ସମୟ ସ୍ରୋତରେ ବାଟ ଚାଲୁଚାଲୁ ପ୍ରଶ୍ନଟିଏ ଉଙ୍କିମାରେ,
ଖୁସିର ଠିକଣା କେଉଁଠି ହଜିଛି କେବି କାହିଁ କେତେ ଦୂରେ ।
ଜୀବନର ଯୁଦ୍ଧ ଜିତିବା ନିମନ୍ତେ ହୁଏ ସଂଘର୍ଷ ପ୍ରତିକ୍ଷଣେ,
ସବୁ ପ୍ରାପ୍ତି ଶେଷରେ ଅନୁଭୂତ ହୁଏ ଶୂନ୍ୟତା, ହୃଦୟର କେଉଁ କୋଣେ ।
ବ୍ୟସ୍ତବହୁଳ ଏ ଜୀବନ ଖୋଜେ ସ୍ପର୍ଶ ଟିକେ ଖୁସିର,
ଖୁସିର ସେ ସଂଜ୍ଞା ଜାଣିବାକୁ ପୁଣି ମନେଉଠେ ଝଡ଼ ଜିଜ୍ଞାସାର ।
ବିଳାପର ସ୍ରୋତ ଝରିଯାଏ ମନେ ମନ ହୁଏ ଆନମନା,
ଖୋଜିଲେ ବି ଯେତେ ମିଳେନାହିଁ କେବେ ଅସଲି ଖୁସିର ଠିକଣା ।
ପାଖେ ଥାଇ ସବୁ ମନ ହୁଏ ଏକା ଶୂନ୍ୟତା ଯେ ଭଲ ଲାଗେ,
ଏକାନ୍ତତା କେବେ ମନେ ଭରିଦିଏ ଖୁସିର ଲହରୀ ଉଦ୍ବେଗେ ।
ପାଇବାକୁ କିଛି ହାରିବାକୁ ହୁଏ ଛୋଟ ଛୋଟ ଖୁସି ଜୀବନର,
ଜିତିବା ଶେଷରେ ମଣିଷ ଖୋଜଇ ପ୍ରକୃତ ଅର୍ଥ ଖୁସିର ।
ଅଭିନୟ ଏଠି କରିବାକୁ ହୁଏ ଖୁସି ରଙ୍ଗ ବୋଳି ମୁହଁରେ
ହୃଦୟର କୋହ ଦବିଯାଏ ପୁଣି ଦୁଃଖ ଓ ଖୁସି ଭିତରେ ।
ପ୍ରଶ୍ନର ଝଡ଼ ମନେଉଠେ କେତେ ସତେ କି ମୁଁ ଅଟେ ଖୁସି,
ଖୁସିର ଠିକଣା ଖୋଜୁଥାଏ ମୁହିଁ ବର୍ଷ, ମାସ ଅହର୍ନିଶି ।