ଗଳ୍ପ

ଜୀବନ ସଂଘର୍ଷ

Subal Mohapatra's odia story Jeebana Sangharsha

ବାପ ଓଧ, ତୁ ଭାବେନି ତୁ ଏକା ହୋଇଗଲୁ । ମୁଁ ଅଛି ତୋ ପଛରେ । କିଛି ଚିନ୍ତା କରନି । ଯେତେବେଳେ ଯାହା ଦରକାର କହିବୁ ମୁଁ ଦେବି । ପଇସା ଦରକାର ହେଲେ କହିବୁ । ସବୁଦିନ ଆମ ଘରକୁ ଆସି ବାବୁଆଣୀଙ୍କୁ ଖାଇବାକୁ ମାଗି କ’ଣ ଗଣ୍ଡେ ଖାଇ ଦେଇ ଯିବୁ ।

ଜୀବନ ସଂଘର୍ଷ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଉଦ୍ଧବ ନା ଏକ ଜାତିରେ ହରିଜନ । ମଫସଲର କେଉଁ ଗୋଟେ ଅନାମଧେୟ ଗାଁରେ ତା ଘର । ବାପା ତା’ର ପର ବିଲରେ ଖଟେ, ମା ପର ଘରେ ପାଇଟି କରେ ।

ସୁଖ, ଦୁଃଖ, ନାହିଁନାହିଁ ର ଦୁନିଆଁ ଭିତରେ କଷ୍ଟେ ମଷ୍ଟେ ଚାଲିଥାଏ ତାଙ୍କ ସଂସାର । ହେତୁ ହେଲା ପରଠୁ ସେ କେବେ ବି ଜାଣିନି ମାଡ କ’ଣ ? ତା’ ବାପା ମା ତାକୁ ବହୁତ ଗେହ୍ଲା କରନ୍ତି । ଗୋଟିଏ ବୋଲି ତ ପୁଅ, କଉ ନ’ଟା କି ଛ’ଟା ହେଇଛନ୍ତି ଯେ ଭାଗ ମାଗିବେ । ସୁଖ, ଦୁଃଖ, ଗେଲ ବସରରେ ବଢ଼ୁବଢ଼ୁ କେବେ ଯେ ସେ ଅମଡ଼ା ବାଟ ଆଡେ ଚାଲିଗଲା ସେ ବି ଜାଣିନି । ଯେତିକି ଯେତିକି ସେ ବଡ ହେଉଥାଏ ସେତେ ସେତେ ସେ ଖରାପ ରାସ୍ତାରେ ଆଗକୁ ଆଗକୁ ମାଡି ଚାଲି ଥାଏ ।

ପାଞ୍ଚ ବର୍ଷରେ ସେ ବିଡି ପିଆ ଶିଖିଲା । ତା’ ବାପା ବିଡି ଟାଣି ସାରିଲା ପରେ ଖଣ୍ଡିଆ ବିଡିକୁ ତା ଓଠରେ ଲଗେଇ ଦିଏ । ସେ ଦିଥର ସୁକୁ ସୁକୁ କରି ତାକୁ ଫୋପାଡ଼ି ଦିଏ । ବା’ଆଠୁ ଶୁଣିଥିଲା ଯେ ତା ଜେଜୀ ବି ଏମିତି ତା ବାପାକୁ ବିଡି ପିଆ ଶିଖେଇ ଥିଲା । ଆଜି ବାପା ନିଜ ପଇସାରେ ବିଡି କିଣିକି ଟାଣୁଛି, ଯେତେବେଳେ ବୁଢା ହବ ସେତେବେଳେ ତ ପାଖରେ ପଇସା ନ ଥିବ । ପୁଅ ବିଡିପିଆ ଶିଖିଥିଲେ ସିନା ପୁଅ ପାକିଟିରୁ ବିଡି ଚୋରି କରିବ ନ ହେଲେ ବୁଢାବେଳେ କିଏ ପଚାରିବ ଯେ ।

ଆସ୍ତେ ଆସ୍ତେ ଯେତେବେଳେ ସେ ୯ବର୍ଷର ହେଲା ସେତେବେଳେ ସାଙ୍ଗମାନଙ୍କ ସହ ମିଶି ତାଡି ଆଉ ହାଣ୍ଡିଆ ପିଇଲା । ଗରିବ ଘରେ ତାଡି ଆଉ ହାଣ୍ଡିଆକୁ ମଦ ବୋଲି ମାନନ୍ତି ନାହିଁ । ଏ ଗୁଡା ପିଇଲେ କୁଆଡେ ବଳ ଆସେ । କାମ କରିବାକୁ ଶକ୍ତି ମିଳେ । ଦିହରୁ ପୀଡା ପଳାଏ । ନ ହେଲେ କାମ କେମିତି କରିବ । କାମ ନ କଲେ ପଇସା କଉଠୁ ଆସିବ ।

ବା’ଆ ଦିନେ ଖରାରେ ହଳ କରୁ କରୁ ଟଳି ପଡିଲା । ଲୋକେ କହିଲେ ଅଂଶୁଘାତ । କିନ୍ତୁ ତା ମା ବୁଝିଲା ଯେ ସେ ସେଦିନ ଡେରି କରିଦେଲା ପଖାଳ ନେବା ପାଇଁ । ସେଥିପାଇଁ ବୁଢା ରାଗରେ ବିଲରେ ଶୋଇଗଲା ଆଉ ଘରକୁ ଆସିଲାନି । ବାବୁ ଘର କୁଣିଆ ଆସିଥିଲେ ସେଦିନ । କାମ ସରୁସରୁ ଟିକେ ଡେରି ହେଇଗଲା । ବୁଢା ସକାଳ ପହରୁ ଭୁଜାଦିଟା ପାଟିରେ ପକେଇ ଦେଇ ହଳ ନେଇ ବିଲକୁ ଯାଇଥିଲା । କହିକି ଯାଇଥିଲା ଟିକେ ସଅଳ ଭାତ ନେଇ ଯିବାକୁ । ଘରେ ଖୁଦ କଣି ଗୋଟେ ବି ନ ଥିଲା । ବାବୁ ଘରୁ ଚାଉଳ ଆଣି ରୋଷେଇ କରିକି ନେଲା ବେଳକୁ ଦିନ ଦିଘଡି । ମା ଭାତ ଆଉ ପାଣି ନେଇ ବିଲରେ ପହଁଚିଲା ବେଳକୁ ବା’ଆ ଗଛତଳେ ଶୋଇ ଯାଇଥିଲା, ଯେତେ ଡାକିଲେ ବି ଆଉ ଉଠିଲାନି । ବଳଦ ଦିଟା ଗଛମୂଳେ ଶୋଇକି ପାକୁଳି କରୁଥିଲେ । କାଳିଆ କୁକୁରଟା ଧକେଇ ହଉଥିଲା, ଝାଞ୍ଜିପବନ ବୋହୁଥିଲା, କାଉ କୋଇଲି ବି କୁଆଡେ ନ ଥିଲେ । ମା ଯେତେ ଡାକିଲେ ବି ବା’ଆ ଆଉ ଶୁଣିଲାନି । ମା ଗୋଡ ଧରି ଉଠେଇଲା । ହାତ ଓଠ ଧରି ନେହୁରା ହେଲା , କିନ୍ତୁ ବା’ଆ ଆଉ ଶୁଣିଲାନି । ଘନ କକା ସେଇ ବାଟ ଦେଇ ଆସୁଥିଲା । ନାଡୀ ଦେଖି କହିଲା ବା’ଆ ଆଉ ନାହିଁ । ସେଇ ଦିନୁ ମା ପାଗେଳୀ ହେଇ ଗଲା ।

ଉଦ୍ଧବ, ଡାକ ନା ଓଧ, ସେଇ ଦିନୁ ବାପ ମା ଛେଉଣ୍ଡ ହେଇଗଲା । ମା ଥାଇ ନ ଥିଲା ପରି । ସବୁ ବେଳେ ଗାଁ ଲୋକଙ୍କୁ ଅଶ୍ର।ବ୍ୟ ଭାଷାରେ ଗାଳିକରେ । ନଙ୍ଗଳା, ମୁତୁରା ହେଇ କେତେ ବେଳେ ଶାଳବଣ ତ କେତେବେଳେ ଆମ୍ବତୋଟାରେ ବୁଲୁ ଥାଏ । ଗଣ୍ଠିଲିରେ କଣ ସବୁ ଚିରା ଛିଡା ଲୁଗା, ଜରି, କାଠି କୁଟା ସବୁ ଧରିକି ବୁଲୁଥାଏ । ମନ ହେଲେ ଘରକୁ ଆସେ ନ ହେଲେ ନାହିଁ । କେତେ ବେଳେ ମୁଣ୍ଡ ଠିକ ଥିଲେ ଘରକୁ ଆସି ରନ୍ଧା ବଢ଼ା କରେ ନ ହେଲେ ଅଖିଆ ଅପିଆ କୁଆଡେ ବୁଲୁଥାଏ । ଓଧ ବୁଲି ବାଲି ଯାହା ମିଳେ ତା ପାଟିରେ ଗୁଣ୍ଡେ ଦିଏ ।

ଦିନେ ସକାଳୁ ଗାଁ ଲୋକ ଆସି କହିଲେ ପୋଖରୀ କୂଳରେ ତୋ ମା ପଡିଛି । ଓଧ ଦୌଡ଼ି ଯାଇ ଦେଖିଲା ବେଳକୁ ମା ତା’ର ଓଦା ସରସର । ସକାଳୁ ବୋଧେ ପୋଖରୀ ପାଣି କରିବାକୁ ଯାଇଥିଲା । ବୁଡି ଯାଇଛି । ଆଖ ପାଖରେ କେହି ନ ଥିଲେ । ଗାଁ ଝିଅ ବୋହୁ ସବୁ ସକାଳୁ ଗାଧେଇ ଆସିଲା ବେଳେ ଦେଖିଲେ । ଗାଁ ଯାକ ହୁରି ହେଇଗଲା “ପାଗେଳୀ ମରିଗଲା” । ଲୋକେ ପାଣିରୁ କାଢି ତୁଠ ଉପରେ ଶୁଏଇ ଦେଇଥାନ୍ତି । ଓଧର ରାତିର ନିଶା ଉତୁରି ନଥାଏ ସେତେବେଳେ । ବୟସ ବା କେତେ ତା’ର ୧୩ବର୍ଷ । ସେଥିରେ ପୁଣି ହାଣ୍ଡିଆରେ ବଟିକା ମିଶେଇକି ରାତିରେ ପିଇଥିଲା । ପୋଖରୀ ପାଖକୁ ଯାଇ ଦେଖିଲା ବେଳକୁ ମା ଆଉ ନାହିଁ । ମା ବା’ଆ ଦିଟା ଯାକ ଡକାହକା ହେଇ ବର୍ଷ ଗୋଟା ନ ପୂରୁଣୁ ଚାଲି ଗଲେ ।

ସେଇ ଦିନୁ ଓଧ ଏକା ହୋଇଗଲା । ନା ଆଗକୁ କିଏ ନା ପଛକୁ କିଏ । ମହାଜନ ଆସି ସାକୁଲେଇ ହେଇ ତାକୁ କହିଲା “ବାପ ଓଧ, ତୁ ଭାବେନି ତୁ ଏକା ହୋଇଗଲୁ । ମୁଁ ଅଛି ତୋ ପଛରେ । କିଛି ଚିନ୍ତା କରନି । ଯେତେବେଳେ ଯାହା ଦରକାର କହିବୁ ମୁଁ ଦେବି । ପଇସା ଦରକାର ହେଲେ କହିବୁ । ସବୁଦିନ ଆମ ଘରକୁ ଆସି ବାବୁଆଣୀଙ୍କୁ ଖାଇବାକୁ ମାଗି କ’ଣ ଗଣ୍ଡେ ଖାଇ ଦେଇ ଯିବୁ । ଯାହାହେଲେ ବି ତୋ ମା ମୋ ପାଖରେ କାମ କରୁଥିଲା । ମୁଁ କଣ ତୋତେ ଖାଇବାକୁ ଗଣ୍ଡେ ଦେଇ ପାରିବିନି ? ଆସିବୁ ବାପ କିଛି ମନ କରିବୁନି ” ।

ଗାଁ ଲୋକ କିଏ କେତେ ତାକୁ ମନା କରିଥିଲେ, କହିଥିଲେ ମହାଜନଟା ଖରାପ ଲୋକ । ତୋ ଘର ଡିହ ଉପରେ ତା’ର ଆଖି । ତୁ ଜମାରୁ ତା କଥାରେ ପଡନି , କିନ୍ତୁ ଏ ପେଟ ପାଖରେ ତ ସବୁ ତୁଚ୍ଛ । ନିଆଁ ଲଗା ପେଟ ପାଇଁ ତା ପାଖକୁ ଯିବାକୁ ପଡିଲା ଆଉ ସେ ଯାହା ଚାହୁଁଥିଲା ସେଇୟା ହେଲା । ଦିନେ ମହାଜନ ତା ଘରଡିହ ଖଣ୍ଡିକ ନିଜ ନାଁରେ କରେଇ ନେଲା । ତାକୁ ହାତ ଗଣତି କିଛି ପଇସା ଦେଇ ଚଟେଇ ଲେଖେଇ ନେଲା । ଯେଉଁ ଦି ଖୋବାଘର ଡିହ ଥିଲା ଆଜି ସେସବୁ ତା’ର ।

ପଇସା ପାଇ ନିଜକୁ କିଛି ଦିନ ରାଜା ବୋଲି ଭାବିଲା ଓଧ । ଦିନ ରାତି ମଦରେ ବୁଡିକି ରହିଲା । ସାଙ୍ଗ ସାଥି ମାନଙ୍କୁ ପେଟେ ଲେଖା ମଦ ପିଆଇଲା ଆଉ ନିଜେ ଟାଙ୍କେ ଟାଙ୍କେ ପକେଇ ଦେଇ ରାତିରାତି ରାସ୍ତା କଡ ଆଉ ନାଳରେ ପଡିଲା । କିଛିଦିନ ଉତ୍ତାରୁ ପଇସା ସରିଲା ପରେ ପୁଣି ଫୋକଡ ରାମ ଗିରିଧାରୀ । ଏବେ ଆଉ ସାଙ୍ଗ ନା ସାଥି । କେହି ଧରା ଦେଲେ ନାହିଁ । ଖାଇବାକୁ ପଇସା ନାହିଁ , ମଦ କିଏ ଦବ । ୧୩ବର୍ଷର ଛେଉଣ୍ଡ ଛୁଆଟା ବାର ଦୁଆର ଶୁଣ୍ଢୀ ପିଣ୍ଡା ହେଲା । ଗାଁରେ କେତେବେଳେ କିଏ କଣ ଦେଲେ ଖାଉଥିଲା ନ ହେଲେ ନାଇଁ । ସେ ତ ଆଉ ଛୁଆଁ ଜାତିର ନୁହଁ ଯେ ତାକୁ କିଏ ନିଜର କହିବ । ଲେଖା ଯୋଖାରେ ଯେଉଁ ବନ୍ଧୁବାନ୍ଧବ ଥିଲେ ସେମାନେ ବି ଆଡେଇ ହେଇ ଗଲେ । ୟାପାଖରେ ତ କିଛି ନାହିଁ , କଣ ପାଇଁ ନିଜର କରିବେ ? ନିଜ ସଂସାର ତ ନିଜକୁ ଅସମ୍ଭାଳ ୟାକୁ କିଏ ଦେଖୁଚି । କିଛି ଦିନ ମହାଜନର ଗାଈ ଜଗିଲା । ସକାଳୁ ସଂଜେ ଭାତ ଗୂଂଡେ ମିଳେ ତାସହ ଭୁଜା ଦିକଳ । ଦିନେ ଓଲେଇ ଗାଈଟା ସାଆନ୍ତାରା ଘର ବିଲରେ ପଶିଗଲା ବୋଲି ମହାଜନ ତା ପିଠିରେ ନୋଳା ଫଟେଇ ଦେଲା । ଜୀବନରେ କେବେ ବି ମାଡ ଖାଇ ନ ଥିଲା ସେ । ବା’ଆ, ମା ତା’ର କେବେ ବି ତା ଉପରେ ହାତ ଉଠେଇ ନ ଥିଲେ । କେତେ ଗେଲବସରରେ ବଢିଥିଲା ସେ । ଆଉ ଆଜି ମହାଜନ ତାକୁ ମାଇଲା । ଗୁହାଳେ ବସି ବହେ କାନ୍ଦିଲା । ମା ବା’ଆ କୁ କେତେ ମନେ ପକେଇଲା । ବାବୁଆଣୀ ଆସି ଖାଇବାକୁ ଡାକିଲେ , ଗଲାନାହିଁ । ରାତି କେତେ ଘଡିଯାଏ ଆକାଶକୁ ଦେଖି ତା ବା’ଆ ଆଉ ମା କୁ ଖୋଜିଲା । ମା କହୁଥିଲା ମଣିଷ ମରିଗଲା ପରେ କୁଆଡେ ତାରା ହେଇ ଯାଏ । ତା ହେଲେ ମୋ ବା’ଆ ଆଉ ମା ବି ତାରା ହେଇ ଯାଇ ଥିବେ । ସେମାନେ ବି ଦେଖିଥିବେ ଯେ ମହାଜନ ଆଜି ତାକୁ ପିଟିଚି । ତାକୁ ଆହୁରି ବେଶୀ ବେଶୀ କାନ୍ଦ ଲାଗିଲା । ଗାଁ କୁଛି.. କରି ଦେଲା । କିଏ ଅଛି ଆଉ ଯେ ରହିବ ଏଇ ଗାଁ ରେ । ରାତି ରାତି ସେ ଚାଲିଚାଲି ଗାଁରୁ ବାହାରି ଗଲା ।

ଆକାଶରେ ଅର୍ଦ୍ଧଚନ୍ଦ୍ର, ତାରାମାନଙ୍କର ମିଞ୍ଜିମିଞ୍ଜି ଆଲୋକ, ଝିଙ୍କାରିର ଝୀଂଝୀଂ ଶବ୍ଦ, ରହିରହି ପବନର ସୁସୁ ଡାକ, ବରଡାଳର କଟକଟ କି ସ୍ଵ।ନ ସ୍ଵ।ପଦଙ୍କର ଡାକ କିଛି ବି ଆଜି ତାକୁ ଶୁଣା ଯାଉ ନ ଥିଲା । ଆଜି କେହି ବି ତାକୁ ଡରେଇ ପାରୁ ନ ଥିଲେ । ଗାଁ ମଶାଣିକୁ ସମସ୍ତଙ୍କର ଡର ଥାଏ । ସେ ବି ଡରୁଥିଲା । କିନ୍ତୁ ଆଜି ତାକୁ ଡର ଲାଗୁ ନ ଥିଲା । ଆସିଲା ବେଳେ ତା ବା’ଆ ଆଉ ମାକୁ ଯେଉଁଠି ପୋଡା ଯାଇଥିଲା ସେଠି କିଛି ସମୟ ଠିଆ ହେଲା । ବା’ଆ ଆଉ ମାକୁ ହାତ ଯୋଡିଲା ଆଉ କହିଲା ଯାଉଛି.. କେବେ ମନ ହେଲେ ଆସିବି । ସେ ଆସିଲା ବେଳେ ତା ପିଲାଦିନ କଥା, ବା’ଆ ଆଉ ମା କଥା, ସାଙ୍ଗ ମାନଙ୍କ କଥା, ଗାଁ ପୋଖରୀ, ଦୋଳ ଯାତ୍ରା,ବାଡ଼ି ଖେଳ, ହୋଲି, ଦୀପାବଳି, ଗାଁ ପୂଜା, ଯାତ୍ରା, ମା’ର ମଣ୍ଡାପିଠା, ସରୁଚକୁଳି, ଛୁଞ୍ଚିପତ୍ର ପିଠା, ଦୋଳ, ପୋଡ଼ ପିଠା, ରଜ, ମେଳଣ ଆଉ ଆଉ ବହୁତ କଥା ଭାବି ଭାବି ଆସୁଥାଏ । କେତେବେଳେ ଯେ ସେ ଷ୍ଟେସନ ପାଖରେ ପହଁଚି ଯାଇଛି ସେ ଜାଣି ପାରିଲାନି । ପାସେଞ୍ଜର ଟ୍ରେନଟା ଷ୍ଟେସନରେ ଠିଆ ହେଇ ଥାଏ । କିଏ କେତେ ଲୋକ ଦୌଡ଼ା ଦୌଡ଼ି କରି ଟ୍ରେନରେ ଚଢ଼ୁଥାନ୍ତି ଆଉ କିଏ କେତେ ଓହ୍ଲାଉ ଥାନ୍ତି । କିଛି ନ ଭାବି ସେଗୋଟେ ବଗିରେ ଚଢ଼ିଗଲା । ତାକୁ ଭାରି ଭୋକ ଲାଗୁଥାଏ । କ’ଣ କରିବ କିଛି ଭାବି ପାରୁ ନ ଥାଏ । ଛିଣ୍ଡା ପେଣ୍ଟ ଆଉ ଚିରା ଶାର୍ଟ ଗୋଟେ ପିନ୍ଧି ଥାଏ । ଗୋଟେ ଲୋକ ତାକୁ ତା’ର ବଳକା ରୁଟି କେତେ ଖଣ୍ଡ ବଢ଼େଇ ଦେଲା । ସେ ନବ କି ନ ନେବ ଭାବୁଭାବୁ, ହାତଟା ଖାଇବା ପାଖକୁ ପଳେଇଲା । ମନେମନେ ଭାବିଲା ଛି.. ଶେଷରେ ମୁ ଭିକ ମାଗିଲି । କିନ୍ତୁ ପେଟ ପୋଡି ଯାଉଥିଲା ଲୋକର ନା ମାନ ଥାଏ ନା ଅଭିମାନ । ଚୁପ ଚାପ ଶୁଖିଲା ରୁଟି କେଇ ଖଣ୍ଡ ଖାଇସାରି ଟ୍ରେନ ବେସିନରୁ ପେଟେ ପାଣି ପିଇଲା । ଆଉ ଲାଟ୍ରିନ ପାଖରେ ଗାମୁଛା ପକେଇ ଶୋଇଗଲା । ସୁଇପରର ଡାକରେ ତା ନିଦ ଭାଙ୍ଗିଲା । ହେ ଟୋକା ଉଠ । ଯାଉଛୁ ନା ଦେଖିବୁ ଏଇଲେ । ସେ ଉଠିକି ଦେଖିଲା ଗାଡି ଷ୍ଟେସନରେ ଅଟକିଛି । ସବୁଲୋକ ଓହ୍ଲେଇ ସାରିଲେଣି । କେତେ ଯେ ବେଳ ହେଲାଣି ଜଣା ନାହିଁ । ଷ୍ଟେସନରେ ଲୋକ ଭର୍ତ୍ତି । ସେ ଆଜି ଯାଏ କେବେ ଗାଁରୁ ବାହାରକୁ ଯାଇ ନ ଥିଲା । ଏଠି ଏତେ ଲୋକ ? ଲୋକ ଦେଖି ଦେଖି ସେ ଷ୍ଟେସନରେ କିଛି ସମୟ ବୁଲା ବୁଲି କଲା । ଟ୍ୟାପରୁ ପେଟେ ପାଣି ପିଇଲା । ଭୋକ ଲାଗୁଥିଲେ ବି ଟ୍ୟାପପାଣି ପିଇକି, କିଛି ଅଂଶରେ ତା ଭୋକ କମି ଗଲା । ସେ ଷ୍ଟେସନରେ ବୁଲି ବୁଲି ଲୋକ ଦେଖୁ ଥାଏ । କିଏ ଶୋଇଥାଏ ତ କିଏ ବସି ଥାଏ । କିଛି ଲୋକ ବୁଲା ବୁଲି କରୁ ଥାନ୍ତି । ଏତେ ବଡ ଷ୍ଟେସନ, ତାଙ୍କ ଗାଁ ଷ୍ଟେସନରେ କିଛି ବି ନ ଥିଲା । ପାଣି ଟିକେ ପିଇବାକୁ ଟ୍ୟାପ ଗୋଟେ ହିଁ ଅଛି ଆଉ କିଛି ନାହିଁ । ଏଠି ତ କେତେ ଦୋକାନ, କେଉଁ ଦୋକାନରେ ବରା ତ କେଉଁଠି ଚା, କେଉଁଠି ଲସି ତ କେଉଁଠି ଭାତ । ଭଳିକି ଭଳି ଖାଇବା ତିଆରି ଆଉ ବିକ୍ରି ଚାଲି ଥାଏ । ଦ୍ୱିପ୍ରହର ହେଲା ବେଳକୁ ତାକୁ ଭୋକ ଲାଗିଲା । ତା’ପାଖରେ ଟଙ୍କା ନାହିଁ କି ଖାଦ୍ୟ ବି ନାହିଁ । ସବୁ ଦୋକାନ ବୁଲି ବୁଲି ଆଉ ଖାଇବା ଜିନିଷ ଦେଖି ଦେଖି ତା ଭୋକ ଆହୁରି ବଢି ଯାଉ ଥାଏ । ହେଲେ କରିବ କ’ଣ । ପୁଣି ଥରେ ଥଣ୍ଡା ପାଣି ଟ୍ୟାପରୁ ପେଟେ ପାଣି ପିଇଲା । ଗାଁ’ରେ ଆଇସକ୍ରିମ ଖାଇଲେ ଯେମିତି ଲାଗେ ତାକୁ ଥଣ୍ଡା ପାଣି ପିଇଲା ବେଳକୁ ସେମିତି ଲାଗିଲା ।

– ତା’ପରେ –

7 Comments

7 Comments

  1. Sonal

    June 10, 2017 at 7:52 pm

    Very nice write up subal, realistic and touching..keep writing.waiting for next part now

  2. ଶ୍ରୀ ସୁବଳ ଚନ୍ଦ୍ର ମହାପାତ୍ର

    subal

    June 6, 2017 at 4:56 pm

    Dhanyabad Minati Debananda

  3. Minati Debananda Mohanty

    June 6, 2017 at 3:03 pm

    Hi Subal,
    Very nice narration.Eagerly waiting to read the next part.When you are planning to post?

    Regards,
    Minati Debananda

  4. Rajesh Mohapatra

    May 28, 2017 at 8:55 pm

    ବହୁତ ଭଲ ଲାଗିଲା,
    ହୃଦୟ କୁ ଛୁଇଁଲା ପରି ହୋଇଛି ।

    • ଶ୍ରୀ ସୁବଳ ଚନ୍ଦ୍ର ମହାପାତ୍ର

      Subal

      May 30, 2017 at 10:20 am

      ଧନ୍ୟବାଦ

  5. ଶ୍ରୀ ସୁବଳ ଚନ୍ଦ୍ର ମହାପାତ୍ର

    subal

    May 17, 2017 at 6:44 pm

    Thanks

  6. Suprabha

    May 16, 2017 at 3:58 am

    We are very proud for you Subal babu…;) Hidden talent is coming out slowly..hmm… Keep it up.
    Really nice and heart touching stories , can’t stay for long time to read the next… .But eagerly waiting for next edition…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top