ପ୍ରବନ୍ଧ

ଈଶ୍ୱର କୋଟି ପୁରୁଷ ପୂଜ୍ୟ ଦୁର୍ଗା ଚରଣ ଭାଇ

Shri Nihar Ranjan Sabat's Odia Prose Ishwara Koti Purusha Poojya Durga Charana Bhai

ବିଗ୍ରହରେ ଥିବା ମୂର୍ତ୍ତି ଯେ ତାଙ୍କର ଅତି ପରିଚିତ, ଆତ୍ମୀୟ ,ତାଙ୍କର ଗୁରୁ ତଥା ଜୀବନର ପଥ ପ୍ରଦର୍ଶକ ପରି ଭାବନା ମନରେ ଜାତ ହୋଇଥିଲା ।

ପୂଣ୍ୟଭୂମି ଉତ୍କଳରେ ଯେଉଁ କେତେଜଣ ସିଦ୍ଧପୁରୁଷ ଜୀବନବ୍ୟାପୀ ସାଧନା ବଳରେ ଆଧ୍ୟାତ୍ମିକ ବାରିଧାରା ପ୍ରବାହିତ କରି ଜଗତର ମଙ୍ଗଳ ବିଧାନ ନିମନ୍ତେ ଶାନ୍ତି, ଭାତୃତ୍ୱଭାବ ପ୍ରତିଷ୍ଠା ନିମନ୍ତେ ପ୍ରୟାସୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ ପରିବ୍ରାଜକାଚାର୍ଯ୍ୟ ପରମହଂସ ଶ୍ରୀମତସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ଵତୀ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ନୀଳାଚଳ ସାରସ୍ୱତ ସଂଘର ପୂଜ୍ୟ ପରିଚାଳକ ଦୁର୍ଗା ଚରଣ ମହାନ୍ତି ବା ସମସ୍ତଙ୍କର ପ୍ରିୟ “ଭାଇ” ଅଗ୍ରଗଣ୍ୟ । ୧୯୧୨ ମସିହାର କାର୍ତ୍ତିକ ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ପୁରୀ ଜିଲ୍ଲାର ଗୋପ ପଞ୍ଚାୟତ ସମିତି ଅନ୍ତର୍ଗତ ବୀରତୁଙ୍ଗ ଗ୍ରାମରେ ସେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିତାଙ୍କ ନାମ ଗୁଣନିଧି ମହାନ୍ତି ଏବଂ ମାତାଙ୍କ ନାମ ସୁନ୍ଦରମଣୀ ଦେବୀ । ବାଲ୍ୟଶିକ୍ଷା ସମାପ୍ତ ହେବାପରେ ପୁରୀ ଜିଲ୍ଲା ସ୍କୁଲରେ ମାଧ୍ୟମିକ ଶିକ୍ଷା ଅଧ୍ୟୟନ କାଳରେ ପୁରୀ ସହରରେ ଥିବା ଏମାର ମଠ ଦ୍ୱାରା ପରିଚାଳିତ ରଘୁ ନନ୍ଦନ ପାଠାଗାରରେ ସ୍ୱାମୀ ନିଗମାନନ୍ଦଙ୍କ ଦ୍ୱାରା ପ୍ରଣୀତ “ଯୋଗୀଗୁରୁ” ପୁସ୍ତକ ପାଠକରିବା ଅବସରରେ, ସେହି ପୁସ୍ତକରେ ଥିବା ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ବିଗ୍ରହ ତାଙ୍କୁ ଆକର୍ଷିତ କରିଥିଲା, ମନରେ ସୃଷ୍ଟି କରିଥିଲା ଗଭୀର ଆଲୋଡ଼ନ । ବିଗ୍ରହରେ ଥିବା ମୂର୍ତ୍ତି ଯେ ତାଙ୍କର ଅତି ପରିଚିତ, ଆତ୍ମୀୟ ,ତାଙ୍କର ଗୁରୁ ତଥା ଜୀବନର ପଥ ପ୍ରଦର୍ଶକ ପରି ଭାବନା ମନରେ ଜାତ ହୋଇଥିଲା ।

ଉକ୍ତ ପୁସ୍ତକରେ ପ୍ରଦତ୍ତ ସାରସ୍ୱତ ମଠ ଠିକଣାରେ ପତ୍ର ବିନିମୟ ଦ୍ୱାରା ଶ୍ରୀ ଶ୍ରୀ ଠାକୁର ପୁରୀ ସହରର ସ୍ୱର୍ଗଦ୍ୱାର ନିକଟସ୍ଥ ନୀଳାଚଳ କୁଟୀରରେ ଅବସ୍ଥାନ କରୁଥିବାର ସୂଚନା ପ୍ରାପ୍ତ ହୋଇ ୧୯୩୦ ମସିହା ମାର୍ଚ୍ଚ ମାସ ୨୦ ତାରିଖରେ ଶ୍ରୀ ଶ୍ରୀ ଠାକୁରଙ୍କର ପ୍ରଥମ ଦର୍ଶନ ଲାଭ କରିଥିଲେ । ସେତେବେଳକୁ ତାଙ୍କର ବୟସ ସତର ବର୍ଷ ଏବଂ ସେ ପୁରୀ ଜିଲ୍ଲା ସ୍କୁଲର ନବମ ଶ୍ରେଣୀର ଛାତ୍ର । ଠାକୁରଙ୍କ ପ୍ରଥମ ଦର୍ଶନରେ ଭାଇ ମନ୍ତ୍ରମୁଗ୍ଧ ହୋଇ ସେ ଈଶ୍ୱରଙ୍କ ସ୍ୱରୂପ ବୋଲି ଅନୁଭବ କରିଥିଲେ । ସେହିଦିନଠାରୁ ଠାକୁରଙ୍କ ଦର୍ଶନ ନିମନ୍ତେ ସେ ନିୟମିତ ନୀଳାଚଳ କୁଟୀରକୁ ଯିବାକୁ ଲାଗିଲେ ଏବଂ ଶ୍ରୀ ଶ୍ରୀ ଠାକୁରଙ୍କ ଉପଦେଶକୁ ଲେଖି ରଖୁଥିଲେ । ୧୯୩୪ ମସିହା ଜୁନ ମାସ ପାଞ୍ଚ ତାରିଖରେ ପବିତ୍ର ତ୍ରିଲୋଚନ ଅଷ୍ଟମୀ ତିଥିରେ ଶ୍ରୀ ଶ୍ରୀ ଠାକୁର ଭାଇଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ । ସେହିବର୍ଷ ଅଗଷ୍ଟ ମାସ ୨୪ ତାରିଖରେ ଝୁଲଣ ପୂର୍ଣ୍ଣିମା ତିଥିରେ ଶୁଭ ଜନ୍ମଦିବସରେ ଆଦର୍ଶ ଗୃହସ୍ଥ ଜୀବନ ଗଠନ, ସଙ୍ଘଶକ୍ତିର ପ୍ରତିଷ୍ଠା ଏବଂ ଭାବ ବିନିମୟ ଉଦ୍ଦେଶ୍ୟରେ ଭାଇ, ବନମାଳୀ ଦାଶ ଭାଇ ଏବଂ ଅନ୍ୟ କେତେଜଣ ଉତ୍କଳୀୟ ଭକ୍ତଙ୍କୁ ନେଇ ଶ୍ରୀ ଶ୍ରୀ ଠାକୁର ପ୍ରତିଷ୍ଠା କରିଥିଲେ “ନୀଳାଚଳ ସାରସ୍ୱତ ସଂଘ, ପୁରୀ” ।

ଆଲୋଚନା କାଳରେ ଶ୍ରୀ ଶ୍ରୀ ଠାକୁର ଭାଇଙ୍କୁ ତାଙ୍କର ଭକ୍ତ ଅଛନ୍ତି, ସେମାନେ ଆସିବେ ଏବଂ କେହି ଶ୍ରଦ୍ଧା ଭକ୍ତିର ସହ ପଚାରିଲେ ତାଙ୍କ କଥା କହିବାକୁ ଉପଦେଶ ଦେଇଥିଲେ । ୧୯୩୫ ମସିହା ନଭେମ୍ବର ମାସ ୨୯ ତାରିଖରେ କଲିକତା ସହରର ବିଡେନ ଷ୍ଟ୍ରିଟ ଠାରେ ଶ୍ରୀ ଶ୍ରୀ ଠାକୁରଙ୍କ ଦେହରକ୍ଷା ପରେ, ଭାଇ ପୁରୀ ସହରରୁ ଜନ୍ମସ୍ଥାନ ବୀରତୁଙ୍ଗକୁ ଫେରି ପରିବାରର ଦାୟିତ୍ୱ ସମ୍ପାଦନ ଏବଂ ସମାଜସେବା ସହ ଗୁରୁଦେବଙ୍କ ନିର୍ଦ୍ଦେଶିତ ପଥରେ ଜୀବନଯାପନ କରିବାକୁ ଲାଗିଲେ । କିଛିବର୍ଷର ବ୍ୟବଧାନ ପରେ ଶ୍ରୀ ଶ୍ରୀ ଠାକୁରଙ୍କ କଥା ଅନୁସାରେ ବଢ଼ିବାକୁ ଲାଗିଲା ନୀଳାଚଳ ସାରସ୍ୱତ ସଂଘର ଗତିବିଧି । ବୀରତୁଙ୍ଗସ୍ଥିତ ପୈତୃକ ବାସଗୃହର ଜମିରେ କେନ୍ଦ୍ର ଆସନ ମନ୍ଦିର ପ୍ରତିଷ୍ଠା କରି ଭାଇ ନୀଳାଚଳ ସାରସ୍ୱତ ସଂଘ ତଥା ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରାର ପ୍ରସାର ନିମନ୍ତେ ଅବିରତ ଭାବରେ ପ୍ରୟାସରତ ହୋଇ କରିଥିଲେ ଅକ୍ଲାନ୍ତ ପରିଶ୍ରମ ଏବଂ ଅଦମ୍ୟ ଚେଷ୍ଟା ।

ଶ୍ରୀ ଶ୍ରୀ ଠାକୁରଙ୍କ ମୁଖ ନିସୃତ ଉପଦେଶକୁ ନେଇ “ନିଗମ ଉପଦେଶ”, ନୀଳାଚଳ କୁଟୀରର ଦୈନନ୍ଦିନ ଘଟଣାବଳୀକୁ ନେଇ “ନୀଳାଚଳ ବାଣୀ”, ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ, ନିଗମ ଲହରୀ, ନିଗମ ତତ୍ତ୍ୱ, ଶ୍ରୀ ଶ୍ରୀ ନିଗମାନନ୍ଦ କଥାମୃତ, ଶ୍ରୀ ଶ୍ରୀ ଗୁରୁଗୀତା, ବେଦାନ୍ତ ବିବେକ, ନିଗମାନନ୍ଦ କଥା ସଂଗ୍ରହ, ସଂସାର ପଥେ, ଭକ୍ତ ସମ୍ମିଳନୀ, ସାରସ୍ୱତ ସଂଘ ନୀତି, ତତ୍ତ୍ୱମାଳା, ନିରାଜନା, ସତୀ ଚରିତ ମାଳା, ଭଗବାନ ଶଙ୍କରାଚାର୍ଯ୍ୟ, ବଳି ଭେଟ, କଣ ହେଲା ରେ ! ସାମାଜିକ ନାଟକ, କିଚକ ବଧ, ଏବଂ ଗୋ ବ୍ରାହ୍ମଣ ଭଳି ପୁସ୍ତକ ରଚନା କରିବା ସହ ଶ୍ରୀ ଶ୍ରୀ ଠାକୁରଙ୍କ ସ୍ୱଚରିତ ଯୋଗୀଗୁରୁ, ଜ୍ଞାନୀଗୁରୁ, ତାନ୍ତ୍ରିକ ଗୁରୁ, ପ୍ରେମିକଗୁରୁ ଓ ବ୍ରହ୍ମଚର୍ଯ୍ୟ ସାଧନ, ସ୍ୱାମୀ ପ୍ରେମାନନ୍ଦ ସରସ୍ୱତୀଙ୍କ ପ୍ରଣୀତ ଶ୍ରୀ ଶ୍ରୀ ନିଗମାନନ୍ଦ କଥାମୃତ, ନାରାୟଣୀ ଦେବୀଙ୍କ ରଚିତ ଶ୍ରୀ ଶ୍ରୀ ନିଗମାନନ୍ଦ ଜୀବନ ପ୍ରସଙ୍ଗ ଓ ଶିଶିର କୁମାର ବସୁଙ୍କ ସମ୍ପାଦିତ ଶ୍ରୀ ଶ୍ରୀ ନିଗମାନନ୍ଦ କଥା ସଂଗ୍ରହ ପ୍ରଭୃତି ପୁସ୍ତକାବଳୀ ଓଡ଼ିଆ ଭାଷାରେ ଅନୁବାଦ କରି ଓଡ଼ିଆ ଆଧ୍ୟାତ୍ମିକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଶ୍ରୀ ଶ୍ରୀ ଠାକୁରଙ୍କ ମନୋମତ ସେବକ ଜୀବନ ଗଠନ ନିମନ୍ତେ ପ୍ରୟୋଜନୀୟ ନୀତି ନିୟମ ବିଷୟରେ ତ୍ରୈମାସିକ ପତ୍ରିକା “ସଙ୍ଘ ସେବକ”ର ଦୀର୍ଘ ବର୍ଷ ଧରି ପ୍ରକାଶନ କରିଛନ୍ତି । “ଭଗବାନ ଶଙ୍କରାଚାର୍ଯ୍ୟ” ପୁସ୍ତକ ନିମନ୍ତେ ୧୯୫୬-୫୮ ମସିହାରେ ସମ୍ମାନଜନକ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ହୋଇଛନ୍ତି ସମ୍ମାନିତ । ଭାଇଙ୍କର ଉଦ୍ୟମରେ ଓଡ଼ିଶା ତଥା ଓଡ଼ିଶା ବାହାରେ ଶତାଧିକ ଶାଖାସଂଘ ଏବଂ ଅନେକ ଗୃହାସନର ପ୍ରତିଷ୍ଠା ହୋଇଅଛି। ସେ ହେଉଛନ୍ତି ଠାକୁରଙ୍କ ମନର ମଣିଷ ଯାହାଙ୍କ ସନ୍ଧାନରେ ଶ୍ରୀ ଶ୍ରୀ ଠାକୁର ସାରସ୍ୱତ ମଠ ଛାଡି ନୀଳାଚଳ ଧାମକୁ ଆସିଥିଲେ । ସେ ନିଜ ପାଇଁ କେବେ କିଛି ଚାହିଁ ନାହାନ୍ତି । ଠାକୁରଙ୍କ କାର୍ଯ୍ୟ, ଠାକୁରଙ୍କ ସେବା ଏବଂ ଠାକୁରଙ୍କ ଭାବଧାରା ପ୍ରଚାର ନିମନ୍ତେ କାୟ ମନୋବାକ୍ୟରେ ଜୀବନକୁ ସମର୍ପିତ କରି ସେ ୧୯୮୫ ମସିହା ଡିସେମ୍ବର ମାସ ସାତ ତାରିଖରେ ଦେହରକ୍ଷା କରିଛନ୍ତି । ନୀଳାଚଳ ସାରସ୍ୱତ ସଂଘର ନିତ୍ୟ ପରିଚାଳକ ଭାବରେ ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରାକୁ ରକ୍ଷା କରିବା ସହ ତାଙ୍କର ଆଶ୍ରିତ, ଭକ୍ତମାନଙ୍କୁ ଆଧ୍ୟାତ୍ମିକ ତଥା ସାଂସାରିକ କ୍ଷେତ୍ରରେ ଏବଂ ଜୀବନର ପ୍ରତି ମୁହୂର୍ତ୍ତରେ କରି ଚାଲିଛନ୍ତି ପଥ ପ୍ରଦର୍ଶନ । ଜଗତହିତକର କାର୍ଯ୍ୟ ନିମନ୍ତେ ଶ୍ରୀ ଶ୍ରୀ ଠାକୁରଙ୍କ ମଙ୍ଗଳମୟ ଇଚ୍ଛାକୁ ରୂପ ଦେଇ ମନୋମତ ସେବକ ଭାବରେ ତାଙ୍କ ଭାବଧାରାକୁ ବିକଶିତ କରିବାପାଇଁ ଶକ୍ତି, ସାମର୍ଥ୍ୟ ପ୍ରଦାନ ନିମନ୍ତେ ଭାଇଙ୍କ ଶୁଭ ଜନ୍ମତିଥିରେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀ ଚରଣ କମଳରେ ପ୍ରାର୍ଥନା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top