ବିଜୁଳି ମାରୁଛି ଘନଘନ
ବୁକୁଫଟା ଘନ ଗରଜନ ।
ନିଘା ନାହିଁ ତା’ର ଝଡ଼ ବରଷାକୁ
କାଦୁଅ କରୁଛି ଦେଇ ମନ ।।
ଭାରିଜା ଯାଇଛି ଭାତ ନେଇ
ବରଡ଼ା ପଖିଆ ମୁଣ୍ଡେ ଦେଇ ।
ମାଛ ଦି’ଚାରିଟା ଧରିବ ପକେଇ
ସାଙ୍ଗରେ ନେଇଛି ପୁଞ୍ଜେ ଖେଇ ।।
ଖାଇବ ବସିଲା ହଳ ଛାଡ଼ି
କଦଳୀ ପତରେ ଭାତ ବାଢ଼ି ।
ଶାଗ ପରଷିଲା ଭାରିଜା ତାହାର
ପାଣି ପଟକରା ପୋଇଖାଡ଼ି ।।
ବିଲରୁ ପିଇଲା ଦି’ଚଳ
ଜିଅ ଛାଡୁ ଛାଡୁ ହେଲା ବଳ ।
ହିଡ଼ ଚଉପାଶ ଲଦିଲା ବାଟିଆ
ମଇ ଦେଇ କଲା ସମତଳ ।।
କାଳିଆ ବଳିଆ ଗଲେ ଚରି
ପିଲାଏ ଆସିଲେ ତଳି ଧରି ।
ଜଙ୍ଘେ ଧରି କଡ଼ା ଚା’ଖଣ୍ଡକେ ଛଡ଼ା
ରୋଇ ଦେଲେ କ୍ଷେତ ଗଲା ଭରି ।।
ଖଣ୍ଡିଆ ଚାଳରେ ତା’ର ବାସ
କରେ କେତେ କଷ୍ଟ ଉପବାସ ।
ଋଣ କରି ଯେତେ ଦେଇଥିଲା ସାର
ପ୍ରକୃତି କରଇ ଉପହାସ ।।
ଆସିଲା ଦାରୁଣ କାଳବଢ଼ି
ଶ୍ୟାମଳ କ୍ଷେତରେ ଗଲା ଚଢ଼ି ।
ବରଷଟା ତା’ର ହୋଇଲା ବେକାର
ଦୁଃଖ ଦୁର୍ଦ୍ଦିନରେ ସଢ଼ି ସଢ଼ି ।।
