ଗଳ୍ପ

ଦର୍ଜା ସେପାଖ ଖୁସି

ଦର୍‌ଦାମ୍ ଏତେ ବଢ଼ାଇ ଦିଆଯିବ ଯେ, ଲୋକଙ୍କୁ ତ ପିଲା କୁଟୁମ୍ୱ ପୋଷିବାକୁ ଯଥେଷ୍ଟ ସମୟ ମିଳିବ ନାହିଁ, ଦେଶ କଥା ଭାବିବାକୁ ବେଳ କେଉଁଠି ଥିବ ଯେ !

ଦର୍ଜା ସେପାଖ ଖୁସି

ସ୍ପୀଡ୍ ସେତେଟା ବେଶୀ ନ ଥାଏ. . .

ଗାଳ୍ପିକ ଧୃତିବାବୁ ସବୁଦିନ ପରି ଆଜି ବି ତାଙ୍କ ମୋଟର ବାଇକ୍‌ରେ ବସି, ଅଫିସ୍‌କୁ ଯାଉଥାନ୍ତି, କିନ୍ତୁ ଥାଆନ୍ତି ପୁରା ଅନ୍ୟମନସ୍କ । ତାଙ୍କର ସ୍ୱାଭାବିକ୍ ମେଧା, ତାଙ୍କୁ ସବୁଦିନିଆ ରାସ୍ତାରେ ବାଟ କଢ଼ାଇ ନେଉଥାଏ । ଭାବୁଥାନ୍ତି – ସେ ତାଙ୍କର ଆଗାମୀ ଗଳ୍ପଟି ବହିର୍ଦ୍ଦେଶୀୟ ଶିଳ୍ପପତିମାନଙ୍କର ଆମ ଦେଶରେ ପୁଞ୍ଜି ନିବେଶକୁ ନେଇ ଲେଖିବେ ।

. . . ଯଦି କେବେ ଏହି ପୁଞ୍ଜି ନିବେଶୀମାନଙ୍କ ସଂଖ୍ୟା ଆମ ଦେଶରେ ବଢ଼ିଯାଏ, ସେମାନେ ମିଳିତ ଭାବେ ସେମାନଙ୍କ ଉତ୍ପାଦନ ଆମ ଦେଶରେ ବନ୍ଦ କରିଦିଅନ୍ତି . . . ତାଙ୍କର କିଛି ବଡ଼ ଧରଣର କ୍ଷତି ଘଟିବ ନାହିଁ । ପୃଥିବୀ ସାରା ସେମାନଙ୍କ ବ୍ୟବସାୟ ଜାଲ ପରି ଛାଇ ହେଇ ରହିଛି । ଶ୍ରମ ଶୋଷଣ ଓ ଲାଭଖୋର୍ ପ୍ରକ୍ରିୟା ଚାଲିଛି । ସମ୍ପୃକ୍ତ ଦେଶମାନଙ୍କୁ ଗୁଣାଏ ଦେଇ, ଅନେଶ୍ୱତ ଗୁଣା ଲାଭାଂଶ ବୋହିନିଆ ଯାଉଛି । ତାଙ୍କର ସିନା କ୍ଷତି ହେବ ନାହିଁ, ଆମର ?

କୌଣସି ଦେଶରେ ବଡ଼ ଧରଣର ମୁଦ୍ରାସ୍ପୀତି ଘଟାଇ. . . ସେ ଦେଶର ଅର୍ଥନୀତିକୁ ନିଜ ନିୟନ୍ତ୍ରଣକୁ ନେଇ ନେଲେ ସିନା, ଦେଶର ରାଜନୀତିକ ନିଷ୍ପତ୍ତି ସେମାନଙ୍କ ପକ୍ଷ ସମର୍ଥନ କରିବ ଓ ଦେଶର କଞ୍ଚାମାଲ୍ ଶାଗ ମାଛ ମୂଲରେ ହଡ଼ପ୍ କରିବା ସମ୍ଭବ ହେବ । ଶିଳ୍ପ ପ୍ରତିଷ୍ଠା ଆଳରେ. . . ପୁରୁଷ ପୁରୁଷ ଧରି ବସବାସ କରୁଥିଲା ଲୋକେ ଭିଟାମାଟିରୁ ବେଦଖଲ୍ ହେବେ । ଏଇତ ସେମାନଙ୍କ ଚାଲ୍ !

ଆପେ ବଞ୍ଚିଲେ ବାପର ନାଁ ଯେଉଁ ଦେଶର ଅଧିକାଂଶ ନାଗରିକଙ୍କ ଚରିତ୍ର ହେବାରେ ଲାଗିଲାଣି, ସେ ଦେଶର ଭାଗ୍ୟ ବିଧାତା ରୂପୀ ରାଜନେତାଙ୍କୁ ଅଳ୍ପରେ ସନ୍ତୁଷ୍ଟ କରି, ସାରା ଦେଶଟାକୁ ଖିନ୍‌ଭିନ୍ନ କରି, ଚିପୁଡ଼ି ଖାଇବାରେ ବାଧା କେଉଁଠି ? ଦର୍‌ଦାମ୍ ଏତେ ବଢ଼ାଇ ଦିଆଯିବ ଯେ, ଲୋକଙ୍କୁ ତ ପିଲା କୁଟୁମ୍ୱ ପୋଷିବାକୁ ଯଥେଷ୍ଟ ସମୟ ମିଳିବ ନାହିଁ, ଦେଶ କଥା ଭାବିବାକୁ ବେଳ କେଉଁଠି ଥିବ ଯେ ! ରାଜନେତାମାନେ ଯେ ରାଷ୍ଟ୍ରୀୟ ଦଳ ଓ ଆଞ୍ଚଳିକ ଦଳ ମାନ ଗଢ଼ି ଲୋକମାନଙ୍କ ଭିତରେ ବିଭେଦର ମଞ୍ଜି ବୁଣି ରଖିଛନ୍ତି । ଯିଏ ଯେତେବେଳେ ଚାହିଁଲା, ଗୋଟାଏ ଦଳ ଗଢ଼ି ଦେଲା । ପୃଥିବୀର ଗୋଟାଏ ଦେଶ ଆମ ଦେଶ, ଯେଉଁଠି ରାଜନୈତିକ ଦଳ ସଂଖ୍ୟା ସର୍ବାଧିକ । ଏଣୁ. . . ବିଭେଦର, ବିରୋଧର, ଅସହମତିର ମାତ୍ରା ମଧ୍ୟ ଅଧିକ । ଲୋକେ କାହା ଡାକରାରେ ଏକଜୁଟ୍ ହେଇ ହିତ ପାଇଁ କାମ କରିବେ ? ପାରସ୍ପରିକ ଅସୂୟା ତ ବଢ଼ି ବଢ଼ି ଯାଉଛି ।

ଏ ବେଳରେ ଗାନ୍ଧୀ ଆସନ୍ତି ତ. . . ତାଙ୍କ ଅହିଂସାକୁ ଲୋକେ ହସରେ ଉଡ଼େଇ, ତାଙ୍କୁ ଅନଗ୍ରସର ପ୍ରତିକୂଳ ଚିନ୍ତାଧାରାର ଦାର୍ଶନିକ ବୋଲି କହିବେ । ମୋରାର୍ଜୀ ଗୋଷ୍ଠୀବାଦୀଙ୍କ ରକ୍ତର ହୋରୀ ଦେଖି, ଛାନିଆରେ ପୃଷ୍ଠଭଙ୍ଗ ଦେବେ । ଦେଶର ଅବସ୍ଥା ଏମିତି ହେଲାଣି ।

ପୁଣି ଧୃତିବାବୁ ଭାବୁଥାନ୍ତି- ତାଙ୍କ ଆଗାମୀ ଗଳ୍ପରେ ଆମ ଦେଶର ପରିବେଶ ସେବୀ ଶାଗୁଣା, ଶିଆଳ, କୁକୁରମାନଙ୍କର ସଙ୍କେତ ଧର୍ମୀ ଭୂମିକା ରହିବ । ଏମାନେ ମାଂସାଶୀ. . . କିନ୍ତୁ ଦେଶ ସେବକ ! ଏମାନେ ବ୍ୟକ୍ତିଗତ ସ୍ୱାର୍ଥକୁ ଆଗରେ ରଖି, ଦେଶର ସ୍ୱାର୍ଥକୁ ଯେଉଁମାନେ ପଛ କରୁଛନ୍ତି, ସେମାନଙ୍କୁ ଏତେ ଘୃଣା କରିବେ ଯେ. . . ତାଙ୍କ ଶବରୁ ମାଂସ ଛିଡ଼ାଇ ଖାଇବେ ନାହିଁ ।

ଭାବୁଥାନ୍ତି . . . ଏହି ସ୍ୱାର୍ଥୀ ଲୋକଙ୍କୁ ସେ ଡରକୁଳା ସିଂହ ପରି ଦେଖାଇବେ । ସିଂହ ତ ପଶୁରାଜ । ରାଜା ଯେହେତୁ ମାଂସାଶୀ, ସେଥିପାଇଁ ନିରୀହ ପଶୁ କୁଳ ସବୁ କାଳେ ବିପଦଗ୍ରସ୍ତ । ଯେମିତି ଶାସକ ଶୋଷକ ହେଲେ ପ୍ରଜାକୁଳକୁ ସବୁବେଳେ ଶୋଷିତ ହେବାକୁ ହିଁ ତ ପଡ଼ିଥାଏ ନା. . . ?

ସିଂହ ଭାରି ଦର୍ପୀ. . . ଖୁବ୍ ଛାନିଆ । ଖୁବ୍ ସତର୍କତାରେ ଆଗକୁ, କଡ଼କୁ, ପଛକୁ ବାରମ୍ୱରା ଚାହିଁ ଚାହିଁ. . . ନିଶ ଫୁଲାଇ, ଗର୍ବରେ ଗର୍ଜନ କରୁଥିଲେ ମଧ୍ୟ ବିଚରା ଡରି ଡରି ବାଟ ମାପୁଥାଏ । ବେକ ଚାରିପାଖେ ଗଦାଏ ଅହଂକାରର ପ୍ରତୀକ- ଲମ୍ୱ ଲମ୍ୱ କେଶ । ଏହି କେଶ ଯୋଗୁଁ ସେ କେଶରୀ । ପୁଣି ଏହାରି ଯୋଗୁଁ ସେ ଡରକୁଳା । କାଳେ ଅବା କେଉଁ ପାଖରୁ କେହି ଆକ୍ରମଣ କରି, ତା’ର ଆରାମ ଅୟସ୍‌କୁ ନଷ୍ଟ କରିଦେବ ! କାଳେ ଅବା ତା’ର ଯଥେଚ୍ଛାଚାରକୁ ବିରୋଧ କରି ଛାତି ଫୁଲାଇ ବାଟ ଓଗାଳିବ ! ଏହି ଭୟ ଯୋଗୁଁ ସିଂହ ଜୀବନରେ ଶାନ୍ତି ବୋଲି କିଛି ନାହିଁ । ଏତେ ଭୟ ଯେ. . . ରହେ ଯଦିଓ ପଥର ଗୁମ୍ଫାରେ, ତିନି ପାଖରେ ସଶକ୍ତ କାନ୍ଥ, କିନ୍ତୁ ସବୁବେଳେ ଚାହିଁ ଥାଏ ସାମ୍ନାକୁ ! ଶାନ୍ତିର ନିଦ ଟିକେ ବି ନାହିଁ ।

ଠିକ୍ ସିଂହ ପରି ମୌଜ ମଜ୍‌ଲିସ୍‌ରେ ଦେଶର ଧନୁକୁ ହରିଲୁଟ୍ କରି ଜୀବନ ଜୀଉଛନ୍ତି ଆମ ଦେଶର ଶୋଷକମାନେ । ବେକରେ ଦୁର୍ନୀତିର ଗଦା ଗଦା ଫୁଲମାଳ । ଗର୍ବିତ ଏମାନେ କିନ୍ତୁ ଶଙ୍କିତ ସବୁକାଳେ । ପଛରୁ କଡ଼ରୁ ଏପରି କି ସାମ୍ନାରୁ ମଧ୍ୟ ଆକ୍ରାନ୍ତ ହେବାର ଭୟ ସବୁବେଳେ । ରହିଥାନ୍ତୁ ବା ଇଟା ପଥର ଗଢ଼ା ସୁଦୃଢ଼ ଘରେ, ଜୀବନ କାଳଟା କିନ୍ତୁ ଆପଦପୂର୍ଣ୍ଣ . . . ଶାନ୍ତି ବିହୀନ । ଶୋଷକଙ୍କ ସଂଖ୍ୟା ବଢ଼ି ବଢ଼ି ଏତେ ଉତ୍କଟ ହେଉଛି ଯେ, ଶୋଷିତମାନେ ସନ୍ତ୍ରାସବାଦୀ, ନକ୍‌ସଲ୍‌ବାଦୀ ଓ ମାଓବାଦୀ ପରି ଉଗ୍ର ଆଦର୍ଶର ସଙ୍ଗଠନରେ ମିଶି ମିଶି ଯାଉଛନ୍ତି ।

ଏଥର ଧୃତିବାବୁଙ୍କ ଚିନ୍ତାକୁ ଏସବୁର ନିରାକରଣ ପାଇଁ ଗୋଟିଏ ମାତ୍ର ବାଟ ଦିଶିଲା । ସେ ଭାବିଲେ – ଯଦି ସ୍କୁଲ୍ କଲେଜ୍‌ର ପାଠ୍ୟକ୍ରମରେ ଦେଶପ୍ରାଣତା ଭରିଦିଆଯାଆନ୍ତା. . . ତେବେ ଶିଶୁ, କିଶୋର, ଯୁବକଙ୍କ କୋମଳ ହୃଦୟ ଦେଶକୁ ମାଟି ମାଆ ରୂପେ ଗ୍ରହଣ କରନ୍ତା । ମା’ ପାଇଁ ଯେମିତି, ମାଟି ମାଆ ପାଇଁ ବି ସେମିତି ଜାନ୍ ଦେବାକୁ ସେ ଉଚିତ୍ ଭାବନ୍ତା । ଆଚରଣ ଶିକ୍ଷାର ଅଭାବରୁ ଏବେ ତ ମା’ ବାପାଙ୍କ ପ୍ରତି ସନ୍ତାନଙ୍କର ବ୍ୟାବହାରିକ କୁଲକ୍ଷଣ ଦେଖାଗଲାଣି । ମାଟି ମାଆ ପ୍ରତି ତା’ର ମମତ୍ୱବୋଧ ଆସିବ କେଉଁଠୁ ?

ଅବଶ୍ୟ କେତେକ ସଂସ୍କୃତିଧର୍ମୀ ଘରୋଇ ଉଦ୍ୟମର ଶିକ୍ଷା ବ୍ୟବସ୍ଥାକୁ ଛାଡ଼ି ଦେଲେ. . . ଦେଶପ୍ରାଣତା ପାଇଁ, ଦେଶର ଭବିଷ୍ୟତ ନାଗରିକଙ୍କୁ ଗଢ଼ିବାର ପ୍ରୟାସ ସରକାରୀସ୍ତରକୁ ପ୍ରାୟ ଲୋପ ପାଇବାକୁ ବସିଲାଣି ।

ଯେଉଁ ମାଟି ମାଆ ପାଇଁ ଏ ଦେଶର ପୁଅ ଝିଅ ମଥାବଳୀ ଦେବାକୁ କୁଣ୍ଠା ଆଣୁ ନ ଥିଲେ. . . ସେ ଦେଶର ଯୁବପୀଢ଼ି ଏବେ ଇତିହାସ ସାମ୍ନାରେ ମୁଣ୍ଡଟେକି ପାରୁନି । କେବଳ ଦେଶ ରକ୍ଷା ବିଭାଗଟିରେ ଯାହା ଶହୀଦ ଶବ୍ଦର ମହତ୍ତ୍ୱ ରହିଛି । ଏହା ପୁଣି ବୃତ୍ତିଭିତ୍ତିକ । ଦେଶ ପାଇଁ ଶହୀଦ୍ ହେବାର ମାନସିକ ପ୍ରସ୍ତୁତି ପାଠ୍ୟ ସର୍ବସ୍ୱ ହେଲେ ସିନା, ତାହା ଜୀବନକୁ ପ୍ରଭାବିତ କରନ୍ତା. . . ଦେଶ ତା’ର ସନ୍ତାନ ପାଇଁ ଗର୍ବ କରନ୍ତା. . . ଏ ଦେଶ ଆଡ଼କୁ ଆଙ୍ଗୁଳି ଉଠାଇବାର ସାହସ କାହାର ହୁଅନ୍ତା ନାହିଁ, କିନ୍ତୁ ପାଠ୍ୟକ୍ରମ ଆଜି କେବଳ ମନୁଷ୍ୟକୁ ଯନ୍ତ୍ର କରିଦେଉଛି ।

ଭାବୁଥିଲେ ଧୃତବାବୁ. . .

ଦେଶର ସମସ୍ତ ପ୍ରକାର ଅକୁଣ୍ଠ ସହଯୋଗ ପାଇ ଯେଉଁମାନେ ଉଚ୍ଚ ଶିକ୍ଷିତ ହେଉଛନ୍ତି, ସେମାନେ ଏତେ ଟିକେ ଚିନ୍ତା ବି କରୁ ନାହାନ୍ତି- ତାଙ୍କର ଶିକ୍ଷା ଶେଷ ହେଲା ବେଳକୁ ଏ ଦେଶ ତାଙ୍କ ପାଇଁ କେତେ ଖର୍ଚ୍ଚ କରିସାରିଛି । ଅନ୍ତତଃ ଏ ଦୃଷ୍ଟିରୁ ଦେଶ ପାଇଁ ତାଙ୍କର କିଛି କର୍ତ୍ତବ୍ୟ ଅଛି ବୋଲି ସେମାନେ ଭୁଲି ଯାଉଛନ୍ତି । ଏଣୁ ତାଙ୍କର ଆଗାମୀ ଗଳ୍ପରେ ଜଣେ ମୂର୍ଖ ମୁସ୍ତଣ୍ଡା ତରୁଣକୁ ସେ ହିରୋ କରିବେ, ଯେ କି ଦେଶକୁ ଭଲ ପାଇବାର ଯଥେଷ୍ଟା ଉଦାହରଣ ରଖିବ । ସେହି ମୂର୍ଖର ଦେଶ ଭକ୍ତି ପାଖରେ ଏବେକାର ଉଚ୍ଚ ଶିକ୍ଷିତମାନଙ୍କ ମୁଣ୍ଡ ନଇଁ ନଇଁ ଯିବ. . . ।

ଧୃତିବାବୁଙ୍କ ଏମିତି ଏମିତି ଭାବନା ଭିତରେ ହଠାତ୍ ତାଙ୍କ ମୋଟର୍ ବାଇକ୍‌ର ଆଗ ଚକାଟା ରାସ୍ତାର ଖାଲରେ ପଡ଼ି, ବାଁ ପାଖକୁ ମୋଡ଼ି ହେଇଗଲା । ସଙ୍ଗେ ସଙ୍ଗେ ତାଙ୍କ ଅଜାଣତରେ ଡାହାଣ ହାତ ମୁଠାର ଏକ୍ସିଲେରେଟରଟା ଝିଙ୍କି ହେଇ, ଏତେ ସ୍ପୀଡ୍ ବଢ଼ିଗଲା ଯେ. . . ଧୃତିବାବୁ ଆଗପଛର ବ୍ରେକ୍ ଏକା ସଙ୍ଗେ ଦାବି ଦେଲେ ।

ବାରମ୍ୱାର ଘଷି ହେଉଥିବାରୁ ପଛ ଚକାର ବ୍ରେକ୍ କମ୍ ଧରିଲା. . . ଆଗର ବେଶି । ଗୋଟାଏ ଭୟଙ୍କର ଝଟ୍କା ସହିତ, ଆଖି ପିଛୁଳାକେ ଧୃତିବାବୁଙ୍କ ଛଅଫୁଟ୍ ଲମ୍ୱା ଦେହଟି ଗାଡ଼ିରୁ ଛିଟିକି ଯାଇ, ନାଲି ଗୋଡ଼ି ଶୁଳା ପଥର ଉପରେ ଗଡ଼ି ଗଡ଼ି ଘୋଷାରି ହେଇ, ରାସ୍ତା କଡ଼ ପାଣି ଧାର ଯାଏ ମାଡ଼ି ମାଡ଼ିଗଲା ।

ମୁଣ୍ଡରେ ହେଲ୍ମେଟ୍ ଥିଲେ ବି ସାମ୍ନା ପାଇନ୍‌ର ଗ୍ଲାସ୍ ଭାଙ୍ଗିରୁଜି ଚୁନା ହେଇଗଲା । ପ୍ୟାଣ୍ଟ୍ ସାର୍ଟଠାରୁ ଆରମ୍ଭ କରି ଜୋତା ପର୍ଯ୍ୟନ୍ତ ଧୂଣ୍‌ଧାଣ୍ ହେଇଗଲା । ସାରା ଦେହ ଲହୁ ଲୁହାଣ । ଯେମିତି ଅବା ଦେହର ସବୁ ଗଣ୍ଠି ଏକାବେଳକେ ହୁଗୁଳି ଗଲା । ରାସ୍ତା କଡ଼ ପାଣିରେ ପଡ଼ିଯିବା ନିଶ୍ଚିତ ଜାଣି ଧୃତିବାବୁ ତାଙ୍କ ନିଃଶକ୍ତ ହାତ ମୁଠା ଦୁଇଟିରେ ଶୁଖିଲା ମାଟିକୁ ଜାବୁଡ଼ି ଧରିବାର ନିଷ୍ଫଳ ପ୍ରୟାସ କଲେ ।

ଚେତା ଯାଉଥାଏ. . . ଆସୁଥାଏ । କେତେବେଳେ ଆଖି ଆଗରେ ଝାପ୍ସା ଝାପ୍ସା ଅନ୍ଧାର ତ. . . କେତେବେଳେ ଫିକା ଫିକା ଆଲୁଅ ଖେଳି ଯାଉଥାଏ । ମୁଣ୍ଡ ଝିମ୍ ଝିମ୍ ହେଉଥାଏ । ଦେହଟା ଏତେ ଶକ୍ତିହୀନ ଓ ଭାରି ହେଇଯାଇଥାଏ ଯେ. . . ଚେଷ୍ଟା କରି ମଧ୍ୟ ତଳୁ ଉଠି ହେଉ ନଥାଏ । ଗଳା ଶୁଖି ଜିଭ ଭିତରକୁ ଟାଣି ହେଇଗଲା ପରି ଲାଗୁଥାଏ । ପ୍ରମୋଦ ମହାପାତ୍ର ନାମକ ଜଣେ ଶିକ୍ଷକ ବନ୍ଧୁ ଧୃତିବାବୁଙ୍କର, ସେ ହିଁ ପ୍ରଥମେ ପହଞ୍ଚି, ପାଣି ବୁନ୍ଦା ତାଙ୍କ ଶୁଖିଲା ଓଠରେ ସିଞ୍ଚିଲେ । ଧୃତିବାବୁଙ୍କ ଆଖିପତା ମୁଦି ହେଇ ଆସିଲା. . . ଯେମିତିକି ଆଉ ଟିକକୁ ପ୍ରାଣ ପକ୍ଷୀ ଉଡ଼ିଯିବ !

ଏମିତି ଏମିତି ମରଣର ସାମ୍ନା ସାମ୍ନୀ ହେଉ ହେଉ ତାଙ୍କର ପୁରା ଚେତା ଚାଲିଗଲା । ଏହା ଭିତରେ ତାଙ୍କୁ ପାଖ ତରାସ ଗ୍ରାମର ଦୁଇଜଣ ଯୁବକ ଅଞ୍ଜନ ଓ ଅଭୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇ ଦେଲେ । ଖବର ପାଇ ପ୍ରଥମେ ପହଞ୍ଚିଲେ ତାଙ୍କ ଅଫିସମୁଖ୍ୟ ତୁଷାରକାନ୍ତ ଦଳବେହେରା । ଜଣେ ରସଜ୍ଞ ସାହିତ୍ୟ ପ୍ରେମୀ, ଭଲ ମଣିଷ ଭାବରେ ତାଙ୍କର ଧୃତିବାବୁଙ୍କ ସହିତ ସମ୍ପର୍କ ଖୁବ୍ ନିବିଡ଼ । ସେ ଜାଣିଥିଲେ- କେବଳ ଅନ୍ୟମନସ୍କତା ଯୋଗୁଁ ହିଁ ଧୃତିବାବୁଙ୍କ ପରି ଭାବପ୍ରବଣ ଗାଳ୍ପିକଙ୍କୁ ଏମିତି ଦୁର୍ଦ୍ଦଶା ବାରମ୍ୱାର ଭୋଗିବାକୁ ପଡ଼େ, ଏଥର କିନ୍ତୁ ଖୁବ୍ ବେଶି ହେଇଗଲା ।

ଧୀରେ ଧୀରେ ଆପଣା ଲୋକଙ୍କ ଗହଳି ବଢ଼ିଲା । ତାଙ୍କ ବେଡ୍‌କୁ ଚାରିଆଡୁ ବେଢ଼ି ମଳିନ ମୁହଁରେ ଠିଆ ହେଇଥାନ୍ତି- ଜିଲ୍ଲାର ଶ୍ରେଷ୍ଠ କ୍ରୀଡ଼ାବିତ୍ ଯୁବବନ୍ଧୁ ଗୋଲକ ବିହାରୀ, ପାଶ୍ଚାତ୍ୟ ସାହିତ୍ୟ ଗବେଷକ ବନ୍ଧୁ ଅମିୟ ଚରଣ, ଗାଳ୍ପିକ ବନ୍ଧୁ କାଳିନ୍ଦୀ ଚରଣ, ଗୀତିକାର ବନ୍ଧୁ କଳ୍ପତରୁ, ବନ୍ଧୁ ନାଟ୍ୟକାର ଶିବ ପ୍ରସାଦ ଓ ଶିଶୁ ସାହିତ୍ୟିକ ବନ୍ଧୁ ତ୍ରିଲୋଚନ ।

ପତ୍ନୀ ମିନତି ମଞ୍ଜରୀ ଧୃତିବାବୁଙ୍କ ପାଦ ପାଖରେ ବସି, ତାଙ୍କ ସ୍ଥିର ମୁହଁଟିକୁ ପଲକ ନ ପକାଇ ଚାହିଁଥାନ୍ତି । ଏଇ ଭାବପ୍ରବଣ, ଅନ୍ୟମନସ୍କ ସ୍ୱାମୀଟି ତାଙ୍କର ଘରୁ ଗାଡ଼ି କାଢ଼ିବା ସଙ୍ଗେ ସଙ୍ଗେ ସେ ଠାକୁର ଘରକୁ ଯାଇ ପ୍ରଣାମ କରନ୍ତି । ଭଲରେ ଭଲରେ ଫେରି ଆସନ୍ତୁ ବୋଲି ପ୍ରାର୍ଥନା କରନ୍ତି । ତେବେ ସୁଦ୍ଧା ଏହାକୁ ଲଗାଇ ପାଞ୍ଚଥର ଆକ୍ସିଡେଣ୍ଟ୍ ଘଟିଲାଣି । ମିନତି ମଞ୍ଜରୀଙ୍କ ଆଖି ଲୁହ ଛଳ ଛଳ ହେଉଥାଏ ।

ସାଲାଇନ୍ ଚାଲିଥାଏ । ମଝିରେ ମଝିରେ ଡାକ୍ତର ଓ ନର୍ସ ପହଞ୍ଚି ଇେଞ୍ଜକ୍ସନ୍ ଦେଉଥାନ୍ତି । ବି.ପି. ଦେଖୁଥାନ୍ତି । ସୋନୋଗ୍ରାଫିକ୍ ଟେଷ୍ଟ କରୁଥାନ୍ତି ଓ ଅକ୍ସିଜେନ୍‌ର ନୋଜାଲ୍ ମାସ୍କଟା ନାକ ଉପରେ ଠିକ୍ ଭାବରେ ରହିଛି କି ନା, ପରୀକ୍ଷା କରୁଥାନ୍ତି । ଅନ୍ୟ ରୋଗୀକୁ ଦେଖିବାକୁ ଗଲା ବେଳେ କହି ଯାଉଥାନ୍ତି ଏହି ମର୍ମରେ- ସୌଭାଗ୍ୟ ଯେ ହେଲ୍‌ମେଟ୍‌ଟା ଥିଲା ବୋଲି ବ୍ରେନ୍ ହାମ୍ରେଜ୍ ହୋଇ ନାହିଁ । କିନ୍ତୁ ସବୁଠୁ ବଡ଼ ଆଶ୍ଚର୍ଯ୍ୟ- ଏତେ ବଡ଼ ଦୁର୍ଘଟଣାରେ ବି କୌଣସି ବୋନ୍ ଫ୍ରାକ୍ଚର୍ କରି ନାହିଁ । ଏହାକୁ ହିଁ ଈଶ୍ୱରଙ୍କ କରିସ୍ମା ବୋଲି ଭାବନ୍ତୁ । କେହି ବ୍ୟସ୍ତ ହୁଅନ୍ତୁ ନାହିଁ । ସବୁ ଠିକ୍ ଚାଲିଛି, ଠିକ୍ ହେଇଯିବ ।

. . . ଏବଂ ଏମିତି ଆଶା ବାନ୍ଧି ବସିବାର ଚାରି ଘଣ୍ଟା ପରେ, ଧୃତିବାବୁଙ୍କର ଚେତା ଆସିଲା । ସେ ଆଖି ଖୋଲି ସମସ୍ତଙ୍କୁ ଦେଖିବାକୁ ଚାହୁଁଥାନ୍ତି, କିନ୍ତୁ ଦୃଷ୍ଟିର କରୁଣ ଡୋଳା ଦୁଇଟିଥରକୁ ଥର ଧ୍ୟାନମଗ୍ନ ହେଲା ପରି ଭ୍ରୁଲତା ଆଡ଼କୁ ବୁଲି ପଡୁଥାନ୍ତି । ପାଦ ପାଖରୁ ଉଠିଯାଇ ତୁଳାରେ ପାଣି ଟିକେ ଟିକେ ସିଞ୍ଚି ସିଞ୍ଚି ତାଙ୍କ ଶୁଖିଲା ଓଠକୁ ଓଦା କଲେ ମିନତିମଞ୍ଜରୀ । ବେଡ୍ ସୁଇଚ୍ ଦାବିବା ସଙ୍ଗେ ସଙ୍ଗେ ୱେଟିଂ ରୁମ୍ରୁ ସଙ୍କେତ ପାଇ ଡାକ୍ତର ପହଞ୍ଚିଲେ. . . ଇେଞ୍ଜକ୍ସନ୍ ଦେଲେ. . . ସାଲାଇନ୍ କାଢ଼ି ନିଆଗଲା ।

କ୍ରମଶଃ ପୂର୍ଣ୍ଣ ସଜ୍ଞାନକୁ ଆସିଗଲେ ଧୃତିବାବୁ ।

ଅକ୍ସିଜେନ୍ ବାହାର କରାଗଲା । ସମସ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳିଗଲା । ଅଥଚ ଧୃତିବାବୁ କାହାରିକୁ ପଦଟିଏ ବି କହୁ ନଥିଲେ । ଧୀରେ ଧୀରେ ଖୁସିର ଝଲକ୍ ଉଡ଼ିଯାଇ, ମୁହଁମାନଙ୍କରେ ମଳିନତା ଖେଳିବାକୁ ଲାଗିଲା । ସମସ୍ତେ ନିଜ ନିଜ ଢଙ୍ଗରେ ତାଙ୍କୁ ଡାକିଲେ ।

ସମସ୍ତଙ୍କ ପାଇଁ ତାଙ୍କର ଗୋଟିଏ ଉତ୍ତର – ହାତରେ ସଙ୍କେତ. . . ମୋତେ କେହି ଡିଷ୍ଟର୍ବ କର ନାହିଁ ।

ପୁଣି ମଗ୍ନତା ପୁଣି ପ୍ରବଣତା ।

ଏଥର କିନ୍ତୁ ଆଗାମୀ ଗଳ୍ପକୁ ନେଇ ନୁହେଁ. . . ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଭାବନା ।

ଭାବିଲେ- ମରଣକୁ ଅତି ସାମ୍ନାରୁ ଦେଖି ସେ ଭୟ କରିଗଲେ କାହିଁକି ? ଜୀବନର ପ୍ରବାହ ପରି, ମରଣର ସ୍ଥିରତା ମଧ୍ୟ ସତ୍ୟ । ଦୁଇଟା ଜାକ ତ ଦେହର ଅବସ୍ଥା । ଅବସ୍ଥାର ପରିବର୍ତ୍ତନ ଥାଏ । ଏହି ପାଇଁ ଜୀବନ ନିଶ୍ଚିତ ନୁହେଁ । ସଜ୍ଞାନ ମଣିଷ ତା’ର ଅନିଶ୍ଚିତ ଜୀବନ କାଳରେ ପରମାତ୍ମାଙ୍କ ପାଖକୁ ଫେରିଯିବାର ଚେଷ୍ଟା ରଖେ ।

ମୁକ୍ତି ନାମକ ଅଦେଖା ସତ୍ୟକୁ ପାଇବା ପାଇଁ, ଧୃତିବାବୁ ବି ଆଧ୍ୟାତ୍ମିକ ଗୁରୁ ଧରିଥିଲେ । ତାଙ୍କରି କୃପାରୁ ଜ୍ୟୋତି, ଛାୟା, ଅବାଡ଼, ତ୍ରାସର ଗହନ ତତ୍ତ୍ୱ ଜାଣିଥିଲେ । ଗବେଷଣା ମଧ୍ୟ କରୁଥିଲେ । ଗୁରୁଙ୍କ ଉପଦେଶ କ୍ରମେ ଶୂନ୍ୟ ଅକ୍ଷର ନାମ ଦୁଇଟିକୁ ଆଶ୍ରୟ କରି, ଯୋଗ ସାଧନା କରୁଥିଲେ । ସେ ଜାଣିଥିଲେ- ପ୍ରାଣ ପବନର ନିର୍ଦ୍ଦିଷ୍ଟ ମାତ୍ରାର ଯିବା ଆସିବା ଓ ରହିବାର ପଦ୍ଧତି ହିଁ ଯୋଗ ଓ ଏହାର ସୂକ୍ଷ୍ମାତିସୂକ୍ଷ୍ମ ନିରବ ଅନୁଶୀଳନ ହିଁ ବ୍ରହ୍ମ ଦର୍ଶନ । ଗୁରୁଙ୍କ ପ୍ରଦର୍ଶିତ ମାର୍ଗରେ ସାଧନାମଗ୍ନ ଥାଇ, ଦେହର ଯୋଗ ମନ୍ଦିରରେ ଅର୍ଦ୍ଧାଂଶ ଈଶ୍ୱର. . . ଅର୍ଦ୍ଧାଂଶ ପାର୍ବତୀଙ୍କ ରୂପ ଦର୍ଶନ କରୁଥିଲେ ଏବଂ ପୁଣି ଏକାକ୍ଷର ବ୍ରହ୍ମ ପୁରୁଷଙ୍କ ରୂପ ଅଙ୍କନ କରୁଥିଲେ- ସେହି ବିରାଟ ବ୍ୟାପକଙ୍କୁ ଏହି କ୍ଷୁଦ୍ର ସୀମିତ ଦେହ ମନ୍ଦିରରେ ଧାରଣ କରି. . . ।

ସତ୍ୟରେ ଆଶ୍ରିତ ଜୀବନ ଧୃତିବାବୁଙ୍କର ଥିଲା ଅତ୍ୟନ୍ତ ପବିତ୍ର । ଯୋଗମାର୍ଗୀ ହେତୁ, ପ୍ରବଣତା ଓ ନିରବତା ଥିଲା ତାଙ୍କର ଅଭ୍ୟାସ । ଅଳ୍ପ କହୁଥିଲେ. . . ବେଶୀ ମଗ୍ନ ରହୁଥିଲେ- ନିଜ ସାହିତ୍ୟ ସୃଷ୍ଟିରେ ଓ ଆଧ୍ୟାତ୍ମିକ ବିଭାବନାରେ ।

ଏସବୁ ସତ୍ତ୍ୱେ, ଦୁର୍ଘଟଣାରେ ଜୀବନ ଯିବାକୁ ଉପକ୍ରମ କଲାବେଳେ ସେ ତାଙ୍କ ଆରାଧ୍ୟଙ୍କ ନାମ ଉଚ୍ଚାରଣ କରିପାରିଲେ ନାହିଁ କାହିଁକି ? ବରଂ ନିଜକୁ ବଞ୍ଚାଇ ରଖିବାର ଶକ୍ତି ନିଜ ଠାରେ ଅଛି ବୋଲି ତାଙ୍କର ବିଶ୍ୱାସ ଜନ୍ମି ଯିବାରୁ, ସେ ଶୁଖିଲା ମାଟି ଦି’ମୁଠାକୁ ଜାବୁଡ଼ି ଧରିବାକୁ ଚେଷ୍ଟା କଲେ କିପରି ? ଦୃଶ୍ୟମାନ ଦେହଟିକୁ ଅଦୃଶ୍ୟ ନାମ ଦି’ଅକ୍ଷର ଧରି ରଖିଛି ବୋଲି ତାଙ୍କର ଯେଉଁ ଧାରଣା ଥିଲା. . . ଏହା ଦୁର୍ଘଟଣା ସଙ୍ଗେ ସଙ୍ଗେ ଚାଲିଗଲା କିପରି ?

ଏବେ ବି ତ ବୁଝୁଛନ୍ତି – ପ୍ରାଣ ପବନ ହିଁ ଦୁଇ ଅକ୍ଷର ନାମ । ଏହାର ନିୟନ୍ତ୍ରଣ ଓ ପ୍ରୟୋଗ ହିଁ ଯୋଗ । ଯୋଗରେ ମଗ୍ନତା ଓ ଐଶୀ ଶକ୍ତିର ଅନୁଭୂତି ହିଁ ସିଦ୍ଧି । ତେବେ, ଏସବୁକୁ ସେ ଭୁଲିଯାଇ ନିଜେ ନିଜର ରକ୍ଷାକର୍ତ୍ତା ବୋଲି ଭାବିପାରିଲେ କିପରି ? ୟାକୁ ହିଁ କ’ଣ “ମୋହ’ କୁହାଯାଏ ? ଯେଉଁ ମୋହ ପାଇଁ ପ୍ରାଣୀ ସବୁବେଳେ ଆବଦ୍ଧ ହେଉଥାଏ. . . ମୁକ୍ତ ହୁଏ ନାହିଁ ?

ଧୃତିବାବୁଙ୍କ ଅଜାଣତରେ କିଛି ଅହଂକାର ଥିଲେ ଯେ. . . ସେ ବର୍ତ୍ତମାନ ସମୟର ଜଣେ ସମାଜ ସଚେତନ, ଦେଶପ୍ରେମୀ, ଜୀବନଧର୍ମୀ ସଫଳ ଗାଳ୍ପିକ ଓ ବ୍ରହ୍ମବିଦ୍ୟାର ମର୍ମଜ୍ଞ ବିଦ୍ୱାନ, କିନ୍ତୁ ଏହି ଦୁର୍ଘଟମା ତାଙ୍କର ସେହି ଅବଶିଷ୍ଟ ଅହଂକାରକୁ ଚୂନା କରିଦେଲା । ସେ ନିଜକୁ ଆଉ କାହା ଦ୍ୱାରା ଚାଳିତ ଯନ୍ତ୍ରଟିଏ ବୋଲି ଭାବିଲେ । ନିଜ ଇଚ୍ଛାରେ ଯେମିତି କି ତାଙ୍କର ଏତେ ଟିକେ କରିପାରିବାର ତାକତ୍ ନାହିଁ ବୋଲି ସେ ଅନୁଭବ କଲେ ।

ଜୀବନ ଓ ମରଣର ସନ୍ଧି କ୍ଷଣରେ, ମରଣ ଆଡ଼କୁ ପାଦ ବଢ଼ାଉ ବଢ଼ାଉ, ସମ୍ଭବତଃ କେଉଁ ଇଚ୍ଛାମୟଙ୍କ ଆଗ୍ରହରେ ସେ ଫେରି ଆସିଛନ୍ତି ଜୀବନକୁ, ଜୀବନର ପ୍ରବାହକୁ । ଏଣୁ ଅବଶିଷ୍ଟ ଜୀବନ କାଳକୁ ପ୍ରାଣୀଙ୍କ ମଙ୍ଗଳ ପାଇଁ ବିତାଇବାକୁ ଧୃତିବାବୁ ସ୍ଥିର କଲେ ।

ସେ ଦେଶ ପାଇଁ ବଞ୍ଚିବେ । ଦେଶର ମଙ୍ଗଳ କରି ସଂସାର ଛାଡ଼ିବେ । ଏହା ହେଲେ ସିନା ତାଙ୍କର ମାଟି ମାଆର ପୁଅ ହେବା ସ୍ୱପ୍ନ ସଫଳ ହେବ ।

ଏହି ଦୁର୍ଘଟଣା ଯେମିତି କି ସୁଘଟଣା ହେଇ ଆସିଥିଲା ତାଙ୍କ ପାଇଁ । ତାଙ୍କର ମନ, ହୃଦୟ, ବୁଦ୍ଧି, ବିବେକ ଓ ଚେତନାର ସମଗ୍ର ଆନ୍ଦୋଳିତ, ଶଙ୍କିତ ବିସ୍ମୟମାନଙ୍କୁ ଏହି ଦୁର୍ଘଟଣା ଯେମିତି ଧୋଇ ଦେଇ, ଜୀଇଁବା ମରିବାର ମାର୍ମିକ ମହାସତ୍ୟ ତାଙ୍କୁ ଶୁଣାଇ ଚାଲିଲା-

ତୁ ତାଙ୍କର କାମ କରୁଥିଲେ ବାବୁ, ତୋ କାମ ସେ ଅବଶ୍ୟ କରିବେ । ଅନିତ୍ୟ ସଂସାରଟିରେ ମରଣଶୀଳ ଦେହଟିର ଅବକ୍ଷୟ ପାଇଁ, ଏମିତି ଏମିତି ଯେତେ ଦୁର୍ଘଟଣା ହେବ, ସେଥିରୁ ବର୍ତ୍ତିଲେ ସିନା, ତାଙ୍କ ପ୍ରତି ଆସ୍ଥା ବଢୁଥିବ । ମଙ୍ଗଳ ବିଧାନ ପାଇଁ ଅଧା କାମ ପୂର୍ଣ୍ଣ ହେଇଯିବ ।

ଆତ୍ମଦେବଙ୍କ ଚେତନାର ଏହି ମର୍ମସ୍ପର୍ଶୀ ସତ୍ୟକୁ ଉପଲବ୍ଧି କରି, ଧୃତବାବୁ ନିଃଶବ୍ଦରେ ଲୁହ ଝାରି କାନ୍ଦି ପକାଇଲେ । ଏହି ଲୁହ ଥିଲା ସନ୍ତର୍ପଣର. . . ଆନନ୍ଦ ଓ ଶାନ୍ତିର । ଯେମିତି କି ଘରର କାନ୍ଥ ଚଉହଦି ଭିତରେ ଥାଇ, ବ୍ୟକ୍ତିତ୍ୱର ବିକାଶ ପାଇଁ ସେ ଅଣନିଃଶ୍ୱାସୀ ହେଇ ଯାଉଥିଲେ । ଏବେ ଜାଣିପାରିଲେ, ଖୋଲା କବାଟ ଆର ପାଖରେ, ଜୀବନର ନିରାପଦ ସତ୍ୟ ତାଙ୍କୁ ଅପେକ୍ଷା କରି ରହିଛି ।

ସେ ନିଜର ନୁହଁନ୍ତି କି ଜଣଙ୍କର ନୁହନ୍ତି. . . ସମୂହର । ଯେହେତୁ ଜୀବନ ମଧ୍ୟ ନିଜର ନୁହେଁ, ନିଜ ନିୟନ୍ତ୍ରଣର ନୁହେଁ । ତେଣୁ ତାହା ସମୂହ ପାଇଁ ଖର୍ଚ୍ଚ ହେଉ
. . . ସୃଷ୍ଟିର ମଙ୍ଗଳ ହେଉ. . . ପ୍ରାଣୀ ଜଗତର ମଙ୍ଗଳରେ ଲାଗୁ ।

ଏମିତି ଭାବୁ ଭାବୁ, ଧୃତିବାବୁ ଅସୀମ ଶକ୍ତି ଅନୁଭବ କଲେ ଆପଣା ଭିତରେ । ତାଙ୍କ ଖଣ୍ଡିଆ ଖାବୁରା ଦେହ ଯେମିତିକ ପୂରି ଉଠିଲା ପରି ତାଙ୍କୁ ଲାଗିଲା । ବୋଧହୁଏ, ଆତ୍ମବଳ ହିଁ ଶ୍ରେଷ୍ଠ ବଳ । ଏହି ବଳ ତାଙ୍କ ଭିତରେ ଜାଗି ଉଠିବାରୁ, ସେ ହଠାତ୍ ବିଛଣା ଛାଡ଼ି ଉଠି ପଡ଼ିଲେ ।

ବନ୍ଧୁ ସମସ୍ତଙ୍କୁ ନମସ୍କାର କଲେ ।

ପତ୍ନୀଙ୍କ ଆଖିର ଲୁହ ଧାରକୁ ଛୁଉଁ ଛୁଉଁ କହିଲେ- ଏବେ ଲୁହ ନାଇଁ. . . ହସ ହିଁ ଦରକାର । ଚାଲ. . . ଏଇ ନିବୁଜ ଦ୍ୱାର ଆରପାଖରେ ଅନେକ ମଉଳା ମୁହଁ ଆମକୁ ଅପେକ୍ଷା କରିଛନ୍ତି । ଖରାପ ପରିବେଶରେ ପବିତ୍ର ଆତ୍ମ ସେମାନଙ୍କର ଦୁଃଖ ପାଉଛନ୍ତି । ଆମକୁ ତାଙ୍କ ଭିତରେ ପ୍ରାଣୀ-ପ୍ରାଣତା ଓ ସ୍ୱଦେଶ ପରାୟଣତା ଭରି ଦେବାକୁ ହେବ ।

ମହାମାନବର ମିଳନ ଭୂମି, ଏ ପବିତ୍ର ଭାରତ । ଏହାର ସନ୍ତାନ କ୍ଷୁଦ୍ର ହେଇ ଯାଉଛନ୍ତି । ଆମକୁ ସେମାନଙ୍କ ପାଇଁ “ମାନବ ପ୍ରୀତି ହିଁ ମାଧବ ପ୍ରୀତି” ଏହାରି ମର୍ମକୁ କାମରେ ପ୍ରୟୋଗ କରି ଦେଖାଇବାକୁ ପଡ଼ିବ । ଏତିକି କହି, ପୁଣି ବନ୍ଧୁ ମାନଙ୍କୁ ନମସ୍କାର କରି, ସହାଯାତ୍ରିଣୀଙ୍କ ହାତ ଧରି, ବାହାରିଗଲେ ଧୃତିବାବୁ. . . ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top