ଦେଖୁ ନାହାନ୍ତି …
ସୂଚ୍ୟଗ୍ରେ ମେଦିନୀ ପାଇଁ
କେମିତି ଘଟିଗଲା
ଭାଇ ଭାଇ ଗୋଳ…!
କପଟୀର କପଟର ପଶା ଖେଳ
ଆଉ ମହିୟସୀ ରାଜବଧୂର
କୁରୁସଭା ତଳେ ବସ୍ତ୍ରହରଣ !!
ନିରସ୍ତ୍ର ଅଭିମନ୍ୟୁର କାକୁସ୍ଥ କାନ୍ଦଣା
ସିନା ଭେଦିପାରିଲାନି
ଚକ୍ରବ୍ୟୁହର ବାହୁଡା ବାଟ ;
କିନ୍ତୁ, ପାରିଲ କି ସାମନା କରି ?
ମହାବଳୀ ଭୀମର ବୁକୁଫଟା ରଡ଼ି
ଆଉ ଅପକଟୀ ଅର୍ଜୁନର
ଅଫେରନ୍ତା ଅବ୍ୟର୍ଥ ବାଣକୁ ।
ଶେଷରେ ଚକ୍ରବର୍ତ୍ତୀଙ୍କ ଚକ୍ର …
ଅଦୃଶ୍ୟରେ କାଟିଦେଲା ସପ୍ତରଥୀଙ୍କ
ଗୋଟିଏ ପରେ ଗୋଟିଏ ମୁଣ୍ଡ
ଆଉ ଏଠି ତ ମୁହୂର୍ତ୍ତ ମୁହୂର୍ତ୍ତକ ମଧ୍ୟେ
ରଚାଯାଏ ଅଘୋଷିତ ମହାଭାରତ ଯୁଦ୍ଧ
ଶାଗ, ମାଛ ପରି କିଣା ହୁଏ
ଦୀନ ଦରିଦ୍ରଙ୍କ ଭାତହାଣ୍ଡି କ୍ଷେତ
ସ୍ପଷ୍ଟ ଦିବାଲୋକେ, ବିକ୍ରି ହୁଏ
ନାରୀ ଦେହର କଞ୍ଚାମାଂସ !
ନିତି ବସ୍ତ୍ର ହରଣ , ଧର୍ଷଣ ଓ ଅପହରଣ
ଆଉ କ’ଣ ? ଅଛି ଚକ୍ର ନା ଅଛନ୍ତି ଚକ୍ରବର୍ତ୍ତୀ !
ଯେ କାଟି ପକାଇବେ , ଗୋଟି ଗୋଟି କରି …
ଏ ଦୁନିଆର ବଡ଼ଦାଣ୍ଡେ –
ପଇଁତରା ମାରୁଥିବା ଶତସହସ୍ର ସପ୍ତରଥୀଙ୍କ ମୁଣ୍ଡ !!