ବା – ବାଦଲ ପରି ନରମ ତାଙ୍କ ହୃଦୟ,
ପା – ପାହାଡ଼ ପରି ସେ ଦୃଢ଼ ଓ ଶକ୍ତ।
ଉପରୁ ଦେଖିଲେ ଲାଗନ୍ତି କଠୋର,
ହେଲେ ମନ ତାଙ୍କର କୋମଳ ଓ ସ୍ନେହଭରା ।
ମା’ ଆଙ୍ଗୁଳି ଧରି ଚାଲିବା ଶିଖାନ୍ତି,
ବାପା ଜୀବନର ପଥରେ ଆଗକୁ ବଢ଼ିବା ଶିଖାନ୍ତି ।
ମା’ ସ୍ନେହରେ ମନକୁ ଜିତିନିଅନ୍ତି,
ବାପା ତାଗିଦ କରି ଭଲ ମଣିଷ ହେବାର ପାଠ ପଢ଼ାନ୍ତି ।
ବେଳେବେଳେ ଲାଗୁଥିଲା,
ବାପା ଏତେ କଠୋର କାହିଁକି ?
ଛୋଟ ଛୋଟ ଭୁଲରେ ବି କାହିଁକି ଡାକି ବୁଝାନ୍ତି ?
ହେଲେ ଆଜି ବୁଝୁଛି,
ତୁମର ସେହି କଠୋରତା ଭିତରେ ଲୁଚି ରହିଥିଲା
ଆମ ପ୍ରତି ଅସୀମ ଭଲପାଇବା ଓ ଚିନ୍ତା ।
ନା କେବେ ତୁମେ ତୁମ ଭଲପାଇବାକୁ
ଦୁନିଆ ଆଗରେ ଦେଖାଇବାକୁ ଚାହିଁଛ,
ନା କେବେ ନିଜ ତ୍ୟାଗର ହିସାବ ରଖିଛ ।
ଚୁପଚାପ ସବୁ ଦାୟିତ୍ୱ ବହନ କରିଛ,
ଆମ ଖୁସି ପାଇଁ ନିଜ ଖୁସିକୁ ଭୁଲିଯାଇଛ ।
ପିଲାଦିନେ ଯାହା ଦରକାର ହୁଏ,
ସବୁକିଛି ଆଣି ଦେଇଛ ।
ନିଜର ଇଚ୍ଛାକୁ ଦମନ କରି,
ଆମ ସ୍ୱପ୍ନକୁ ସାକାର କରିବାରେ ଲାଗିପଡ଼ିଛ ।
କେତେଥର ନିଜେ ଉପାସ ରହି,
ଆମ ପେଟ ଭରିଛ ।
କେତେ ଦୁଃଖ, କଷ୍ଟ ଓ ଚିନ୍ତାକୁ
ମନ ଭିତରେ ଚାପି ରଖିଛ,
କେବଳ ଆମ ମୁହଁରେ ହସ ଦେଖିବା ପାଇଁ ।
ବାପା,
ତୁମେ କେବଳ ଏକ ଶବ୍ଦ ନୁହଁ,
ତୁମେ ଏକ ଭରସା, ଏକ ସାହସ,
ଏକ ଛାୟା, ଯିଏ ସବୁବେଳେ
ପରିବାରକୁ ସୁରକ୍ଷା ଦେଇ ଠିଆ ହୋଇ ରହେ ।
ତୁମ ଋଣ ଶୁଝିବା ସମ୍ଭବ ନୁହେଁ,
କେବଳ ଏତିକି କହିବି—
ମୋ ଜୀବନର ପ୍ରଥମ ନାୟକ,
ସବୁବେଳେ ତୁମେ ହିଁ ରହିବ, ବାପା ।
