ପ୍ରଥମଥର ପାଇଁ କେନ୍ଦ୍ରରେ ଏକ ଦୃଢ ସରକାର ଶାସନ କରୁଛି ବୋଲି ସାରା ଭାରତବାସୀଙ୍କୁ ଅନୁଭୂତ ହେଉଛି । ବିଗତ ଚାରିବର୍ଷ ଭିତରେ ପ୍ରଧାନମନ୍ତ୍ରୀଙ୍କର ବିଦେଶଗ୍ରସ୍ତ ଖର୍ଚ୍ଚ, ସୁଟ୍ବୁଟ୍ ସରକାର ପରି ବିରୋଧୀଦଳର ତମାମ ଆଲୋଚନାର ଜବାବ ମିଳିଛି । ବିଶ୍ୱ ଦରବାରରେ ପାକିସ୍ଥାନ ଏକଘରିଆ କୋଣଠେସା ହୋଇ ଆଣ୍ଠେଇଛି । ସଂନ୍ତ୍ରାସବାଦ ବିରୋଧରେ ସାରା ବିଶ୍ୱ ଏକ ହୋଇ ହିନ୍ଦୁସ୍ଥାନର ସପକ୍ଷରେ ଛିଡାହୋଇଛି । ଅଢେଇ ଦିନରେ ବଡେଇ ଚୁନାହୋଇଛି । ଲାଗୁଛି ମୋଦୀସରକାରଙ୍କର ଚୀନ ରାଷ୍ଟ୍ରପତୀଙ୍କୁ ବଗିଚା ବୁଲାଇବାଠାରୁ ନେଇ ସାଉଦୀଆରବ ରାଜାଙ୍କୁ ପ୍ରୋଟୋକଲ୍ ଭାଙ୍ଗି ଏୟାରପୋର୍ଟରେ ସ୍ୱାଗତ କରିବା ପର୍ଯ୍ୟନ୍ତ ସବୁପଇସା ଅସୁଲ ହୋଇଛି । ଆମ ସରକାରଙ୍କର ବିଦେଶନୀତି ଓ କୂଟନୀତିର ପରାକ୍ରମକୁ ପାକିସ୍ଥାନ ଅନୁଭବ କରି କିଂକର୍ତବ୍ୟବିମୂଢ ହୋଇ ୱିଂଗ୍କମାଣ୍ଡର୍ ଅଭିନନ୍ଦନ ବର୍ତମାନଙ୍କୁ ତୁରନ୍ତ ଫେରାଇଦେଇଛି । ଘଟଣାର କେଇଘଂଟା ଭିତରେ ଚୀନ୍, ଆମେରିକା ପାକିସ୍ଥାନକୁ ସନ୍ତ୍ରାସବାଦ ବିପକ୍ଷରେ ଉପଦେଶଦେଇ ଭାରତକୁ ସାହାଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବାକୁ କହିଛନ୍ତି । ବିଶ୍ୱବଜାରରେ ଭାରତର କିଛି ବିଭିନ୍ନ ଦେଶରେ ଖୋଲିଥିବା କୂଟନୀତିଖାତାରେ ଜମା କରାଯାଇଥିବା ସମ୍ପର୍କର ସୁଧମୂଳ ଆଦାୟ ହୋଇଛି । ବାଘା ସୀମାନ୍ତ ଫାଟକ ଦେଇ ଭାରତର ଲଢୁଆ ବୀର ଅଭିନନ୍ଦନ ଭାରତ ପ୍ରତ୍ୟାବର୍ତନ କଲାପରେ ପାକିସ୍ଥାନରେ ଫୁଲୁଥିବା ସଂନ୍ତ୍ରାସବାଦୀ ଗୋଷ୍ଠୀଙ୍କର ନିଦ ହଜିଯାଇଛି ।
ପାକିସ୍ଥାନ ସହ ଭାରତର ଅନେକ ଥର ଆଗରୁ ଝଗଡା ହୋଇଛି, ତାର ସମାଧାନ ପରେ ଶେଷଫଳଗୁଡିକୁ ବିଶ୍ଲେଷଣ କଲେ ଲାଗେ ପ୍ରତିଥର ଭାରତପ୍ରତି ଘୋର ଅନ୍ୟାୟ ହୋଇଛି । କାନ୍ଦାହାର ଉଡାଜାହାଜ ଘଟଣାରେ ମାସୁଦ୍ ଆଝାରକୁ ମୁକ୍ତି କଲାପରେ ସେମାନଙ୍କର ମନୋବଳ ଅନେକଗୁଣ ବଢିଥିଲା । ସେହିପରି ନିକଟରେ ଅଭିନନ୍ଦନଙ୍କୁ ପାକିସ୍ଥାନ ମାଟିରେ ପାଇଗଲା ପରେ ସନ୍ତ୍ରାସବାଦୀମାନେ ଅଜସ୍ର ସୁନେଲି ସ୍ୱପ୍ନ ଦେଖିବାରେ ଲାଗିପଡିଥିଲେ । ଅନେକ ଭାବିଥିଲେ କାନ୍ଦାହାରକୁ ଭାରତୀୟ ଉଡାଜାହାଜ ହାଇଜ୍ୟାକ୍ ପରେ ଭାରତ ସହ ଯେମିତି ସୌଦାବାଜି ହୋଇଥିଲା ସେମିତି କିଛି ଦେଖିବାକୁ ମିଳିବ । ଅତିକମ୍ରେ ଭାରତର ବନ୍ଦୀଗୃହରେ ଯେତେସବୁ ସଂନ୍ତ୍ରାସବାଦୀ ଅଛନ୍ତି କେତେକଙ୍କର ମୁକ୍ତି ବଦଳରେ ବୋଧହୁଏ ଅଭିନନ୍ଦନକୁ ଫେରାଯିବ ବୋଲି ମନେମନେ ଗୁଡ ଖାଉଥିଲେ । ଧିରେଧିରେ ଏଭଳି ପ୍ରସ୍ତାବମାନ ନେଇ ସଂନ୍ତ୍ରାସବାଦୀଙ୍କର ଶୁଭେଚ୍ଛୁବୃନ୍ଦ ଓ କିଛି ଆନ୍ତର୍ଜାତୀୟ ଦଲାଲ୍ମାନେ ସକ୍ରୀୟ ହୋଇ ନିଜନିଜର ସମ୍ପର୍କ ସାଧିବାରେ ଲାଗି ପଡିଥିଲେ । ସେ କାଳ ପଖାଳ କିନ୍ତୁ ଏକାଳେ ନାହିଁ । ପଖାଳ ପୂର୍ବଭାରତର ଏକ ସ୍ୱାଦିଷ୍ଟ ବ୍ୟଞନ । ବିଶେଷକରି ଓଡିଆଙ୍କ ଆଗରେ ଖରାଦିନେ ପଖାଳକଂସା କଡରେ ଟିକେ ଆମ୍ବଚଟଣି, ବଡିଚୁରା, ସୋରିଷଦିଆ ସଜନାଛୁଇଁ ଆଳୁ କି ପୋହଳାମାଛଭଜା ଥାଳିଆଟିଏ ରଖିଦେଲେ ଜିଭରୁ ଳାଳ ଗଢିବା ନିଶ୍ଚିତ, ଅମୃତକୁ ଛାଡି ପଖାଳକଂସାକୁ ଆଦର କରିବା ଦେଖାଯାଏ । ସେ କାଳେ ଯୌଥପରିବାର ଯୋଗୁଁ ମାଟିହାଣ୍ଡିରେ ଏକକାଳିନ ପନ୍ଦରକୋଡିଏ ଜଣଙ୍କ ପାଇଁ କାଠଚୁଲିରେ ଉସୁନା ଚାଉଳ ରାନ୍ଧି ପଖାଳିଲେ ସେ ପଖାଳର ସ୍ୱାଦ ଭିନ୍ନ, ଖାଇଲେ ଯେଉଁ ଶାନ୍ତି ମିଳୁଥିଲା ଏକାଳେ ଆଉ ସେସବୁ ନାହିଁ । ଭାରତ ସରକାରଙ୍କର ସମୟୋପେଯାଗୀ ଦୃଢ ବିଚାର, ଅନ୍ୟ ଦେଶସହ ଅଭୁତପୂର୍ବ ସୁସମ୍ପର୍କ, ଅଟ୍ଟଳ ନୀତି, ସ୍ପଷ୍ଟମତ ସହ ବୈଦେଶୀକ ମନ୍ତ୍ରୀ ମାନନୀୟା ସୁଷମା ସ୍ୱରାଜଙ୍କ ଦକ୍ଷତା ଏବଂ ପ୍ରତିରକ୍ଷା ଅଧିକାରୀମାନଙ୍କର ଉଚ୍ଚ ମନୋବଳ ଯୋଗୁଁ ମାତ୍ର ଅଢେଇଦିନରେ ପାକିସ୍ଥାନର ବଢେଇର ଅନ୍ତ ହେଲା । ଅନ୍ତରାଷ୍ଟ୍ରୀୟଚାପ ଆଗରେ ପାକିସ୍ଥାନ ବିବସ ହୋଇ ଅଭିନନ୍ଦନଙ୍କୁ ସ୍ୱଦେଶ ଫେରାଇବାର ବନ୍ଦୋବସ୍ତ କଲା ।
ଅଢେଇଦିନର ଅନେକ ପ୍ରମୁଖ ଘଟଣାବଳି ଭିତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କର ତୁରନ୍ତ ପ୍ରତିକ୍ରିୟା, ପାକିସ୍ଥାନ ଓ ଚିନର ସମସ୍ତ ଉଡାଜାହାଜ ରଦ୍ଧ, ସାଉଦୀଆରବ ରାଜାଙ୍କ ପାକିସ୍ଥାନକୁ ସନ୍ଦେଶ, ଓଆଇସି ସମ୍ମିଳନୀରେ ସୁଷମା ସ୍ୱରାଜଙ୍କୁ ସମ୍ମାନୀୟ ଅତିଥିରୂପେ ନିମନ୍ତ୍ରଣ ସହ ପାକିସ୍ଥାନର ବାରମ୍ବାର ପ୍ରତିରୋଧ ଓ ଅସହଯୋଗ ଧମକକୁ ସମଗ୍ର ବିଶ୍ୱ ମୁସ୍ଲୀମ୍ରାଷ୍ଟ୍ରସମୂହର ପ୍ରତ୍ୟାଖାନ ସଂନ୍ତ୍ରାସବାଦ ବିରୋଧରେ ସାରାବିଶ୍ୱକୁ ଯେଉଁ ଏକତାର ବାର୍ତ୍ତା ଦେଇଛନ୍ତି ତାହା ସରାହନୀୟ । ଏହାଦ୍ୱାରା ଭାରତ ବିଶ୍ୱଗୁରୁ ହେବାର ରାସ୍ତାରେ ଆଉକିଛି ପାଦଆଗକୁ ଯାଇ ସମସ୍ତ ଦେଶକୁ ଏକତାର ସୂତ୍ରରେ ବାନ୍ଧିବାକୁ ସକ୍ଷମ ହେବା ସହ ପାକିସ୍ଥାନକୁ ନିଜ ନୀତି ଉପରେ ପୂର୍ନବିଚାର କରିବାକୁ ବିବସ କରିଦେଇଛି । ଏସବୁ ପରେ ବି ଭାରତ ଭାଗ୍ୟାକାଶରେ ସଂନ୍ତ୍ରାସର କଳାବାଦଲ ଏବେ ବି ଘୁରି ବୁଲୁଛି ଯେଉଁଥିରେ ସୀମାନ୍ତରୁ ଗୁଳିଗୋଳା ବର୍ଷିବା ଥମିବାର ନାଁ ନେଉ ନାହିଁ ଏବଂ ସାଧାରଣ ନାଗରିକଙ୍କ ସହ ଶିଶୁମାନେ ବି ପ୍ରାଣ ହରାଇବାର ଦେଖିବାକୁ ମିଳୁଛି । ସଂନ୍ତ୍ରାସର ଅର୍ଥ ତ୍ରାସ, ଭୟ ଓ ଆତଙ୍କ । ମାନବସମାଜକୁ ଆତଙ୍କିତ କରି ଅସ୍ଥିର କରିବା ସଂନ୍ତ୍ରାସବାଦୀଙ୍କର ଧର୍ମ । ଜୀବନକୁ ବାଜି ଲଗାଇ ସାମାଜିକ, ସାଂସ୍କୃତିକ, ରାଜନୀତିକ ଜୀବନରେ ସଙ୍କଟ ସୃଷ୍ଟି କରିବା ଏମାନଙ୍କର ମୂଳ ଲକ୍ଷ୍ୟ । ଅନୁଦାର, ନିର୍ଦ୍ଧୟ ଓ ସଂକୀର୍ଣ୍ଣ ମନୋଭାବାପର୍ଣ୍ଣ ବ୍ୟକ୍ତିବିଶେଷ କିମ୍ବା ଦେଶ ଏହି ସନ୍ତ୍ରାସବାଦୀଙ୍କ ଆଶ୍ରୟସ୍ଥଳ । ଆମ ପଡୋଶୀ ପାକିସ୍ଥାନ ଏବେ ସଂନ୍ତ୍ରାସବାଦର ଭୂସ୍ୱର୍ଗ ହେତୁ ଆମଦେଶର ଉନ୍ନତିରେ ବାଧା ଆସିବା ସଂଗେସଂଗେ ଧନଜୀବନ ନଷ୍ଟ ହେବାକୁ ଲାଗିଛି, ଯାହାର ସ୍ଥାୟୀ ପ୍ରତିକାର କରିବାର ସମୟ ଏବେ ଆସିଛି ।
ଭୂଗୋଳକୁ ପରିବର୍ତନ କରିବା ଆମ ହାତରେ ନାହିଁ, ତେଣୁ ଆମକୁ ଏପରି ବିଷଧର ପଡୋଶୀର ବିଷଜ୍ୱଳାରେ ଯୁଗଯୁଗ ଧରି ଜଳିବାକୁ ପଡୁଛି ଏବଂ ଏହାକୁ ଅଣଦେଖା କଲେ ଆଗକୁ ବି ଜଳିବାକୁ ହେବ । ବହୁସମୟରେ ଜୀବନ ପ୍ରତି ବୀତସ୍ପୃହ ଯୁବସମାଜ ଦେଶଉପରେ ନାରାଜ ହୋଇ ସନ୍ତ୍ରାସବାଦକୁ ନିଜର ଆଦର୍ଶରୂପେ ଗ୍ରହଣ କରୁଛନ୍ତି । କାଶ୍ମୀରର ପଥରବାଜି ଏହାର ପରିଣାମ । ଆଜି ସନ୍ତ୍ରାସବାଦର ଚେର ଭାରତରେ ଏତେ ଗଭୀରକୁ ଗଳି ଗଲାଣି ଯେ ତାକୁ କାଟିବା ତ ଦୂରର କଥା ଖୋଜି ପାଇବା ମଧ୍ୟ କଷ୍ଟକର ହୋଇପଡିଲାଣି । ବହୁସ୍ଥାନରେ ନୂଆନୂଆ ଧରଣର ସନ୍ତ୍ରାସବାଦ କାର୍ଯ୍ୟକଳାପ ମୁଣ୍ଡ ଟେକୁଛି । ଫୁଲ୍ୱାମା ଘଟଣା ପରି ଆଗରୁ କେବେ ବି କେହି ଜୀବନବୋମା ଏମିତି ବାରୁଦଭରା ଗାଡିନେଇ ଆତ୍ମଘାତି ଆକ୍ରମଣ କରି ନଥିଲା, କିନ୍ତୁ ଏବେ କଲା । ସେହିପରି ଆମକୁ ଏବେ ଅଭିନବ ଉପାୟର ଅନୋଖା ଆକ୍ରମଣ ବିଷୟରେ ଆଗରୁ ଚିନ୍ତାକରି ସେ ସବୁର ପ୍ରତିକାର ପ୍ରତି ଧ୍ୟାନ ଦେବାକୁ ହେବ । ମୁଖ୍ୟ ବିଡମ୍ବନା ହେଲା ବିଶ୍ୱ ସନ୍ତ୍ରାସବାଦର ମୁଖ୍ୟ ପୃଷ୍ଠପୋଷକ ଆମର ପଡୋଶୀ ଦେଶ ଯାହାର ଭାରତରେ ଆର୍ଥନୀତିକ ଅସ୍ଥିରତା ସୃଷ୍ଟି କରିବା ଓ ଅଖଣ୍ଡ ସାର୍ବଭୌମତାକୁ ଖଣ୍ଡିତ କରିବା ଉଦ୍ଧେଶ୍ୟ । ଏତଦ୍ ବ୍ୟତୀତ ସଂକୀର୍ଣ୍ଣ ଜାତିଆଣଭାବ, ସାଂପ୍ରଦାୟୀକତା, ଆଂଚଳିକତାବୋଧ, ଜାତୀୟତାବୋଧ ହିଂସାର ସୂତ୍ରପାତକରି ଅରାଜକତା ସୃଷ୍ଟିକରିବା ସେମାନଙ୍କର ଏକାନ୍ତ କାମ୍ୟ ।
ଆଜିର ଦିନରେ ପାକିସ୍ଥାନରେ ପ୍ରାୟ ପାଞ୍ଚହଜାରରୁ ଅଧିକ ସଂନ୍ତ୍ରାସବାଦୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଭାରତ ବିରୋଧରେ ଉପଯୋଗ ପାଇଁ ପ୍ରସ୍ତୁତ କରି ରଖିଛି । ସେମାନଙ୍କ ଭିତରୁ ଚାଳିଶରୁ ପଚାଶ ସର୍ଜିକାଲ୍ ଷ୍ଟ୍ରାଇକ୍ -୧ ଏବଂ ଅଢେଇଶରୁ ତିନିଶହ ସର୍ଜିକାଲ୍ ଷ୍ଟ୍ରାଇକ୍ -୨ରେ ନିପାତ ହେବାର ଅନୁମାନ କରାଯାଏ, ବାକି ସବୁ ଏବେ ବି ପାକିସ୍ଥାନ ମାଟିରେ ଭାରତକୁ ଧ୍ୱଂସ କରିବାର କାମନାରେ ଅପେକ୍ଷାରତ ଅଛନ୍ତି । ସେମାନଙ୍କୁ ପଡୋଶୀ ଦେଶର ଭରପୁର ସାହାଯ୍ୟ ସହ ପ୍ରୋତ୍ସାହନ ମିଳୁଛି କାରଣ ପାକିସ୍ଥାନ ସମ୍ମୁଖ ଯୁଦ୍ଧରେ ଭାରତ ଆଗରେ ସପ୍ତାହେ ବି ତିଷ୍ଠିବା ଅସମ୍ଭବ, ତେଣୁ ବିଭାଜନ ପରଠାରୁ ପରୋକ୍ଷ ଯୁଦ୍ଧ ମାଧ୍ୟମରେ ଭାରତକୁ ଅସ୍ଥିର କରିବାର ପ୍ରୟାସ ଜାରିରଖି ମଝିରେମଝିରେ ଏଭଳି ଭୟଙ୍କର ଆତ୍ମଘାତୀ ଆକ୍ରମଣ କରି ଆସୁଛି । ସେମାନଙ୍କର ଆଘାତ ପାଇଲା ପରେ ଆମେ ପ୍ରତିଥର ପ୍ରତିଘାତ ଯୋଜନା କରୁଛେ, ଯାହା ଠିକ୍ ନୁହେଁ । ଏବେଠାରୁ ସେ ସମସ୍ତ ପାଞ୍ଚହଜାର ସନ୍ତ୍ରାସବାଦୀଙ୍କୁ ନିପାତ ନ’କରିବା ଯାଏ ଭାରତ ଚୁପ୍ ବସିବା କଥା ନୁହେଁ ।
ଭାରତରେ ଏବେ ନିର୍ବାଚନ ସମୟ । ନିରପେକ୍ଷ ନିର୍ବାଚନ ପ୍ରସ୍ତୁତିପ୍ରଣାଳିରେ ପ୍ରଶାସନକଳ ସମ୍ପୂର୍ଣ୍ଣ ବ୍ୟସ୍ତ । ଅନେକ ଜାଗାରେ ସାମ୍ପ୍ରଦାୟୀକ ହିଂସା ବି କାଁଭାଁ ଦେଖିବାକୁ ମିଳିଲା ଭିତରେ ପୁଲୱାମାରେ ଆତ୍ମଘାତି ଆକ୍ରମଣ ଦ୍ୱାରା ଚାଳିଶ ଜବାନଙ୍କ ମୃତ୍ୟୁ ଏକ ଦୁଃଖଦ ଘଟଣା । ରାମମନ୍ଦିର ନିର୍ମାଣପାଇଁ ସରକାରଙ୍କ ଉପରେ ଶେଷ ନିଷ୍ପତି ନେବାକୁ ଚାପ । ଛାତ୍ରଛାତ୍ରୀଙ୍କ ପାଇଁ ଏବେ ପରୀକ୍ଷାର ବେଳ । ସଂନ୍ତ୍ରାସବଦୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ, ତେଣୁ ସେମାନଙ୍କ ତରଫରୁ ଘାତକ ଯୋଜନାମାନ ପ୍ରସ୍ତୁତ ହେଉଛି । ଏଥିରେ ଭାରତ ସଂନ୍ତ୍ରାସବାଦୀଙ୍କୁ ଦମନ କରିବାକୁ ଚେଷ୍ଟାକଲା ବେଳେ ପାକିସ୍ଥାନ ସଂନ୍ତ୍ରାସବାଦୀଙ୍କ ସପକ୍ଷରେ ସାହାଯ୍ୟ କରିବାକୁ ଯାଇ ଏଫ-ସିକ୍ସିଟିନ୍ ବିମାନ ଉପଯୋଗ କରି ଭାରତର ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ । ଏହାର ପ୍ରମାଣ ଏବେ ବିଶ୍ୱକୁ ଦେଲାପରେ ଆମେରିକା ପାକିସ୍ଥାନକୁ କିଣିବା ବେଳ ଚୁକ୍ତିର ବ୍ୟତିକ୍ରମ ହୋଇଥିବାର କାରଣ ମାଗିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମେରିକାରୁ ପାକିସ୍ଥାନ ଏଫ୍-ସିକ୍ସିଟିନ୍ ବିମାନ କିଣିବା ବେଳେ ସର୍ତଥିଲା ଯେ ଏହା କେବଳ ସନ୍ତ୍ରାସବାଦୀଙ୍କ ବିରୋଧରେ ଉପଯୋଗ ହେବ, କୌଣସି ଦେଶ ବିରୋଧରେ ବ୍ୟବହାର କରିବାକୁ ହେଲେ ପ୍ରଥମେ ଆମେରିକାର ଅନୁମତି ନେବାକୁ ପଡିବ । ଏହି ଦୁଇଟିଯାକ ନିୟମକୁ ପାକିସ୍ଥାନ ଉଲ୍ଲଂଘନ କରିଛି । ପ୍ରଥମଥର ପାଇଁ ସାରା ବିଶ୍ୱ ସଂନ୍ତ୍ରାସବାଦ ବିରୋଧରେ ଏପରି ଏକ ହେବା ଭଳି ମନେ ହୋଇଛି, ଏଥିରେ ମୁସ୍ଲିମ୍ବହୁଳ ରାଷ୍ଟ୍ର ବି ଅସହଯୋଗ କରିବାରୁ ପାକିସ୍ଥାନ ଓ ସଂନ୍ତ୍ରାସବାଦୀ ଗୋଷ୍ଠୀଙ୍କର ମନୋବଳ ଭାଙ୍ଗିଯାଇଛି । ବିଶ୍ୱ ଆଜି ସନ୍ତ୍ରାସବାଦ ଦ୍ୱାରା ଭୀତତ୍ରସ୍ତ । ବିଶ୍ୱର ଏହି କର୍କଟରୋଗକୁ କେବଳ ଏକତା ଦ୍ୱାରା ହିଁ ପରାସ୍ତ କରିବା ସମ୍ଭବ ବୋଲି କେହି ଅସ୍ୱୀକାର କରିପାରିବେ ନାହିଁ । ହିନ୍ଦୁସ୍ଥାନର ଚିରପରିଚିତ ବସୁଧୈବ କୁଟୁମ୍ବକମ୍ ମନ୍ତ୍ରକୁ ସମସ୍ତଙ୍କର ଏବେ ବୁଝିବାର ସମୟ ଆସିଛି । ଏକତା ଦ୍ୱାରା ସମସ୍ତ ପ୍ରକାର ବାଧାବନ୍ଧନକୁ ସହଜରେ ଦମନ କରାଯାଇପାରେ । ଯଦି ବିଶ୍ୱର ପ୍ରତ୍ୟେକ ମଣିଷଙ୍କ ମନରେ ଗଠନମୂଳକ ମାନବଧର୍ମି ଭାବଧାରା ଜାଗ୍ରତ ହୁଅନ୍ତା ତେବେ ଗୋଟିଏ ମୁହୂର୍ତ୍ତରେ ସମସ୍ତ ସମସ୍ୟା ଦୂରୀଭୂତ ହୋଇଯାଆନ୍ତା । ସାମରିକ କ୍ଷେତ୍ରରେ ବହୁ ପରିମାଣର ଅର୍ଥ ବ୍ୟୟ ନକରି ତାହାକୁ ଦେଶ ହିତକର କର୍ମରେ ବିନିଯୋଗ କରାଯାଇପାରନ୍ତା । ଆଜି ଆମର ପଡୋଶୀ ମିଛରେ ଶାନ୍ତିଶାନ୍ତି ଚିତ୍କାର କରି ବିକଳରେ ଭାରତ ସହ କଥାହେବାକୁ ଆଗ୍ରହୀ ବୋଲି ଯେଉଁ ବାର୍ତ୍ତା ଦେଇ ବିଶ୍ୱକୁ ଭ୍ରମିତ କରୁଛି ତାହା ନିନ୍ଦନୀୟ । ବିଗତ ଦୁଇଦଶନ୍ଧି ଭିତରେ ଆଗ୍ରା ସମ୍ମିଳନୀରୁ ଆରମ୍ଭ କରି ଅନେକ କଥାବାର୍ତାର ବିଫଳତା ଆମେ ଅେଙ୍ଗ ନିଭାଇଛେ । ବାରମ୍ବାର ଧୋକା କରୁଥିବା ଦେଶକୁ ଏବେ କେମିତି କିଏ ବା ବଶ୍ୱାସ କରିବ? ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ମଣିଷ ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ବଞ୍ଚିବାକୁ ଚାହେଁ । ଏହି ପରିପ୍ରେକ୍ଷୀରେ ସମଗ୍ରବିଶ୍ୱ ଏକପ୍ରାଣ ଏକମନ ହୋଇ ସଂନ୍ତ୍ରାସବାଦ ବିରୋଧରେ କାର୍ଯ୍ୟକଲେ ମାନବସମାଜର କଲ୍ୟାଣ ସାଧନ ହେବା ସହ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ଆଶା ଓ ବିଶ୍ୱାସ । ଅନାଦିକାଳରୁ ଭାରତର ମୂଳମନ୍ତ୍ର ହେଉଛି.. “ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍” ।
