ଆମରି ରାଇଜ କଟକ ସହରେ
ଜନମିଥିଲେ ସେ ବୀର,
ମାଟି ମା’ ପାଇଁ ଇଂରେଜ ପାଖରେ
ନୁଆଇଁ ନଥିଲେ ଶିର ।
ପିଲାଟି ଦିନରୁ ରକ୍ତେ ଥିଲା ତାଙ୍କ
ସଂଗ୍ରାମ ଓ ଦେଶଭକ୍ତି,
ଦୁଃଖୀ, ଦରିଦ୍ରଙ୍କ ସେବା କରୁଥିଲେ
ଢାଳି ସ୍ନେହ, ପ୍ରେମ, ପ୍ରୀତି ।
ପଦାଘାତ କଲେ ହାକିମ ଚାକିରୀ
ଦେଶ ସ୍ୱାଧୀନତା ପାଇଁ,
ଘର ଛାଡ଼ି ଦେଇ ଆଗେଇ ଗଲେ ସେ
ମାଟି ମା’ ସେବା ପାଇଁ ।
ସିଂହ ପରି ଲଙ୍ଘି ପଥ ପରେ ପଥ
ଦେଲେ “ଦିଲ୍ଲୀ ଚଲୋ” ଡାକ,
ଡାକରେ ତାଙ୍କର ଉଦ୍ବୁଦ୍ଧ ହେଲେ
ସୁପ୍ତ ଭାରତର ଲୋକ ।
ମସ୍କୋରୁ ବର୍ଲିନ ତା’ପରେ ଜାପାନ
ଭ୍ରମିଲେ ଅନେକ ଦେଶ,
ମା’ର ପାଦରୁ ଫିଟାଇବା ପାଇଁ
ପରାଧୀନତାର ଫାଶ ।
“ଆଜାଦ୍ ହିନ୍ଦ୍”ଫୌଜ ଗଢ଼ିଲେ
ଇଂରେଜ ଦମନ ପାଇଁ,
ସ୍ୱାଧୀନତା ପାଇଁ ଚାଲିଲା ଲଢେ଼ଇ
ଛୁଟିଲା ରକତ ନଈ ।
ଉଡ଼ିଲା ତ୍ରିରଙ୍ଗା ଫର ଫର ହୋଇ
ଆଣ୍ଡାମାନ ନିକୋବରେ,
ଥରିଲା ଧରଣୀ କମ୍ପିଲା ମେଦିନୀ
ନାଗାଲାଣ୍ଡ ମଣିପୁରେ ।
ତା’ପରେ ହୋଇଲା ଏ ଦେଶ ସ୍ୱାଧୀନ
ତାଙ୍କରି ଉଦ୍ୟମ ବଳେ,
ଅମର ହୋଇ ସେ ଜନମାନସରେ
ରହିଥିବେ କାଳେ କାଳେ ।
ନେତା ତ ଅନେକ ନେତାଜୀ ସେ ଏକ
କେହି ନାହିଁ ତାଙ୍କ ପରି,
ତ୍ୟାଗ, ସେବା ଆଉ ବୀରତ୍ୱ ବୁଦ୍ଧିରେ
କେହି ନାହିଁ ତାଙ୍କ ସରି ।
