ଆସ ଟୁନାମୁନା
ହାତୀ ଦେଖିବ ପରା ।
ଝୁଲରେ ହାତୀ ଝୁଲ୍
ଆମ ପାଚିଲା ଧାନ ଖାଇ ଫୁଲ୍ ।
ପାଚିଲା ଧାନ କ୍ଷେତରେ
ଦଳଦଳ ହାତୀଙ୍କ ମେଲଣ
ହାତୀଖୁରା ତଳେ ଦଲି ହୋଇଯାଉଚି ସ୍ୱପ୍ନ
ହାତୀ ଗୋଡ଼ାଉଥିବା ଲୋକେ
ସ୍ୱର୍ଗକୁ ଗଲେଣି
ହରିବୋଲ !
ଏ ହାତୀ କଥା ତମେ ଜାଣକି ଭାଇ !
ଝାଡ଼ଖଣ୍ଡ କି ଶିମିଳିପାଳର ନୁହେଁ
ଆସିଛି ନଅଙ୍କ ଦୁର୍ଭିକ୍ଷରୁ ।
ତା’ କଳା ମଚମଚ ଶୁଣ୍ଢରେ
ଲୁଣ୍ଠନର ଆଭିଜାତ୍ୟ
ଜମିଦାରୀ ମନ ତା’ର ଖାଇଯିବ ପାଚିଲା ଧାନ ।
ହାତୀ ଭୋକ ନ ଲମ୍ୱି ଆସୁ ଘରଯାଏଁ
ବନ୍ଧା ପଡ଼ିବ ବାହାମୁକୁଟ
କୂଳ ଗୋବିନ୍ଦ ଦାଦନ ଯିବ ଗାଆଁ ଛାଡ଼ି
କେତେ ବର୍ଷର ହିସାବ ବାକି ଅଛି
ସୁଧ ବାବଦକୁ ମାଗିବ ପୁଅର କଟାମୁଣ୍ଡ
ନାତିଟୋକାର ନିର୍ମଳ କଲିଜା
କୁଳବଧୂର କୃଶକଟୀରେ ଗୁଡ଼େଇ ହେବ
ତା’ ତତଲା ଶୁଣ୍ଢ ।
ନଅଙ୍କରୁ ଫେରିଛି ସେ
ଜମିଦାରଙ୍କ ହାତୀ
ଘରର କବାଟ କିଳ ମା’ମାନେ
ହାତ ଖାଇଯାଉ ପଛେ ପାଚିଲା ଧାନକ୍ଷେତ !
ଆଉ ହଜିବନି ତୋ ମୁଦିଲୋ’ ବୋଉ
ଧାନ ଅମାରରେ ।
ନାନୀଲୋ ତୁ ଠାକୁରାଣୀ ହୋଇଯା’
ତୋ ସବାରି କାନ୍ଧେଇବା ଲୋକ
ମଲେ ହାତୀ ଚକଟାରେ
ହାତୀ ଖାଇଗଲା ପାଚିଲା ଧାନଲୋ ବୋଉ !
ଆସ ଟୁନାମୁନା
ହାତୀକୁ ନେଇ ରଚନା ଲେଖିବ
ଫି’ସନ ଖୁଦୁରୁକୁଣୀ ପୂଜୁଥିବା ନାନୀ ପାଇଁ
ପ୍ରାର୍ଥନା କରିବା ।
