ରାତି ଆସେ ସପନର
ମୁଖା ପିନ୍ଧି, ଆଉ ରାକ୍ଷସ-
ଦେବଦୂତର ଛଦ୍ମବେଶେ ।
ରାମ୍ପୁଡି ବିଦାରି ରକ୍ତାକ୍ତ
କରେ କ୍ଷତାକ୍ତ ଜୀବନକୁ ।
ଅବାରିତ ଅଶ୍ରୁ ଧାରେ ଭିଜି
ହଜିଯାଏ କ୍ଷଣିକ ସ୍ମିତ ହସ ।
ଯୁଦ୍ଧ ଭୂମି ସାଜେ କୋମଳ ଶଯ୍ୟା
ପୁରୁଷତ୍ଵର ଧ୍ଵଜ ଉଡେ ଫର ଫର ହୋଇ
ପରାଜିତ ଆତ୍ମା ବିଳାପୀ ଉଠେ
ପ୍ରେମର ମିଛ ଅପବାଦ ନେଇ,
ତିଳ ତିଳ ହୋଇ ଜଳେ, ସବୁବେଳେ
ସମାଜ-ସ୍ୱୀକୃତିର ଭାରି ପରମ୍ପରା ତଳେ ।
ଲୁହ ଆସେ ହସର ଛଦ୍ମବେଶେ
ଖୁସି ରହିବାର, ଅସ୍ତିତ୍ଵକୁ ଖୋଜି ।
ନୀରବ ରହିବାକୁ ପଡେ,
ସଭିଙ୍କ ମେଳରେ ହଜି ।
କେତେଦିନ ଲାଗିବ ଚିରିବାକୁ ପ୍ରଥାର ଏ
ପଶମ ଘୋଡଣୀ ?
ଇଚ୍ଛା ହେବ ରାଣୀ !
ଖୁସି ଲୁଚିବନି ଆଖିର ଏରୁଣ୍ଡି ସେପଟେ ?
ଅପରାଜୀତ ଆତ୍ମା ନେଉଛି ନିଶ୍ଵାସ
ସେଇ ଆଶା ନେଇ ,
ଆଲୋକରେ ସ୍ପଷ୍ଟ ଦେଖିବାକୁ ,
ବୋଝ ତଳେ ଚାପି ନ ହୋଇ
ଚାଲିଛି ସେ ସାଥେ ସାଥେ ସମାନ୍ତରାଳ
ରାସ୍ତାରେ ଆଗକୁ ଆଗକୁ !
(Based on marital rape that many married women are regularly subjected to.)
