ଏଠି ସଞ୍ଜ ନଇଁଲେ
ଆକାଶ ବଗିଚାରେ
ଜହ୍ନ ଉଇେଁ, ତାରା ବି ଫୁଟେ
ଆଉ ସେଇ ଭିତରେ
ବେଶି ମନେପଡ ତମେ ।
ତମକୁ ପାଇବାର ଆଶା
ମନ ଗମ୍ଭିରି ଭିତରେ
ସାଇତା ହୋଇ ରହିଥିବା
ସେଇ ସବୁ ଅକୁହା କଥା
ସବୁବେଳେ ମୋତେ ଖୁବ୍
ବିମୋହିତ କରେ ।
ତମେ ସବୁବେଳେ ତ ସେଇ
କଳ୍ପନା ରାଜ୍ଯର ରାଜକନ୍ୟା
ପରୀ ରାଇଜର ଅପ୍ସରା
ତମକୁ ନେଇ ଆକାଶବ୍ୟାପୀ
କଳ୍ପନାରେ ହଜେ
ଅଥଳ ତଳ ସମୁଦ୍ରରୂପୀ
ସ୍ୱପ୍ନରେ ବୁଡେ ।
ତମର ସେଇ ସବୁ
ବୁଝି ନ ବୁଝିବାର ଛଳନା
ଆଖିରୁ ନିଦ ହଜାଏ
ଅବସୋସରେ ମନ ଭରେ
ବିଶ୍ୱାସ ବି ମରେ ।
ତମ ବିଶ୍ବାସଘାତକତା
ସହି ସହି ଏବେ ପରାସ୍ତ
ସବୁ କଳ୍ପନା ହଜିଲା
ସ୍ୱପ୍ନ ବି ନିମିଷକେ
ଧୂଳିସାତ୍ ହେଲା ।
ତମେ ଏମିତି ନିଷ୍ଠୁର
କେମିତି ହୋଇପାର ?
ସେଇ ସବୁ କଷ୍ଟ ଲିଭିବାର ନୁହେଁ
କିମ୍ୱା ସତରେ ଭୁଲିବାର ବି ନୁହେଁ ।
ତମକୁ ନେଇ
ପାଇବାର ଆଶା
ହରାଇ ଦେବାର ହତାଶା
ଏଇ ସବୁ କ’ଣ
ତମ ପ୍ରେମର ପରିଭାଷା ?
