ସହରର ପରିବେଶଟା ଅଶାନ୍ତ ଥିଲା । ଠିକ୍ ଜୁଆରିଆ ସମୁଦ୍ର ଭଳି । ଥରକୁ ଥର ବଡବଡ ଲହଡି ସମୁଦ୍ର ବୁକୁରେ ଖେଳିଲା ଭଳି, ବିଭିନ୍ନ ରକମର ଗୁଜବ ସହରର ଆବହାୱାକୁ ଆହୁରି ଗରମ କରୁଥିଲା ।
ଏଡେ ସାହସ ସେମାନଙ୍କର ? ଆମ ମନ୍ଦିରକୁ ଅପବିତ୍ର କରିବେ ? ଶଳାଙ୍କ ବସ୍ତିରେ ନିଆଁ ଲଗାଇ, ସମସ୍ତଙ୍କୁ ପାକିସ୍ଥାନ ପଠାଇ ଦେବାକୁ ପଡିବ । ଆରେ ! ବାଘ ଘରେ ମିରିଗ ନାଟ । ତେବେ ଆଗାମୀ ଇଲେକ୍ସସନରେ ଭୋଟ ପାଇଁ ଏଇ କଥାଟା ଆମ ପାଇଁ ବରଦାନ ହୋଇପାରେ । ସମର୍ଥକ ମାନଙ୍କର ଏମିତି ଆବେଗ ଓ ଉତ୍ତେଜନା ସୃଷ୍ଟିକାରୀ କଥା ଶୁଣି ମନେମନେ ଉଲ୍ଲସିତ ହେଉଥିଲେ ସୁବୋଧ ବାବୁ ।
ପାର୍କ ଛକ ପାଖ ଗଳିରେ ଥିବା ସେଇ ପରିତ୍ୟକ୍ତ ଅବହେଳିତ ଭଙ୍ଗା ମନ୍ଦିର, ଯେଉଁଠାରେ ବର୍ଷ ତମାମ ପ୍ରାୟ କୌଣସି ଭକ୍ତଙ୍କ ପାଦ ପଡେ ନାହିଁ । ଆଜି ହଠାତ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା । କୌଣସି ପାପୀ ସେ ମନ୍ଦିରକୁ ଅପବିତ୍ର କରିଛି । ମନ୍ଦିର ପ୍ରାଙ୍ଗଣରେ କଟା ମାଂସ, ହାଡ, ମଇଳା ଓ ମଦବୋତଲ !
ନିଶ୍ଚୟ ଏସବୁ ଅନ୍ୟ ଧର୍ମର ଲୋକଙ୍କ କାମ ବୋଲି ପ୍ରଚାର ଚାଲିଥିଲା ।
ସାର୍, ଏବେ ଆମେ କଣ କରିବା ? ସମର୍ଥକମାନେ ପଚାରୁଥିଲେ ସୁବୋଧଙ୍କୁ ।
ସୁବୋଧ ଗୁରୁମନ୍ତ୍ର ହେଲା ଭଳି କିଛି ଗୋପନୀୟ ନିର୍ଦ୍ଧେଶ ଦେଲେ ନିଜ ଅତି ବିଶ୍ୱସନୀୟ ସମର୍ଥକଙ୍କୁ ।
ପରଦିନ ସକାଳୁ ଏମ୍.ଏଲ୍.ଏ. ସିଟ୍ ପାଇଁ ଆଶାୟୀ ଯୁବନେତା ରହମାନ୍ର ମୃତଦେହ କେନାଲ ପାଖରୁ ମିଳିଥିଲା । ଗୁଳିକରି ରହମାନ୍ଙ୍କୁ ହତ୍ୟା କରାଯାଇଥିଲା । ପୋଲିସ୍ ଖୋଜୁଥିଲା ହତ୍ୟାକାରୀଙ୍କୁ । ଆରମ୍ଭ ହୋଇଥିଲା ଦଙ୍ଗା । ସାରା ସହରରେ ଜାରି କରାଯାଇଥିଲା କର୍ଫ୍ୟୁ । ଏକଦମ୍ ଶୂନ୍ଶାନ୍ ଲାଗୁଥିଲା ସହରଟା ।
ଏକ କୁଟିଳ ହସ ଖେଳୁଥିଲା ସୁବୋଧଙ୍କ ମୁଁହରେ । ଗୋଟାଏ ଗୁଳିରେ ଦୁଇଟା ଶୀକାର । ଏଥର ଇଲେକ୍ସନରେ ତାଙ୍କ ବାଟ ସଫା । ତା ଛଡା ଏଇ ଜାତିଆଣ ଦଙ୍ଗାରେ ତାଙ୍କୁ ହିଁ ଫାଇଦା ମିଳିବ ।
ମାଳତୀ ଦେବୀ ବ୍ୟସ୍ତ ହୋଇ ସୁବୋଧ ବାବୁଙ୍କୁ କହିଲେ, ଝିଅ ଏପର୍ଯ୍ୟନ୍ତ କଲେଜରୁ ଫେରିନି । ଫୋନ୍ ବି ନେଇନି । ଶୀଘ୍ର ଟିକେ ଦେଖ । ସ୍ତ୍ରୀଙ୍କ କାନ୍ଦ ଦେଖି ବ୍ୟସ୍ତ ହୋଇପଡିଲେ ସୁବୋଧ ବାବୁ । କର୍ଫ୍ୟୁ ସମୟରେ ବାହାରକୁ ବାହାରିଲେ ପୋଲିସ୍ ଗୁଳି କରିଦେବ । ପାଖରେ କେହି ସମର୍ଥକ ବି ନାହାନ୍ତି । ଏକଦମ୍ ଅସହାୟ ଲାଗୁଥିଲା ତାଙ୍କୁ । କର୍ଫ୍ୟୁଟା ତାଙ୍କ ଓଲଟା ଫାଶ ଭଲି ଲାଗୁଥିଲା । ଯୁଆଡେ ଫୋନ୍ କଲେ ଉତ୍ତର ‘ନା’ ବୋଲି ମିଳୁଥିଲା । କେଉଁଠି ରହିଲା ଝିଅ !
କିଏ ହତ୍ୟା ବା ରେପ୍ କରିବନି ତ ! ବାରମ୍ବାର ପ୍ରଶ୍ନ ଉଠୁଥିଲା ସୁବୋଧଙ୍କ ମନରେ । ପରଦିନ ସକାଳୁ କର୍ଫ୍ୟୁ କୋହଳ ହେଲାପରେ ରିକ୍ସାରେ ବସି ଝିଅ ଘରେ ପହଁଚିଲା ଦେଖି ପିଣ୍ଡରେ ପ୍ରାଣ ପଶିଲା ଭଳି ଲାଗିଲା ସୁବୋଧ ବାବୁଙ୍କୁ ।
ବାପା, କାଲି କଲେଜ ପାଖରେ ହଠାତ୍ ଗଣ୍ଡଗୋଳ ଆରମ୍ଭ ହେଲା । ଏଇ ରିକ୍ସାବାଲା ମଉସାଙ୍କ ଘରେ ମୁଁ ରହିଯାଇଥିଲି ବୋଲି ଜୀବନ ବଞ୍ଚିଗଲା ।
ଫୋନ୍ ନଥିଲା ବୋଲି ଖବର ଦେଖିପାରିନଥିଲି ।
ଖୁସିରେ ଗଦ୍ ଗଦ୍ ହୋଇ ସୁବୋଧ ବାବୁ ପଚାରିଲେ ତମ ନାଁ ? କେଉଁଠି ରୁହ ?
ଆକବର, କଲେଜ ପାଖ ସେଇ ବସ୍ତିରେ ରହେ ସାର୍ । ଜବାବ୍ ଦେଲା ରିକ୍ସାବାଲା ।
ଚମକି ପଡିଲା ଭଳି ଲାଗିଲା ସୁବୋଧ ବାବୁଙ୍କୁ । ନିଜ ପକେଟରୁ ପାଞ୍ଚଶହ ଟଙ୍କା ବାହାର କରି ଆକବରକୁ ଯାଚିଲେ ସୁବୋଧ ବାବୁ । ନିଜ ଦୁଇ ହାତ ଯୋଡି ଆକବର କହିଲା, “ମୋତେ ଏତେ ଛୋଟ କରି ଦିଅନ୍ତୁନି ସାର୍ । ଆପଣଙ୍କ ଝିଅ କ’ଣ ମୋ ଝିଅ ନୁହେଁ ? ଅସୁବିଧା ବେଳେ ମଣିଷ ମଣିଷର କାମରେ ଆସିବନି ତ କିଏ ଆସିବ ? ଆପଣ ତ ବଡ ନେତା ଲୋକ, ଯଦି ପାରିବେ ତ ଏ ଦଙ୍ଗା, କର୍ଫ୍ୟୁ କେମିତି ନ ଲାଗିବ ସେକଥା ଦେଖନ୍ତୁ ।”
ପେଡାଲ ମାରି ଆକବର ରିକ୍ସା ଗଡାଇ ରହିଗଲା । ହତବାକ୍ ହୋଇ ଅନାଇଥିଲେ ସୁବୋଧବାବୁ । ତାଙ୍କ ମୁଁହ, ମନ, ହୃଦୟରେ କିଏ ଯେମିତି କର୍ଫ୍ୟୁ ଲଗାଇଦେଇଥିଲା ।

ବିନୟ ମହାପାତ୍ର
September 15, 2016 at 10:55 pm
ଗଳ୍ପ ଟିକୁ ମୁଁ ଦୁଇ ଥର ପଢି ସାରିଲିଣି ତଥାପି ଆଉଥରେ ପଢିବାକୁ ମନ ହେଉଛି। ଆଜିର ସାମାଜିକ ପରିସ୍ଥିତି ଏବଂ ଭ୍ରଷ୍ଟ ରାଜନିତିକୁ ଆପଣ ଖୁବ୍ ଭଲ ଭାବରେ ଚିତ୍ରଣ କରି ପାରିଛନ୍ତି।
ARAVINDA DAS
September 19, 2016 at 11:59 am
Its my pleasure sir.Thanks for the compliments.
Ramakanta Dash
September 10, 2016 at 2:22 pm
Nice one
ARAVINDA DAS
September 12, 2016 at 11:48 am
Thank u Ramakanta Babu.My best wishes