ଗଳ୍ପ

ରୁଦ୍ରାକ୍ଷ

Kalindicharana Panigrahi's odia Story Rudrakshya

ଯାଃ, ପାପ ଗଲା । ସେହି କଥା ତ କରିବୁ, ଏତେ କୌତୁକ କାହିଁକି ଭଲା ।

ରୁଦ୍ରାକ୍ଷ

-: ପୂର୍ବରୁ :-

ବିହାରୀକୁ ଅବଶ୍ୟ କୌଣସି ଦଣ୍ଡ ଦିଆଗଲା ନାହିଁ । ତାହାର କାରଣ, ଏସବୁ ଘଟଣାରେ ବିଚାର କରନ୍ତି ଗାଁର ପୁରୁଷ ଲୋକେ- ଆଉ ସ୍ତ୍ରୀଲୋକମାନେ ତାହାକୁ ଦୈବବିଚାର ବୋଲି ଜ୍ଞାନ କରନ୍ତି । ଆଉ ଗୋଟିଏ କାରଣ, ବିହାରୀର ଟିକିଏ ମୁରବି ଜୋର ଅଛି । ତାହାର ବାପା ନଥିଲେ ମଧ୍ୟ ଖୁଡୁତା ଦେଡୁତା ଅଛନ୍ତି, ଯେଉଁମାନେ ଗାଁ ଭିତରେ ବେଶ୍ ମୁଖିଆ । ସେମାନେ ବିହାରୀର ପକ୍ଷ ନେଲେ, କାରଣ ଛଅକୁ ନଅ କହି ସେହିମାନେ ହିଁ ବିହାରୀର ସବୁତକ ସମ୍ପତ୍ତି ଆତ୍ମସାତ୍ କରିଛନ୍ତି, ସୁତରାଂ ଦୁଲାର ମାଉସୀ ଯେତେବେଳେ ଦାଣ୍ଡ ମଝିରେ ବିହାରୀକୁ ଅଟକ ରଖିବାକୁ ଏବଂ ଦୁଲାର ଖୋରାକପୋଷାକ ଦେବାକୁ ଦାବି କଲା, ତା’ କଥା ଗାଁରେ କେହି ଜଣେ କାନକୁ ନେଲେ ନାହିଁ, ତଥାପି ଦୁଲାର ଯେପରି କ୍ଷତି ହେଲା, ବିହାରୀକୁ ମଧ୍ୟ ସେହି ପରିମାଣରେ ନ ହେଲେ ହେଁ କେତେକ ଅଂଶରେ କ୍ଷତି ସହିବାକୁ ପଡ଼ିଲା- ଅନ୍ୟ ଗାଁର ଲୋକେ ବିହାରୀକୁ ଜ୍ୱାଇଁ କରିବା ଉଦ୍ଦେଶ୍ୟରେ ଯେତେବେଳେ ଆମ ଗାଁକୁ ଆସନ୍ତି, ହୁଣ୍ଡା ଟୋକାଗୁଡ଼ାକ କଦର ଉଣ୍ଡି ତାଙ୍କ ଆଗରେ ବିହାରୀର ଗୋଟିଏ ପୁଅ ହୋଇଥିବା ଖବର ଦେଇ ଏକମୁହାଁ ସେମାନଙ୍କୁ ବିଦାୟ କରିଦିଅନ୍ତି । ବିହାରୀ ଅବଶ୍ୟ ନିଜର ରୂପ ଗୁଣ ବର୍ଣ୍ଣନା କରି ଏବଂ ଗାଁ ଟୋକାଗୁଡ଼ାଙ୍କର କଦର୍ଯ୍ୟ ଚିତ୍ର ଦେଖାଇ ଜ୍ୱାଇଁ ହେବାକୁ ବହୁତ ଉଦ୍ୟମ କରେ, କିନ୍ତୁ ଟୋକାଗୁଡ଼ାକ କହନ୍ତି, ନାହିଁ, ନାହିଁ ବିହାରୀ ପରି ଆଉ ଗୋଟାଏ ପାତ୍ର କୁଆଡୁ ମିଳିବ- ଝିଅ ତୁମର ମହା ସୁଖରେ ରହିବ । ଆଉ କିଛି ନ ହେଉ, ଘରେ ଗୋଡ଼ ନ ଦେଉଣୁ ତ ପୁଅଟିଏ ପାଇବ । ବିହାରୀ ମୁହଁକୁ ଯାହା ଆସେ, ତାହା ବକେ ।

ଦୁଲା ଯେଉଁଦିନ କବାଟ ବନ୍ଦ କରି ଘର ଭିତରେ ପଶିଲା, ଗାଁର ପୁରୁଖା ପୁରୁଖା ମାଇପେ କେତେଜଣ ଓ ଅକାମୀ ଟୋକା କେଇଟା ଆସି ପରିବୋଉଖୁଡ଼ୀଙ୍କ ଦୁଆର ଆଗରେ ଜମା ହେଲେ । କିଏ ପାଳରେ ହାତ ମାରି କାବା ହୋଇ ଟୁପ୍‌ଟାପ୍ ହେଲା, କିଏ ଥଟ୍ଟା କୌତୁକ କଲା । ପରି-ବୋଉ-ଖୁଡ଼ୀ ଖାଲି ଦୁଲାର ଘର ଭିତରକୁ ଯା’ ଆସ କରୁଥାଏ । ଦୁଲା ଏକୁଟିଆ ସେ ଘର ଭିତରେ । ତାହାର ତୁଣ୍ଡ ମୁଣ୍ଡ ଶୁଣାଯାଉ ନ ଥାଏ । ଚୌକିଆ ଦୁଆର ମୁହଁରେ ବସି ପାଟି କରୁଥାଏ- “ବୁଝି ଖବରଦାର, ପିଲାର କୁଆଁ କୁଆଁ ପାଟି ନ ଶୁଣିଲେ ମୁଁ ଉଠିବି ନାହିଁ- ରାଣ୍ଡୀ ଯଦି ପିଲା ଦିହରେ ହାତ ଦେଉ, ସାଙ୍ଗେ ସାଙ୍ଗେ ହାତକଡ଼ି ପକେଇ ଥାନାକୁ ନେଇଯିବି । ତେଣିକି ତୁ ଜାଣୁ, କି ମୁଁ ଜାଣେ ।” ପରି-ବୋଉ-ଖୁଡ଼ୀର ଏହିକ୍ଷଣି ପାଟି ବନ୍ଦ । କାହାରି କଥା ଶୁଣୁ ନାହିଁ କିମ୍ୱା କାହାକୁ କିଛି କହୁ ନାହିଁ ।

ଦୁଲାର ପୁଅଟିକୁ ଦେଖି ସମସ୍ତେ ଘୋଷଣା କଲେ, ଏ ବିହାରୀର- ଅବିକଳ ସେହିପରି ରୂପ- ନାକ, ଆଖି, ମୁହଁ । ବିହାରୀ କାନରେ ଏ ଖବର ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚିଗଲା- ବିହାରୀ ମକଦ୍ଦମ, ସତ୍ୟନାରାୟଣ ପୂଜାଟିଏ କରିବଟିକି ।

ଥାନାବାବୁ ଘୋଡ଼ାରେ ଚଢ଼ି ଦୁଲାକୁ ଆସି ସାବଧାନ କରିଗଲେ- “ଖବରଦାର, ପିଲାକୁ ମାରିବୁ ନାହିଁ ।” ଦୁଲା ମୁହଁରୁ ବିହାରୀର ନାମ ଶୁଣି ଧମକ ଦେଲେ- ଚୁପ୍ ରହ ରାଣ୍ଡୀ । ଶେଷରେ କହିଗଲେ, “ସତ ହୋଇଥିଲେ ତତେ ସେ ଛ’ମାସ ପାଇଁ ଖୋରାକ ପୋଷାକ ଦେବ ।”

ପିଲାଟାକୁ ଯେତେ ରକମ ଅଣହେଲା କରାଯାଇପାରେ, ଦୁଲା କାହିଁରେ ତ୍ରୁଟି କଲା ନାହିଁ । ସେକାସେକି ନାହିଁ, ବାରିପଟ ହେଁସ ଉପରେ ଶୁଆଇ ଦେଇଥାଏ । ପିଣ୍ଡାତଳେ ବିହାରୀ ସାରୁକିଆରି, ଆର ପାଖେ ବାଉଁଶ ବଣ । ବିଲୁଆ କୁକୁର ହାଉ ଯାଉ । ତାହାରି ପାଖରେ ଶୋଇ ପିଲାଟା ଗୋଡ଼ହାତ ଛାଟି କୁଆଁ କୁଆଁ ରଡ଼ି ଛାଡ଼େ । ଗାଁ ଚୌକିଆ ରୋଜ ଆସି ଡାକ ପକାଏ- “ହାଁ, ତୁ ପିଲାଟାକୁ ଖାଇବାକୁ ଦେଉ ନାହୁଁ, ହେପାଦସ୍ତ କରୁ ନାହୁଁ ।” ଦୁଲା ଆଡ଼କୁ କେମିତି ବୁଲି ଆସି ଚାରିଦିନର ପିଲାଟାକୁ ନିଆଁ ଲଗା ଛୁଆ, ଗଛଜଳା ଛୁଆ ବକି ବକି ଦୁଧ କଳେ ଦେଇଯାଏ । ତଥାପି ସେ ପିଲାଟା ବଞ୍ଚିଲା ।

ଦିନ ଆଠଟା ଯାଇଛି କି ନାହିଁ, ପିଲାଟାକୁ କାଖରେ ଯାକି ଦୁଲା ସିଧା ସିଧା ଦାଣ୍ଡ ମଝିରେ ଚାଲିଲା ବିହାରୀ ଘରକୁ । ଖାଲି ଦିନେ ସେ ବାରିପଟ ବିନା ଦାଣ୍ଡ ପାଖରେ କାହା ଘରକୁ ଯାଏ ନାହିଁ । ଗାଁ ଭିତରେ ଖୁଡୁତା ଦେଢୁତାକୁ ତାକୁ ଦେଖି ମୁଣ୍ଡରେ ଲୁଗା ଦିଏ- ଆଜି ଯେମିତି ଲାଜ ମହତ ସବୁ ଖାଇଦେଇ ବସିଚି ସେ ।

ବିହାରୀର ଘର ଭିତରୁ ପାଟି ଶୁଣାଗଲା, “ନିକଲ, ରାଣ୍ଡୀ ନିକଲ ।” ଖୁଡୁତା ଦେଢୁତାମାନେ ଟେକା ପଥର ଉଚେଁଇଲେ । ଦୁଲା ପଛେଇ ପଛେଇ ଦାଣ୍ଡ ଦୁଆରକୁ ପୁଣି ବାହାରି ଆସିଲା, କିନ୍ତୁ ଆଠଦିନ ଧରି ପ୍ରତିଦିନ ଗାଁ ଭିତରେ ଏହି ନବରଙ୍ଗ ଲାଗିଲା । ଦୁଲା ରୋଜିନା ପିଲାକୁ କାଖେଇ ବିହାରୀ ଘରକୁ ଯାଏ, ଏଣେ କାନ୍ଦୁଥାଏ ଏବଂ ବିହାରୀକୁ ବକି ବକି କହୁଥାଏ, “ନେ ତୋ ପୁଅକୁ ରଖ, ମତେ ରଖ୍ ।” ବିହାରୀ ପାଟି ନ ଫିଟାଇ ବାଡ଼ି ପଟକୁ ପଳାଏ, ମୁରବିମାନଙ୍କଠାରୁ ବକା ଖାଇ । ଦୁଲା ମଧ୍ୟ ତାହାର ଲେଖାଯୋଖା ଖୁଡୁତା ଦେଢୁତାଙ୍କଠାରୁ ଯେଉଁ ସବୁ ଗାଳି ଶୁଣିଲା, ସେଥିରୁ ମନେ ହେଲା ସେ ଯେମିତି ଗୋଟିଏ ମାଗିଖାଇ, ଗାଁ ଭିତରେ କାହାରି ସଙ୍ଗେ ତାହାର କିଛି ସମ୍ପର୍କ ନାହିଁ ।

ଏହାପରେ ଦିନେ ହଠାତ୍ ଦେଖାଗଲା, ପରିବୋଉଖୁଡ଼ୀ ଦୁଲାକୁ ସାଥୀରେ ଘେନି ଗାଁରୁ ବାହାରି ଯାଇଛି । କିଏ କହିଲା ପୁରୀ, କିଏ କଟକ ! ଜାତିଭାଇମାନେ ନିଃଶ୍ୱାସ ମାରି କହିଲେ, “ଯାଃ, ପାପ ଗଲା । ସେହି କଥା ତ କରିବୁ, ଏତେ କୌତୁକ କାହିଁକି ଭଲା ।” କିନ୍ତୁ ଚାରିଦିନ ପରେ ମା’ ଝିଅ ଦିହେଁ ଗାଁକୁ ଫେରିଲେ । ଶୁଣିଲୁ, ପିଲାଟାକୁ ପୁରୀ ବଡ଼ଛତା ମଠରେ ଦେଇଆସିଲେ ।

ମା’ ଝିଅ ଦୁହେଁ ଆଗପରି ଘରେ ରହିଲେ । ହେଲେ, ଦୁହିଁଙ୍କର ଅଲଗା ରୋଷେଇ । ଦୁଲା ହାତରୁ ପରି-ବୋଉଖୁଡ଼ୀ ଗୋଟାଏ ହେଲେ ଚିଜ ଛୁଏଁ ନାହିଁ । ବିଧବା ବ୍ରାହ୍ମଣୀ, ଶିବଲିଙ୍ଗ ସଙ୍ଗେ ସମାନ ସେ- କାହାରିକୁ ଦଣ୍ଡବତ ହେବ ନାହିଁ, ଆଇଁଷ ଟିକିଏ ଛୁଇଁ ପକେଇଲେ ଗାଧୋଇବ, ଓଷା, ବ୍ରତ, ହବିଷ, ଏକାଦଶୀ, ତିନିଥର ଗାଧୁଆ, ଚଉଁରାମୂଳେ ପାଣିଦିଆ- ଝିଅ ବୋଲି ସିନା ଘରେ ରହିଲା, ତାହା ପାଇଁ ଆଉ କ’ଣ ନିଜ ପୁଣ୍ୟତକ ସାରିବ ! ପରିବୋଉ-ଖୁଡ଼ୀ ଦିନେ ତ କାହାକୁ ଶାଗ କେରାଏ କି ଲଙ୍କାମରିଚ କସିଟାଏ ମାଗିଯାଇ ନାହିଁ, ଆଜି ଏବେ ଏକଘରିଆ ରହି ତାହାର ବେଶି କ’ଣ କ୍ଷତି ହେଲା ? ତେବେ ଖାଲି ଯାହା ସେହି ପିଲା ଦି’ଟା ।

ଯଦୁ କେତେ ଦିନେ ମଝିରେ ଗାଁକୁ ଆସି ଦଶ ପନ୍ଦର ଦିନ ପରେ ବଙ୍ଗଳା ଚାଲିଯାଇଛି । ତାକୁ କୁଆଡ଼େ ଗାଁ ଭିତରେ କାହିଁ ଠାବ ମିଳିଲା ନାହିଁ । ଯୁଆଡ଼େ ଗଲା ଲୋକେ କହିଲେ, “କିରେ ଯଦୁ, ଭଣଜା ଦେଖିବାକୁ ଆସିଗଲୁ କି ! ଆରେ ସାବିତ୍ରୀ ଉଆଁସକୁ ଭିଣୋଇ ଘରୁ କ’ଣ ଭାର ଥୋର ଆସିଥିଲା ମ ।” ଯଦୁଟା ତ ମୋଟେ ଚାଲାଖ ଚତୁର ନୁହେଁ । ଖାଲି ଦାନ୍ତ ନିକୁଟି ହସିଦିଏ, କିଛି ଜବାବ ଦେଇପାରେ ନାହିଁ ।

ଗାଁରୁ ଆଉ ପାଁଜଣଙ୍କ ସାଥିରେ ଯଦୁ ପୁଣି ବଙ୍ଗଳା ଗଲା । ଆଉ କେତେଜଣ ବଙ୍ଗଳାରୁ ଫେରିଲେ, ପୁଣି କିଏ ଗାଁ ଛାଡ଼ି ଗଲେ- ପ୍ରତିବର୍ଷ ଗାଁ ଭିତରେ ଏମିତି ଯିବା ଆସିବା ଲାଗିଛି । ତେବେ ଆସିବା ଅପେକ୍ଷା ଯିବା ଲୋକଙ୍କ ସଂଖ୍ୟା ବେଶି ବୋଲି ମନେହୁଏ, କାହିଁକି ନା ଗାଁଟା ଭିତରୁ ଅଳ୍ପ କେତେଟା ବର୍ଷ ଭିତରେ ପ୍ରାୟ ଅଧେ ଲୋକ ଖାଲି ପଡ଼ିଗଲେଣି- କେତେ ବଙ୍ଗଳା ବାଟ, ଆଉ କେତେ ମରି ହଜି ଯାଉଛନ୍ତି ।

ଅଳ୍ପ କେଇଟା ବର୍ଷ ତଳେ ତ ମେଲେରିଆ ଜର କାହାକୁ କହନ୍ତି, ଲୋକେ ଜାଣି ନଥିଲେ, ଆଜିକାଲି ଘର ଘରକେ ମେଲେରିଆ । ସେ କୁଆଡ଼େ ବିଲାତି ଦଳ ଯୋଗରୁ ବେଶି ହୁଏ । ଆମ ଗାଁରେ ତ ସେ ଦଳ ନ ଥିଲା, କିଏ ଜଣ ଦିନେ ଆଉ କୋଉ ଗାଁରୁ ମାଗିଆଣି ଖଣ୍ଡେ ଦଳ ଆମ ଗାଁ ପଦ୍ମ ପୋଖରୀରେ ପକେଇଲା । ମନେଅଛି, ସେ ଦଳର ଫୁଲ ଦେଖି ଆମେ ସବୁ ଭାରି ଖୁସି ହୋଇ ପଡ଼ିଥିଲୁ । ନିଜ ନିଜ ବାରି ଗାଡ଼ିଆରେ ଖଣ୍ଡେ ଖଣ୍ଡେ ଦଳ ଆଣି ପକେଇଲୁ । ସରସ୍ୱତୀ ପୂଜାକୁ ଆଉ ଫୁଲର ଅଭାବ ହେଲା ନାହିଁ ।

କିନ୍ତୁ ବର୍ଷ ଚାରି ପାଞ୍ଚଟା ପରେ ଦେଖାଗଲା, ଘର ଘରକେ ମେଲେରିଆ । ପରିବୋଉ- ଖୁଡ଼ୀକୁ ମଧ୍ୟ ସେହି ମେଲେରିଆ ଧଇଲା । ବାଉଁଶକଣି ପୁରି ତାହାର ପାତଳା ଦିହଟା ପୋଡ଼ାଅଙ୍ଗାର ଭଳି ବଡ଼ ଭୟଙ୍କର ଦେଖାଗଲା । ବୈଦ୍ୟମାନେ କହିଲେ, “ଏ ଜରରେ ମୁଣ୍ଡ ଧୋଇ ଗାଧୋଇ ବାସି ପଖାଳ, ବସାଦହି ଖାଇବାକୁ ହେବ ।” ପରିବୋଉ ଖୁଡ଼ୀ ତ ଜାଣି ବିଧବା ମଣିଷ, ଦିନରେ ତାହାର ତିନିଥର ଗାଧୁଆ କାହିଁକି ବନ୍ଦ ହେବ ? ଯେତେବେଳେ ସେ ବେଶି ଦୁର୍ବଳ ହୋଇପଡ଼ିଲା, ଟିକିଏ କିଛି କାମ କି ଚଲାବୁଲା କଲେ ମୁଣ୍ଡ ଝାଇଁ ଝାଇଁ ହେଲା, ସେତେବେଳେ ତ ପୁଣି ବାର ବ୍ରତ, ହବିଷ, ଏକାଦଶୀ ପାଳିବାକୁ ହେବ । ନ ଗାଧୋଇଲେ ଚଳିବ କିପରି ?

ପରିବୋଉ-ଖୁଡ଼ୀ କିନ୍ତୁ ଭାରି ଟାଣୁଆ ମଣିଷ । ସେହିପରି ମାସ ଭିତରେ କୋଡ଼ିଏ ଦିନ ଜରରେ ଥୁରୁଥୁରୁ ହୋଇ ନିଜର ସବୁ କାମତକ ସେ ନିଜ ହାତରେ କଲେ । ଦି’ଟା ଗୋଟାଏ ନୁହେଁ, ପାଞ୍ଚ ବର୍ଷ ସେ ଏହିପରି ଚଳାଇ ନେଲା । ଏହି ପାଞ୍ଚଟି ବର୍ଷ ଭିତରେ ଦୁଲାର ଦିନେ ହେଲେ ସାହସ ହୋଇ ନାହିଁ ବୋଉ ପାଇଁ ଶାଗ କେରାଏ କାଟି ଦେବାକୁ- ପଥି ଗଣ୍ଡିଏ ରାନ୍ଧିଦେବା ତ ଦୂରର କଥା !

ଏଥର କିନ୍ତୁ ଆଠ ଦିନ ହେଲା ପରିବୋଉ-ଖୁଡ଼ୀ ଶେଯରୁ ଉଠିପାରୁ ନାହିଁ, ପଡ଼ିଶାଅଡ଼ିସାରୁ କେହି କେହି ଆସି ତାକୁ ଦେଖିଯାନ୍ତି । ଏକଘରିଆ ହେଲା ବୋଲି କ’ଣ ଏତେବେଳେ ଟିକିଏ ଚାହିଁବେ ନାହିଁ ? ସୁଲୀ ଗଉଡୁଣୀଟି ଦିନେ ଦିନେ ଆସି ତାକୁ ଶେଯରୁ ଉଠାଇ ଦାନ୍ତପତ୍ର କରାଇ ଦିଏ । ଲିଆ କି ଚୁଡ଼ାଭଜା ଗଣ୍ଡିଏ ଆଣି ଗୋଟିଏ ଭୋଗେଇ ପାଖରେ ଥୋଇ ଦେଇଯାଏ, ଚେମି ପଣ୍ଡିଆଣୀ ଗାଧୋଇ ପାଧୋଇ ଆସି ମୁଣ୍ଡରେ ଟିକିଏ ତୁଳସୀ ପତ୍ର ଆଣି ଛିଞ୍ଚିଦିଏ, କଣିକାଏ ମହାପ୍ରସାଦ ଓଠରେ ଲଗେଇ ଦିଏ । ଦୁଲା ଅବଶ୍ୟ ଏସବୁ ବରାଦ କରିଦିଏ- କାହିଁକି ନା ତାହାଦ୍ୱାରା ଏସବୁ କାମ ହେବ ନାହିଁ, ଟିକିଏ ଖାଲି ବୋଉର ଗୋଡ଼ କି ଅଣ୍ଟା ଚିପିଦିଏ, ଆଉ କିଛି ନୁହେଁ ।

ପରି-ବୋଉ-ଖୁଡ଼ୀ ଶେଷରେ ଯଦୁ ପାଖକୁ ଖବର ଦେଲା । ଯଦୁ କିନ୍ତୁ ଆସିବାକୁ କେତେଦିନ ଲାଗୁଚି, କେଜାଣି । ଗାଁର ମୁଖିଆ ଲୋକେ କୁହାକୁହି ହେଲେ, “ରାଣ୍ଡୀଟା ତ ଏ ଘାଟି ଆଉ ପାରି ହେବ ନାହିଁ ପରା- ଉଠେଇବ ତାକୁ କିଏ ?”

ଆଉ ଜଣେ ଉତ୍ତର ଦିଏ, “ଯେ ପାରୁ, ସେ ଉଠାଉ, ନ ହେଲେ ବାସି ମଡ଼ା ହୋଇ ଘର ଭିତରେ କୁଆ ଶାଗୁଣା ପଶନ୍ତୁ, ଆମେ ତା’ ଦୁଆର ମାଡ଼ିବୁ ନାହିଁ ।”

ଆଉ କିଏ କହେ, “କି ହୋ, ଆମର ଭାଇ ଭିତରର ତ- ଝିଅ ସିନା ଦୋଷ କରିଛି, ମାଆର କ’ଣ ଅପରାଧ ? ଆମେ ନ ଗଲେ ଲୋକେ କ’ଣ କହିବେ ?”

କିଏ ଯାଉଛ ଯାଅ । ପୁଅ ତେଣେ କଲିକତାରେ, ଏହିକ୍ଷଣି ସବୁଗୁଡ଼ିକ ବିଧି ବିଧାନ ହେବ କିପରି, ଖର୍ଚ୍ଚ ତୁଲେଇବ କିଏ ?

କୋଉ କଥା ରହିଯିବ ଭଲା । ତାହା ବୋଲି ଅନାମ ଦାସ ଭାରିଯା’ ସେ, ଆମର ସାତ ପୁରୁଷୀ ଭାଇ, ତାହାର ଏବେ କେହି ନାହିଁ ବୋଲି- ଯଦୁ ଚିଠି ଖଣ୍ଡ ପାଇ ଚାକିରୀ ଛାଡ଼ି ଗାଁକୁ ବାହାରିଲା, କିନ୍ତୁ ତା’ର ପହୁଞ୍ଚିବାକୁ ଡେରି ହୋଇଗଲା ।

ପରି ବୋଉ- ଖୁଡ଼ୀର ତିନିଦିନ ହେଲା ନିଦ ନାହିଁ, ଦିହ ହାତ କାଲ ମାରି ଯାଉଚି, ଧଇଁ ପେଲୁଚି, କିନ୍ତୁ ଆଉ ରୋଗୀମାନଙ୍କ ପରି ସେ ଡହଳ ବିକଳ ହେଉ ନାହିଁ, ପାଟିତୁଣ୍ଡ କିଛି ନାହିଁ, ଗାଁର ପୁରୁଖା ପୁରୁଖା ମାଇପେ କେତେଜଣ ରୁଣ୍ଡ ହୋଇଚନ୍ତି । ପୁତୁରା ଦିଅର ଦୁଇ ତିନିଜଣ ଗାଁ ବୈଦ୍ୟଙ୍କୁ ଡାକି ଆଣିଲେ, ଦୁଲା ଦି’ଅଣାଟି ପଇସା ରଖିଥିଲା, ବୈଦ୍ୟଙ୍କୁ ଦେଲା । ବୈଦ୍ୟ ଚନ୍ଦନ ପେଡ଼ିରେ କ’ଣ ଟିକିଏ ଔଷଧ ଘୋରି ମହୁରେ ଚଟେଇଦେବାକୁ କହିଲେ, କିନ୍ତୁ ଗଲାବେଳେ କହିଗଲେ,

“ଏ ତ ଅଣଚାଶ ବାୟୁ ନାଭିମଣ୍ଡଳରୁ ଛାଡ଼ିଗଲାଣି, ୟା’କୁ ଆଉ ବଳ କାହାର !”

ଉଃ ! ଭାରି ଶୋଷ । ପରିବୋଉ-ଖୁଡ଼ୀ ତିନିଦିନ ପରେ ଆଜି କଥା କହିଲା ।

ବାଞ୍ଛାମ ଦୁଲାର ନିକଟ ସମ୍ପର୍କର ଖୁଡ଼ୀ ହେବ, କହିଲା, “ଦୁଲା ଲୋ, ବୋଉ ମୁହଁରେ ପାଣି ଟିକିଏ ଦେଲୁ, ଯଦୁଆ ତ ନାହିଁ, କିଏ ଆଉ ଏତେବେଳେ ପାଣି ଟିକିଏ ଦେବ ।”

ଦୁଲାର ସାହସ ହେଉ ନ ଥାଏ । ବୋଉ ତ ସେହି କାଳରୁ ତାହା ହାତରୁ କିଛି ଛୁଏଁ ନାହିଁ, ଆଜି ତା’ ମୁହଁରେ ପାଣି ଦେବ କିପରି ? ଅଛୁଆଁ ଲୋକେ ଦେଉଳ ଭିତରେ ପଶିବାକୁ ଯେମିତି ହୁଅନ୍ତି, ଦୁଲାର ସେହିପରି ଡର ମାଡ଼ିଲା ।

ଆଉ ଜଣେ କହିଲା, “ଆଲୋ ଦେ ମ, ଏତେବେଳେ ଆଉ ସେହି କଥା ବିଚାରି ହେଉଚୁ କ’ଣ ?”

ଦୁଲା ପାଣି ଟିକିଏ ଘେନି ମାଆର ମୁହଁ ପାଖରେ ଡାକିଲା “ବୋଉ” ପାଣି ଗିନାଟା ଧରି ଉଠିଲା, – ବୋଉ ! ପରି-ବୋଉ-ଖୁଡ଼ୀ ଡୋଳା ଦି’ଟା ମେଲା କରି ତରାଟି ଚାହିଁଲା, – ଯେପରି ସେ ରୋଗ ଶେଯଟା ଉପରେ ପରି-ବୋଉ-ଖୁଡ଼ୀ ଦେହ ନାହିଁ, ମୁହଁ ନାହିଁ, ନାକ ନାହିଁ, କାନ ନାହିଁ- ଖାଲି ଆଖି ଦୁଇଟା । ଦୁଲାର ଛାତି ଧଡ଼ ଧଡ଼ ପଡ଼ିଲା । ପରି-ବୋଉ-ଖୁଡ଼ୀ ଓଠ ମେଲାଇ ଧୀରେ ଧୀରେ କହିଲା, “କିଏ-ଏ ? ଦୁ. . .ଲା ? – ତୋ ହାତରୁ ? – ନାହିଁ ଲୋ ମା’ ।” ପରିବୋଉ-ଖୁଡ଼ୀ ମୁହଁଟାକୁ ଟିକିଏ ବୁଲାଇ ନେଲା । ଆଉ ଥରେ ସେ ଚାହିଁ ନାହିଁ କି ଶୋଷ ବୋଲି କହି ନାହିଁ ।

ଲୋକପ୍ରିୟ ଲେଖା

To Top