ମାଟିମାଆ ତୋର ହୁଏରେ ଆତୁର
ଡାକଇ କଲିଜା ଚିରି ,
କାହିଁ ଅଛୁ ଆରେ ଓଡ଼ିଆ ସନ୍ତାନ
ଚାଲିଆସେ ବେଗେ ଫେରି ।।
ମାଆ କୋଳେ ତୋର ପଡ଼ିଛି ଖାଲିରେ
ଛାତିରେ ଛାତିଏ କୋହ,
ଫେରିବା ବାଟ ତୋ ଚାହିଁ ସେ ବସିଛି
ଆଖିରୁ ଝରାଇ ଲୁହ ।।
ରଙ୍କ ରତନ ତୁ ଭିଟା ମାଟି ଛାଡି
ପରଦେଶେ ଅଛୁ ରହି,
ମାଆର ମମତା କେମିତି ଭୁଲିଲୁ
ବିଦେଶୀ ଗୋଲାମୀ ପାଇଁ ।।
କେତେ ସୁର ବୀର ହେଲେ ରେ ଅମର
ରଖିଗଲେ ମାଆ ଟେକ ,
ତୁ’ ସେ ମାଆର ସନ୍ତାନ ହୋଇରେ
ଭୁଲିଗଲୁ ଜାତି ଭେକ ।।
କହଇ ଜାତିରେ ତୋ’ ମାଆ ମାଟିରେ
ସୁନା ଶସ୍ୟ ଫଳେ ପରା,
କାହିଁ ଅଛୁ ବସି ତୁ ନ ଫେରି ଆସି
ମାଆର ଦୁଃଖ ପାଶୋରା ।।
ମାଆ ତୋ ହସିବ ଯଶ ତା’ ଫେରିବ
ଲୋକେ କହିବେ ରେ ଦେଖ!
ଆସିଛି ତା’ପୁଅ ପୋଛି ମାଆ ଲୁହ
ଭୁଲାଇଛି ତା’ର ଦୁଃଖ ।।