ଆଖିରେ ଆଖିରେ ଭରିଦେଲ ତୁମେ ମଧୁମୟ ଅନୁଭବ
ତୁମ ଚାହାଣୀରେ ମୋ ମନ ଭିତରେ କେତେ ମେଳାମଉଛବ,
ଆମ୍ରକୁଂଜେ ଯେବେ ଗାଇଲା କୋଇଲି ମନ ହେଲା ଅାନମନା
କ୍ଷଣେ କ୍ଷଣେ ଛାତି ଛନଛନ ହେଲା ଶୂନ୍ୟହେଲି ତମବିନା ।
ତୁମେ ମୋ ସପନ ତୁମେ ମୋ ଜୀବନ ତୁମେ ମୋ ଦେହର ଛାଇ
ତୁମବିନା ସାଥୀ ଦିନରାତି ମୋର ପାଲଟିଛି ମରୁଭୂଇଁ,
ଶବ୍ଦର ସହରେ ଗଢିଛି ସଂସାର କାବ୍ୟ କବିତାକୁ ନେଇ
ମନରେ ଫୁଟିଲେ ମିଠା ଅନୁରାଗ ସବୁଯାଏ ଗୀତହୋଇ ।
ମୋ ନିରବ ଭାଷା ମୋ ପ୍ରେମର ନିଶା ନିତି ମୋର ସହଚରୀ
ଏକା ବୋଲିଅବା ଭାବିବି କାହିଁକି ଏତେ ମିଠା ସ୍ମୃତି ଧରି ?
ହଜୁଚି ମଜୁଚି ଖୋଜୁଚି ବିପିନେ ସେଇ ସେ ଫଗୁଣ ଫୁଲ
ସଜେଇବା ପାଇଁ ଆଉ ଥରେ ପୁଣି ପୁରୁଣା ଉଜୁଡା ବେଳ ।
ସବୁ ସରିସରି ଯେଉଁଦିନ ମୁଁ ଜୁଈରେ ପାଉଁସ ହେବି
ସେତେଦିନ ଯାଏ ତୁମରି ସ୍ମୃତିକୁ ହୃଦୟେ ସାଇତି ଥିବି ।
