କଲେଜରେ ପଢ଼ିଲା ଦିନଠୁ ପିଇବା ଅଭ୍ୟାସରେ ପରିଣତ ହେଇଯାଇଥିଲା କ୍ଷୀରୋତ୍ର ସାଙ୍ଗସାଥୀଙ୍କ ସହ ଜନ୍ମଦିନ ପାର୍ଟିରେ, ବଣ ଭୋଜିରେ, ସନ୍ଧ୍ୟାବେଳେ ଖଟିରେ ଏମିତି ଅନେକ ସମୟରେ ପିଉ ପିଉ ପିଇ ଦେଉଥିଲା କ୍ଷୀରୋତ୍ । ପିଇବା ପୂର୍ବରୁ ଭାବୁଥିଲା, ନାଇଁ ଆଉ ପିଇବିନି । ସାଙ୍ଗମାନେ ବାଧ୍ୟ କରୁଥିଲେ । ଭାବୁଥିଲା ହଉ ଠିକ୍ ଅଛି ଏଇଥର ପିଇ ଦଉଚି ଆଉ ପିଇବିନି । ନିଶା ଛାଡ଼ିଲା ପରେ ଭାବୁଥିଲା, ଆରେ କାହିଁକି ପିଇଲି ଆଉ ପିଇବିନି, ଏଇଟା ଲାଗୁ । ପୁଣି ସାଙ୍ଗ ବାଧ୍ୟ କରନ୍ତି, ପୁଣି ମଦ ପିଇଦିଏ ଏ ସେ ଲାଷ୍ଟ କେବେ ହେଇନି କ୍ଷୀରୋତ୍ର ।
ବର୍ତ୍ତମାନ ବାହା ହୋଇସାରିଲାଣି କ୍ଷୀରୋତ୍ । ବାହାଘର ପୂର୍ବରୁ ଭାବୁଥିଲା ବାହାଘର ପରେ ମଦ ଛାଡ଼ିଦେବି । ହେଲେ ବିଜ୍ନେସ୍ ପାର୍ଟି, କ୍ଲବ୍ ଫ୍ରେଣ୍ଡ୍ସ ସେ ସୁଯୋଗ ଦେଇନାହାନ୍ତି କ୍ଷୀରୋତ୍କୁ । ହଁ ପିଇକି ନିଶାରେ କେବେ ଗାଡ଼ି ଧକ୍କା କରେ ତ କେବେ ଝଗଡ଼ା କରି ଘରକୁ ଫେରିଲା ପରେ କ୍ଷୀରୋତ୍ର ସ୍ତ୍ରୀ ବହୁତ ଗାଳି କରିଛନ୍ତି ଓ ସ୍ୱାମୀର ନିଶା ଛଡ଼ାଇବା ପାଇଁ ଅନେକ ପ୍ରୟାସ କରିଛନ୍ତି । ହେଲେ ଏହା ବଦଳରେ ତାଙ୍କୁ ମିଳେ ତାଙ୍କ ସ୍ୱାମୀଙ୍କ ପାଖରୁ ନିଶାରେ ନିସ୍ତୁକ ମାଡ଼, ଅନେକ ଗାଳି ଏମିତି ଅନେକ ଯନ୍ତ୍ରଣା । ନିଶା ଛାଡ଼ିଗଲେ ସ୍ୱାମୀ କ୍ଷୀରୋତ୍ କାନ ଧରି, କ୍ଷମା ମାଗି, ସ୍ତ୍ରୀ ପାଖରେ ନିଜର ପ୍ରେମ ଜାହିର୍ କରି ଆଉ ମଦ ପିଇବ ନାହିଁ ବୋଲି ଶପଥ କରେ ।
ଦିନେ କ୍ଷୀରୋତ୍ ବିଜ୍ନେସ୍ ପାର୍ଟିରୁ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିଲା ଘରେ ପହଞ୍ଚିଲା ବେଳକୁ ପ୍ରାୟ ରାତି ଦୁଇଟା । ସ୍ତ୍ରୀ ସ୍ୱାମୀର ରାହା ଦେଖି ଦେଖି ନ ଖାଇ ଶୋଇ ପଡ଼ିଥିଲେ । ଅଧରାତିରେ ପୁଣି ସ୍ୱାମୀକୁ ନିଶାଗ୍ରସ୍ତ ହେଇ ଘରକୁ ଫେରିବାର ଦେଖି ସ୍ତ୍ରୀ ରାତିରେ କ୍ଷୀରୋତ୍ ଉପରେ ଅତ୍ୟନ୍ତ ବିଗିଡ଼ିଲେ । ସେ ରାତିରେ ପାର୍ଟି ତ ଚାଲିଥିଲା ହେଲେ କ୍ଷୀରୋତ୍ର ବିଜ୍ନେସ୍କୁ ନେଇ କିଛି ଅଧିକ ଚିନ୍ତା ଓ ରାଗ ଥିଲା । ସେହି ରାଗରେ ସେ ନିଜ ସ୍ତ୍ରୀକୁ ନିଶାରେ କେତେ ଯେ ମାଡ଼ ମାରିଲା ତାହା ଜାଣିପାରିଲା ନାହିଁ । ଶେଷରେ ଗୋଟେ ଚାପୁଡ଼ାରେ ତା’ ସ୍ତ୍ରୀ ମୁଣ୍ଡ କାନ୍ଥରେ ପିଟି ହୋଇଗଲା ଓ ସେ ତଳେ ବେହୋସ୍ ହୋଇ ପଡ଼ିଗଲା । ନିଶାରେ କ୍ଷୀରୋତ୍ କିଛି ଜାଣିପାରିଲା ନାହିଁ । ନିଶାରେ ସେ ମଧ୍ୟ ସେଇଠି ତଳେ ଶୋଇପଡ଼ିଲା ।
ସକାଳୁ କ୍ଷୀରୋତ୍ର ଆଖି ଖୋଲିଲା । ହ୍ୟାଙ୍ଗ୍ଓଭର୍ରେ ଦେଖିଲା ତା’ ସ୍ତ୍ରୀ ରାତିରୁ ସେମିତି ତଳେ ଶୋଇଚି । ପୂର୍ବ ରାତିର ଘଟଣାରେ ଅନୁତାପ କରି ତା ସ୍ତ୍ରୀକୁ ଉଠାଇବାକୁ ଗଲା । କ୍ଷୀରୋତ୍ ତା’ ସ୍ତ୍ରୀକୁ ଯେତେ ଉଠେଇବା ପାଇଁ ହଲେଇଲା, ସେ ଉଠିଲା ନାହିଁ । ତା’ ସ୍ତ୍ରୀର ନିଃଶ୍ୱାସ ମଧ୍ୟ ଚାଲୁନଥିଲା । ରାତିର ବେଲ୍ଟ ପାହାର କିଛି ଅଧିକା ହେଇଯାଇଥିଲା ଓ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଯାଇଥିଲା । କ୍ଷୀରୋତ୍ ଜାଣିବାକୁ ପାଇଲା ତା’ ସ୍ତ୍ରୀ ଆଉ ଜୀବିତ ନୁହେଁ, ମୃତ । ମଦ ନିଶାରେ ସେ ତା’ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଦେଲା ଗଲା ରାତିରେ । ଏହା ଜାଣି କ୍ଷୀରୋତ୍ ମୁଣ୍ଡରେ ବଜ୍ର ପଡ଼ିଲା । ଯେଉଁ ନିଶାକୁ ଛାଡ଼ିବ ଛାଡ଼ିବ ହେଇ ଛାଡ଼ିପାରିଲାନି ସେହି ମଦ ନିଶା ଆଜି ତା’ ସଂସାର ଉଜାଡ଼ି ଦେଲା । ତା’ର ଦୁଃଖ ଦୁଇଗୁଣ ହୋଇଗଲା । ସ୍ତ୍ରୀର ହତ୍ୟାରେ ଜେଲ୍ ଯିବା ଭୟରେ ନୁହେଁ । ତା’ର ଦୁଃଖ ଦୁଇଗୁଣିତ ହେବାର କାରଣ ଏହା ଥିଲା ଯେ ତା’ର ସ୍ତ୍ରୀ ବାହାଘରର ତିନି ବର୍ଷ ପରେ ସାତ ମାସର ଗର୍ଭବତୀ ଥିଲା ।
କ୍ଷୀରୋତ୍ ତା’ ସ୍ତ୍ରୀର ଶବକୁ କୋଳରେ ଧରି କଇଁ କଇଁ ହେଇ କାନ୍ଦୁଥିଲା । ଏମିତି ଲାଗୁଥିଲା ଯେପରି କ୍ଷୀରୋତ୍ର ଆର୍ତ୍ତ କ୍ରନ୍ଦନ ଭିତରେ ଲୁଚି ରହିଚି ତା’ ହୃଦୟ ଗାଇ ଉଠୁଥିବା ଗୀତଟି,
ଉଜାଡ଼ି ଦେଲା ମଦ ସଂସାର ମୋର,
ରହିଗଲା କି ସୁଖ ଜୀବନେ ମୋର !
କାହିଁକି କଲି ମଦକୁ ଆପଣାର,
ମଦରେ ଭାସିଗଲା ସୁନା ସଂସାର !