ବସଷ୍ଟାଣ୍ଡ ରେ ବସ ରୁ ଓହ୍ଲେଇ ସାରିଲା ପରେ ଚାରି ଆଡକୁ ଚାହିଁଲା ସେ । ଖୋଜୁ ଥିଲା ଗୋଟେ ରିକ୍ସା । ପାଖରେ ଅଟୋ ଗୁଡିକ ଥିଲେ ବି ତାକୁ କାହିଁକି ଭଲ ଲାଗେନି ଅଟୋରେ ଯିବା ପାଇଁ । ଆଜି କାଲି ଅଟୋର ପ୍ରାବଲ୍ୟ ରେ ପେଷି ହେଇ ଗଲେଣି ରିକ୍ସା ବାଲା ଗୁଡିକ । ଅଟୋ ବାଲା ତିନି କିଲୋମିଟର କୁ ନିଅନ୍ତି ୫୦ ଟଙ୍କା । ସମୟ ନଷ୍ଟ କରିବାକୁ କେହି ଚାହାନ୍ତି ନାହିଁ । ସବୁଠି ଦୌଡ । ଯେମିତି ପ୍ରତିଯୋଗିତା ଲାଗିଛି । ଶୀଘ୍ର ନ ପହଁଚିଲେ ସବୁ ସରିଯିବ । ହେଲେ କେବେ କିଏ ଭାବେ ଏ ରିକ୍ସା ବାଲାଙ୍କ କଥା ? କଣ ଖାଉଥିବେ ସେମାନେ ? କେମିତି ରହୁଥିବେ ସେମାନେ ? ଅଧିକାଂଶ ରିକ୍ସା ବାଲାଙ୍କ ପାଖେ ନିଜର ରିକ୍ସା ଖଣ୍ଡିଏ ନ ଥାଏ । ସେମାନେ ଭଡାରେ ଆଣନ୍ତି । ଦିନକୁ ୫୦ ଟଙ୍କା । ବାକି ଯାହା ଲାଭ ହେଲା ତାଙ୍କର । ହେଲେ କେତେ ? ଦିନ ସାରା ଯଦି ଭଲ ଭଡା ମିଳିଲା ତ ମିଳିବ ୨୦୦ ଅବା ୨୫୦ ଟଙ୍କା । ରିକ୍ସା ମାଲିକ ନେଇଯିବ ୫୦ ଆଉ ୨୦୦ ଟଙ୍କାରେ ସବୁ । କେବେ କେବେ ଭଡା ନ ଜୁଟିଲେ ହାତରୁ ଦେବାକୁ ପଡେ । ରିକ୍ସା ବାଲା ତିନି କିଲୋମିଟର କୁ ଡାକେ ୨୫ ନିଏ ୨୦ ।
ଏ ରିକ୍ସା, ଦୁର୍ଗାଦେବୀ ଛକ ଯିବୁ?
ହଁ, ଆଜ୍ଞା !!
କେତେ ନବୁ?
୩୦ ଦେବେ .. ଦାନ୍ତ ନିକୁଟି କହିଲା ରିକ୍ସା ବାଲା ଟି ।
ବୟସ ୧୮-୨୦ ହେବ । ବଳିଷ୍ଠ ଚେହେରା । ଝୁମ୍ପୁରା ବାଳ । ବୋଲ ବମ ପେଣ୍ଟ କୁ ବୋଲ ବମ ସାର୍ଟ ଖଣ୍ଡେ ପିନ୍ଧି ଥାଏ । ପେଡାଲ ଉପରେ ଗୋଟେ ଗୋଡ ରେ ଠିଆ ହୋଇ ଆର ଗୋଡଟିକୁ ରିଲାକ୍ସ କରୁଥାଏ । ରିକ୍ସାଟିକୁ ରଙ୍ଗୀନ ଝାଲର ସହ ସଜେଇ ଥାଏ । ନିଶ ଟିକେ ଟିକେ ଗଜୁରି ଆସୁଥାଏ । ଡଉଲ ଡାଉଲ ଚେହେରା ଟି ।
୩୦? ୨୦ ରେ ଯାହାକୁ ଯେତେ…
ନାଇଁ ବାବୁ ପୋଷେଇବନି.. ଏଠୁ ସାଢେ ତିନି କିଲୋମିଟର ହବ । ପୁଣି ସେପଟେ ରାସ୍ତା ଖରାପ ।
କଣ ପୋଷେଇବନି !! ଅଟୋ ରେ ସିନା ତେଲ ପଡୁଛି । ତମର କଣ ରିକ୍ସା ରେ ବି ତେଲ ପଡୁଛି କି ? ପୋଷେଇବନି ହୁଁ.. ଚାଲ.. ଚାଲ..
ନାଇଁ ବାବୁ.. ଏତେ ଗୁଡ଼େ ବାଟ ପୁଣି ଫେରିଲା ବେଳକୁ ଭଡା ମିଳିବନି । ସନ୍ଧ୍ୟା ଆସି ହେଲାଣି ।
ତ ? ତମର କଣ ସନ୍ଧ୍ୟା ପରେ ଦେଢ଼ା ଲାଗେ କି ? ଆଉ ୧୦ ଟଙ୍କା ପକେଇଲେ ପାଞ୍ଚ ମିନିଟରେ ଘରେ ପହଞ୍ଚିବି । ପଇସା ଟିକେ କମ ନକଲେ ମୁଁ ତୋ ସହ କାଇଁ ଯିବି ?
ନାଇଁ ବାବୁ ୩୦ !!
ଥାଉ ଥାଉ… ଯା… ମୁଁ ଅନ୍ୟ ଆଡେ ଦେଖେ ।
ହଉ.. ବାବୁ.. ୨୫ ଦିଅନ୍ତୁ !!
କହିଲି ପରା ୨୦ । ପୁଣି ୨୫ କଣ ?
ହଉ.. ବସନ୍ତୁ…
ଦୁଇଟି ଭାରି ଟ୍ରଙ୍କ ସହ ଗୋଟିଏ ବସ୍ତା ଉଷୁନା ଚାଉଳ ଆଉ ସେ ନିଜେ ଲୋଡ ହେଇ ଗଲା ରିକ୍ସା ରେ । ରିକ୍ସା ଟି ବି ଆଗେଇ ଚାଲିଲା ଆବଡ଼ା ଖାବଡ଼ା ରାସ୍ତା ରେ । ମନେ ମନେ ଖୁସି ଥିଲା ସେ । ଯାହା ହଉ ୨୦ ଟଙ୍କା ରେ ଛିଣ୍ଡିଲା । ଛଅ ମାସ ତଳେ ବି ସେ ୨୦ ଟଙ୍କା ଦେଇଥିଲା । ପିଲାଟି ଖୁବ ଶୀଘ୍ର ଶୀଘ୍ର ଚଳାଉ ଥାଏ । ଭଡା କୁ ଶୀଘ୍ର ଛାଡି ଫେରିଲେ ଆଉ ଗୋଟେ ଦି ଟା ଭଡା ମାରିବା ଉଦ୍ଦେଶ୍ୟରେ । ଯାହା ହେଉ ଖୁବ ଶୀଘ୍ର ପହଞ୍ଚିଗଲା । ପିଲାଟି କୁ ୨୦ ଟଙ୍କା ଦେଇ ବିଦା କଲା । ପିଲାଟି ବି ସଲାମ ଟିଏ ଠୁଙ୍କି ରିକ୍ସା ବୁଲେଇ ପଳେଇଗଲା ।
ସବୁ ଜିନିଷ ସଜାଡି କି ରଖିବା ବେଳେ ଦେଖିଲା ପକେଟ ରେ ଭାଣିଜୀ ବାହାଘର ପାଇଁ ଆଣିଥିବା ସୁନା ହାର ଟି କେଉଁଠି ଖସି ପଡିଥିଲା ।
ଦି ଦିନ ପରେ ଭାଣିଜୀ ବାହାଘର । ଚାଉଳ ବସ୍ତା ସହ ଦି ଟା ଟ୍ରଙ୍କରେ ଜିନିଷ ଭରି ସେ ଆଣିଛି । କାଳେ କେଉଁଠି ହଜି ଯିବା ବୋଲି ସୁନା ଚେନ ଟି ରଖିଥିଲା ପଞ୍ଜାବୀ ପକେଟରେ । ଏବେ ଖୋଜିବ କେଉଁଠି ? ବସ ରେ ଖସି ପଡିଲା ? କି ରିକ୍ସା ରେ ? ଯେଉଁଠି ପଡ଼ିଥିଲେ ବି ଯିଏ ପାଇବ ସେ କଣ ଆଉ ଦବ ? ବସ ରୁ ଓହ୍ଲେଇଲା ପରେ ସେ ବୋଧ ହୁଏ ପକେଟ ରେ ହାତ ମାରି ଦେଖିଥିଲା । ସେତେବେଳେ ଥିଲା ବୋଧେ । ତେବେ ରିକ୍ସା ଧରିବା ପୂର୍ବରୁ କି ଧରିବା ପରେ ରିକ୍ସା ରେ ପଡ଼ିଥିବ ସେ ଭାବି ପାରୁ ନଥିଲା । ବୁଦ୍ଧି ବାଟ ଦିସୁ ନଥିଲା ତାକୁ । ଏବେ କରିବ କଣ ? ମାମୁ ଘର ଯେହେତୁ ଭଲ କାଟି ଗୋଟେ ନ ଦେଲେ ଦିଶିବନି ବୋଲି ଭାବି ପୁରା ୨୦ ଗ୍ରାମ ଓଜନ ର ହାର ଟି । ମୁଣ୍ଡରେ ହାତ ଦେଇ ବସି ପଡିଲା । ନାନୀ, ଭିଣୋଇ , ଭାଣିଜୀ , ଭଣଜା ଯିଏ ଯେତେ ବୁଝେଇଲେ ବି ବୁଝି ପାରୁ ନଥିଲା ସେ । କି ଯୋଗ ଥିଲା ଆଜି କେ ଜାଣି । ଭଗବାନଙ୍କୁ ବହୁତ ଗାଳି କରି କରି ଶୋଇବାକୁ ଗଲା ସେ ।
ସକାଳୁ ଉଠୁ ଉଠୁ ଭଗବାନଙ୍କୁ ଦେଖି ପାରିଲା ସେ ।
କହିବା ବାହୁଲ୍ୟ ସେ ରିକ୍ସା ବାଲା ପିଲାଟି ଆସିଥିଲା ରିକ୍ସା ରେ ପଡ଼ିଥିବା ସୁନାହାର ଟିକୁ ଫେରେଇବାକୁ ….ଆଉ ଦାବି କରୁଥିଲା ୨୦ ଟଙ୍କା…
ବସଷ୍ଟାଣ୍ଡ ରୁ ଦୁର୍ଗାଦେବୀ ଛକ ଯାଏ ତା ପାରିଶ୍ରମିକ …..
