ଗଳ୍ପ

ପ୍ରତିଯୋଗିତା

Gaurahari das's odia story Pratijogitaa

କ’ଣ ଥିବ ଏଇ କୁମୁଦ ରଞ୍ଜନ ପାଖରେ- ବୀରେନ୍ଦ୍ର ମୋହନ ଚିନ୍ତା କଲେ । ତିନି ବଖୁରିଆ ଘରଟିଏ । ହୁଏତ ଭଡ଼ାଘରେ ସେ ରହୁ ଥାଇପାରେ । ଗୋଟେ ସ୍କୁଟର କି ମଟର ସାଇକେଲ୍ ! ମାସକୁ ଦଶ ବାର ହଜାର ଟଙ୍କାର ପେନ୍‌ସନ୍ । ଚାରି ଛଅ ହଳ ଜାମା ପଟା । ତା’ ସତ୍ତ୍ୱେ ଲୋକଟିକୁ ଏଠାକାର ଲୋକ ମାନନ୍ତି କାହିଁକି ?

ପ୍ରତିଯୋଗିତା

-: ପୂର୍ବରୁ :-

ହୋ’-ହୋ’ ହସ ଏବଂ ଉଚ୍ଚ ସ୍ୱରର କଥା ଶୁଣି ବୀରେନ୍ଦ୍ର ମୋହନ ରାସ୍ତା କଡ଼କୁ ଅନେଇଲେ । କେହି କ’ଣ ତାଙ୍କୁ ଏ ବେଶରେ ଦେଖି ହସୁଥିଲା କି ? ସେ ପୁଣି ସାଙ୍ଗୁଡ଼ି ଗଲେ ଭିତରେ ଭିତରେ ।

ନା, ତାଙ୍କୁ ନେଇ କେହି ହସୁ ନଥିଲେ । ବନ୍ଧର ବାଁ ପାଖରେ, ଗୋଟେ ବରଗଛମୂଳେ ପକ୍କା ଚାନ୍ଦିନୀଟିଏ । ସେଇଠି ବସି ବୟସ୍କ ଲୋକଟିଏ କ’ଣ କହୁଥିଲା । ତାକୁ ଘେରି ଶୁଣୁଥିଲେ ପନ୍ଦର କି ଷୋଅଳ ଜଣ । ସମସ୍ତେ ସକାଳବୁଲା ଲୋକ ।

ଲୋକଟିର କଥାକୁ ଅମୃତ ପରି ପିଇ ଯାଉଥିଲେ ଅନ୍ୟମାନେ । ସେ କିଛି ଗୋଟେ କହୁଥିଲା ଓ ଏମାନେ ହସୁଥିଲେ ହୋ’-ହୋ’ ହୋଇ ।

ପକେଟ୍ରୁ ଚଷମାଟି କାଢ଼ି ବୀରେନ୍ଦ୍ର ମୋହନ ପିନ୍ଧିଲେ । ଲୋକଟିକୁ ଅନେଇଲେ । ଲୋକଟା ହଠାତ୍ ତାଙ୍କୁ ଚିହ୍ନା ଚିହ୍ନା ଲାଗିଲା, ମାତ୍ର ତାର ନାଁ କି ପରିଚୟ କିଛି ତାଙ୍କର ମନେପଡୁ ନଥିଲା ।

କୋଉଠି ଭେଟିଥିଲେ ଏ ଲୋକଟିକୁ- ବୀରେନ୍ଦ୍ର ମୋହନ ଭାବିଲେ । ପୁଣି ଚିନ୍ତା କଲେ, ପଞ୍ଜାବୀ ଓ ଧୋତି ପିନ୍ଧିଥିବା ଏଇ ବୁଢ଼ା ଲୋକଟି ତାଙ୍କଠାରୁ ବୟସରେ କିଛିଟା ସାନ ହେବ । ଲୋକଟିର ଚେହେରା କହୁଥିଲା, ସେ ତାଙ୍କ ପରି ଅସାଧାରଣ ଆଦୌ ନୁହେଁ । ତା’ ସତ୍ତ୍ୱେ ଏ ଲୋକଗୁଡ଼ାକ ତାକୁ ଏତେ ଗୁରୁତ୍ୱ ଦେଇ ତା’ କଥା ଶୁଣୁଥିଲେ କାହିଁକି ? ସିଏ ବି କେଉଁ ଗୁରୁତ୍ୱପୂର୍ଣ୍ଣ କଥା କହୁଥିଲା ?

ମନେପଡ଼ିଲା ସେ ଶିକ୍ଷା ବିଭାଗର କମିସନର ଥିବାବେଳେ ଏଇ ଲୋକଟି ସେକ୍ସନ୍ ଅଫିସର୍ ଥିଲା । ବୋଧହୁଏ ତାକୁ ସେ ଥରେ ସସ୍‌ପେଣ୍ଡ କରିଥିଲେ । ଏହାର ପ୍ରତିବାଦ ଜଣାଇ ଲୋକଟି ତାଙ୍କ କ୍ୱାର୍ଟରକୁ ଆସି ତାଙ୍କ ସହ ଯୁକ୍ତିତର୍କ କରିଥିଲା । ସେଦିନ ଲୋକଟି ଅବଶ୍ୟ ଏତେ ଚନ୍ଦା ହୋଇନଥିଲା ।

– ବୁଝିଲ କୁମୁଦ ଭାଇ, ତୁମକୁ ଯୁକ୍ତିରେ କେହି ପାରିବେ ନାହିଁ । ହେଉ, ଆମେ କାଲି ସେ ବିଷୟରେ ସ୍ଥିର କରିବା । ପ୍ରତିଦିନ ଦି/ତିନି ଜଣ ଯାଇ ପାଠ ପଢ଼େଇବା, ସରକାର ଅଧିକା ଶିକ୍ଷକ ନ ଦେଲା ପର୍ଯ୍ୟନ୍ତ ।

ବୀରେନ୍ଦ୍ର ମୋହନ ଜାଣିପାରିଲେ, ସେ ବୁଢ଼ାଟିର ନାଁ କୁମୁଦ । କୁମୁଦ ରଞ୍ଜନ କହୁଥିଲେ, ମୋତେ ନୂଆ ଆଇନ୍‌ଗୁଡ଼ା ଠିକ୍‌ଠାକ୍ ଲାଗୁନାହିଁ । ସ୍କୁଲ୍‌ରେ ଇଂରାଜୀ ଦୁଇଶହରୁ ଶହେ ହେଇଗଲା । ବଗିଚା କି ଲାଇବ୍ରେରୀ ପିରିୟଡ୍ ଉଠିଗଲାଣି । ସଂଗୀତ ଓ ସାହିତ୍ୟ ବିଷୟରେ କୌଣସି ଦୃଷ୍ଟି ଦିଆଯାଉନାହିଁ । ପିଲାଏ ଯନ୍ତ୍ର ହୋଇପଡୁଛନ୍ତି । କଟକର କୌଣସି ସ୍ୱଚ୍ଛଳ ଘରର ପିଲା ତ ଓଡ଼ିଆ ସ୍କୁଲ୍‌ରେ ପାଠ ପଢୁନାହିଁ । ନ ପଢୁ । ସେ ପିଲା ବଡ଼ ହେଇ ଓଡ଼ିଶାରେ ରହିବ ନାହିଁ । ବାହାରକୁ ପଳେଇବ । ସେତେବେଳେ ଏଇ ବସ୍ତିର ପିଲା ଓଡ଼ିଶା ଗଢ଼ିବେ । ତେଣୁ ଆମକୁ ସେମାନଙ୍କ କଥା ଧ୍ୟାନ ଦେବାକୁ ପଡ଼ିବ ।

ତା’ ପରେ ପରିହାସ କଲାପରି କୁମୁଦ କହିଥିଲା- “ଜାଣିଛ ତ, ମଣିଷର ଦିଇଟା ଅବସ୍ଥା- ଜୀବିତ ନ ହେଲେ ବିବାହିତ । ଘରେ କହିଦେଇଯିବ । ତୁମେ ସେପଟୁ ପାଠ ପଢ଼େଇ ଫେରିଲାବେଳକୁ ଏପଟେ ରୋଷେଇ ବନ୍ଦ ହୋଇଯିବଣି ।”

ପୁଣି ପରସ୍ତେ ହସ !

ବୀରେନ୍ଦ୍ର ମୋହନ ଏଥର ଆଉ ଟିକିଏ କୌତୂହଳୀ ହୋଇ ପଡ଼ିଲେ । ସେ ଟିକିଏ ଦୂରକୁ ଯାଇ କୁମୁଦର କଥା ଶୁଣିବାକୁ ଚାହିଁଲେ ।

ଏଥର ତାଙ୍କୁ କୁମୁଦ ରଞ୍ଜନ ଦେଖିପାରିଲା । ତା’ପରେ କହିଲା, “ଚୁପ୍, ଚୁପ୍, ମହାପାତ୍ର ସାହାବ ! ଚାଲ, କାଲି ରୁଟିନ୍ ସ୍ଥିର କରିବା ।”

ସାଙ୍ଗେ ସାଙ୍ଗେ ସେଇ ଲୋକମାନେ ଚଉତରାରୁ ଓହ୍ଲେଇ ପଡ଼ିଲେ । ଗୋଟେ ଅବାଞ୍ଛିତକୁ ଆଡ଼େଇବା ପାଇଁ ସତେ କି ସେମାନେ ସେ ସ୍ଥାନ ଛାଡ଼ି ପଳେଇ ଯାଉଥିଲେ । ବୀରେନ୍ଦ୍ର ମୋହନଙ୍କୁ ସେଇପରି ଲାଗିଲା ।

କୁମୁଦ ରଞ୍ଜନ ହାତରେ ବାଡ଼ିଟିଏ ଧରି ଡଗଡଗ ଚାଲୁଥିଲା । ଅନ୍ୟମାନଙ୍କ ଭିତରୁ କିଏ କାଠଯୋଡ଼ି ମୁହାଁ ତ କିଏ ମହାନଦୀ ମୁହାଁ ସକାଳ ବୁଲାରେ ପୁଣି ବାହାରି ଯାଉଥିଲେ । ସେ କୁମୁଦ ରଞ୍ଜନକୁ ପଛରୁ ଡାକିବା ଲାଗି ଚାହୁଁଥିଲେ । କିନ୍ତୁ କିଏ ଗୋଟାଏ ତାଙ୍କ ଭିତରୁ ବାଧା ଦେଉଥିଲା । କୁମୁଦ ରଞ୍ଜନ ଏତେ ବେଗରେ ଚାଲେ ନାହିଁ । କେବଳ ତାଙ୍କୁ ହରେଇବା ଲାଗି ନିଶ୍ଚୟ ସେ ଜୋର୍‌ରେ ଜୋର୍‌ରେ ଚାଲୁଛି ।

ଗୋଇଠିଟା ମକଚି ଗଲା । ବୀରେନ୍ଦ୍ର ମୋହନ ଆଗକୁ ଅନେଇ ଚାଲୁ ଚାଲୁ ସାମ୍ନା ଟେକାଟିଏ ମାଡ଼ି ଦେଇଥିଲେ । ଏତେ ଜୋର୍‌ରେ ଚାଲିବାର ଅଭ୍ୟାସ ନାହିଁ । ରାସ୍ତା ବି ଅପରିଚିତ । ସେ ନିଃଶ୍ୱାସ ବନ୍ଦ କରି ବନ୍ଧ କଡ଼ ସିମେଣ୍ଟ ବେଞ୍ଚ ଉପରେ ବସି ପଡ଼ିଲେ । କୁମୁଦ ରଞ୍ଜନ ବେଶ୍ ଦୂର ଆଗେଇ ଗଲାଣି ।

ମନ ଭିତରେ ଅନେକ ପ୍ରଶ୍ନ ! ଅନେକ ଆହ୍ୱାନ !

ଗୋଟେ ସାଧାରଣ ସେକ୍‌ସନ୍ ଅଫିସର୍ ପାଖରେ ଏମିତି କି ଗୁଣଟା ଅଛି ଯେ ତା’ କଥାକୁ କାନ ଡେରି ଏତେ ଲୋକ ଶୁଣୁଛନ୍ତି । ଅଥଚ ତାଙ୍କୁ ଦେଖିଲେ ଲୋକେ ବାଟ କାଟି ଚାଲିଯାଉଛନ୍ତି ।

କ୍ରମେ କୁମୁଦ ରଞ୍ଜନ ତାଙ୍କ ଆଗରେ ଗୋଟେ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦିଶୁଥିଲା । ବୀରେନ୍ଦ୍ର ମୋହନ ଭାବୁଥିଲେ, କୁମୁଦ ରଞ୍ଜନ ସହ ଯେଉଁମାନେ ଥିଲେ ସେମାନଙ୍କ ଭିତରୁ କାହାକୁ ଡାକି ତା’ ସମ୍ପର୍କରେ କିଛି କଥା ପଚାରନ୍ତେ । ମାତ୍ର ସାହାସ ହେଉ ନଥିଲା । ପୁଣି ଭାବିଲେ, କୁମୁଦ ରଞ୍ଜନ ତାଙ୍କୁ ଚିହ୍ନି ପାରିଥିବା ସତ୍ତ୍ୱେ ସେ ଜାଗାରୁ ଚାଲିଗଲା କାହିଁକି ? ତାଙ୍କୁ ଉପେକ୍ଷା କରି ସେ ପଳାଇଗଲା ନା ସମ୍ମାନ ଦେଇ ? ଦୁଇତିନି ପଦ କଥା ଭାଷା ହୋଇଥିଲେ କ’ଣ କ୍ଷତି ହୋଇଥାଆନ୍ତା ?

ବୀରେନ୍ଦ୍ର ମୋହନଙ୍କ ମନ ଭିତରେ କୋଉ କାଳୁ ରୁଦ୍ଧ କବାଟ ଝରକା ସବୁ ଫିଟି ଫିଟି ଯାଉଥିଲେ । ତା’ ଭିତରକୁ ସକାଳର ପବନ ଧସେଇ ପଶି ଆସୁଥିଲେ, ଅପେକ୍ଷମାଣ ଅଧୈର୍ଯ୍ୟ ଅତିଥି ପରି । ତାଙ୍କୁ ଲାଗୁଥିଲା, ଏକ ଅଘୋଷିତ ପ୍ରତିଯୋଗିତାରେ ସେ କୁମୁଦ ରଞ୍ଜନଙ୍କଠାରୁ ପଛରେ ପଡ଼ିଯାଇଛନ୍ତି । କାଲି ସକାଳକୁ, ସବା ଆଗେ ଆସି ସେ ଏଇ ଚାନ୍ଦିନୀ ଉପରେ ବସିବେ, ଯୋଉଠି କୁମୁଦ ରଞ୍ଜନ ବସିଥିଲା । ଲୋକଙ୍କୁ କହିବା ପାଇଁ ବୀରେନ୍ଦ୍ର ମୋହନଙ୍କ ପାଖେ ଅମାପ ଅନୁଭୂତି- ଆମେରିକାରୁ ନେଇ ଆଠମଲ୍ଲିକ ଏବଂ ଉଡ଼ାଜାହାଜରୁ ନେଇ ଆଳୁଚାଷ ପର୍ଯ୍ୟନ୍ତ । ତାଙ୍କର ସେ ବିଜ୍ଞତାପୂର୍ଣ୍ଣ ଆଲୋଚନା ପାଖରେ ଫିକା ପଡ଼ିଯିବ କୁମୁଦ ରଞ୍ଜନର ଅଲଣା ଉପାଖ୍ୟାନ ।

କଥାଟା ଚିନ୍ତା କରୁ କରୁ ପୁଣି ଟିକିଏ ଦବିଗଲେ ବୀରେନ୍ଦ୍ର ମୋହନ । ଯଦି ଏମିତି ହୁଏ ଯେ ସେ ଚାନ୍ଦିନୀ ଉପରେ ବସିଥିବା ଦେଖି ଏଇ ଲୋକମାନେ ଜଣକ ପରେ ଜଣେ ତାଙ୍କୁ ଏଡ଼ାଇ ଅନ୍ୟତ୍ର ପଳାନ୍ତି । ଆଜିର ଅଭିଜ୍ଞତାଠାରୁ ସେଇଟା ତ ଆହୁରି ଅପମାନଜନକ ହେବ । ହାତେ ହାତେ ପ୍ରମାଣ ମିଳିଯିବ ଯେ ତାଙ୍କୁ ଲୋକମାନେ କେହି ଭଲ ପାଆନ୍ତି ନାହିଁ । ନା, ନା, ସେମିତି କରି ପରୀକଥାର ଅସୁରୁଣୀ ନିଜେ ନିଜର ମୃତ୍ୟୁର ରହସ୍ୟ ଜଣାଇବା କାମ କରିପାରିବେ ନାହିଁ ।

ବୀରେନ୍ଦ୍ର ମୋହନ ବେଞ୍ଚରୁ ଉଠି ପଡ଼ିଲେ । ସକାଳର ଚଢ଼େଇମାନେ କିଚିରି ମିଚିରି ଶବ୍ଦ କରି ଖାଦ୍ୟ ଅନ୍ୱେଷଣରେ ବାହାରି ଯାଉଥିଲେ ଦୂରକୁ । ସନ୍ଧ୍ୟାକୁ ପୁଣି ଲେଉଟି ଆସିବେ । ଆଉ କିଛି ସମୟ ପରେ ଏଇ ରିଙ୍ଗ୍ ରୋଡ୍ ଗାଡ଼ି ମଟର ଭିଡ଼ରେ ଚଳଚଞ୍ଚଳ ହୋଇଉଠିବ ବ୍ୟସ୍ତ ଅଧିକାରୀର ଜୀବନ ପରି । ସେଇ ଅଧିକାରୀଟିର ବି ଗୋଟେ ଶାନ୍ତି ନିରୁପଦ୍ରବ ପିଲାଦିନ ଥିଲା, ଯେମିତି ବ୍ୟସ୍ତ ରାସ୍ତାଟିର ଅଛି ସକାଳର ଏଇ ଶାନ୍ତ ଚେହେରା । ସେ ଅନେଇ ଦେଖିଲେ, ଇଲେକ୍ଟରିଏଟ୍ ଗଡ଼ାଣି ପାଖରେ କୁମୁଦ ରଞ୍ଜନ ଠିଆ ହୋଇଛି । କାରଣ ତାକୁ ଆଉ ପାଞ୍ଚ ଛଅ ଜଣ ଲୋକ ଅଟକେଇ ତା’ ସହ କଥା ହେଉଛନ୍ତି । କୁମୁଦ ଦୁଇ ହାତ ମେଲେଇ ଜୋର୍‌ରେ ହସୁଛି ଓ କ’ଣ ସବୁ କହୁଛି । ତା’ର ସବୁ ଗତିବିଧି ଦେଖିପାରିଲା ଭଳି ଦୂରତାରେ, ମାତ୍ର ଏକ ଗଛ ଆଢୁଆଳରେ ଛିଡ଼ା ହେଲେ ବୀରେନ୍ଦ୍ର ମୋହନ । ସେଇ ଲୋକମାନଙ୍କ ଭିତରୁ ଜଣେ ଯାଇ କୁମୁଦ ରଞ୍ଜନ ପାଇଁ ଚା’ ଗିଲାସେ ଆଣି ଦେଉଥିଲା । କୁମୁଦ ରଞ୍ଜନ କହୁଥିଲା, “ମୁଁ ସଞ୍ଜବେଳକୁ ଆସିବି । ସବୁବର୍ଷ ଭଜନ ସମାରୋହଟେ ହେଉଥିଲା, ଏ ବର୍ଷ ବନ୍ଦ ହେବ କାହିଁକି ? ଉଭୟ ପକ୍ଷଙ୍କୁ ବସେଇ ସମାଧାନ ବାଟ ବାହାର କରିବାକୁ ହେବ ।” ତା’ କଥା ଶୁଣି ଲୋକମାନେ ମୁଣ୍ଡ ଟୁଙ୍ଗାରୁଥିଲେ ।

କ’ଣ ଥିବ ଏଇ କୁମୁଦ ରଞ୍ଜନ ପାଖରେ- ବୀରେନ୍ଦ୍ର ମୋହନ ଚିନ୍ତା କଲେ । ତିନି ବଖୁରିଆ ଘରଟିଏ । ହୁଏତ ଭଡ଼ାଘରେ ସେ ରହୁ ଥାଇପାରେ । ଗୋଟେ ସ୍କୁଟର କି ମଟର ସାଇକେଲ୍ ! ମାସକୁ ଦଶ ବାର ହଜାର ଟଙ୍କାର ପେନ୍‌ସନ୍ । ଚାରି ଛଅ ହଳ ଜାମା ପଟା । ତା’ ସତ୍ତ୍ୱେ ଲୋକଟିକୁ ଏଠାକାର ଲୋକ ମାନନ୍ତି କାହିଁକି ?

ବୀରେନ୍ଦ୍ର ମୋହନଙ୍କ ଭିତରେ ପୁରୁଣା ପ୍ରତିଯୋଗୀର ସ୍ପର୍ଦ୍ଧା ମୁଣ୍ଡ ଟେକୁଥିଲା । ସେ ଅପେକ୍ଷା କରୁଥିଲେ, କେତେବେଳେ କୁମୁଦ ରଞ୍ଜନ ସେ ଜାଗାରୁ ବାହାରୁଛି । ସେତିକିବେଳେ ସେ ତା’ ପଛେ ପଛେ ଯିବେ ଏବଂ ଆବିଷ୍କାର କରିବେ ଏହାର ରହସ୍ୟ !

କୁମୁଦ ରଞ୍ଜନ ବୋଧହୁଏ ତା’ ଘରମୁହାଁ ଫେରୁଥିଲା । ରାସ୍ତାରେ ଚାଲୁଥିବା ଲୋକଙ୍କ ଭିତରୁ ଅଧିକାଂଶ କୁମୁଦକୁ ଚାହିଁ କିଏ ହସି ଦେଇ, କିଏ ନମସ୍କାର ନ ହେଲେ “ସୁପ୍ରଭାତ” କହି ଅଭିନନ୍ଦନ ଜଣାଉଥିଲେ । ଅଥଚ ତା’ ପଛେ ପଛେ ରାଜ୍ୟର ପୂର୍ବତନ ଚିଫ୍ ସେକ୍ରେଟେରୀ, ପୂର୍ବତନ ମାନବିକ ଅଧିକାର କମିସନର, ପୂର୍ବତନ କୁଳପତି ବୀରେନ୍ଦ୍ର ମୋହନ ଚାଲୁଥିଲେ ବି ଜଣେ କେହି ତାଙ୍କୁ ସେମିତି ହସିକି ପଦେ କହୁ ନଥିଲେ ।

ଏଥର ସେ ବିକଳ ହୋଇ ପଡ଼ିଲେ ।

ବଡ଼ ପାଟିରେ ଚିତ୍କାର କରିବାକୁ ଚାହୁଁଥିଲେ । ମାତ୍ର ପାରୁନଥିଲେ ।

କୁମୁଦ ରଞ୍ଜନ ବହୁ ଦୂରକୁ ଚାଲିଗଲାଣି । ମୋଡ଼ ବୁଲାଣିରେ ଅଦୃଶ୍ୟ ହୋଇଗଲାଣି ତା’ର ଡେଙ୍ଗା, ଦୁର୍ବଳ ଚେହେରା ।

ମାତ୍ର ବୀରେନ୍ଦ୍ର ମୋହନଙ୍କ ମନର ପଡ଼ିଆରେ ଶୋଇ ରହିଥିବା ଘୋଡ଼ା ଚେଇଁ ଉଠିଥିଲା । ତାଙ୍କ ଜିଦ୍, ସେ ଏଇ ପ୍ରତିଯୋଗିତାରେ ସୁଦ୍ଧା ଜିଣିବେ । ସେଥିପାଇଁ ଯାହା କିଛି କରିବା ଲାଗି ପଡୁ ପଛକେ ସେ କରିବେ । ସିଏ ବସ୍ତିର ସ୍କୁଲ୍‌କୁ ଯିବେ, ସାହିର ଦେଉଳ ଅଗଣାରେ ବସିବେ, ବରଗଛ ଚାନ୍ଦିନୀ ତଳେ ବସି ଚା’ ପିଇବେ । ସବୁକିଛି କରିବେ ସେ, ମାତ୍ର ଜିଣିବେ ।

ଖରାରେ ସାମ୍ନା ରାସ୍ତା ଏବେ ଉଜ୍ଜ୍ୱଳ ପରିଷ୍କାର ଦିଶୁଥିଲା ।

ଲୋକପ୍ରିୟ ଲେଖା

To Top