କେତେ ସନ୍ଧାନିଛି ସତେ
ପୂର୍ଣ୍ଣମୀ ଇନ୍ଦୁ ଜ୍ୟୋତ୍ସ୍ନାରେ
ଶ୍ରାବଣ ପହିଲି ବର୍ଷାରେ
ମରୁଭୂମିର ସେ ବିଷର୍ଣ୍ଣ ଦୁର୍ଗତ ବାଟୋଇର ଶେଷ ତୃଷ୍ଣାରେ ।।
ଆଜି ନପାଏ ତୁମକୁ
ଉଷା କୁସୁମର ବାସରେ
ବସନ୍ତର ମୃଦୁ ବାତରେ
କାଳ ବୈଶାଖୀର କୁଳିଶ ଆଘାତେ ଭୂପତିତ ଦ୍ରୁମ କ୍ଷତରେ ।।
ଦିଶେ ମୁଖଚନ୍ଦ୍ର ତୁମ
ଚାତକର ଅଭିଲିପ୍ସାରେ
ପଳାଶର ମଧୁ ଈର୍ଷାରେ
ନୀର ନିରସେ ରୌଦ୍ର କୋପରେ ହତାହତ ମାଟି ଚିତ୍କାରେ ।।
ଆଜି ନ ପାଏ ତୁମକୁ
ଫଗୁଣେ ଫଗୁର ରଙ୍ଗରେ
ନୀରେ ଇନ୍ଦୁ ପ୍ରତିବିମ୍ବରେ
ବ୍ୟଙ୍ଗ କବିର ସୁପ୍ତ ସଙ୍ଗୀତେ ପ୍ରତି ପାଦେ ପ୍ରତି ଛନ୍ଦରେ ।।
ତୁମେ ଆଲିଙ୍ଗିତା ଆଜି
ସୁର କ୍ଷତ୍ରିୟର ଶସ୍ତ୍ରରେ
ସିଦ୍ଧା ଯୋଗିନୀର ମନ୍ତ୍ରରେ
ରୁଦ୍ଧ ଶ୍ମଶାନର ଶୀତଳ ଅଙ୍ଗାରେ ଦିବା ତନ୍ଦ୍ରାର ସ୍ଵପ୍ନରେ ।।
ଆଜି ନ ପାଏ ତୁମକୁ
ମୃଗ କସ୍ତୁରୀର ଗନ୍ଧରେ
ହତ ବହ୍ନିର ନିବନ୍ଧରେ
ଦଗ୍ଧ ଧୂସର ପ୍ରୀତି ପ୍ରବନ୍ଧର ମଳିନ ସେ ଶେଷ ଫର୍ଦ୍ଧରେ ।।
କେତେ ସନ୍ଧାନିଛି ସତେ,
ଆଜି ନ ପାଏ ତୁମକୁ,
ଆଜି ନପାଏ ତୁମକୁ ।।
