ଝଡ଼ ବର୍ଷା କିମ୍ୱା ମରୁଡ଼ି ବଢ଼ିରେ
କୃଷକର ହୁଏ ସର୍ବନାଶ
ନେତା କର୍ମଚାରୀ କୁଜି ନେତାଙ୍କର
ପଡ଼ିଥାଏ ଭଲା ପୁଷ ମାସ ।
ବ୍ଲକ୍ ଅଫିସ୍ ତହସିଲ ଆଦି
ପୀଡ଼ିତ କୃଷକ ଧାଇଁ ଧାଇଁ
ଆଉ ଯାହା କିଛି ଥାଏ ତାଙ୍କଠାରେ
ଯାଇଥାଏ ସବୁ ଶେଷ ହୋଇ ।
କୃଷକର ଧାନ ଊଣାକର ଦର
ରୋକିବାକୁ ସିନା ମୁଦ୍ରାସ୍ଫୀତି
କହିକି ପାରିବ ଗୋଟିଏ ଶସ୍ୟରେ
ରହିଅଛି କେତେ ମେହନତୀ ।
ଲାଗୁଛି ପରତେ କୃଷକକୁ ଛାଡ଼ି
କରିଛ ଗୋଟିଏ ମହାମେଣ୍ଟ
ପାଇବାକୁ ଦାନା ସୁଲଭ ମୂଲ୍ୟରେ
ପୋଡୁଥାଉ ପଛେ ଆମ ପେଟ ।
ଚାଷୀ ମାରଣର ସମସ୍ତ କୌଶଳ
ଶାସକେ ତମେ କରୁଥାଅ
ସଂଗଠିତ ଯେଣୁ ନୁହଁଇ ଏ ଜାତି
ସଦା ସର୍ବଦା ଶୋଷୁଥାଅ ।
ଜୟ ଜବାନ୍ ଜୟ କିଷାନ
ସ୍ଲୋଗାନ୍ ହେଲାଣି ନିରର୍ଥକ
ଲାଲ ବାହାଦୂର ଆଉ ଥରେ ଆସ
ହୋଇ ଜାତି ପଥ ପ୍ରଦର୍ଶକ ।