ପ୍ରବନ୍ଧ

ପ୍ରତିଭା ପୂଜାର ବିଡ଼ମ୍ୱନା

Dr Chhayakanta Sarangi's odia prose Pratibha Pujara Bidambanaa

ସେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରେ ଓ ସେମାନଙ୍କୁ ପୂଜା କରି ଓ ବର୍ଷକୁ ଥରେ ସେମାନଙ୍କ ଜୟନ୍ତୀ ପାଳନ କରି ଆତ୍ମସନ୍ତୋଷ ଲାଭ କରେ । ମାତ୍ର ସେମାନଙ୍କ ଆଦର୍ଶ ଆଚରଣର ବିଷୟବସ୍ତୁ ନ ହୋଇ ଭାଷଣର ବିଷୟବସ୍ତୁ ହୋଇଯାଏ ।

ପ୍ରତିଭା ପୂଜାର ବିଡ଼ମ୍ୱନା

ମଣିଷ ସର୍ବଦା ଅତୀତକୁ ନେଇ ଗର୍ବ କରେ । ଅତୀତର ଗୁଣ ଗାନ କରେ । ମହାପୁରୁଷମାନଙ୍କୁ ଭକ୍ତି କରେ । ସେମାନଙ୍କ ବାଣୀ ଶୁଣେ ଓ ଉଦ୍‌ବୁଦ୍ଧ ହୁଏ । ମାତ୍ର ମହାପୁରୁଷମାନଙ୍କର ଯେଉଁ ଗୁଣକୁ ସେ ପ୍ରଶଂସା କରେ, ସେହି ଗୁଣର ପ୍ରତିଫଳନ ତା’ ନିଜ ଜୀବନରେ ପରିଦୃଷ୍ଟ ହୁଏ ନାହିଁ । ଏହା ହିଁ ହେଉଛି ବିଡ଼ମ୍ୱନା । ସେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରେ ଓ ସେମାନଙ୍କୁ ପୂଜା କରି ଓ ବର୍ଷକୁ ଥରେ ସେମାନଙ୍କ ଜୟନ୍ତୀ ପାଳନ କରି ଆତ୍ମସନ୍ତୋଷ ଲାଭ କରେ । ମାତ୍ର ସେମାନଙ୍କ ଆଦର୍ଶ ଆଚରଣର ବିଷୟବସ୍ତୁ ନ ହୋଇ ଭାଷଣର ବିଷୟବସ୍ତୁ ହୋଇଯାଏ । ସେମାନଙ୍କ ଦର୍ଶନରେ ତର୍କ ପଶେ ଓ ଅନୁଗାମୀମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି ହୁଏ । ଉଭୟ ଜୈନଧର୍ମ ଓ ବୌଦ୍ଧଧର୍ମର ଇତିହାସ ଏହା ପ୍ରମାଣ କରେ । ଜୈନମାନଙ୍କ ମଧ୍ୟରେ ଯେପରି ଶ୍ୱେତାମ୍ୱର ଓ ଦିଗମ୍ୱର ନାମରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହେଲା, ବୌଦ୍ଧମାନଙ୍କ ମଧ୍ୟରେ ବି ସେପରି ମହାଯାନ ଓ ହୀନଯାନ ନାମରେ ଦୁଇଟି ସମ୍ପ୍ରଦାୟ ସୃଷ୍ଟି ହେଲା । ଜୈନମାନଙ୍କଠାରୁ ମୂର୍ତ୍ତିପୂଜା ଆରମ୍ଭ ହେଲା ଓ ପରେ ବୌଦ୍ଧମାନେ ମଧ୍ୟ ସେମାନଙ୍କୁ ଅନୁସରଣ କରି ମୂର୍ତ୍ତିପୂଜା କଲେ । ମହାବୀର ଓ ବୁଦ୍ଧ କେବେ କଳ୍ପନା କରିନଥିବେ ଯେ ତାଙ୍କ ଅନୁଗାମୀମାନେ ସେମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ସେମାନଙ୍କୁ ପୂଜା କରିବେ ଓ ସେମାନଙ୍କ ଆଦର୍ଶରୁ ଦୂରେଇ ଯିବେ । ହିନ୍ଦୁମାନେ ବୁଦ୍ଧଙ୍କୁ ଈଶ୍ୱରଙ୍କ ନବମ ଅବତାର ଭାବରେ ଗ୍ରହଣ କରିନେଲେ । ଓଡ଼ିଆମାନେ ଜଗନ୍ନାଥଙ୍କୁ ବୌଦ୍ଧାବତାର ବୋଲି ପ୍ରମାଣ ବାଢ଼ିଲେ । ଜଗନ୍ନାଥଙ୍କ ବିଗ୍ରହର ନାଭିମଣ୍ଡଳରେ ବୁଦ୍ଧଦେବଙ୍କ ଦନ୍ତ ଅଛି ବୋଲି ତଥ୍ୟ ସଂଗ୍ରହ କଲେ । ନୀଳାଚଳଧାମକୁ ଦନ୍ତତୀର୍ଥ କହିଲେ । ଏବେ ବୁଦ୍ଧଦେବଙ୍କ ଜନ୍ମସ୍ଥାନକୁ ନେଇ ବିତର୍କ ଅବ୍ୟାହତ ରହିଛି । ଭୁବନେଶ୍ୱର ନିକଟସ୍ଥ କପିଳେଶ୍ୱର ଗାଁରେ ଆବିଷ୍କୃତ ଏକ ଶିଳାଲେଖରୁ ଆଧାର କରି ଦଳେ ଗବେଷକ ମତବ୍ୟକ୍ତ କରୁଛନ୍ତି ଯେ ବୁଦ୍ଧଙ୍କ ପ୍ରକୃତ ଜନ୍ମସ୍ଥାନ ହେଉଛି ଓଡ଼ିଶାର କପିଳେଶ୍ୱର, ପ୍ରଗଣାର ନାମ ଲୁମ୍ୱେଇ, ଲୁମ୍ୱିନୀର ଏକ ଅପଭ୍ରଂଶ ଶବ୍ଦ । ଏହି ତର୍କବିତର୍କ ମଧ୍ୟରେ ବୁଦ୍ଧବାଣୀ ଆଜି ବିସ୍ମୃତ । ବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ ସତ୍ଭାବନା, ସତ ସଙ୍କଳ୍ପ, ସତ୍‌ବାକ୍ୟ, ସତ୍‌କାର୍ଯ୍ୟ, ସତ୍‌ଜୀବିକା, ସତ୍‌ପରିଶ୍ରମ, ସତ୍‌ସ୍ମୃତି ଓ ସତ୍‌ସମାଧି ଆଜି ବିସ୍ମୃତି ଗର୍ଭରେ । ଜୈନଧର୍ମ ଓ ବୌଦ୍ଧଧର୍ମର ମୂଳମନ୍ତ୍ର ଅହିଂସା ଇତିହାସର କଥାବସ୍ତୁ ପାଲଟିଯାଇଛି । ଯେଉଁ ବିହାର ରାଜ୍ୟରେ ବୁଦ୍ଧ ଅଧିକାଂଶ ସମୟ ଅତିବାହିତ କରିଥିଲେ ଓ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ, ସେହି ରାଜ୍ୟ ଆଜି ହିଂସାପ୍ରମତ୍ତ । ଯେଉଁ ବୋଧିଦ୍ରୁମ ତଳେ ବୁଦ୍ଧ ତପସ୍ୟା କରିଥିଲେ ସେହି ଦ୍ରୁମର ଗୋଟିଏ ଚାରା ଧରି ସଘଂମିତ୍ରା ସିଂହଳରେ ପହଞ୍ଚିଥିଲେ । ସେତେବେଳେ ସିଂହଳର ରାଜା ଥିଲେ ଦେବାନାମ୍ ପ୍ରିୟତିସସ୍ । ସେହି ଦ୍ରୁମ ଆଜି ପର୍ଯ୍ୟନ୍ତ ଅନୁରାଧାପୁରର ଏକ ଉଦ୍ୟାନରେ ବଞ୍ଚିରହିଛି ଓ ବୁଦ୍ଧଙ୍କ ଅହିଂସାବାଣୀକୁ ସ୍ମରଣ କରାଇ ଦେଉଛି । ମାତ୍ର ସିଂହଳରେ ବାସ୍ତବତା ଭିନ୍ନ । ଅଧିକାଂଶ ସମୟରେ ସିଂହଳରେ ରହିଛି ହିଂସାର ବାତାବରଣ । ଏହା ଏକ ବିଡ଼ମ୍ୱନା ।

ମହାବୀର ଓ ବୁଦ୍ଧ ଯେଉଁ ଅହିଂସାର କଥା କହିଥିଲେ, ମହାତ୍ମାଗାନ୍ଧୀ ସେହି ଅହିଂସାକୁ ସଫଳତାର ସହିତ ଗଣଚେତନା ଭିତରକୁ ଆଣିବାରେ ସମର୍ଥ ହୋଇଥିଲେ । ଦକ୍ଷିଣ ଆଫ୍ରିକାରେ କଳାଗୋରା ଭେଦଭାବ ବିରୋଧରେ ଓ ଭାରତୀୟମାନଙ୍କ ଉପରେ ଗୋରାମାନଙ୍କର ଅତ୍ୟାଚାର ବିରୋଧରେ ଗାନ୍ଧିଜୀ ଯେଉଁ ଅହିଂସା ପର୍ଯ୍ୟବସିତ ସଂଗ୍ରାମ କରିଥିଲେ ତା’ର ନାମ ଥିଲା “ସତ୍ୟାଗ୍ରହ” । ପ୍ରଥମେ ଏହି ଆନ୍ଦୋଳନକୁ ସେ ଇଂରାଜୀରେ “ପେସିଭ୍ ରେଜିଷ୍ଟ୍ରେନ୍ସ” କହୁଥିଲେ । ସେ ଦେଖିଲେ ଯେ ଗୋରାମାନେ ଏହି ଶବ୍ଦଦ୍ୱୟର ସଂକୀର୍ଣ୍ଣ ଅର୍ଥ କରୁଛନ୍ତି ଓ ଏହାକୁ ଦୁର୍ବଳର ଅସ୍ତ୍ର ଭାବରେ ବ୍ୟାଖ୍ୟା କରୁଛନ୍ତି । ଏଣୁ ସେ ତାଙ୍କର ଆନ୍ଦୋଳନର ନୂତନ ନାମକରଣ ପାଇଁ ଏକ ଶବ୍ଦ ଖୋଜିଲେ । ଏଥିପାଇଁ ସେ “ଇଣ୍ଡିଆନ୍ ଓପିନିଅନ୍” ପତ୍ରିକାର ପାଠକମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଇଲେ । ମଗନ୍‌ଲାଲ୍ ଗାନ୍ଧୀ ତାଙ୍କର ଶବ୍ଦ ସଦାଗ୍ରହ(ସତ୍+ଆଗ୍ରହ) ପାଇଁ ପୁରସ୍କାର ପାଇଲେ । ପରେ ଗାନ୍ଧୀ ଶବ୍ଦଟିକୁ ବେଶି ସ୍ପଷ୍ଟ କରିବା ପାଇଁ ମଝିରେ “ୟ” ଅକ୍ଷର ଯୋଡ଼ି “ସତ୍ୟାଗ୍ରହ” ଶବ୍ଦ ତିଆରି କଲେ । ଏହି ସତ୍ୟାଗ୍ରହକୁ ସେ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ ହେଁ, ସେ ସାରା ଜୀବନ ସତ୍ୟର ପ୍ରୟୋଗ କରିଥିଲେ । ସେ କହୁଥିଲେ, ସତ୍ୟ ହିଁ ସବୁରି ଉପରେ । ଏହି ସତ୍ୟ ସ୍ଥୂଳବାଚକ ସତ୍ୟ ନୁହେଁ । ଏହା ବଚନରେ ଯେପରି ସତ୍ୟ, ବିଚାରରେ ବି ସେପରି ସତ୍ୟ । ମୁଁ ସତ୍ୟରୂପୀ ପରମେଶ୍ୱରଙ୍କ ପୂଜାରୀ । ଅନ୍ୟାୟକୁ ହିଂସାଶୂନ୍ୟ ଓ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିରୋଧ କରିବାକୁ ଗାନ୍ଧୀ ସତ୍ୟାଗ୍ରହ କରୁଥିଲେ । ଆଜି ଏହି ସତ୍ୟାଗ୍ରହ ରାସ୍ତାରୋକୋ, ରେଳରୋକୋ ଆନ୍ଦୋଳନର ରୂପ ନେଇଛି । ଅହିଂସାର ସ୍ଥାନ ନେଇଛି ହିଂସାତ୍ମକ ବିପ୍ଳବ । କେତେବେଳେ ଦରଦାମ ବୃଦ୍ଧି ବିରୋଧରେ ତ କେତେବେଳେ ସ୍ଥାନ ସଂରକ୍ଷଣ ସପକ୍ଷରେ ବା ବିପକ୍ଷରେ, ଆଉ କେତେବେଳେ ନ୍ୟାୟାଳୟର ଶାଖା ପ୍ରତିଷ୍ଠା ପାଇଁ ବା କେଉଁଠି ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ରାସ୍ତାରୋକେ ଏକ ସାଧାରଣ ଉପାୟ ହୋଇଛି । ଏଥିରେ ହନ୍ତସନ୍ତ ହୁଅନ୍ତି ସାଧାରଣ ନାଗରିକ । କାହାର କଚେରୀ ମାମଲା ଥାଏ ତ କାହାର ପରୀକ୍ଷା ଥାଏ ତ ଆଉ କାହାର ଚିକିତ୍ସାଳୟକୁ ଯିବାର ଥାଏ । ମାତ୍ର ରାସ୍ତାରୋକୋ କରୁଥିବା ଲୋକେ କାହାକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ । ରୋଗୀ ମଧ୍ୟ ରାସ୍ତାରେ ପଡ଼ିରହେ । ସେମାନଙ୍କ ଯୁକ୍ତି ଥାଏ ସମସ୍ତଙ୍କ ପ୍ରତି ସମାନ ବିଚାର ନ କଲେ ଅନ୍ୟାୟ ହେବ । ନ୍ୟାୟର କି ବିଚିତ୍ର ବିଶ୍ଳେଷଣ । ଆହୁରି ବିଚିତ୍ର କଥା ହେଲା ପରୀକ୍ଷା ଫଳ ଖରାପ ହେଲେ ବି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି । ସେହି ଆନ୍ଦୋଳନ ହିଂସାଚାର ବିନା ସଂଘଟିତ ହେଉନାହିଁ । ଭଙ୍ଗାରୁଜା କରିବା, ଜାତୀୟ ସମ୍ପତ୍ତି ନଷ୍ଟ କରିବା ଏହି ଆନ୍ଦୋଳନର ସ୍ୱାଭାବିକ୍ ଗତି । ଏହି ପରୀକ୍ଷା ଫଳକୁ ନେଇ ଗତ ବର୍ଷ ବୈଷୟିକ ମହାବିଦ୍ୟାଳୟ ଛାତ୍ରମାନେ ଭୁବନେଶ୍ୱରରେ ଲକ୍ଷ ଲକ୍ଷ ଟଙ୍କାର ଜାତୀୟ ସମ୍ପତ୍ତି ଆନ୍ଦୋଳନ ନାମରେ ନଷ୍ଟ କରିଥିଲେ । ଗାନ୍ଧୀଙ୍କ ସତ୍ୟାଗ୍ରହର ଏହା ହେଉଛି ଆଧୁନିକ ରୂପ । ଏହି ରୋକୋ ପଛରେ ପ୍ରାୟ ସମସ୍ତ ରାଜନୈତିକ ଦଳର ସମର୍ଥନ ଥାଏ । ସେମାନଙ୍କ ଯୁକ୍ତି ହେଉଛି ଏହାଦ୍ୱାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଏ । ଏମାନେ ଭୁଲିଯାନ୍ତି ଯେ ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଦ୍ୱାରା ଶକ୍ତିଶାଳୀ ବ୍ରିଟିଶ୍ ଶାସନ ମଧ୍ୟ ଦୋହଲି ଯାଇଥଇଲା । ସମ୍ପ୍ରତି ରାଜନେତାମାନେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ତାଙ୍କ ଗଳାରେ ଫୁଲମାଳ ଦେଉଛନ୍ତି । ମାତ୍ର ବାସ୍ତବ ଜୀବନରେ ଗାନ୍ଧୀ ଦର୍ଶନ ବିରୋଧୀ ସମସ୍ତ ଅପକର୍ମ କରୁଛନ୍ତି । କିଛି ବ୍ୟକ୍ତି ଗାନ୍ଧୀଙ୍କ ଭଳି ଖଦଡ଼ ପିନ୍ଧୁଛନ୍ତି । ସଭାମଞ୍ଚ, ରେଡ଼ିଓ, ଦୂରଦର୍ଶନ ପରଦାରେ ଶାନ୍ତି, ଅହିଂସା ଓ ତ୍ୟାଗର ସ୍ଲୋଗାନ୍ ଦେଉଛନ୍ତି । ନିଶା ନିବାରଣର ପ୍ରଚାର କରି ସନ୍ଧ୍ୟାରେ ମଦରେ ଭୋଳ ରହୁଛନ୍ତି । ଆଜି ଗାନ୍ଧୀବାଦର ଏହି ଦୁର୍ଗତି । ଆହୁରି ବିଡ଼ମ୍ୱନାର ବିଷୟ ହେଉଛି ଭାରତର ଅନେକ ସ୍ଥାନରେ ଏବେ ଗାନ୍ଧୀ ମନ୍ଦିର ନିର୍ମାଣ ହେଲାଣି ଓ କେତୋଟି ସ୍ଥାନରେ ଗାନ୍ଧିଜୀଙ୍କୁ ଏକ ଦେବତା ଭାବରେ ପୂଜା କରାଯାଉଛି ଅଥଚ ଗାନ୍ଧୀ ଦର୍ଶନର ପ୍ରତିଫଳନ ବାସ୍ତବ ଜୀବନରେ ନାହିଁ । ଅପରପକ୍ଷରେ ଆମେରିକାର ରୋଡ୍ ଆଇଲାଣ୍ଡ ବିଶ୍ୱବିଦ୍ୟାଳୟରେ ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ଉପରେ ଗବେଷଣା ଚାଲିଛି । ସେଠି ରହିଛି ନନ୍ ଭାଓଲେନ୍ସ୍ ଏଣ୍ଡ୍ ପିସ୍ ଷ୍ଟଡ଼ିଜ୍ ନାମରେ ଏକ ବିରାଟ ଗ୍ରନ୍ଥାଳୟ । ସେଠାରେ କେବଳ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା ଚାଲି ନାହିଁ, ଅହିଂସାର କାର୍ଯ୍ୟକାରିତାକୁ କର୍ମକ୍ଷେତ୍ରରେ ପ୍ରୟୋଗ କରିଦେଖାଯାଉଛି । ଆଜି ମିଳିତ ଜାତିସଂଘର ନିଷ୍ପତ୍ତିକ୍ରମେ ଅକ୍ଟୋବର ୨ ତାରିଖକୁ ବିଶ୍ୱ ଅହିଂସା ଦିବସ ରୂପେ ପାଳନ କରାଯାଉଛି । ଗାନ୍ଧୀଙ୍କ ଚିନ୍ତା ଓ ଜୀବନବ୍ୟାପୀ ସାଧନାର ମୂଲ୍ୟ ଦେଶକାଳ ଅତିକ୍ରମ କରିଛି । ଆଜି ସେ ବିଶ୍ୱାମାନବର ଉଜ୍ଜ୍ୱଳ ପ୍ରତିଭୂତ । ବିଂଶ ଶତାବ୍ଦୀର ଶେଷ ଭାଗରେ ଆମେରିକାର ଟାଇମ୍ସ ପତ୍ରିକା ପକ୍ଷରୁ ଶତାବ୍ଦୀର ତିନିଜଣ ଶ୍ରେଷ୍ଠ ମଣିଷଙ୍କୁ ବାଛିବା ପାଇଁ ବିଶ୍ୱବ୍ୟାପୀ ଜନମତ ସଂଗ୍ରହ କରାଯାଇଥିଲେ । ଆଇନ୍‌ଷ୍ଟାଇନ୍ ଓ ଫ୍ରାଙ୍କଲିନ୍ ରୁଜ୍‌ଭେଲଟ୍‌ଙ୍କ ବିଷୟରେ ସହମତି ଥିଲେ ମଧ୍ୟ ଚର୍ଚ୍ଚିଲ ଓ ଗାନ୍ଧୀଙ୍କ ଭିତରୁ ଜଣକୁ ବାଛିବା କଷ୍ଟକର ହୋଇଥିଲା । ଶେଷରେ ଗାନ୍ଧୀ ହିଁ ଶ୍ରେଷ୍ଠ ମଣିଷ ରୂପେ ବିବେଚିତ ହେଲେ । କାହିଁକି ଚର୍ଚ୍ଚିଲ୍ ବାଦ୍ ପଡ଼ିଲେ ବୋଲି ପ୍ରଶ୍ନ ହେବାରୁ ସମ୍ପାଦନାମଣ୍ଡଳୀ ସ୍ପଷ୍ଟୀକରଣ ଦେଇଥିଲେ, ସାଧାରଣ ମଣିଷକୁ ଭଲପାଇ ତାହାର ଦୁଃଖ ଓ ସୁଖରେ ନିଜକୁ ସାମିଲ୍ କରିବା ଦୃଷ୍ଟିରୁ ଗାନ୍ଧୀ ଚର୍ଚ୍ଚିଲ୍‌ଙ୍କଠାରୁ ବହୁ ଊର୍ଦ୍ଧ୍ଵରେ । ଆଜି ତଥାକଥିତ ଗାନ୍ଧିବାଦୀ ନେତାମାନେ ସାଧାରଣ ମଣିଷର ଦୁଃଖସୁଖରେ କେତେଦୂର ସହଭାଗୀ ତାହା ଏକ ପ୍ରଶ୍ନବାଚୀ, କାରଣ ଗାନ୍ଧୀଙ୍କ ପରି ନିଜେ ସାଧାରଣ ଜୀବନ ଯାପନ ନ କଲେ, ସାଧାରଣ ଲୋକର ଦୁଃଖସୁଖରେ ଭାଗୀଦାର ହେବା ସମ୍ଭବ ନୁହେଁ ।

ସମଗ୍ର ବିଶ୍ୱରେ ଶ୍ରେଷ୍ଠ ବିବେଚିତ ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ ଏବେ ହିଂସାପ୍ରମତ୍ତ ଭାରତବର୍ଷକୁ ଓ ସ୍ୱାଧୀନତାର ଷାଠିଏ ବର୍ଷ ପରେ ମଧ୍ୟ ଦିନକୁ ଦି’ଓଳି ଖାଇବାକୁ ପାଉଥିବା ଲୋକମାନଙ୍କୁ ସ୍ୱର୍ଗରୁ ଦେଖି ଇଂରେଜ ଗାଳ୍ପିକ ଅସ୍କାର ୱାଲଲଡ୍ଙ୍କ ସୁଖୀ ଯୁବରାଜ (ଦି ହାପି ପ୍ରିନ୍ସ) ଭଳି ଅଶ୍ରୁପାତ କରୁଥିବେ । ବଞ୍ଚିଥିବା ସମୟରେ ସେହି ଯୁବରାଜ ଥିଲେ ସବୁଠୁ ଖୁସି । ତାଙ୍କ ମୃତ୍ୟୁ ପରେ ରାଜକର୍ମଚାରୀମାନେ ତାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ଏକ ଉଚ୍ଚାସନରେ ସ୍ଥାପନ କଲେ । ସହରର ଉଚ୍ଚ ସ୍ଥାନରେ ଏକ ପ୍ରତିମୂର୍ତ୍ତି ଭାବରେ ଠିଆ ହୋଇ ସେ ଦେଖୁଥିଲେ ସହରବାସୀଙ୍କ ଦୁଃଖ ଓ ଯନ୍ତ୍ରଣା । ସେହି ଦୃଶ୍ୟ ଦେଖି ସେ ଗଡ଼ାଉଥିଲେ ଲୁହ । ଠିକ୍ ସେପର ଆଦର୍ଶ ଜୀବନର ସୂତ୍ର ଦେଇଯାଇଥିବା ଗାନ୍ଧିଜୀ ନିଜ ଦେଶରେ ତାଙ୍କ ଆଦର୍ଶର ଅପମୃତ୍ୟୁ ଦେଖି ନିଶ୍ଚୟ ଅଶ୍ରୁପାତ କରୁଥିବେ । କେବଳ ଗାନ୍ଧୀ ନୁହନ୍ତି ଗୋପବନ୍ଧୁ, ସୁଭାଷ ବୋଷ, ଲାଲ୍ ବାହାଦୂର ଶାସ୍ତ୍ରୀ ଆଦି ସମସ୍ତ ମହାପୁରୁଷମାନଙ୍କ କ୍ଷେତ୍ରରେ ଏହା ହିଁ ବାସ୍ତବତା । ସହରର ଦୁର୍ଗତି ଦେଖି ସୁଖୀ ରାଜପୁତ୍ର ଲୁହ ଗଡ଼ାଉଥିବା ଭଳି ଭାରତର ବିଭିନ୍ନ ସ୍ଥାନରେ ମୂର୍ତ୍ତିଭାବରେ ଛିଡ଼ା ହୋଇ ରହିଥିବା ବହୁ ମହାପୁରୁଷ ଦେଶର ସାମ୍ପ୍ରତିକ ଦୁର୍ଗତି ଦେଖି ଅଶ୍ରୁପାତ କରୁଥିବେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top