର ପିତାଙ୍କୁ ଦର୍ଶନ କରିବା ପାଇଁ ଯେତେ ବ୍ୟାକୁଳତା ଅନୁଭବ କରୁଥିଲେ ବି ରାଜୋଚିତ ମର୍ଯ୍ୟାଦା ରକ୍ଷାପୂର୍ବକ ଆଚରଣ କରିବ ।”

ମା’ଙ୍କର ଉପଦେଶ ସେ ପାଳନ କରିଛନ୍ତି । ପିତାଙ୍କର ସାକ୍ଷାତ୍ କାଳରେ ତାଙ୍କର ବକ୍ଷଲଗ୍ନ ହେବାର ଉଦ୍‌ବେଳନକୁ ସେ ସଂଯମ କରି ତାଙ୍କ ଉଦ୍ଦେଶ୍ୟରେ ପିତାଙ୍କର ପ୍ରସାରିତ ବାହୁଯୁଗଳକୁ ସେ ସଂଭ୍ରମତାର ସହିତ ଅପେକ୍ଷା କରିଛନ୍ତି ।

କିନ୍ତୁ ଏଠି ପରିସ୍ଥିତି ଯେ ସମ୍ପୂର୍ଣ୍ଣ ବିପରୀତ । ଏତେ ବର୍ଷ ପରେ ପୁତ୍ରକୁ ଦେଖି ପିତା ଶ୍ରଦ୍ଧାରେ ତାଙ୍କୁ ଆଲିଙ୍ଗନ କରିବା ପରିବର୍ତ୍ତେ ଦ୍ୱନ୍ଦ୍ୱ ଯୁଦ୍ଧକୁ ଆହ୍ୱାନ କରୁଛନ୍ତି । ଇଏ କି ସଙ୍କଟର ସେ ସମ୍ମୁଖୀନ ହେଲେ ! ମା’ ମଧ୍ୟ କେବେ ଏ ପ୍ରକାର କଥା ଘଟିବ ବୋଲି କଳ୍ପନା କରିପାରିନଥିବେ । କ’ଣ କରିବେ ସେ ?

ପିତାଙ୍କର କଠୋର ବାକ୍ୟ ଶ୍ରବଣ କରି ମଧ୍ୟ ପିତାଙ୍କ ସହ ଯୁଦ୍ଧ ଉଚିତ୍ କି ନୁହେଁ ସେ ସ୍ଥିର କରିପାରୁନଥିଲେ ।

କିନ୍ତୁ ଅର୍ଜୁନଙ୍କର ଏହି ଆହ୍ୱାନ ଶ୍ରବଣ କରି ପାରିଥିଲେ ଉରଗନନ୍ଦିନୀ ଉଲୂପୀ । ସେ କ୍ଷଣକ ମଧ୍ୟରେ ପାତାଳ ଭେଦ କରି ସେଠାରେ ଆସି ଉପସ୍ଥିତ ହେଲେ । କର୍ତ୍ତବ୍ୟାକର୍ତ୍ତବ୍ୟ ସ୍ଥିର ନ କରିପାରି ଅଧୋମୁଖ ହୋଇ ଦଣ୍ଡାୟମାନ ହୋଇଥିବା ବଭ୍ରୁବାହନଙ୍କୁ ଲକ୍ଷ୍ୟ କରି କହିଲେ, “ହେ ପୁତ୍ର, ମୁଁ ନାଗକନ୍ୟା ଉଲୂପୀ ତୁମ୍ଭେ ମୋତେ ମାତା ବୋଲି ଜ୍ଞାନକର । କାରଣ ମୁଁ ମଧ୍ୟ କୁରୁଶ୍ରେଷ୍ଠ ଅର୍ଜୁନଙ୍କର ଅନ୍ୟତମ ପତ୍ନୀ । ହେ ପୁତ୍ର, ମୁଁ ଜାଣେ ତୁମ୍ଭର ପିତା ତ୍ରିଭୁବନ ବିଜୟୀ । ତାଙ୍କର ସମକକ୍ଷ ବୀର ଏ ମର୍ତ୍ତ୍ୟମଣ୍ଡଳରେ ଅନ୍ୟ କେହି ନାହିଁ । ଯୁଦ୍ଧରେ ସେ ଅପରାଜେୟ । ବହୁ ଦିବ୍ୟାସ୍ତ୍ରର ସେ ଅଧିକାରୀ । ଦିବ୍ୟାସ୍ତ୍ର ବ୍ୟତୀତ ମଧ୍ୟ ଅନ୍ୟ ସାଧାରଣ ଅସ୍ତ୍ରଚାଳନାରେ ସେ ଅତି ପାରଗ । ଏହି ଧନୁର୍ଦ୍ଧାରୀଙ୍କର ପ୍ରକ୍ଷିପ୍ତ ଶରକୁ କେହି ବ୍ୟାହତ କରିପାରନ୍ତି ନାହିଁ ଏବଂ ଏହାର ଖଡ୍ଗ ସର୍ବଦା ଶତ୍ରୁଶୋଣିତ ପାନ କରିଥାଏ ।”

ତା’ପରେ

ଲୋକପ୍ରିୟ ଲେଖା

To Top