କୃଷକ କାହିଁ ଆତ୍ମହତ୍ୟା କରେ କୁହ
ପୁଚ୍ଛିଲେ ରାଜା ପାତର ମନ୍ତିରୀ ଗଣେ ।
କାହିଁକି ଶୁଖୁନି କୃଷକ ଆଖିର ଲୁହ
ସମସ୍ୟା ତା’ର ବଖାଣିଲେ ଜଣେ ଜଣେ ।।
କୃଷକ ମରୁନି ପେସେଣ୍ଟ ପରା ସିଏ
କେ କହେ ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରି ।
ସାରା ସଂସାରକୁ ଦାନା ଯେ ଯୋଗାଇ ଦିଏ
ସେ କିମ୍ୱା ମରିବ ଅକାଳେ ଭୀରୁଙ୍କ ପରି ।।
ଡାହା ମିଛ ଏହା ଚାଷୀ ମରୁନି କେବେ
ବିରୋଧୀଙ୍କ ବିଧିବଦ୍ଧ ଚାଲବାଜି ।
ଚାଷୀ ମରୁଥିଲେ ଓଡ଼ିଶା କିପରି ତେବେ
କୃଷି କର୍ମଣ ପୁରସ୍କାର ପାଏ ଆଜି ।।
ଚତୁର୍ଥ ସ୍ତମ୍ଭ ହୁଅନ୍ତି ଡକା ହକା
ଯିବାକୁ ଚାଷୀର ଉଜୁଡ଼ା ଜନିତ ଯେତେ ।
ସରକାରଙ୍କୁ କରନ୍ତି ଉଠାପକା
ନିନ୍ଦିତ କରି ସମ୍ୱାଦମାନ ଯେତେ ।।
ବିରୋଧୀ କରନ୍ତି ସରକାରଙ୍କୁ ଧିକ୍
ମୁଖ୍ୟ ତମେ ତୁରନ୍ତ ଇସ୍ତଫା ଦିଅ ।
ଖଳାରୁ ଦେଉଛ କୃଷକ ଫସଲ ବିକି
ଅଭାବି ବିକ୍ରି ପାଇଁ ପଦକ୍ଷେପ ନିଅ ।।
ଅସଂଗଠିତ କୃଷକ ସଂଗଠନ
ସରକାରଙ୍କୁ ଦିଅନ୍ତି ଦାବିପତ୍ର ।
ଆତ୍ମପ୍ରଚାରେ ମୋହନ୍ତି ମିଡ଼ିଆ ମନ
ବିଭିନ୍ନ ଦଫାରେ ରଖି ଭିନ୍ନ ଭିନ୍ନ ସର୍ତ୍ତ ।।
ତର୍ଜମା କରି ମୁଖ୍ୟ କହନ୍ତି ଶୁଣ
ଗାଁ ମହାଜନ ଟାଉଟର ବାନ୍ଧି ଆଣ ।
ଗରିବ ଚାଷୀକୁ ଦିଅନ୍ତି କାହିଁ ଋଣ
ତାଙ୍କରି ପାଇଁ କୃଷକ ହାରେ ପ୍ରାଣ ।।
ଏମ୍.ପି., ଏମ୍ଏଲ୍ଏ, ମନ୍ତ୍ରୀ ଅଛ ଯେତେ ।
କହୁଛି ମୁହିଁ ଗାଁକୁ ଯାଅ ବୁଲି ।
ଚାଷୀ ପାଇଁ ହୁଏ ପ୍ୟାକେଜ ଘୋଷଣା କେତେ ?
ପ୍ରସଙ୍ଗ କରି ଶୁଣାଇବ ଯେତେ ଗୁଲି ।।
ଚାଷୀ ମୃତ୍ୟୁ ପାଇଁ କହିବ କେନ୍ଦ୍ର ଦାୟୀ
ବୁଝାଇ କହିବ ଦେଉଅଛୁ ଆମେ ଭତ୍ତା ।
ମାଗଣା ଦେଉଛୁ ଚାଉଳ ତମରି ପାଇଁ
ମଧ୍ୟାହ୍ନ ଭୋଜନ ମଶାରି କମ୍ୱଳ ଛତା ।।
ଏଥର ଦେଲେ ଭୋଟ୍ ଆମକୁ ସବୁ
ଅମାବାସ୍ୟରେ ଦେଖିବ ପୁନେଇଁ ଜହ୍ନ
ଭୁଲେଇ କହିବ ହାତୀ ଦବୁ ଘୋଡ଼ା ଦବୁ
କିଣି ନେଇଯିବ ନିର୍ବୋଧ କୃଷକ ମନ ।।
