ଆଈ କହନ୍ତି ଶୁଣରେ ନାତି,
ପଢ଼ ଇଂଗ୍ଲିସ୍ କର ଉନ୍ନତ୍ତି ।
‘ଇଂରାଜୀ’ ଭାଷାର ବଡ଼ ମହତ,
ହେଲେ “ଓଡ଼ିଆ”କୁ ନମାର ଲାତ ।
ମମି, ଡାଡ଼ି ଡାକେ ଫାଟେ କଲୋନୀ,
ପିଲାଙ୍କର ନାମ ଜନି ବା ଟୋନି ।
ହାଏ, ହେଲୋ, ବାଏ ହେଲା ତୋ ଭାଷା,
ଓ୍ୟାଉ, ସିଟ୍ କଲେ ମୁହଁରେ ବସା ।
ଇଂରାଜୀରେ ତୁ କାନ୍ଦୁ ଓ ହସୁ,
ପଛେ ‘ଅ’ ‘ଆ’ ନ ଲେଖି ଆସୁ ।
ନ ଭୂଲିବୁ କେବେ ମାତର ଭାଷା,
ଚେର ବିନା ଗଛ ଯେ ହେବ ଦଶା ।
ପାଣିବିନା ଗଛ ପାରେନା ବଞ୍ଚି,
ମାଟିର ମହତ ରଖିଥା ସଞ୍ଚି ।
