ସଜ କରିଦିଅ ସଜନୀ ଗୋ ।. . .
ସଜ କରିଦିଅ ମୋର ପ୍ରିୟାକୁ
ସୀମନ୍ତେ ସିନ୍ଦୁର
ମଥା ମଣି ଦିଅ
ପୀରତି ବୋଳା ସେ ମୁହଁକୁ ।।
ଅତି ଲାଜକୁଳୀ ସରମେ ଝାଉଁଳି
ଅଭିମାନେ ବସିଥିବ
ପୀରତି ନଈକୁ ଛୁଇଁ ଛୁଇଁ ସେ ତ
ଆନ ମନା ହେଉଥିବ
ସଜନୀ ଗୋ ।. . .
ସଜ କରିଦିଅ ମୋର ପ୍ରିୟାକୁ
ହାତେ ଶଙ୍ଖା ଆଉ ପାଦରେ ଅଳତା
ଟୋପି ଟୋପି ଚିତା ମଥାକୁ ।।
ଅତି ଅଲିଅଳି ଅତି ସୁକୁମାରୀ
ନିରୀହ ଆଖିରେ ଚାହିଁ
ଦିନ ଗଣୁଥିବ କେବେ ଭେଟ ହେବ
ପ୍ରିୟ ତା’ର ଯିବ ନେଇ
ସଜନୀ ଗୋ ।. . .
ସଜ କରିଦିଅ ମୋର ପ୍ରିୟାକୁ
ଲଳିତ ମଧୁର ଅଧରରେ ହସ
ଭରି ନବବଧୂ ଅଙ୍ଗକୁ ।।
