ପାଣି ଆଣିବାକୁ ଯାଇଥିବା ମାଇପେ
ଆଉ ଫେରିବେ ବୋଲି ଭାବୁଛ କି ?
ମାଟିକୂଅର ନନ୍ଦତଳେ
ଦିଶୁନି ପାଣିର ମୁହଁ
ବହଳ ଅନ୍ଧାର ଭେଦି
ପହଞ୍ଚି ପାରୁନି ଶୋଷ ପାଣି ପାଖରେ ।
ପାଣି କାଢୁ କାଢୁ ଭାଉଜ
ଡେଇଁ ପଡ଼ିଥିବେ କୂଅକୁ
ଯାଉନା ଦେଖିବ !
ଘରକୁ ଖାଲି ମାଠିଆ ନେଇ ଫେରିବା
ଘୋର ଅଶୁଭ
ଏବେ ତ ଖାଲି ମାଠିଆ ଦାଣ୍ଡଯାକ
ସେମାନଙ୍କ ଆରତ ଆଁ ଭିତରେ
ଖସିପଡୁଛି ବୁନ୍ଦାଏ ଆକାଶ ।
ଯମୁନାକୁ ଯିବା ବାଟରେ
ପାଣି ମାଠିଆ ଫାଟିବାର ଦୃଶ୍ୟ
ଆଉ ଲେଖିହେବନି କବିତାରେ ।
ନଈକୁ ଖୋଳି ଖୋଳି
ପାଣି ଆଞ୍ଜୁଳାକୁ ଲୁହ ଆଞ୍ଜୁଳେ
ପାଣି କାହିଁ ଯେ ?
ବିଧବାର ଧଳାଶାଢ଼ୀ ପରି
ଦିଶୁଚି କେରାଏ ଝରଣା
ନଈ ଅଛି ପିଲାଙ୍କ ଚିତ୍ରଖାତାରେ
ସରକାର ନାଲି ଫିତା
କମ୍ପାନୀ କାଠଗଡ଼ାରେ
ଏଠି ତ ନଈର କଙ୍କାଳ
ମୁହଁ ଲୁଚେଇ କାନ୍ଦୁଛି
ବାଲିବିଛଣାରେ ।
ପାଣି ଆଣିବାକୁ ଯାଇଥିବା ମାଇପେ
କ’ଣ ଏ ସବୁ ଜାଣନ୍ତି ?
ତମେ କ’ଣ ଫେରିବ ସତରେ ।
ଫେରିବା ବାଟରେ
ଆଖିର ଟପ୍ଟପ୍ ଲୁହରେ
ପୂରି ଉଠିବ ତମ କାଖ ମାଠିଆ
ପାଣି ନୁହଁ ମ
ନିଜକୁ ପାଣିଠୁ ପତଳା କରି ବାଣ୍ଟି ଦେବ
ପ୍ରିୟ ଲୋକଙ୍କୁ ଶୋଷ ହେଲେ
ତମେ ଖାଲି ଫେରିଲେ ହେଲା ।
