ପାଟରାଣୀଙ୍କ ପାଉଁଜକୁ
ଲୁଚେଇ ରଖିଛି ଇତିହାସ ।
ଶେଷତମା ରାଣୀଙ୍କ ଯୌବନର ଲାସ୍ୟ
ଏବେ ଶିଳାଲେଖ ଏ ପଥର କାନ୍ଥରେ
ମୋର ଏ ସବୁରେ କି କାମ ?
ମୁଁ କ’ଣ ଖୋଜୁଚି ଏଠି
ରାଜାଙ୍କ ବାଘୁଆ ନିଶ
ହୀରାଫୁଲ, ସୁନାମୁକୁଟ ।
ମୋର ଖୋଜିବାର ଅଛି
ରଇତମାନଙ୍କ ମୁକୁଳା ପିଠିରେ
ଚମଡ଼ା ଚାବୁକର ରକ୍ତଦାଗ
ଢୋଲଘର, ବନ୍ଦୀଶାଳାକୁ ପଚାରିବା କଥା
ନିରୀହମାନଙ୍କ ମୃତ୍ୟୁଦଣ୍ଡ ।
ରାଜବାଟୀର ଏ ଭାସ୍କର୍ଯ୍ୟ ତଳେ
ପୋତି ହୋଇଚି ରେଶମୀ ଅତ୍ୟାଚାରର କାହାଣୀ
ପାନ୍ଥ, ପଥିକ, ପଥର କାନ୍ଥ ଜାଣନ୍ତି
କାଠୁରିଆ ଓ ରାଜାଝିଅ ପ୍ରେମକଥା ।
ରାଜାଝିଅର ଲମ୍ପଟ ପ୍ରେମ
ଚୁମା ନୁହଁ ଚୋଟ
ବୁଝିପାରିଲାନି କାଠୁରିଆ
ନିରୀହ ପ୍ରେମ ପାଇଁ
ମଲେ କାଠୁରିଆ ବଂଶ ।
ରକ୍ଷିତାଙ୍କ କୋଳରେ ରାତି ପୁହାଉଥିବା ରାଜା
କ’ଣ ଜାଣେ ରକ୍ତର ମହତ ।
ମୋତେ କାଠୁରିଆକୁ ଖୋଜିବାକୁ ହେବ
ରାଜାମାନେ ଜଙ୍ଗଲ ସବୁ କାଟିବା ପୂର୍ବରୁ
ଖୋଜିବାକୁ ହେବ ।
