ପ୍ରବନ୍ଧ

ପାଠ ବ୍ରହ୍ମାସ୍ତ୍ର

Pradipta Sundar Moharana's Odia Prose Patha Brahmastra

ଲାଳୟେତ ପଞ୍ଚବର୍ଷାଣି ଦଶ ବର୍ଷାଣି ତାଡ଼ୟେତ୍ ।
ପ୍ରାପ୍ତେତୁ ଷୋଡ଼ଶ ବର୍ଷେ ପୁରଂ ମିତ୍ର ବଦାଚରେତ୍ ||

ଦୁଇରୁ ତିନି ଫୁଟ ଲମ୍ବର, ବାଉଁଶ ରଙ୍ଗର ସେହି ପତଳା ବେତବାଡ଼ିକୁ ଦେଖିଲେ ଆଜି ମଧ୍ୟ ଅନେକଙ୍କ ପିଲାଦିନର ସ୍ମୃତି ମନକୁ ଆସିଯାଏ । କେହି କେହି ଶିକ୍ଷକ , ଅବଧାନେ ତାହାକୁ “ପାଠ ବ୍ରହ୍ମାସ୍ତ୍ର” ବୋଲି କହୁଥିଲାବେଳେ, ଆଉ କେହି କେହି ଶିକ୍ଷକ ଏହାକୁ ଅନୁଶାସନର ପ୍ରତୀକ ଭାବରେ କେବଳ ଛାତ୍ରମାନକୁ ଦେଖାଇ ଦେଖାଇ ରଖନ୍ତି । ଏକ ସମୟ ଥିଲା, ଯେତେବେଳେ ଶିକ୍ଷକଙ୍କ ହାତରେ ବେତବାଡ଼ି ରହିବାକୁ ସ୍ୱାଭାବିକ ବୋଲି ଧରାଯାଉଥିଲା । କିନ୍ତୁ ଆଜିର ଯୁଗରେ ପ୍ରଶ୍ନ ଉଠୁଛି — ଶିକ୍ଷାରେ ଦଣ୍ଡର ସ୍ଥାନ ଅଛି କି ? ଦଣ୍ଡ ବିନା ଅନୁଶାସନ ସମ୍ଭବ କି ? ନା କି ଆଧୁନିକ ଶିକ୍ଷାରେ ଶିକ୍ଷକଙ୍କ ପ୍ରକୃତ ଶକ୍ତି ବେତବାଡ଼ି ନୁହେଁ, ବରଂ ଆଉକିଛି ଉନ୍ନତ ଶିକ୍ଷାଦାନର ଦକ୍ଷତା ?

ଭାରତୀୟ ସମ୍ବିଧାନ ଓ ବିଭିନ୍ନ ଆଇନ ଶିଶୁମାନଙ୍କୁ ଶାରୀରିକ ଓ ମାନସିକ ଦଣ୍ଡରୁ ସୁରକ୍ଷା ପ୍ରଦାନ କରିଛି । ଜୀବନ ଓ ମର୍ଯ୍ୟାଦାର ଅଧିକାର, ଶିକ୍ଷାର ଅଧିକାର ଆଜି ଛାତ୍ରମାନାଙ୍କର ଏକ ମୌଳିକ ଅଧିକାର । ଶିକ୍ଷା ଅଧିକାର ଅଧିନିୟମ, ୨୦୦୯ର ଧାରା ୧୭ ସ୍ପଷ୍ଟ ଭାବରେ ବିଦ୍ୟାଳୟରେ ଯେକୌଣସି ପ୍ରକାରର ଶାରୀରିକ ଦଣ୍ଡ ଓ ମାନସିକ ନିର୍ଯାତନାକୁ ନିଷିଦ୍ଧ କରିଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କୁ ଭୟମୁକ୍ତ, ସମ୍ମାନଜନକ ଓ ସୃଜନଶୀଳ ପରିବେଶରେ ଶିକ୍ଷା ଗ୍ରହଣର ସୁଯୋଗ ଦେବା । କାରଣ ଶିକ୍ଷାର ଉଦ୍ଦେଶ୍ୟ କେବଳ ପରୀକ୍ଷାରେ ନମ୍ବର ଆଣିବା ନୁହେଁ, ବରଂ ଏକ ସୁସଂସ୍କୃତ ଓ ଦାୟିତ୍ୱବାନ୍ ନାଗରିକ ଗଢ଼ିବା ତଥା ଉନ୍ନତ ଚରିତ୍ର ନିର୍ମାଣ କରିବା । ଶିକ୍ଷା ମନୋବିଜ୍ଞାନ ମଧ୍ୟ ଏହି କଥାକୁ ସମର୍ଥନ କରେ । ଭୟ ମନୁଷ୍ୟର ଜିଜ୍ଞାସାକୁ ଦମନ କରେ। ଯେତେବେଳେ ଜଣେ ଶିଶୁ ଦଣ୍ଡର ଭୟରେ ରହେ, ସେତେବେଳେ ତାହାର ମସ୍ତିଷ୍କ ଶିଖିବା ଅପେକ୍ଷା ନିଜକୁ ସୁରକ୍ଷିତ ରଖିବାରେ ବ୍ୟସ୍ତ ରହେ । ପିଲାଟି ଭାବୁଥାଏ କି ସେ କିପରି ସେ ଦଣ୍ଡରୁ ବଞ୍ଚିବା । ଫଳରେ ସୃଜନଶୀଳତା, ପ୍ରଶ୍ନ ପଚାରିବାର ସାହସ ଏବଂ ଆତ୍ମବିଶ୍ୱାସ ସମାୟାନୁକ୍ରମେ କମିଯାଏ । ଅନେକ ସମୟରେ ଅତ୍ୟଧିକ ଦଣ୍ଡ ଶିଶୁମାନଙ୍କ ମଧ୍ୟରେ ହୀନମନ୍ୟତା, ଭୟ, ଅବସାଦ, ବିଦ୍ୟାଳୟ ପ୍ରତି ବିତୃଷ୍ଣା ଆଣିଦିଏ । କେତେକ କ୍ଷେତ୍ରରେ ପାଠପଢିବା ଛାଡିବାର ଏହା ମୁଖ୍ୟ କାରଣ ହୋଇଥାଏ । ଏପରିକି କେତେକ ଦୁଃଖଦ ଘଟଣାରେ ଶାରୀରିକ ଦଣ୍ଡ ଶିଶୁମାନଙ୍କ ମୃତ୍ୟୁର କାରଣ ମଧ୍ୟ ପାଲଟିଛି । ଏହା କେବଳ ଆଇନବିରୋଧୀ ନୁହେଁ, ମାନବିକତାର ମଧ୍ୟ ପରିପନ୍ଥୀ । ଏସବୁ ସତ୍ତ୍ଵେ ବେଳେବେଳେ ଅଭିଭାବକମାନେ ବିଦ୍ୟାଳୟ ଅବା ଶିକ୍ଷକଙ୍କ ପାଖରେ ଗୁହାରି କରନ୍ତି, “ଆଜ୍ଞା, ଭଲ ରକମରେ ଛେଚନ୍ତୁ । ଆମ କଥା ତ ଶୁଣୁନାହିଁ ।” ଶୁଣିଲେ ଲାଗେ ଯେପରି ସେ ଛାତ୍ରନୁହେଁ , ବରଂ ବଙ୍କା ଲୁହା ପାତଟିଏ, ବାଡ଼େଇଲେ ସିଧା ହୋଇଯିବ ।

ଅନ୍ୟପକ୍ଷରେ ଆଜିର ଶିକ୍ଷା ବ୍ୟବସ୍ଥା ଆଉ ଏକ ଗୁରୁତର ଆହ୍ୱାନର ସମ୍ମୁଖୀନ ହେଉଛି । ଅନେକ ଶିକ୍ଷକ ଅନୁଭବ କରୁଛନ୍ତି ଯେ ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା କ୍ରମେ କଠିନ ହୋଇପଡ଼ୁଛି । ନାଭିକୀୟ କ୍ଷୁଦ୍ର ପରିବାରରେ ସନ୍ତାନ ଲାଳନ ପାଳନର ଅବହେଳା, ନୈତିକ ଶିକ୍ଷାର ଅଭାବ ହେତୁ ଆସିଥିବା ଅବାଧ୍ୟତା, ପାଠ କରିବାରେ ମୋବାଇଲ୍ ନିର୍ଭରଶୀଳତା, ନିଶାଦ୍ରବ୍ୟ ପ୍ରତି ଆକର୍ଷଣ, ସାଥୀମାନଙ୍କ ସହ ମିଶି ଦଳ(ଗ୍ୟାଙ୍ଗ୍) ତିଆରି କରି ହିଂସାତ୍ମକ ଆଚରଣ ଓ ଅଧ୍ୟୟନ ପ୍ରତି ଅନାଗ୍ରହ ଅନେକ ବିଦ୍ୟାଳୟରେ ଦେଖାଯାଉଛି । କେବଳ ଦଣ୍ଡ ନଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି କହିବା ଏ ସମସ୍ତ କାରଣଙ୍କୁ ଗୌଣକରି ଏକ ସରଳୀକରଣ ହେବ; କିନ୍ତୁ ଶୃଙ୍ଖଳା ପରିଚାଳନାର ଏକ ସୁଦୃଢ଼ ବ୍ୟବସ୍ଥାର ଅଭାବ ନିଶ୍ଚିତ ଭାବରେ ଅନୁଭୂତ ହେଉଥିଲା ଏବଂ ହେଉଛି ।

ବାସ୍ତବରେ ଜଣେ ଶିଶୁର ଆଚରଣ କେବଳ ବିଦ୍ୟାଳୟ ଦ୍ୱାରା ଗଢ଼ାଯାଏ ତାହା ନୁହେଁ । ପରିବାର, ସାମାଜିକ ପରିବେଶ, ସାଙ୍ଗସାଥୀ, ଗଣମାଧ୍ୟମ, ଡିଜିଟାଲ୍ ଜଗତ, ପଢୁଥିବା ବହି ଓ ଶାସ୍ତ୍ର ଏବଂ ସମାଜର ମୂଲ୍ୟବୋଧ ସମସ୍ତେ ମିଶି ତାହାର ବ୍ୟକ୍ତିତ୍ୱ ଗଠନ କରନ୍ତି । ତେଣୁ ବିଦ୍ୟାଳୟର ସମସ୍ତ ସମସ୍ୟା ପାଇଁ କେବଳ ଶିକ୍ଷକଙ୍କୁ ଦାୟୀ କରିବା ଯଥାର୍ଥ ନୁହେଁ । ଅନେକ ବିଦ୍ୟାଳୟରେ ଶିକ୍ଷକ-ଶିକ୍ଷାର୍ଥୀ ଅନୁପାତ ଅସନ୍ତୁଳିତ, ଶ୍ରେଣୀଗୃହରେ ଅତ୍ୟଧିକ ଛାତ୍ରଛାତ୍ରୀ, ରୋଷେଇ ସାମଗ୍ରୀ ଦେଖିବାଠାରୁ ଆରମ୍ଭକରି, ନିର୍ବାଚନୀ ଭୋଟର ତାଲିକା ସଂଶୋଧନ ପରି ଅଣ-ଶିକ୍ଷଣ କାର୍ଯ୍ୟର ଚାପ ଆଜି ଶିକ୍ଷକଙ୍କ କର୍ମ ଜୀବନର ଅଂଶ ହୋଇସାରିଛି । ଅତଏବ ସୀମିତ ସମୟ ଯୋଗୁଁ ପ୍ରତ୍ୟେକ ଶିଶୁଙ୍କ ଉପରେ ବ୍ୟକ୍ତିଗତ ଧ୍ୟାନ ଦେବା ସମ୍ଭବ ହେଉନାହିଁ । ଏପରି ପରିସ୍ଥିତିରେ କେବଳ ଦଣ୍ଡଯୁକ୍ତ ବା କେବଳ ଦଣ୍ଡମୁକ୍ତ ନୀତି କୌଣସି ସ୍ଥାୟୀ ସମାଧାନ ଦେଇପାରିବ ନାହିଁ ।

ଆଜିର ଶିକ୍ଷା ଦର୍ଶନ ଶିକ୍ଷକଙ୍କୁ “ଜ୍ଞାନଦାତା” ନୁହେଁ, ବରଂ “ଫ୍ୟାସିଲିଟେଟର” ବା ଶିକ୍ଷଣର ସହଯୋଗୀ ଭାବରେ ଦେଖେ । ଉଦ୍ଦେଶ୍ୟ ନୁହେଁ କି ବାଲଟି ବାଲଟି ଭରି ତଥ୍ୟ ଓ ଜ୍ଞାନ ଛାତ୍ରଙ୍କ ମୁଣ୍ଡରେ ଢାଳିଦିଆଯିବ। ବରଂ ଜଣେ ସଫଳ ଫ୍ୟାସିଲିଟେଟର (ସହଯୋଗୀ ଶିକ୍ଷକ) କେବଳ ପାଠ ପଢ଼ାନ୍ତି ନାହିଁ; ସେ ପ୍ରେତ୍ୟେକ ଶିକ୍ଷାର୍ଥୀଙ୍କୁ ବୁଝନ୍ତି, ଅବଶ୍ୟକାନୁଯାୟୀ ପ୍ରେରଣା ଦିଅନ୍ତି, ସେମାନଙ୍କ ଆଗ୍ରହ ଅନୁଯାୟୀ ଶିକ୍ଷଣ ପରିବେଶ ସୃଷ୍ଟି କରନ୍ତି ଏବଂ ପରିଶେଷରେ ଏକ ସହଯୋଗପୂର୍ଣ୍ଣ ସକାରାତ୍ମକ ସମ୍ପର୍କ ଗଢ଼ନ୍ତି । ଏପରି ଶିକ୍ଷକଙ୍କ ଶ୍ରେଣୀଗୃହରେ ବେତବାଡ଼ିର ଆବଶ୍ୟକତା କମିଯାଏ, କାରଣ ଶିକ୍ଷାର୍ଥୀମାନେ ଭୟରେ ନୁହେଁ, ଶିକ୍ଷକଙ୍କୁ ଓ ପରସ୍ପରକୁ ସମ୍ମାନ ଦେଇ ପାରସ୍ପରିକ ବିଶ୍ୱାସରସହ ଶିଖନ୍ତି ।

ତେବେ ଏହାର ଅର୍ଥ କ’ଣ ଅନିୟମିତତା ଅବା ବିଶୃଙ୍ଖଳାର କୌଣସି ପ୍ରକାରର ପରିଣାମ ରହିବ ନାହିଁ ? ନିଶ୍ଚୟ ରହିବ। କିନ୍ତୁ ସେହି ପରିଣାମ ହେବ “ଦଣ୍ଡ” ନୁହେଁ, ବରଂ “ଯୌକ୍ତିକ ତାର୍କିକ ପରିଣାମ”। ଯଦି କୌଣସି ଛାତ୍ର ବିଦ୍ୟାଳୟର ସମ୍ପତ୍ତି ନଷ୍ଟ କରେ, ତେବେ ତାକୁ ତାହାର ମରାମତି କିମ୍ବା ସଫେଇ କାମରେ ସହଯୋଗ କରିବାକୁ କୁହାଯାଇପାରେ । ଯଦି କେହି ଅନ୍ୟକୁ ଅସମ୍ମାନ କରେ, ତାକୁ କାଉନ୍‌ସେଲିଙ୍ଗ୍‌, କ୍ଷମା ପ୍ରାର୍ଥନା ଓ ସମ୍ପର୍କ ପୁନର୍ଗଠନର ସୁଯୋଗ ଓ ସହାୟତା ଦିଆଯାଇପାରେ। ସହଯୋଗୀ ଶିକ୍ଷାବ୍ୟବସ୍ଥା ଶିଶୁକୁ ତାହାର ଭୁଲ୍ ବୁଝିବାର ସୁଯୋଗ ଦିଏ, କିନ୍ତୁ ତାହାର ଆତ୍ମସମ୍ମାନକୁ ଆଘାତ କରେ ନାହିଁ। ଏଭଳି ଶିକ୍ଷା ସେମାନଙ୍କର ଚରିତ୍ର ନିର୍ମାଣ କରେ ।

ଅତଏବ, ମୋହର ବ୍ୟକ୍ତିଗତ ମତରେ ଆବଶ୍ୟକ ଶିକ୍ଷକଙ୍କ ହାତରେ ବେତବାଡ଼ି ନୁହେଁ, ବରଂ ଆଧୁନିକ ଫ୍ୟାସିଲିଟେସନ୍ (ସହଯୋଗୀ ଶିକ୍ଷା) କୌଶଳ । ଶ୍ରେଣୀ ପରିଚାଳନା, ଶିଶୁ ମନୋବିଜ୍ଞାନ, ସକ୍ରିୟ ଶିକ୍ଷଣ, ସକାରାତ୍ମକ ଅନୁଶାସନ, ସାମାଜିକ-ଭାବନାତ୍ମକ ଶିକ୍ଷା, କାଉନ୍‌ସେଲିଙ୍ଗ୍‌ ଓ ଅଭିଭାବକଙ୍କ ସହ ସହଯୋଗୀ ସମ୍ପର୍କ ଗଢ଼ିବାର ଦକ୍ଷତା- ଏସବୁ ହିଁ ଭବିଷ୍ୟତର ଶିକ୍ଷାର ପ୍ରକୃତ “ବ୍ରହ୍ମାସ୍ତ୍ର”। ଶିକ୍ଷକଙ୍କ ବ୍ୟକ୍ତିତ୍ୱ, ନ୍ୟାୟପରାୟଣତା, ସହାନୁଭୂତି ଓ ସଂଳାପର ଶୈଳୀ ହିଁ ଶିକ୍ଷାର୍ଥୀଙ୍କ ମନରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଏ ।

ଶେଷରେ ପ୍ରଶ୍ନ କରିବି କି ଆମେ ପ୍ରକୃତରେ ଆଗାମୀ ପିଢୀଠାରେ କଅଣ ଆଶାକରୁ- ଶାରୀରିକ ଦଣ୍ଡ ଦେଇ ପ୍ରତିଶୋଧ ନେବା, ଅବା ଛାତ୍ରମଧ୍ୟରେ ଉନ୍ନତ ଗୁଣାବଳୀର ବିକାଶ । “ଛାଟ ଖାଇଲେ ପାଠ ହେବ” ଭଳି ପ୍ରବଚନ ଏକ ନିର୍ଦ୍ଦିଷ୍ଟ ଐତିହାସିକ ପରିପ୍ରେକ୍ଷ୍ୟର ଉତ୍ପାଦ ଥିଲା । କିନ୍ତୁ ଏକବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥାରେ ତାହାର ସ୍ଥାନ ନେବା ଉଚିତ—“ବୁଝିଲେ ପାଠ, ବିଶ୍ୱାସରେ ଶାଠ”। ଶିକ୍ଷାର ଲକ୍ଷ୍ୟ ଭୟଭୀତ ଶିଶୁ ସୃଷ୍ଟି କରିବା ନୁହେଁ; ବରଂ ଦାୟିତ୍ୱବାନ୍, ଆତ୍ମବିଶ୍ୱାସୀ, ନୈତିକ ଓ ସମ୍ବେଦନଶୀଳ ନାଗରିକ ଗଢ଼ିବା । ତେଣୁ ବେତବାଡ଼ିର ସ୍ଥାନ ଆଜି ସଂଳାପ, ଛାତ୍ର ଓ ଅଭିଭାବକଙ୍କ ସହ ନିରନ୍ତର ସମ୍ବାଦ, ସହାନୁଭୂତି, ଯୌକ୍ତିକ ତଣ୍ଡ ଏବଂ ଉତ୍କୃଷ୍ଟ ଫ୍ୟାସିଲିଟେସନ୍ (ସହଯୋଗୀ ଶିକ୍ଷଣ) ଦକ୍ଷତା ନେବା ଉଚିତ।

ଲାଳୟେତ ପଞ୍ଚବର୍ଷାଣି ଦଶ ବର୍ଷାଣି ତାଡ଼ୟେତ୍ ।
ପ୍ରାପ୍ତେତୁ ଷୋଡ଼ଶ ବର୍ଷେ ପୁରଂ ମିତ୍ର ବଦାଚରେତ୍ ||

କଅଣ ଆମର ଆଚରଣ କେବଳ ବୟସାନୁସାରେ ହେବ ନା, ପିଲାମାନଙ୍କ ବୌଦ୍ଧିକ ବିକାଶ ଓ ମାନସିକ ଦକ୍ଷତା ହିସାବରେ , ନିଜକୁ ପ୍ରଶ୍ନ କରିବେ। ଏହି ପରିବର୍ତ୍ତନ ହିଁ ଶିକ୍ଷାକୁ ପ୍ରକୃତ ଅର୍ଥରେ ମାନବିକ, ଗଣତାନ୍ତ୍ରିକ ଓ ଜୀବନମୁଖୀ କରିପାରିବ। ଏହା ହିଁ ଏ ଶତାବ୍ଦୀର ବ୍ରହ୍ମାସ୍ତ୍ର ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top