ସୁନ୍ଦରୀ ସୂର୍ପଣଖାର ଆଁ’ଭିତରେ
ହଜୁଛି ଗାଁର ଲଳିତ ଲାବଣ୍ୟ
ସାବଧାନ !
ମାଡ଼ି ଆସୁଛି ବଜାର ସଭ୍ୟତା ଅକ୍ଟୋପସ୍
ଗ୍ରାସ କରିବ ନିରୀହ ସବୁଜିମା, ପାଦତଳ ଧୁଳିମାଟି
ଉଆଁସ ଅନ୍ଧାର, କମନୀୟ ଜହ୍ନରାତି
କେବେ କେଉଁ ବିଜନ ବେଳାର ମନଜିଣା
ପକ୍ଷୀ କୂଜନର କରୁଣ ଶବ୍ଦଗୀତି ।
ନିରୁଦ୍ଦିଷ୍ଟ ବହୁ କଥା ବହୁ ଦୃଶ୍ୟ ଆଜି
ସାତ ସପନର କାହାଣୀ ହୋଇ ଆଖ ଆଗେ ନାଚେ
ଅନ୍ଧାର ଖୋଜିବା ମନା
ବିପଣୀମାଳାର ଭିନ୍ନ ଆକାଶରୁ
ଢାଳୁଛି ଜୋଛନା ଏକ ପରେ ଏକ ଜହ୍ନ
ଅଳସ ଭାଙ୍ଗୁଛି ମାୟାବିନୀ ରାତି
ନୀଳ ଦର୍ପଣର ପ୍ରଚ୍ଛଦପଟରେ
ରତିକ୍ଳାନ୍ତ ସମୟର ଦୃଶ୍ୟଛବି କରେ
ସହମତି; କପଟପ୍ରେମର ପର୍ଦାଫାସ ।
କ୍ରମବର୍ଦ୍ଧିଷ୍ଣୁ କୋଳାହଳ ପାଖେ ପାଖେ ବନ୍ଧୁପରି
ବୁଲାଚଲା କରେ ଖାଁ ଖାଁ ଶୂନ୍ୟତା – ଏକାକୀତ୍
ଗାଁ’ର ଆକାଶେ ଏବେ ବିଚ୍ଛେଇ ପଡ଼ିଛି
ଅଚାନକ ପଳାସ ଫୁଲର ରଙ୍ଗ
ବିଲବନ ସଙ୍କୁଚିତ ବିବର୍ଜିତ ନୀଳ ହରିତ୍ ଛାୟା
ତା ଜାଗା ନେଉଛି ଇସ୍ପାତ ଜଙ୍ଗଲ କଳଘର୍ଘର ଶବ୍ଦ
ସ୍ଵପ୍ନ ବାଟବଣା ଅଯାଚିତ ସମ୍ପର୍କର ରାଜରାସ୍ତା ପରେ
ପ୍ରୟାସର ପାଗଳ ଦୌଡ଼ରେ
ଗାଁ’ ଆଉ ଗାଁ ହୋଇ ରହିନାହିଁ
ଝୁମୁଛି ବେଶି ରାଜନୀତି କୁଟନୀତି
ତର୍କରେ ଜର୍ଜରିତ କ୍ଷତାକ୍ତ ପକ୍ଷ ପ୍ରତିପକ୍ଷ ।
ଦିନେ ଖୋଜା ପଡ଼ୁଥିଲା ଗାଁ
ଭରପୁର ସମ୍ପର୍କର ଅନ୍ୟ ନା’
ଖୋଜା ପଡୁଥିଲା ସ୍ନେହ, ପ୍ରେମ, ଅନୁରକ୍ତି, ସହଯୋଗ
ଭାଇଚାରା ସୁଦୂଢ ବନ୍ଧନେ ବନ୍ଧା
ଏକ ଶୃଙ୍ଖଳାର ପରିଭାଷା ।
ପୂଷ୍ଠା ଓଲଟାଇ ଦେଖ ତନ୍ନ ତନ୍ନ କରି ପଢ଼
ଖୋଜ ନିଜ ସରହଦ, ପରିସୀମା
ଅନ୍ତରଙ୍ଗ ମୁହୂର୍ତ୍ତର କଥାକୁହା ରାଶିରାଶି ଛବି
ଗାଁ’ ଦାଣ୍ଡ, ଧୂଳିଖେଳ, କଙ୍କିଧରା, ପ୍ରଜାପତି ପିଛାକରା
ଛଳଛଳ ଚପଳ ଶୈଶବ-କୈଶୋର
ଶୀତ ସନ୍ଧ୍ୟାରେ
ଧାଡ଼ି ଧାଡ଼ି ନଡା ଛପରରୁ ଉତଥିତ ଧୁଆଁ
ସମ୍ପର୍କକୁ ବାନ୍ଧୁଥିବା କାର୍ଯ୍ୟସୂଚୀ
ଯାନିଯାତ ଅନେକ ଘଟଣା / ଆଜି ଅତର୍କିତ
ଘଟଣା ସୁଅରେ /! ବେଶି ଲୁପ୍ତ ବିବଶ ନିଥର ।
ସହରଠୁଁ ଗାଁ’ର ଦୂରତ୍ୱ କମୁନି
ହଜୁଛି ଗାଁ – ସରଳତାର ନାନାଦି ରୂପକଳ
ମାଡି ଆସୁଛି ପ୍ରଗତିର ରଥାରୂଢ଼
କପଟୀ ସୌଦାଗର ।
