ଗଳ୍ପ

ଝରକା ସେ ପାଖେ

Bijayini Panda's odia story Jharakaa Se Paakhe

ଏ ମାଁ ସାବିତ୍ରୀ ଆଜିଠୁ ଏ ସତ୍ୟବାନ ଗୋଟାପଣେ ତୋର । ଯମ ଆସିଲେ ବି ତୁ ବଂଚି ଥିବା ଯାଏ ତୋର ଶଙ୍ଖା ସିନ୍ଦୁର କୁ ପଣତରେ ଘୋଡାଇ ରଖିଥିବୁ।

ଝରକା ସେ ପାଖେ

ଝରକାର ସେ ପାଖ ଆକାଶରେ ମିଟ୍‌ ମିଟ୍‌ କରୁଥିବା ତାରା ମାନଙ୍କୁ କରୁଣତାର ସହ ବଲବଲ ହୋଇ ଚାହିଁ ରହିଛନ୍ତି ସାବିତ୍ରୀ ଦେବୀ । ଝରକା ମଧ୍ୟଦେଇ ତୋଫା ତୋଫା ଜହ୍ନ ଆଲୁଅରେ ବେଶ ଫରଛା ଦିଶୁଛି ତାଙ୍କର ବେଡ଼ରୁମ୍‌ଟି ।

ସମୟ ରାତି ୨ଟା । ବେଡ଼ ଉପରେ ନିର୍ଜୀବ ଜଡବସ୍ତୁ ପରି ସ୍ଥାଣୁ ହୋଇ ପଡି ରହିଛନ୍ତି ସେ । ଚାରିଆଡେ ନିସ୍ତବଧତା ରାଜୁତି । ଆଖି କୋଣରୁ ଝରି ପଡୁଥିବା ଧାର ଧାର ଉତ୍ତପ୍ତ ଲୁହ ସବୁକୁ ପିଇଯାଉଛି ଶୁଖିଲା ଓଠ ଆଉ କିଛି ପୋଛାଯାଉଛି ପିନ୍ଧା ପଣତକାନିରେ । ନା ଅଛି ଯୌବନ, ନା ଅଛି ସେ ଆଭିଜାତ୍ୟ, ନା ଅଛି ହାତରେ ଶଙ୍ଖାସିନ୍ଦୁର, ନା ଅଛି ଆଜି ତାଙ୍କର ମୁରବିପଣିଆ । କେବଳ ମୃତ୍ୟୁ ଅପେକ୍ଷାରେ । ହତାଶାର ଜୀବନ ଭିତରେ ସେ ଆଜି ଅପେକ୍ଷାରତ ମୃତ୍ୟୁକୁ । କେବେ ସେ ମୃତ୍ୟୁ ଆସିବ ତାଙ୍କୁ କୋଳାଗ୍ରତ କରିବ ? ତା କୋଳରେ ଶାନ୍ତିରେ ଶୋଇଯିବେ ସେ ଚିରକାଳ ପାଇଁ ।

ତାଙ୍କର ଠିକ ମନେଅଛି ସେ ଦିନ, ଯୋଉ ଦିନ ସେ ପ୍ରଥମ କରି ଏ ଘରେ ପାଦ ଦେଇଥିଲେ ଦୀର୍ଘ ୬୦ ବର୍ଷ ତଳେ ନୁଆଁ ବୋହୁଟିଏ ହୋଇ । ସେତେବେଳେ ତାଙ୍କୁ ହେଇଥିଲା ମାତ୍ର ୧୬ ବର୍ଷ । ଅପରୁପା ସୌନ୍ଦର୍ଯ୍ୟରେ ଫାଟି ପଡୁଥିଲେ ସେ । ଗୋରା ତକତକ ଚେହେରାରେ ଗୋଲାପୀ ଗୋଲାପୀ ଓଠ । ଆଖି ଦୁଇଟି ହରିଣୀ ପରି ଚଳଚଞ୍ଚଳ । ଲମ୍ବା ଧାରୁଆ ନାକ ଉପରେ ଭୃଳତା ଦୁଇଟି, ସତେ ଯେପରି କେଉଁ ଚିତ୍ରକରର ତୁଳୀର ଚାତୁରୀ । ସୁନ୍ଦର ତନୁ ପାତଳି ଶରୀର । ପାଦ ଦୁଇଟି ରକ୍ତ ରଞ୍ଜିତ, ସରୁ ଧାର ଅଳତା ସହିତ ତାଙ୍କ ପାଉଁଜିର ରୁଣୁଝୁଣୁ ଶବ୍ଦରେ ବେଶ ରୋମାଞ୍ଚିତ ହୁଅନ୍ତି ସତ୍ୟବାବୁ ।

ସତ୍ୟବାବୁ, ସେତେବେଳେ ତାଙ୍କୁ ବୟସ କୋଡିଏ । ମାତ୍ର ଚାରି ବର୍ଷର ବଡ଼ ସେ ସାବିତ୍ରୀଙ୍କ ଠାରୁ । ମାଁ ବାପାଙ୍କ ଏକମାତ୍ର ପୁଅ । ଜମିଦାରୀ ଘର, ଖାଇବା ପିଇବାରେ ଅଭାବ ନାହିଁ । ନିଜେ ମଧ୍ୟ ସରକାରୀ କର୍ମଚାରୀ । ବେଶ ଦୁଇ ପଇସା ରୋଜଗାର । ଜମିବାଡ଼ି ବି ଢେର ଅଛି ।

ଥଟ୍ଟା ତାମସା ହସ ଖୁସିର ସଂସାର ଭିତରେ ଦେଖୁ ଦେଖୁ ତିନୋଟି ଝିଅ ଓ ଦୁଇଟି ପୁଅର ମାଁ ବାପା ସେମାନେ । ପଚିଶ ବର୍ଷ ଭିତରେ ପୁଅଝିଅ ସମସ୍ତ ହାତକୁ ଦି ହାତ କରିସାରିଛନ୍ତି । ଝିଅମାନେ ଯେ ଯାହାର ଘର ସଂସାର ନେଇ ଖୁବ ଖୁସି । ବୋହୁ ଦି’ଟା ଭି ହୀରା ଯୋଡିଏ । ବହୁତ ସମ୍ମାନ ଦିଅନ୍ତି ସାବିତ୍ରୀ ଦେବୀ ଓ ସତ୍ୟବାବୁଙ୍କୁ । ଏ ଦୁହେଁ ବି କେବେ ବୋହୁ ନଜରରେ ଦେଖି ନାହାନ୍ତି ସେମାନଙ୍କୁ । ସତେ ଯେପରି ତାଙ୍କର ଜନ୍ମକଲା ଝିଅ ଦୁଇଟା ।

ସତ୍ୟବାବୁ ଅବସର ନେଇ ସାରିଛନ୍ତି । ଏକ କଥାନୁକଥିତ କର୍ମ ଜଞ୍ଜାଳରୁ ମୁକ୍ତି । ସତ୍ୟବାବୁ ନିବିଡ଼ ଭାବରେ ଭଲ ପାଆନ୍ତି ସାବିତ୍ରୀ ଦେବୀଙ୍କୁ । ଅତି ଗଭୀର ଭାବରେ । କୌଣସି ଜିନିଷ ତାଙ୍କୁ ପାଟିରୁ ବାହାରି ନ ଥିବ ସାଙ୍ଗେ ସାଙ୍ଗେ ସେଟା ହାଜିର । ସାବିତ୍ରୀ ଦେବୀଙ୍କ ଏମିତି କିଛି ଇଚ୍ଛା ନାଇଁ ଯେଉଁଟା କି ସତ୍ୟବାବୁ ପୁରଣ କରିବା ପାଇଁ ଅସମର୍ଥ ହୋଇଥିବେ । ଏତେ ଗଭୀର ଭାବେ ଭଲ ପାଇବା ଭିତରେ କଟି ଯାଇଛି ଚାଳିଶ ବର୍ଷ । ସମୟର ଚକ ସେଇମିତି ଘୁରି ଚାଲିଛି ।

ଦୁନିଆରେ ସବୁ କିଛି ପରିବର୍ତ୍ତନଶୀଳ । ମାତ୍ର ସାବିତ୍ରୀଙ୍କୁ ଭଲ ପାଇବାରେ କିଛି ବି ପରିବର୍ତ୍ତନ ଆଣିନାହାନ୍ତି ସତ୍ୟ ବାବୁ । କାଲି ଯେମିତି ଭଲ ପାଉଥିଲେ ଆଜି ବି ସେମିତି ଭଲ ପାଆନ୍ତି ତାଙ୍କୁ। ଥରେ ଖରାଦିନେ ଦ୍ଵିପହର ବେଳେ ସାନ ବୋହୁଙ୍କୁ ପଖାଳ ବାଢିବାକୁ କହିଲେ ସତ୍ୟ ବାବୁ । ସାନବୋହୁ ଆଣିଲେ ଶାଶୁ, ଶ୍ୱଶୁରଙ୍କ ପାଇଁ । ସେମାନେ ଖାଇ ସାରିଲେ ପୁଣି ବାକି ଦୁଇ ବୋହୁ ଖାଇବେ । ଦୁଇ ପୁଅର ସିଫ୍ଟ ଡିଉଟି ସେମାନେ ଖାଇକି ଗଲେଣି । ଦ୍ଵିପହରର ଖାଇବା ବଢ଼ାହେଲା ଦେଖାଗଲା ସତ୍ୟବାବୁ ନାହାନ୍ତି । ହାତ ଧୋଇଯିବା ବାହାନାରେ ସେ କୁଆଡେ ଚମ୍ପଟ । ସାନ ବୋହୁ ବାଡ଼ି ଦୁଆର, ଏ ରୁମ ସେ ରୁମ ଦେଖି ଆସିଲେ କାହିଁ ନାହାନ୍ତି ଶ୍ୱଶୁର । ହଠାତ ନଜର ପଡିଲା ଶ୍ୱଶୁର ଏତେବଡ଼ ୪୦ ଡିଗ୍ରୀ ଧୁ ଧୁ ଖରାରେ ଛତାଟିଏ ଓଢ଼ି ଗେଟ ପଟୁ ଭିତରକୁ ଆସୁଛନ୍ତି। ବଡ଼ ବୋହୁ ଦଉଡି ଗଲେ ପଚାରିଲେ “ବାପା ତୁମେ ଏତେ ବଡ଼ ଖରା ରେ କୁଆଡେ ଯାଇଥିଲ କି ?” ସତ୍ୟ ବାବୁ ନିରୁତ୍ତର । ସାବିତ୍ରୀ କିନ୍ତୁ ଜାଣିଲା ପରି ମୁରୁକି ମୁରୁକି ହସୁଥିଲେ। ବୋହୁ ଦେଖିଲେ ଶ୍ୱଶୁର କଣ ଗୋଟାଏ ଲୁଚାଉଛନ୍ତି । ମିଲି ଯାଇ ଅଜାଙ୍କ ହାତକୁ ଝିଙ୍କି ଦେବାରୁ ଦେଖିଲାବେଳକୁ ଅଜାଙ୍କ ହାତରେ fair & lovely । ସନ୍ଧ୍ୟା ଦେବା ପୂର୍ବରୁ ସାବିତ୍ରୀ ଟିକିଏ ଧୁଆ ଧୋଇ ହୋଇ କ୍ରିମଟା ଲଗାନ୍ତି ସତ୍ୟବାବୁଙ୍କ ବରାଦରେ । ପାଉଡର ବୋଳି ହୋଇ ମଥାରେ ସିନ୍ଦୁର ମେଞ୍ଚେ ଲଗାନ୍ତି । ହଠାତ ମନେ ପଡ଼ିଲା କ୍ରୀମ ଟା ସାରିଯାଇଛି ସନ୍ଧ୍ୟାରେ କାଳେ ଅସୁବିଧା ହେବ ସେପାଇଁ ଦିନ ଦ୍ଵି ପହରେ fair & lovely କିଣି ଯାଇଥିଲେ ।

ଏମିତି ଭଲ ପାଇବା ଭିତରେ କଟିଯାଇଛି ଦୀର୍ଘ ୬୦ ବର୍ଷ । ଅବସର ପରେ ସତ୍ୟ ବାବୁଙ୍କ ସବୁ ସମୟ ଉତ୍ସର୍ଗୀ କୃତ ସାବିତ୍ରୀଙ୍କ ପାଇଁ । ବେଡ଼ରୁମରେ ଦୁହେଁ ବସିଥିବେ, ଟି ଭି ଦେଖୁଥିବେ ହେଲେ ଏବେବି ସତ୍ୟବାବୁ ନିରେଖି ଚାହୁଁଥିବେ ସାବିତ୍ରୀଙ୍କୁ । ତାଙ୍କ ପାଇଁ ସାବିତ୍ରୀ ସବୁଦିନେ ନୂଆ। ବେଶୀ ଚାହିଁବା ଭିତରେ ସତ୍ୟ ବାବୁ କୋମଳତାର ସ୍ପର୍ଶଟେ ଦେବେ ସାବିତ୍ରୀଙ୍କୁ । ତାଙ୍କ ହାତ ପାପୁଲିରେ ଯେତେବେଳେ ସାବିତ୍ରୀଙ୍କ ମୁହଁକୁ ତୋଳି ଧରନ୍ତି, ଶାନ୍ତି ରେ ଆଖି ଦି ଟା ମୁଦି ଦିଅନ୍ତି ସାବିତ୍ରୀ । କି ସୁନ୍ଦର ସେ ଅନୁଭବ । ଅନୁଭଵ ଭିତରେ ଗୋଟାପଣେ ସମର୍ପଣ ଭାବ ।

ଏବେ ତ ବୟସ ଗଡ଼ିଲାଣି । ଦେହରେ ଆଉ ପାଣି ଯାଉନି । କାଳେ ଥଣ୍ଡା ହେବ ବୋଲି ସାବିତ୍ରୀ ଉଠିଲା ବେଳକୁ ସତ୍ୟ ବାବୁ ପାଣି ଗରମ କରିଦେଇଥିବେ । ଦ୍ଵିପହର ବେଳା ଟିକେ ଖାଇକି ଗଡ଼ିବାର ଅଭ୍ୟାସ ସାବିତ୍ରୀଙ୍କ । ଏ ସମୟରେ ଦୁଆରରେ ଶୁଖୁଥିବା ସାବିତ୍ରୀଙ୍କ ଶାଢ଼ୀକୁ ଆଣି ବହୁ ଯତ୍ନର ସହ ଭାଙ୍ଗ କରିଦେଇଥିବେ ଆଉ ତକିଆ ତଳେ ଥୋଇ ଦେଇଥିବେ ସତ୍ୟ ବାବୁ । ଏବେ ବି ସାବିତ୍ରୀଙ୍କ ହାତ ର ଚା ଭାରି ପସନ୍ଦ ସତ୍ୟବାବୁଙ୍କୁ । ବ୍ଲଡ଼ ପ୍ରେସର ହାଇ ଥିବାରୁ କାଳେ ମେଡ଼ିସିନ ନେବାରେ ଭୁଲ ହୋଇଯିବ ଏଣୁ ବିପି, ଡାଇବେଟିସ, କଲେଷ୍ଟ୍ରଲ ଆଦିର ମେଡ଼ିସିନ ଆଣି ଯଥା ସ୍ଥାନରେ ସଜେଇ ରଖିଥିବେ ସତ୍ୟ ବାବୁ । ଗାଧୋଇ କି ଆସିଲା ପରେ ଠାକୁର ପୂଜା ହେବ ଏଣୁ ପୂଜା ପାଇଁ ସାମ୍ନା ବଗିଚାରୁ ଅତି ଶରଧାରେ ତୋଳି ଆଣିଥିବେ ଫୁଲ ଗୁଡିକ ଆଉ ସଜାଇକି ଚାଙ୍ଗୁଡ଼ିରେ ରଖିଥିବେ ଠାକୁର ଘରେ । ରାତିରେ ଖାଇ ସାରିଲା ପରେ ସବୁଦିନ ସାବିତ୍ରୀ ଟିକେ ବସନ୍ତି ସତ୍ୟ ବାବୁଙ୍କ ଗୋଡ଼ ପାଖରେ । ବାହା ହେବା ଦିନ ଠାରୁ ସାବିତ୍ରୀଙ୍କ କୋମଳ ସ୍ପର୍ଶ ନ ପାଇଲେ ସତ୍ୟ ବାବୁଙ୍କୁ ନିଦ ହୁଏନି । ଏଇମିତି ହାତ ପାପୁଲିରେ ସତ୍ୟବାବୁଙ୍କୁ ମଥାରେ ଟିକେ ଆଉଁସି ଦେଲେ ଶାନ୍ତିରେ ଶୋଇ ଯାଆନ୍ତି ସେ । ତାଙ୍କ ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ମଧୁସିକ୍ତ ।

ଏଇ ପ୍ରେମ ଯେ ଶାଶ୍ୱତ, ଚିରନ୍ତନ । ଗଭୀର ପ୍ରେମ । ଏତେ ଭଲ ପାଇବା ଭିତରେ ଦୁହେଁ ଦୁହିଁଙ୍କର ବାର୍ଦ୍ଧକ୍ୟକୁ ସୁରକ୍ଷୀତ ମଣନ୍ତି ଆପଣା ଭିତରେ । ଏତେ ଭଲ ପାଇବା ଭିତରେ ସାବିତ୍ରୀଙ୍କୁ ବେଳେ ବେଳେ ଡର ଲାଗେ । ଗୋଟିଏ ଅଜଣା ଭୟ ଭିତରେ ଗୋଳେଇ ଘାଣ୍ଟି ହୁଅନ୍ତି । ଯଦି ତାଙ୍କୁ କେବେ କିଛି ହୋଇଯାଏ ତାହେଲେ ସତ୍ୟ ବାବୁ ବଂଚି ପାରିବେ ତ ।

×××××××××××××××

ଏହି ଭୟ ଦିନେ ଅଚାନକ ସତ ହେଲା । ସାବିତ୍ରୀ ବାଥ ରୁମ ଯାଇଥିବା ବେଳେ ଲାଇଟ ଚାଲିଗଲା ଆଉ ସେ ହରବରରେ ଆସୁ ଆସୁ ଗୋଡ଼ ଖସିଗଲା । ଖୁବ ଜୋରରେ ପାଟି କଲେ ସେ । ସତ୍ୟ ବାବୁ ଚା କପଟା ଛାଡି ଧାଇଁ ଆସିଲେ ହେଲେ ଏ ବୁଢାଟା ଶରୀରରେ କଣ ଆଉ ବଳ ଅଛି ସାବିତ୍ରୀ ଙ୍କୁ କୋଳେଇ ନେବା ପାଇଁ ? ପୁଅ ବୋହୂ ସମସ୍ତେ ଆସିଲେ ଟେକା ଟେକି ହୋଇ ବେଡ଼ ରୁମକୁ ନେଲେ । ଡାକ୍ତର ଆସିଲେ ଦେଖିଲେ ଅଣ୍ଟାର ହାଡ଼ଟା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଆମ୍ବୁଲାନ୍ସ ଡକାହେଲା। ହସ୍ପିଟାଲ ନିଆହେଲା । x’ray ରିପୋର୍ଟ ଦେଖି ଡକ୍ଟର କହିଲେ ବଡ ମେଡିକାଲ ନିଆହେବ ଆଉ ସଂଗେ ସଂଗେ ଅପରେସନ ହେବ ।

ବାସ ସେତିକି । ଅକାଳ ଚଡକ ପଡିଲା ସତ୍ୟ ବାବୁଙ୍କୁ । ପୁଅ ବୋହୂ ସମସ୍ତଙ୍କର ଆକଟ, ସତ୍ୟ ବାବୁ ହସ୍ପିଟାଲ ଯିବେ ନାହିଁ । ସାବିତ୍ରୀଙ୍କ ଅପରେସନ ସରିଲେ ସେ ଯିବେ । କଷ୍ଟରେ ଚିତ୍କାର କରୁଛନ୍ତି ସାବିତ୍ରୀ ଆଉ ଡହକ ବିକଳ ହେଉଛନ୍ତି ସତ୍ୟ ବାବୁ, କିନ୍ତୁ ଯିଏ ଯେତେ ଅନ୍ତରଙ୍ଗ ହେଲେବି କିଏ କଣ କାହା କଷ୍ଟ ନେଇପାରେ ??? ଗୋଡର ଭାରସାମ୍ୟ ରଖିବାକୁ ଇଟା ଟିଏ ଝୁଲା ହେଲା ସାବିତ୍ରୀଙ୍କ ଗୋଡ଼ରେ । ଖାଲି ଦୀର୍ଘ ନିଶ୍ଵାସ ନେଉଥାନ୍ତି ସେ । ଓଃ ଆଃ ଚିତ୍କାର ରେ ଫାଟି ପଡୁଥାଏ କେବିନଟା । ଭଲ ହେଲା ସତ୍ୟ ବାବୁ ଆସିନାହାନ୍ତି, ସାବିତ୍ରୀଙ୍କ ଏତେ କଷ୍ଟ ସେ କଣ ଦେଖି ପରିଥାନ୍ତେ ? ଦୁଇଦିନ ପରେ ଅପରେସନ ହେବ । ପୁଅ ବୋହୂ , ଝିଅ ଜ୍ୱାଇଁ ସମସ୍ତଙ୍କ ଧାଁ ଦୌଡ଼ ଘରଠୁ ହସ୍ପିଟାଲ ଆଉ ହସ୍ପିଟାଲଠୁ ଘର । ସତ୍ୟ ବାବୁ ବର୍ତ୍ତମାନ ଅଲୋଡ଼ା ହୋଇଯାଇଛନ୍ତି ସମସ୍ତଙ୍କ ପାଇଁ କାରଣ ତାଙ୍କର ଆଉ ବଳ ବୟସ ନାହିଁ ।

ତେଣେ ସାବିତ୍ରୀଙ୍କୁ ଶାରରିକ କଷ୍ଟ ଯେତେ ହେଉଛି, ତାଠୁ ମାନସିକ କଷ୍ଟଟା ବେଶୀ । ଆଖି ଦୁଇଟି ଖୋଜୁଛି ନିଜ ମନର ମଣିଷକୁ । ତାପର ଦିନ ହଠାତ ଫୋନ କଲ ଆସିଲା, ସାନବୋହୁର ଭାଉଜଙ୍କ ପାଖକୁ ।

ସାନବୋହୁର ଭାଉଜ ଅର୍ଥାତ ମୁଁ । ସେ ମତେ କହିଲେ “ମାଁ ଙ୍କୁ ଝୁରିଝୁରି ବାପାଙ୍କ ହାର୍ଟ ଏଟାକ”। ଏଣୁ ତୁମକୁ ଆଜିରାତି ହସ୍ପିଟାଲରେ ରହିବାକୁ ପଡିବ ମାଁ ଙ୍କ ପାଖେ । ବାପା ସିରିଅସ । ମୁଁ ହଁ କଲି । ଟିକେ ନିଶ୍ୱାସ ମାରୁ ମାରୁ ପରବର୍ତ୍ତୀ ଫୋନ କଲ…………..”ବାପା ଆଉ ନାହାନ୍ତି” । ହେ ଭଗବାନ ଏ କଣ ହେଲା ? ଏତେ ବଡ଼ ସୁନାର ସଂସାର ଗୋଟେ ମୁହୂର୍ତ୍ତରେ ଉଜୁଡି ଗଲା । ମୋ ଘର ସମ୍ବଲପୁରରେ । ବୁର୍ଲା ହସ୍ପିଟାଲ ଠୁ ୧୦ କିମି ଦୂର । କେମିତି ସାମନା କରିବି ମାଉସୀଙ୍କୁ, ମନକୁ ବୁଝାଇ ବାହାରି ପଡ଼ିଲି । କର୍ତ୍ତବ୍ୟତ କରିବାକୁ ପଡିବ, ମନ ଭିତରେ ଗଭୀର ଆତ୍ମବିଶ୍ୱାସ ମାଉସୀଙ୍କୁ କିଛି ନ ଜଣାଇ ଆରାମରେ ସମ୍ଭାଳି ନେବି ଆଜି ରାତି ଟିକାକ । ରାତିରେ ଦି ପଟ ରୁଟି ଓ ଫ୍ଲାସ୍କରେ ଉଷୁମ କ୍ଷୀର ଟିକେ ନେଇ ପହଁଚି ଗଲି ହସ୍ପିଟାଲ କେବିନରେ । ନିଜକୁ ନିଜେ ପ୍ରସ୍ତୁତ କଲି । ମାଉସୀ ଖୁବ ମିଷ୍ଟଭାଷୀ । ମତେ ଯେମିତି ଦେଖିଲେ ଖୁସି ହୋଇଗଲେ । ତାଙ୍କ ସାନବୋହୁର ଭାଉଜ ମୁଁ । ମତେ ସେ ଭାରି ଭଲ ପାଆନ୍ତି । ଦୁଖଃ ସୁଖ ଟିକେ ଚାଲିଲା । ମୋ ମନଟା ଏଣେ ସେପଟେ । କଣ ଘଟିଗଲା ଏ ??? କିପରି ସବୁ ମୃତକ୍ରିୟା ହବ ? ମାଉସୀ ଯେତେବେଲେ ଜାଣିବେ ମଉସା ଆଉ ନାହାନ୍ତି, ପରିସ୍ଥିତି କଣ ହେବ ? ମାଉସୀଙ୍କୁ ଦେଖି ଆଖିକୋଣ ମୋର ଜକେଇ ଆସୁଥିଲା କିନ୍ତୁ ଆଖିରେ କଣ ଗୋଟେ ପଡିଲା ପରି ଅଭିନୟ କରୁଥିଲି ମୁଁ ।

ମାଉସୀ ଙ୍କ ଗୋଡ଼ ପଟେ ବସିଲି ମୁଁ । କହିଲି “ମାଉସୀ ପଟେ ଦି ପଟ ରୁଟି ଖାଇନିଅନ୍ତୁ ଔଷଧର ସମୟ ହୋଇଗଲାଣି” । ସେ କହିଲେ ମତେ ଆଦୌ ଭୋକ ନାହିଁ ରେ ମାଁ ତୋ ମଉସା ଏବେ ଖାଇ ନ ଥିବେ । ତାପରେ ସେ ଭି ସନ୍ଦେହି ମନୋଭାବ ଟିଏ ନେଇ ପଚାରିଲେ “ଆଚ୍ଛା ଝିଅ – ମୋର ଏତେ ବଡ଼ ପରିବାର ଥାଇ ଆଜି ମୋ ପାଖରେ କେହି ରହିଲେ ନି ଯେ ତୁ ଆସି ରହିବୁ ରାତିରେ ?” କଣ ବା କହିବି ମୁଁ । ସେ ମତେ ଜଣ ଜଣ କରି ସମସ୍ତଙ୍କର କଥା ପଚାରୁଥାନ୍ତି ଆଉ ମୁଁ କଥା କାଟି କାଟି ଗୋଟିଏ ପରେ ଗୋଟେ ମିଛ କହୁଥାଏ । ତା ପରେ ସେ କହିଲେ – “ତୋ ମଉସା ବି ଫୋନ କରିବେ ବୋଲି କହିଥିଲେ, ମତେ ଠକି ଦେଲେ । କଣ ତାଙ୍କର ଦେହ ଖରାପ ହେଲାକି ? ମୁଁ ଜାଣେ ସେ ମୋ ବିନା ରହିପାରିବେନି” । ମୁଁ ନିର୍ବାକ, ମତେ ଲାଗିଲା ସେ କିଛି କିଛି ଜାଣିପାରୁଛନ୍ତି କି ? କାରଣ ଏଟା ଗୋଟିଏ ହୃଦୟ ସହ ଆଉ ହୃଦୟର ସମ୍ପର୍କ ।

ସେ Medicine ଖାଇ ଟିକିଏ ଶୋଇଗଲେ । ମୁଁ ଗୋଟେ Magazine ନେଇ କି ଯାଇଥାଏ । ରାତିରେ ଅନିଦ୍ରା ରହିବି, ବହି ଟା ପଢିବି । ବହିଟା ପଢୁ ପଢୁ ଟିକେ ଘୁମେଇ ପଡିଲି ମୁଁ । ମୋ ମନ ଭିତରେ ଅସରନ୍ତି ଭାବନା । ସେ ପଟର ଦୃଶ୍ୟ । ଲୋକବାକ ବନ୍ଧୁପରିଜନ ସବୁ ରୁଣ୍ଡ ହୋଇ ସାରିଥିବେ । ସମସ୍ତଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା, ଭଗବାନ ଏମତି ପରିସ୍ଥିତି କାହାକୁ ନ ଦିଅନ୍ତୁ । ହଠାତ ଉଠିପଡିଲେ ମାଉସୀ । ମୁଁ ଭି ଚେଇଁ ଥାଏ । ମତେ ପାଖକୁ ଡାକି କହିଲେ “ଝିଅ, ତୋ ମଉସାଙ୍କୁ ଦେଖି ପାରିଲୁ କି ? ତୋ ମଉସା ଏବେ ମୋ ପାଖକୁ ଆସିଥିଲେ । ତାଙ୍କ କୋଳରେ ମୋ ମୁଣ୍ଡଟା ରଖି ଟିକେ ଆଉଁସି ଦେଲେ । ତାପରେ ମୋର ମୁଣ୍ଡରୁ ପାଦ ଯାଏ ହାତଟା ବୁଲାଇ ଦେଲେ ।” ମୁଁ ଅନୁଭବ କରିପାରୁଛି ତାଙ୍କର ସ୍ପର୍ଶକୁ । ମୁଁ କହିଲି “ସ୍ୱପ୍ନ ଦେଖିଥିବେ ବୋଧେ ମାଉସୀ ଶୋଇ ପଡ ।” ସେ କହିଲେ “ନା” । ଝିଅ ଦେଖ କବାଟ ଟା କେମିତି ଖୋଲା ହୋଇଛି । କେବିନର ପରଦାଟା ବି ହଲୁଛି । ତାଙ୍କ ଦେହର ଗନ୍ଧ ମୁଁ ବେଶ ବାରିପାରୁଛି ।” ମୁଁ ବି ଆଶ୍ଚର୍ଯ୍ୟ ହୋଇଗଲି । ସତକଥା ତ କେବିନ ର କବାଟ ଟା ତ ଆଉଜା ହୋଇଥିଲା, କିଏ ଖୋଲିଲା ? ତାପରେ ସାଲାଇନ ପାଇଁ ମୁଁ ନିଜେ ତାଙ୍କ ହାତରୁ ଚୁଡିକୁ ଖୋଲିଥିଲି । ସେ ଭାରି ମନଦୁଃଖ କଲେ । ମତେ କହିଲେ “ସବୁ ଖୋଲନି ଝିଅ । ଯେତେବେଳେ ପର୍ଯନ୍ତ ମୋ ହାତରେ ଶଙ୍ଖା ସିନ୍ଦୁର ଅଛି ତାଙ୍କରି ଉପସ୍ଥିତି କୁ ମୁଁ ଅନୁଭବ କରିପାରୁଛି ।” ମୁଁ ଭି ହଁ କଲି । କିନ୍ତୁ ଡାକ୍ତର ମନାକଲେ କାଚ ଚୁଡି ପିନ୍ଧିବା ପାଇଁ ଏଣୁ ବାଧ୍ୟହୋଇ ଖୋଲିଥିଲି । ହଠାତ ଦେଖିଲି ସାଲାଇନ ଲାଗିଥିବା ହାତରେ ଗୋଟିଏ ଲାଲ ଚୁଡି ଅଛି । ଆଗରୁ ଶୁଣିଥିଲି ମଣିଷ ମଳା ପରେ ଯେତେବେଳ ପର୍ଯନ୍ତ ଶବ କୁ ଦାହ କରା ନ ଯାଇଛି , ଆତ୍ମା ନିଜ ଶରୀରରୁ ବାହାରି ନିଜ ଅନ୍ତରଙ୍ଗ ମାନଙ୍କ ପାଖରେ ଘୁରି ବୁଲୁଥାଏ । ଶିହରି ଉଠିଲି ମୁଁ । ପଚାରିଲି “ମାଉସୀ ତୁମେ ନିଜେ ନିଜେ ଚୁଡି ପିନ୍ଧି ପକାଇଲ କି ? ” ସେ କହିଲେ “ମୋ ଗୋଡ଼ରେ ଇଟା ବନ୍ଧା ହୋଇଥିବା ଯୋଗୁଁ ହଲି ବି ପାରୁନି, ଆଉ ହାତରେ ମୋ ପରା ସାଲାଇନ, ପିନ୍ଧିବି କିପରି ? ” ତୋ ମଉସା ଖାଲି ହାତ ଦେଖି ପିନ୍ଧାଇ ଦେଲେ । ମୁଁ ଆଶ୍ଚର୍ଯ୍ୟ । ପାଟି ମୋର ଖନୀ ମାରିଯାଉଥାଏ । ବାହାରୁ ଫୋନଟା କରିସାରି ଭିତରକୁ ଆସିଲି ମୁଁ । ସେ କହିଲେ “ବ୍ରାହ୍ମଣ ଘର ବୋହୁ ମୁଁ । ଗାଧୋଇ ପାଧୋଇ ସାରିଲେ ମଥାରେ ସିନ୍ଦୁର ଟୋପା ନ ଲଗାଇଲେ ପାଣି ପିଇବି ନାହିଁ ।” କଣ କରିବି ମୁଁ ବୁଝି ପାରିଲି ନାହିଁ । କିଛି ଟିକିଏ ଖାଇଲେ ତାଙ୍କୁ Medicine ଦିଆଯିବ, ତାଙ୍କର ଯେ ଗୋଟେ ଜିଦ ସିନ୍ଦୁର ଲଗାଇବେ । କେମିତି କହିବି, ସିନ୍ଦୁରର ଯୋଗ୍ୟା ଆଉ ନୁହଁ ବୋଲି । ସବୁ ପାପ ପୁଣ୍ୟକୁ ପଛରେ ପକାଇ ସିନ୍ଦୁର ଖୋଜିବାର ବାହାନା କଲି । ଦେଖିଲି ମଉସା ବଡ଼ ଯତ୍ନରେ ରଖିଦେଇ ଯାଇଥିଲେ fair & lovely, ପାଉଡର, ସିନ୍ଦୁର, ଅମୃତାଞ୍ଜନ ଡବା ଆଉ ମେଡ଼ିସିନ ସବୁ । ଶବ ଦାହ କଲାପରେ ପ୍ରାୟ ଦିନ ୧୦ ଟା ରେ ଆସିଲେ ସାନପୁଅ, ଜ୍ୱାଇଁ । ବାକି ଅଧେ ରହିଗଲେ କାରଣ ପୁଣି କ୍ରିୟା କର୍ମ ତ ଅଛି। ସେଦିନ ୨ଟା ବେଳେ ଅପରେସନ ହେଲା । ତା ପର ଦିନ ମାଉସୀଙ୍କୁ ଆମ୍ବୁଲାନ୍ସ ରେ ଘର କୁ ନିଅ ଗଲା । ମାଉସୀ ଭାରି ଖୁସି ଘରକୁ ଯିବେ । ସତ୍ୟ ବାବୁ ସେଇଠି ତାଙ୍କ ବାଟ ଚାହିଁ ବସିଥିବେ । ସେ ଅଭିମାନ କରିବେ ଆଉ ସତ୍ୟବାବୁ ପୁଣି ଆସି ତାଙ୍କୁ ମନେଇବେ ।

ଆମେ ସବୁ ଆଗରୁ ପହଞ୍ଚି ଯାଇଥାଉ ସେଇଠିକୁ । ଆମ୍ବୁଲାନ୍ସ ତେଣେ ଯେତିକି ନିକଟତର ହେଉଥାଏ ଆମ୍ଭ ମାନଙ୍କ ଆତୁରତା ସେତେ ବଢି ଚାଲିଥାଏ । କଲୋନୀରେ ବି ସମସ୍ତେ ଅପେକ୍ଷା କରିଥାନ୍ତି ଏ ଦୃଶ୍ୟକୁ ।

ଗେଟରେ ପହଁଚିଲା ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ଓହ୍ଲାଗଲା ମାଉସୀଙ୍କୁ । ତାଙ୍କ ଆଖିଦୁଇଟା ପ୍ରତୀକ୍ଷା କରିଥିଲା ସତ୍ୟ ବାବୁଙ୍କୁ । ଠାଏ ଠାଏ ଲୋକ ଜମା ହେବାର ଦେଖି ଅଜଣା ଭୟରେ ଶିହରି ଉଠୁଥିଲେ ସାବିତ୍ରୀ । ଗୋଡ଼ ହାତ ସବୁ ପାଣି ହେଲା ପରି ଲାଗୁଥାଏ । ଚାରିଆଡେ ନିସ୍ତବ୍ଧଧ । ପାଖ ଆଖ କୌଣସି ଏକ ରୁମରୁ କାହାର କାନ୍ଦିଲା ପରି ଅସ୍ପଷ୍ଟ ଶବ୍ଦ ଭାସି ଆସୁଥାଏ । ସାବିତ୍ରୀଙ୍କୁ ତାଙ୍କ ବେଡ଼ ରୁମକୁ ନିଆଗଲା । ବେଡ଼ ରୁମର କାନ୍ଥ ପାଖେ ଡବଲ ବେଡ଼କୁ ଅଲଗାଇ ସିଙ୍ଗଲ କରି ଦିଆଯାଇଛି କାନ୍ଥକୁ ଆଉଜାଇ ଛୋଟ ଏକ ଟେବୁଲରେ ସତ୍ୟ ବାବୁଙ୍କ ଏକ ଫୋଟୋ ଅଛି ଆଉ ସେ ଫୋଟୋରେ ଶୋଭା ପାଉଛି ସଦ୍ୟ ଫୁଲର ଏକ ମାଳ। ଦୀପଟିଏ ଦପ ଦପ ହୋଇ ଜଳୁଛି ଆଉ ପାଖରେ ଚାଉଳ କଂସାଏ ରଖାଯାଇଛି । ପାଖରେ ଥୁଆ ହୋଇଛି ସତ୍ୟ ବାବୁଙ୍କ ଚଷମା, ବଙ୍କୁଳି ବାଡ଼ି ଆଉ ଜପା ମାଳି। ସାବିତ୍ରୀ ମୁକ ପାଷାଣ ପାଲଟିଯାଇଛନ୍ତି । ସତେ ଯେପରି ଗୋଡ ତଳୁ ମାଟି ଖସିଯାଉଛି ଆଉ ତାର ଗର୍ଭର ଆବର୍ତରେ ସାବିତ୍ରୀ ପାତାଳଗାମୀ ହେବେ ଭୂମିସୁତାଙ୍କ ପରି । ମନ ହୃଦୟ , ଶରୀର ,ସଂଜ୍ଞା ସ୍ଵୀକାରୀ ପାରୁ ନ ଥିଲା ଏ ଅବାଞ୍ଛିତ ସତ୍ୟକୁ । ନିଜକୁ ନିଜେ ଧିକ୍କାର କରୁଥିଲେ ସେ । କାନ ତଳେ ପିଟି ହେଉଥିଲା ଶାଶୁଙ୍କ ଉକ୍ତି, -ଯେଉଁଦିନ ସେ ଏ ଘରେ ପାଦ ଦେଲେ ଶାଶୁ କହିଥିଲେ “ଏ ମାଁ ସାବିତ୍ରୀ ଆଜିଠୁ ଏ ସତ୍ୟବାନ ଗୋଟାପଣେ ତୋର । ଯମ ଆସିଲେ ବି ତୁ ବଂଚି ଥିବା ଯାଏ ତୋର ଶଙ୍ଖା ସିନ୍ଦୁର କୁ ପଣତରେ ଘୋଡାଇ ରଖିଥିବୁ। ” କିନ୍ତୁ ଆଜି ସେ ହାରି ଯାଇଛନ୍ତି ନିୟତି ଆଗରେ ।

ମନର ମଣିଷକୁ ହରାଇଲା ପରେ ଏଇମିତି ପ୍ରତ୍ୟେକ ରାତିରେ ମିଟ୍‌ ମିଟ୍‌ କରୁଥିବା ତାରା ମାନଙ୍କୁ ଚାହିଁ ରହିଥାନ୍ତି ସାବିତ୍ରୀ ଦେବୀ । ପିଣ୍ଡରେ ପ୍ରାଣ ଥିବାଯାଏ ମୃତବତ ପଡିରହିଛନ୍ତି ଅନ୍ତିମ ଶଯ୍ୟାରେ ଆଉ ପ୍ରତ୍ୟେକ ରାତିରେ ସ୍ମୃତି ରୋମନ୍ଥନ କରନ୍ତି ।

ଏଇମିତି ଦିନ ଗଡି ଚାଲିଲା । ଦେଖୁ ଦେଖୁ ଏକ ବର୍ଷ ବିତିଗଲା । ସକାଳ ପାଇଲେ ହେବ ସତ୍ୟ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଶାନ୍ତି ହୋମ ହେବ, ବ୍ରାହ୍ମଣ ଭୋଜନ ହେବ ପିଣ୍ଡ ଦିଆହେବ ଘରଟା ବେଶ ଚଳଚଞ୍ଚଳ । ରାତି ତମାମ ଝରକା ସେ ପାଖେ ସାବିତ୍ରୀ ଚାହିଁ ରହିଛନ୍ତି ଆକାଶକୁ । ତାରା ମାନଙ୍କ ଗହଣ ରେ ସତ୍ୟବାବୁ ତାରାଟିଏ ହୋଇ ହାତ ଠାରି ଡାକୁଛନ୍ତି ସାବିତ୍ରୀଙ୍କୁ ନିବିଡ଼ ଆଲିଙ୍ଗନ ପାଇଁ। ସାବିତ୍ରୀବି ତାଙ୍କ ସ୍ପର୍ଶର ଅନୁଭବରେ ଲୀନ ହୋଇଯାଇଛନ୍ତି ପଞ୍ଚଭୂତରେ ସବୁଦିନ ପାଇଁ । ଶରୀରଟା ପଡି ରହିଛି ଆତ୍ମାଟା ଚାଲିଯାଇଛି ମନର ମଣିଷର ଆତ୍ମାରେ ଏକାକାର ହୋଇ, ଝରକାର ସେ ପାଖେ ଅଦୃଶ୍ୟ ଅନ୍ଧକାର ରେ ।

ସକାଳ ହେଲା ସାବିତ୍ରୀ ଆଉ ନାହାନ୍ତି । ସତ୍ୟ ବାବୁଙ୍କ ମୃତ୍ୟୁର ଠିକ ଏକବର୍ଷ ପରେ ଦୁଇ ଆତ୍ମାର ପୁନଃ ମିଳନ ଘଟିଛି । ଶ୍ରାଦ୍ଧ ବାର୍ଷିକୀ ଟା ବନ୍ଦ । ଏକବର୍ଷ ପରେ ଆଉ ଥରେ ଏହି ତିଥିରେ ଦୁଇଜଣଙ୍କ ବାର୍ଷିକୀ ପାଳନର ଅପେକ୍ଷାରେ ଶୋକାତୁର ପୁଅ-ବୋହୂ, ଝିଅ-ଜ୍ୱାଇଁ, ନାତି-ନାତୁଣୀ, ବନ୍ଧୁ-ପରିଜନ…………..

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top