ଅନ୍ଧାରୁଆ କୋଠରୀର
ଅଧାକିଳା କବାଟ କୋଣରେ ଛପି
ଖେଳୁଥାଏ ବୋହୂ ବୋହୂକାର
ଲୁଚକାଳି ଖେଳ,
ଅପରିଚିତ ଦୁନିଆଁକୁ
ଝରକା ଫାଙ୍କରୁ ପରଖୁଥାଏ
ହେଲେ ଦୁନିଆଁ ଆଗରେ
ସେ ସାଧବ ବୋହୂ ରୂପେ ପରିଚିତା. . . ।
ଅଗଣିତ ସ୍ୱପ୍ନ ଭାରରେ
ନଇଁ ପଡୁଥିବା ନିରୀହ ଚାହାଁଣିକୁ
ଲାଜର ଓଢ଼ଣି ତଳେ ଢାଙ୍କେ,
ଥରଥର ଗୋଲାପି ଓଠ ପାଖୁଡ଼ାର
କେଇ ପଦ ମିଠା କଥାରେ
ମଳୟ ଲହରି ଖେଳାଏ
ସଭିଁଙ୍କ ମନର ସବୁଜିମା କ୍ଷେତେ. . . ।
ଅଗଣାର ଆକାଶକୁ
ଇନ୍ଦୁ ସାଜି ଉଇଁ ଆସି
ସ୍ନେହର ଶୀତଳ ଜ୍ୟୋତ୍ସ୍ନାରେ
ସଭିଁଙ୍କୁ ଆପଣାଏ ଚାହୁଁ ଚାହୁଁ,
ଶଙ୍ଖା ସିନ୍ଦୂର ହାଟରେ
ଜୀବନକୁ ବିକି
ବାକି ଜୀବନ କାଟେ
ସାଧବ ବୋହୂଟେ ହୋଇ. . . ।
