ବିଶ୍ୱନାଥ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ମିଳିତ ମନ୍ତ୍ରୀମଣ୍ଡଳରୁ ଗଣତନ୍ତ୍ର ପରିଷଦ ଓ ଉତ୍କଳ କଂଗ୍ରେସର ସଭ୍ୟମାନେ ସମର୍ଥନ ପ୍ରତ୍ୟାଗର କରିନେଇ କଂଗ୍ରେସ ଦଳରେ ଯୋଗ ଦେବାରୁ ଏହି ମନ୍ତ୍ରୀମଣ୍ଡଳର ପତନ ଘଟିଥିଲା । ସେତେବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଥିବା ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଅଧ୍ୟକ୍ଷତାରେ ନୂତନ କଂଗ୍ରେସ ମନ୍ତ୍ରୀମଣ୍ଡଳ ୧୯୭୨ ମସିହା ଜୁନ୍ ମାସରେ ଶାସନ ଦାୟିତ୍ୱ ଗ୍ରହଣ କଲେ ଓ ଏହି ମନ୍ତ୍ରୀମଣ୍ଡଳ ୧୯୭୩ ମସିହା ଫେବୃୟାରୀ ମାସ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟ ଭିତରେ କେନ୍ଦୁପତ୍ର ଜାତୀୟ କରଣ ଥିଲା ସର୍ବୋପେକ୍ଷା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କେନ୍ଦୁପତ୍ର ନିଲାମ ବ୍ୟବସ୍ଥା ସେତେବେଳେ ଶାସନ ଓ ରାଜନୀତିଜ୍ଞମାନଙ୍କୁ କଳୁଷିତ କରୁଥିବାର ଗୁରୁତର ଅଭିଯୋଗ ହେଉଥିଲା । ଏହାଛଡ଼ା ଭୂସଂସ୍କାର ଆଇନ୍ର କେତେକ ପ୍ରଗତି ମୂଳକ ବ୍ୟବସ୍ଥା ଯୋଗ କରାଯାଇଥିଲା ।
ନନ୍ଦିନୀ ଶତପଥୀ ମନ୍ତ୍ରୀମଣ୍ଡଳ ୧୯୭୩ ମସିହା ଫେବୃୟାରୀ ମାସରେ ଇସ୍ତଫା ଦେବା ପରେ ୧୯୭୪ ଫେବୃଆରୀ ଏକ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ରାଷ୍ଟ୍ରପତି ଶାସନାଧୀନ ହେଇ ରହିଥିଲା । ଏହି ସମୟ ଭିତରେ ରେଙ୍ଗାଲି ବନ୍ଧ ନିର୍ମାଣ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିଲେ ଓ ଓଡ଼ିଶାରେ ଚକବନ୍ଦୀ ଆଇନ୍ କାର୍ଯ୍ୟକାରୀ ହୋଇଥିଲା ।
୧୯୭୪ ମସିହା ଫେବୃଆରୀ ମାସରେ ଓଡ଼ିଶାରେ ପୁଣି ଏକ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ହେଲା ଏବଂ ଏଥିରେ କଂଗ୍ରେସ ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ଦଳ ନ ହେଲେ ମଧ୍ୟ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ପୁଣି ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କଲେ । ଏହି ମନ୍ତ୍ରୀମଣ୍ଡଳ କାର୍ଯ୍ୟ କରିବାର ପନ୍ଦର ମାସ ପରେ ୧୯୭୫ ମସିହା ଜୁନ୍ ମାସରେ ଭାରତରେ ଜରୁରୀକାଳୀନ ଅବସ୍ଥା ଜାରି ହେଲା ଏବଂ ସେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧୀ ୨୦ ଦଫା କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଅନୁସାରେ ଓଡ଼ିଶାର ୪ଟି ଜିଲ୍ଲାରେ ଭୂମିହୀନ ଲୋକଙ୍କୁ ଘରଡ଼ିହ ବଣ୍ଟନ କରାଯାଇଥିଲା ଓ ଏକ ଗୃହ ନିର୍ମାଣ ପରିକଳ୍ପନା କାର୍ଯ୍ୟକାରୀ ହୋଇଥିଲା । ଏହି ସମୟରେ ଗୋତି ପ୍ରଥା ଉଠାଇ ଦିଆଯାଇ କେତେକ ଗୋତି ଶ୍ରମିକଙ୍କୁ ଥଇଥାନ କରାଯାଇଥିଲା । ବୃଦ୍ଧମାନଙ୍କ ପାଇଁ ମାସିକ ଟ.୨୫.୦୦ ପେନସନ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା ଏହା ଛଡ଼ା ମହାଜନୀ ଆଇନ୍ର ସଂଶୋଧନ କରାଯାଇ ସୁଧ ହାରକୁ ସୀମିତ କରାଯାଇଥିଲା ଓ ଗରିବ ଛାତ୍ରଙ୍କ ପାଇଁ ପୁସ୍ତକ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା । ଏହି ମନ୍ତ୍ରୀମଣ୍ଡଳର କାର୍ଯ୍ୟକାଳ ଶେଷ ଭାଗରେ କଂଗ୍ରେସ ଦଳ ଭିତରେ ଆଭ୍ୟନ୍ତରୀଣ ବିବାଦ ଯୋଗୁ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ୧୯୭୬ ମସିହା ଶେଷ ଭାଗରେ ଇସ୍ତଫା ଦେଲେ ଓ ତାଙ୍କ ସ୍ଥାନରେ ବିନାୟକ ଆଚାର୍ଯ୍ୟ ୧୯୭୭ ଜୁନ୍ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
