୧୯୧୬ ମାର୍ଚ୍ଚ ପାଞ୍ଚ ତାରିଖରେ କଟକର ତୁଳସୀପୁରଠାରେ ଯେଉଁ ଶିଶୁଟି ଭୂମିଷ୍ଠ ହୋଇଥିଲେ, ସେ ପରେ ଜନଗଣଙ୍କର ମହାନାୟକ ଭାବରେ ପରିଚିତି ଲାଭ କରିଥିଲେ । ତାଙ୍କର ପିତାମାତାଙ୍କ ଦ୍ୱାରା ଦିଆଯାଇଥିବା ନାମ ବିଜୟାନନ୍ଦ ପଟ୍ଟନାୟକ ଥିଲେ ମଧ୍ୟ ସାମାଜିକ, ରାଜନୈତିକ ପ୍ରତିଷ୍ଠା ଓ ଲୋକପ୍ରିୟତା ଫଳରେ ସେ ହୋଇଗଲେ ସଭିଙ୍କ ଆପଣାର ବିଜୁ, ବିଜୁ ପଟ୍ଟନାୟକ । ସେହି ଲୋକପ୍ରିୟ ନେତା ତା ପ୍ରଥମେ ଶିକ୍ଷାରମ୍ଭ କରିଥିଲେ ମିଶନ ସ୍କୁଲରେ । ଆଇ.ଏସ୍ସି.ରେ (ଯୁକ୍ତ ଦୁଇ) କୃତିତ୍ୱ ଅର୍ଜନ କରି ବି.ଏସ୍ସି. ପଢିବା ସମୟରେ ବୈମାନିକ ତାଲିମ ନେବାକୁ ସେ ସୁଯୋଗ ପାଇଥିଲେ । ସେ ଜଣେ ମାଜିଷ୍ଟ୍ରେଟଙ୍କ ପୁଅ ଥିଲେ ମଧ୍ୟ ହାକିମଗିରି ପରିବାରରେ ସାଧାରଣ ଘରର ପିଲା ଭଳି ଚଳୁଥିଲେ । ସେ ଭାରି ଦୁଃସାହସିକ ଓ ଜନସେବା କାର୍ଯ୍ୟ କରିବାକୁ ଭଲ ପାଉଥିଲେ । ଯାହାଫଳରେ ବିଜୟାନନ୍ଦ ଓରଫ ବିଜୁ ବାବୁ ଜନତା ଦରବାରରେ ପ୍ରିୟ ଭାଜନ ହୋଇପାରିଥିଲେ ।
୧୯୨୬ ମସିହାରେ ମହାତ୍ମା ଗାନ୍ଧୀ ସ୍ଵାଧୀନତା ଆନ୍ଦୋଳନ ପାଇଁ ଜନସାଧାରଣଙ୍କୁ ଏକଜୁଟ କରିବା ପାଇଁ କଟକର ସ୍ୱରାଜ୍ୟ ଆଶ୍ରମରେ ଉଦ୍-ବୋଧନୀ ଭାଷଣ ଦେବାସମୟରେ ଲୋକଭିଡ଼ ନ ମାନି ବିଜୁ ଗାନ୍ଧୀଜୀଙ୍କ ନିକଟକୁ ଯାଉଥିବାବେଳେ ପୋଲିସମାନେ ତାଙ୍କୁ ଅଟକାଇବାକୁ ଯାଇ ତାଙ୍କୁ ମାଡ ମାରି ମାରିଥିଲେ ଓ ବିଜୁଙ୍କ ମୁଣ୍ଡ ଫଟାଇ ଦେଇଥିଲେ । ମାଡ଼ ଦ୍ୱାରା ତାଙ୍କର ମୁଣ୍ଡ ଫାଟି ରକ୍ତ ବହିବା ଦୃଶ୍ୟ ଗାନ୍ଧିଜୀଙ୍କ ଦୃଷ୍ଟିଗୋଚର ହେବା କ୍ଷଣି ସେ ଭାଷଣ ବନ୍ଦ କରି ବିଜୁଙ୍କ ନିକଟକୁ ଆସି ଆଉଁଶିଦେଇ ତାଙ୍କର ଦୁଃସାହସିକ ଓ ନିର୍ଭୀକତା ପାଇଁ ଆଶୀର୍ବାଦ କରିଥିଲେ । ସେହିଦିନଠାରୁ ବିଜୁଙ୍କର ଇଂରେଜମାନଙ୍କ ପ୍ରତି ଘୃଣାଭାବ ଜାଗି ଉଠିଥିଲା । ତତ୍-କାଳୀନ ବିମାନ ଟ୍ରେନିଂ ସେଣ୍ଟରରେ ସେ ଥିଲେ ଏକମାତ୍ର ଓଡ଼ିଆ ଯୁବକ । ତଥାପି ନିଜର ସାହସ, ନିଷ୍ଠା ଓ ଦକ୍ଷତା ବଳରେ ସ୍ଵତନ୍ତ୍ରତା ବଜାୟ ରଖିଥିଲେ । ଜଣେ ପାଇଲଟ ହେବା ପରେ ସେ ଇଣ୍ଡିଆନ ନ୍ୟାଶନାଲ ଏୟାରୱେଜ୍ରେ ଚାକିରି ପାଇଥିଲେ । ଦିଲ୍ଲୀରେ ବେସାମରିକ ଏୟାର ଲାଇନ୍ସରେ ମୁଖ୍ୟ ପାଇଲଟ ହେବା ପରେ ସେ ଦେଶର ବିଭିନ୍ନ ଅଞ୍ଚଳ ବୁଲିବା ସହିତ ବିଦେଶର ଅନେକ ଦେଶ ଭ୍ରମଣର ସୁବିଧା ପାଇ ଲୋକମାନଙ୍କ ସହିତ ମିଶି ସେମାନଙ୍କ ଶିକ୍ଷା, ସଂସ୍କୃତି, ସାହିତ୍ୟ, ସାମାଜିକ ଚଳଣି ଆଦିରେ ଜ୍ଞାନ ଆହରଣ କରିଥିଲେ ଏବଂ ନିଜ ରାଜ୍ୟ ଓଡ଼ିଶା ସହିତ ତୁଳନା କରି ଦୁଃଖ ପ୍ରକାଶ କରୁଥିଲେ । ଅବହେଳିତ ଓଡ଼ିଆମାନଙ୍କୁ ବିଶ୍ୱବ ଦରବାରରେ ପରିଚିତ କରାଇବା ପାଇଁ ସେ ଦୃଢ଼ ନିଷ୍ପରି ନେଇଥିଲେ ।
୧୯୪୦ ବେଳକୁ ସମଗ୍ର ଭାରତରେ ସ୍ଵାଧୀନତା ସଂଗ୍ରାମର ନିଆଁ କୁହୁଳୁଥିଲା । ସେତେବେଳେ ବିଜୁବାବୁ ପାଇଲଟ ଚାକିରି ଛାଡି ଆନ୍ଦୋଳନରେ ଝାସଦେବା ପାଇଁ ଇଚ୍ଛା କରିଥିଲେ । କିନ୍ତୁ ଚାକିରିରେ ରହି ଆନ୍ଦୋଳନରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଜନନାୟକ ଜୟପ୍ରକାଶ ନାରାୟଣଙ୍କଠାରୁ ପରାମର୍ଶ ପାଇ ସେ ତାହା ହିଁ କରିଥିଲେ । ଏହି ସମୟରେ ଜଣେ ଆତ୍ମଗର୍ବୀ ଇଂରେଜ କଲୋନେଲ ବିମାନରେ ଯିବା ପୂର୍ବରୁ ତାଙ୍କୁ ‘ବ୍ଲଡି ଇଣ୍ଡିଆନ’ କହି ଅପମାନିତ କରିଥିବାରୁ ବିମାନ ଚାଳନା ବାଟରେ ସେ କଲୋନେଲଙ୍କୁ ପିସ୍ତଲ ଦେଖାଇ ମାରିବାକୁ ଉଦ୍ୟତ ହେବାରୁ ସମ୍ପୃକ୍ତ କଲୋନେଲ ତାଙ୍କୁ କ୍ଷମା ମାଗିଥିଲେ । ବିଶ୍ୱଯୁଦ୍ଧ ପରେ ବିଶ୍ୱରେ ଭାରତ ପରି ବହୁ ରାଷ୍ଟ୍ରରେ ସ୍ଵାଧୀନତା ସଂଗ୍ରାମ ଆରମ୍ଭ ହୋଇଥାଏ । ସେ ସମୟରେ ପଣ୍ଡିତ ନେହେରୁ ରାଜନୀତିର କେନ୍ଦ୍ର ବିନ୍ଦୁ ଥାନ୍ତି । ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମୀ ଡ. ସୁକର୍ଣ୍ଣ ଓ ଅନ୍ୟମାନଙ୍କୁ ଡଚ୍ ବାହିନୀ ନଜରବନ୍ଦୀରେ ରଖି ମୁଣ୍ଡକାଟା କରିବାକୁ ଷଡ଼ଯନ୍ତ୍ର କରିଥାନ୍ତି । ନେହେରୁ ଏ ଖବର ପାଇ ସେମାନଙ୍କୁ କିପରି ରକ୍ଷା କରିବେ ସେହି ଚିନ୍ତାରେ ଥାନ୍ତି । ବିଜୁଙ୍କ କଥା ମନେ ପଡ଼ିଯିବାରୁ ତାଙ୍କର ଉପସ୍ଥିତି ପାଇଁ ସେ ଅନ୍ୟ ସଂଗ୍ରାମୀମାନଙ୍କୁ ଇସାରା ଦେଇଥିଲେ । ଇସାରା ଦେବାର ଅଳ୍ପ ସମୟ ପରେ ବିଜୁ ପହଞ୍ଚି ଯାଇଥିଲେ । ନେହେରୁଙ୍କଠାରୁ ସମସ୍ତ ବିଷୟ ଅବଗତ ହୋଇ ସେଠାରୁ ସେ ଡଚ୍ ବାହିନୀ ଅଭିମୁଖେ ବିମାନ ଚଳାଇଥିଲେ । ନିଜର ବୁଦ୍ଧି, କୌଶଳ ଓ ଦୁଃସାହସ ବଳରେ ସେ ଡ. ସୁକର୍ଣ୍ଣ ଆଦିଙ୍କୁ ବିମାନରେ ବସାଇ ବାହିନୀ ଆଖିରେ ଧୂଳିଦେଇ ଦିଲ୍ଲୀରେ ପହଞ୍ଚି ନେହେରୁଙ୍କ ନିକଟରେ ସେମାନଙ୍କୁ ଉପସ୍ଥିତ କରାଇଥିଲେ । ତାଙ୍କର ଏପରି ଦୁଃସାହସିକ କାର୍ଯ୍ୟରେ ବିଶ୍ୱ ନେତୃବୃନ୍ଦ ତଟସ୍ଥ ହୋଇଯାଇଥିଲେ । ଓଡ଼ିଆ ପୁଅର ବୀରତ୍ଵର କାହାଣୀ ଯୁଗ ଯୁଗ ଧରି ଲିପିବଦ୍ଧ ହୋଇ ରହିଗଲା ଭାରତ ଓ ଇଣ୍ଡୋନେସିଆ ଇତିହାସ ପୃଷ୍ଠାରେ । ଇଣ୍ଡୋନେସିଆ ସ୍ଵାଧୀନତା ପାଇବା ପରେ ସେ ଦେଶର ସରକାର ବିଜୁଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲେ ।
ବିଜୁ ହେଉଛନ୍ତି ଓଡିଶାର ମହାନ୍ ନିର୍ମାତା । ସେ ଯାହା କରିଯାଇଛନ୍ତି ନିଜ ପାଇଁ କି ନିଜ ପରିବାର ପାଇଁ ନୁହେଁ, ସବୁକିଛି ଓଡ଼ିଶା ରାଜ୍ୟ ବାସୀଙ୍କ ପାଇଁ । ଓଡ଼ିଆ ଜାତିକୁ ଓ ରାଜ୍ୟକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ସେ ଅନେକ ଦୁଃସାହସିକ ପଦକ୍ଷେପ ନେଇଛନ୍ତି । ପାରାଦୀପ ବନ୍ଦର, ମିଗ୍ ବିମାନ କାରଖାନା, ଇଞ୍ଜିନିୟରିଂ କଲେଜ, ସୈନିକ ସ୍କୁଲ, ରିଜିଓନାଲ୍ କଲେଜ, ବାଲିମେଳା ବହୁମୁଖୀ ଜଳବିଦ୍ୟୁତ୍ ଯୋଜନା, ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର, ଓଟିଏମ୍ ଆଦି ତାଙ୍କର ଗୋଟିଏ ଗୋଟିଏ କୀର୍ତିସ୍ତମ୍ଭ ହୋଇ ରହିଛି ।
ବିଜୁଙ୍କର ରାଜନୈତିକ ଗୁରୁ ଥିଲେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବ । ତାଙ୍କ ପ୍ରେରଣା ଏବଂ ନେହେରୁଙ୍କ ଆଶୀର୍ବାଦ ଓ ସଦିଚ୍ଛା ଗ୍ରହଣ କରି ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୪୬ରେ ପ୍ରଥମକରି ପ୍ରୋଭିନ୍ସିଆଲ୍ ଓଡ଼ିଶା ଆସେମ୍ବ୍ଲିକୁ କଟକ ଆସନରୁ ନିର୍ବାଚିତ ହୋଇଥିଲେ । ୧୯୬୧ରେ ସେ ଓଡ଼ିଶା କଂଗ୍ରେସର ସଭାପତି ଭାବେ ଅଧିଷ୍ଠିତ ହେଲେ । ତାଙ୍କ ନେତୃତ୍ଵରେ ଓଡ଼ିଶା ମଧ୍ୟବର୍ଷିକାଳୀନ ନିର୍ବାଚନରେ ଅବତୀର୍ଣ୍ଣ ହେଲା । ଦଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କଲା । ୧୯୬୧ ଜୁନ ୨୩ ତାରିଖରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ । ୧୯୬୩ ମସିହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ରହିଲେ । ଏହି ସ୍ଵଳ୍ପକାଳ ମଧ୍ୟରେ ସେ ଓଡ଼ିଶା ପାଇଁ ଯାହା କରିଯାଇଛନ୍ତି ଅନ୍ୟ ରାଜ୍ୟର କେହି ଏପରି ସଫଳତା ହାସଲ କରି ନ ଥିଲେ । ତାଙ୍କର ଏହି ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିରୋଧୀମାନଙ୍କ ଚକ୍ରାନ୍ତ ଓ କାମରାଜ ଯୋଜନା ଅନୁସାରେ ସେ ତାଙ୍କ ଆସନରୁ ଇସ୍ତଫା ଦେଇଥିଲେ ଓ ବୀରେନ୍ ମିତ୍ର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ୧୯୬୪ରେ ଛାତ୍ର ଆନ୍ଦୋଳନର ପ୍ରତିକ୍ରିୟା ଓ ୧୯୬୭ରେ ଜନ କଂଗ୍ରେସର ଆବିର୍ଭାବ ଯୋଗୁ ମିଳିତ ମନ୍ତ୍ରୀମଣ୍ଡଳରେ ରାଜେନ୍ଦ୍ର ନାରାୟଣ ସିଂଦେଓ ମୁଖ୍ୟମନ୍ତ୍ରୀ ଓ ପବିତ୍ର ମୋହନ ପ୍ରଧାନ ଉପ-ମୁଖ୍ୟମନ୍ତ୍ରୀ ଆସନରେ ଆସୀନ ହେଲେ । ବିଜୁଙ୍କ ବିରୋଧରେ ସେତେବେଳେ ଖାନ୍ନା କମିଶନ ବସିଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ କରିପାରି ନ ଥିଲା ।
୧୯୭୫ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରି କଲେ । ବିଜୁ ଅନ୍ୟ ନେତାମାନଙ୍କ ସହିତ ଜେଲ୍ ଗଲେ । ୧୯୭୭ରେ କଂଗ୍ରେସ ଦଳ ବିଭାଜିତ ହୋଇ ଜନତା ଦଳ ସୃଷ୍ଟି ହେଲା । ଦୀର୍ଘ ୧୫ବର୍ଷ ପରେ ବିଜୁ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ହୋଇ ଖଣି ଓ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ନିର୍ବାହ କଲେ । ୧୯୮୦ରେ ପୁଣି ଦେଶର ଅବସ୍ଥା ବଦଳିଗଲା । ଇନ୍ଦିରାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠିତ ହେଲା କିନ୍ତୁ ଇନ୍ଦିରା ହାୱା ଥିଲେ ମଧ୍ୟ ସେ କେନ୍ଦ୍ରାପଡ଼ା ସିଟ୍ ବଜାୟ ରଖୁଥୁଲେ । ସେ ସମୟରେ ତାଙ୍କର ପ୍ରାଣ ସର୍ବଦା ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ କାନ୍ଦୁଥିଲା । ତେଣୁ ସେ ୧୯୮୫ ଲୋକ ସଭାରୁ ଇସ୍ତଫା ଦେଇ ରାଜ୍ୟବାସୀଙ୍କ ସେବା ନିମିତ୍ତ ଭୁବନେଶ୍ଵର ବିଧାନସଭା ଆସନରୁ ନିର୍ବାଚିତ ହେଲେ । ୧୯୯୦ରେ ତାଙ୍କର ଓଡ଼ିଶା ବଞ୍ଚାଅ ଡାକରାରେ ପୁଣି ବିପୁଳ ଜନସମର୍ଥନ ହାସଲ କରି ୧୯୯୦ ମାର୍ଚ୍ଚ ୫ ତାରିଖରେ ତାଙ୍କ ଜନ୍ମଦିବସରେ ଦ୍ୱିତୀୟଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହେଲେ । ୧୪୭ ଆସନ ମଧ୍ୟରୁ ୧୨୩ଟି ଆସନ ହାସଲ କରି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କଲେ । ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ବାକିଥିବା ସ୍ୱପ୍ନ ପୂରଣ ପାଇଁ ଲାଗି ପଡ଼ିଲେ । ଓଡ଼ିଶାର ୧୩ ଜିଲାକୁ ୩୦ ଜିଲାରେ ପରିଣତ, ପାରାଦୀପ ବନ୍ଦରରେ ଐତିହାସିକ କଳିଙ୍ଗ ବାଲିଯାତ୍ରାର ଅୟମାରମ୍ଭ, ଶିକ୍ଷା କ୍ଷେତ୍ରରେ ତିନି ହଜାର ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଘୋଷଣା ଇତ୍ୟାଦି ତାଙ୍କର ଅବଦାନ । ୧୯୯୫ ନିର୍ବାଚନରେ ପୁନର୍ବାର ତାଙ୍କ ଦଳ ପରାଜୟ ବରଣ କଲା । କିନ୍ତୁ ସେ ତାଙ୍କର ଭୁବନେଶ୍ଵର ସିଟ୍ ବଜାୟ ରଖି ହ୍ୟାଟ୍ରିକ୍ କରିଥିଲେ । ୧୯୯୬ରେ ସେ ଦୁଇଟି ଲୋକ ସଭା ଆସନରୁ ଜିତି ନିଜର କରିସ୍ମାବଜାୟ ରଖୁଥିଲେ । ଦକ୍ଷିଣ ଓଡ଼ିଶାର ଆସ୍କା ଓ କଟକ ଆସନରୁ ବିଜୟୀ ହୋଇ ତାଙ୍କ ନେତୃତ୍ୱ, ବ୍ୟକ୍ତିତ୍ଵ ଓ ଜନପ୍ରିୟତାର ପ୍ରମାଣ କରିଥିଲେ । ଏହା ଥୁଲା ତାଙ୍କର ଶେଷ ନିର୍ବାଚନୀ ଲଢେଇ । ସେ କଟକ ଆସନରୁ ଇସ୍ତଫା ଦେଇ ଆସିକା ଲୋକ ସଭା ଆସନ ବଜାୟ ରଖୁଥିଲେ । ଏହା ପରେ ସେ ଅସୁସ୍ଥ ହୋଇ ଦିଲ୍ଲୀ ସ୍ଥିତ ଲୋହିଆ ହସ୍ପିଟାଲରେ ଚିକିତ୍ସିତ ହେଲେ । କିନ୍ତୁ ନିୟତିର ବିଧାନ ଅନୁସାରେ ୧୯୯୭ ଏପ୍ରିଲ୍ ୧୭ ତାରିଖରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ।