କବିତା

ଗଣତନ୍ତ୍ରର ଗଣଦୁଷ୍କର୍ମ

Surendra Kumar Behera's odia poem Ganatantrara Ganadushkarma

ଅଣସ୍ତରି ବର୍ଷ ସ୍ୱାଧୀନତାର ବଡ଼ଦାଣ୍ଡେ
ପ୍ରଗତିର ରଥ ବାହୁଥିବା
ରଥୀ, ମହାରଥୀ ଆଉ ସାରଥିଙ୍କ ଶ୍ରୀମୁଖରେ
ସ୍ୱଚ୍ଛ ନିର୍ମଳ ଶାସନର ଶୁଭ ସାହାନାଇ !

ଗଣତନ୍ତ୍ରର ଗଣଦୁଷ୍କର୍ମ

ଦେଶମାତୃକାର
ସୁନୀଳ ଆକାଶେ
ଏ ଯାଏଁ ବି ଉଇଁନାହିଁ
ମୁକ୍ତିର ନବରବି ବି ପଡ଼ିନାହିଁ
ଦୀନ-ଦରିଦ୍ରର ରାଗରାଗିଣୀରେ
ଭୋକର ସୁର ଧରି. . .
ଗଞ୍ଜଣାର ଗଜଲ ଗାଉଥିବା
ମାମୁଲି ମଣିଷଙ୍କ,
ଜୀଇଁବାର ଭିଟାମାଟି ପରେ
କୋଉ ସ୍ୱାଧୀନତାର କନକ କିରଣ ?

ଗଣତନ୍ତ୍ରର ଅଡୁଆ ସୂତାରୁ
ଏ ଯାଏଁ ବି. . . ଫିଟିନାହିଁ,
ରାଜୁରାଜୁଡ଼ା, ଜମିଦାରୀ ଅବା ଦରବାରୀ
ଶାସନର ଗହନ ଗୁମର ଗଣ୍ଠି
କି ଶୁଭୁନାହିଁ,
ଅଣସ୍ତରି ବର୍ଷ ସ୍ୱାଧୀନତାର ବଡ଼ଦାଣ୍ଡେ
ପ୍ରଗତିର ରଥ ବାହୁଥିବା
ରଥୀ, ମହାରଥୀ ଆଉ ସାରଥିଙ୍କ ଶ୍ରୀମୁଖରେ
ସ୍ୱଚ୍ଛ ନିର୍ମଳ ଶାସନର ଶୁଭ ସାହାନାଇ !

ଧର୍ମ ନାମେ. . . ଏ ଯାଏଁ ବି
ମଠ, ମନ୍ଦିର, ମସ୍ଜିଦ୍, ଗୀର୍ଜା
ଆଉ ଗୁରୁଦ୍ୱାରରେ ସୃଷ୍ଟି ହୋଇନାହିଁ
ସାମ୍ୟବାଦ, ଭ୍ରାତୃବାଦ. . .
ଆଉ ବିଶ୍ୱ ମାନବବାଦର ସମ୍ମୋହନୀ ମନ୍ତ୍ର,
କି ଭାଙ୍ଗିଯାଇ ନାହିଁ,
ଜାତି, ଧର୍ମ, ବର୍ଣ୍ଣ ସମ୍ପ୍ରଦାୟ ନାମେ
କାହିଁ କେଉଁ କାଳୁ ମୁଣ୍ଡ ଟେକି
ଠିଆ ହୋଇଥିବା କେତେ ଭେଦଭାବର
ସେ ଅଭେଦ୍ୟ, ଦୁର୍ଭେଦ୍ୟ ଅନ୍ଧ ପାଚେରୀ !

ଗଣତନ୍ତ୍ରର ବେଳାଭୂଇଁ ଡେଇଁ
ପ୍ରଖର ବେଗରେ ମାଡ଼ି ଆସିଲାଣି
ଦୁର୍ନୀତି, ଜୁଆ-ଚୋରି, ଭ୍ରଷ୍ଟାଚାର
ଆଉ କଳା ଶାସନର କାଳ ସୁନାମି,
ଖେଦି ସାରିଲାଣି ପଲ୍ଲୀରୁ ପିପିଲି
ଆଉ ଦିଲ୍ଲୀ ଯାଏ. . .
ଶୋଷଣ, କଷଣ, ଧର୍ଷଣ
ଆଉ ମାରଣର ମାରାତ୍ମକ ଢେଉ !

ଜଣା ନାହିଁ. . . ଶାନ୍ତି, ମୈତ୍ରୀ
ଆଉ ଅହିଂସାର ସମ୍ମୋହନୀ
ଗୀତ ଗାଉଥିବା ଭାରତବର୍ଷର
ପବିତ୍ର ମାଟି, କେତେବେଳେ
ଗଣତନ୍ତ୍ରର ଗଣଦୁଷ୍କର୍ମରେ
ବାରବାର, ବିବସିତା ହୋଇ
ପାଲଟିଯିବ ଏକ ବିଷର୍ଣ୍ଣ ବିବର୍ଣ୍ଣ ଭୂଖଣ୍ଡ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top