ରହିମ୍ ମିଆଁ କଥା ସେ ସାହିରେ ସମସ୍ତେ ଜାଣନ୍ତି । ସପ୍ତମ ଶ୍ରେଣୀରେ ପାଞ୍ଚ ଥର ଫେଲ ହୋଇ ଗଲା ପରେ ତା ବାପାର ମନ ଭଗିଗଲା । ଆଶାଥିଲା – ଗୋଟିଏ କିରାଣୀ ହବ – ହେଲା ନାହିଁ । ଛୋଟ ଥିଲାବେଳେ ଢେର ମାଡ଼ ଖାଇଛି – ବିଧା, ଗୋଇଠା, ଚାପୁଡ଼ା, ଘୁସି, ଚୁମୁଟା … ହେଲେ ରହିମ୍ ଆଉ ସପ୍ତମ ଶ୍ରେଣୀ ପାସ ହୋଇ ପାରିଲା ନାହିଁ । ସପ୍ତମ ଶ୍ରେଣୀରେ ଥରେ ଫେଲ୍ ହେଲେ ପୁଣି ଥରେ ସେହି ଶ୍ରେଣୀ ରେ ପଢିବାକୁ ହୁଏ, କିନ୍ତୁ ବୟସ ଅଟକେ ନାହିଁ । ରହିମ୍ ଯୁବକ ହେଲା , ହେଲେ ନିହାତି ହୁଣ୍ଡା ପିଲାଟି । ଛାତିରେ ଛାତିଏ ବଳ, ବଳିଲା ବଳିଲା ହାତ , କବାଡି-କବାଡି-କବାଡି ରାହା ଧରି ସେ ଯେତେବେଳେ ଦୁଇ ହାତ ମେଲି ଅରଣା ମଇଁଷି ପରି ଆଗେଇଯାଏ, ଅପର ପଟର ଛ ଛ ଟା ଭେଣ୍ଡିଆ ଟୋକା ଏକାଥରେ ତରକି ଯାଆନ୍ତି । ଆଉ ବୀର ପଣିଆ ଦେଖାଇବାକୁ ଯାଇ ଯିଏ ତାର ଗୋଡଟାକୁ ଜାବୁଡି ଧରିଲା , ତା ମୁଣ୍ଡଟାକୁ ଚାପି ଧରିଲା । ରହିମ୍ ତାକୁ ଦିଏ କଷିକରି ଗୋଇଠାଏ, ନ ହେଲେ ଘୋଷାରି ହୋଇ ଆସି ଗାରଟା କୁ ଛୁଇଁ ଦିଏ ଯେମିତି ହେଲେ ।
ସାହି ଆଖଡ଼ାରେ ଚବିଶି ଘଣ୍ଟା ତାସ୍ ଖେଳି ନ ହେଲେ ସାହି ଦାଣ୍ଡ ମଝିରେ ଗାର ଟାଣି କବାଡି ଖେଳିଲେ ଚୁଲିକୁ ଭାତ ହାଣ୍ଡି ଉଠିବ ନାହିଁ । ରହିମ୍ ର ବୁଢ଼ାବାପା ଏ ବିଷୟ ବେଶ୍ ବୁଝି ପାରିଲେ । ହେଲେ ତାଙ୍କ କଥା କିଏବା ଶୁଣୁଛି ? ଆଖିକୁ ଭଲ ଦିଶୁନାହିଁ । ମୋଟା କନ୍ଥାଟିଏ ଘୋଡ଼ାଇ ହୋଇ ଦୁଆର ମୁହଁରେ ସେ ବସି ପିକା ଟାଣନ୍ତି । ବୁଢ଼ୀ ଗୋଟିଏ ଲୁହା ନଳୀରେ ଫୁଙ୍କି ଫୁଙ୍କି ଚାହା ବନାଏ । ବୁଢ଼ା ଆଲ୍ମିନିୟମ ତାଟିଆରେ ଢକ ଢକ କରି ପିଇଦିଏ । ରହିମ୍ ଆଖଡାରୁ ଫେରେ । ବୁଢ଼ୀ ଗୋଟିଏ ଗିଲାସରେ ଅଧ ଗ୍ଲାସ ଚାହା ଆଉ ଦି ଟା ରୁଟି ତା ହାତକୁ ବଢ଼ାଇ ଦିଏ । ବୁଢ଼ୀ ମା’ଟା ପାଇଁ କିଛି ଥାଏ କି ନ ଥାଏ ସେ କଥା କେହି କେବେ ଭାବି ହିଁ ନାହାନ୍ତି ।
ବାପା ମା ଥିବା ଯାକ ହୁଣ୍ଡା ରହିମ୍ ଦୁନିଆର ଅସଲ ରୂପ ଦେଖି ନ ଥିଲା । ଗଲା କଲେରାରେ ଦିହେଁ ଯାକ ଷ୍ଟେସନ୍ରେ ଧାଡି ବାନ୍ଧି ଟିକଟ କାଟିଲା ପରି ଏ ସାହିର ଆଠ ଜଣଙ୍କ ସହ ସ୍ୱର୍ଗ କୁ ଚାଲିଗଲେ । ଆଖଡା ପିଲାଙ୍କୁ ସାଙ୍ଗରେ ନେଇ ରହିମ୍ ବାପା ମା’ଙ୍କୁ କବର ଦେଲା ।
ଦିନ ଦି ତା ଯାଇଛି କି ନାହିଁ ରହିମ୍ ଦେଖିଲା, ଆଉ ଘରେ ଚାଉଳ ନାହିଁ, ଚିନି ଡବା ଖାଲି, ପରିବା ଡାଲା ଖାଲି, ତା ପକେଟ ଖାଲି, ତା ଘର ଖାଲି, ଆଉ ଯେଉଁ ଗୋଟିଏ ବଡ଼ ଜିନିଷ ଖାଲି ହୋଇ ଯାଇଥିଲା ସେ ଟିକିଏ ଡେରିରେ ଜାଣିଲା । ସେଇଟା ତା ଦିଲ୍ । ସାହି ପଡିଶା ଲାଗି ପଡ଼ି ରହିମ୍ର ବାହାଘର କାମଟା କଷ୍ଟେ ମଷ୍ଟେ ଉଠେଇ ନେଲେ । ରହିମ୍ ପିଣ୍ଡରେ ପ୍ରାଣ ପଶିଲା । ସେ ଦେଖିଲା ସଲ୍ମା ଆସିଲା ପରେ ବି ତା ଚାଉଳ ଟିଣ ଖାଲି, ଚିନି ଡବା ଖାଲି, ପରିବା ଡାଲା ଖାଲି, ତା ପକେଟ ଖାଲି ରହିଛି । କିନ୍ତୁ ଗୋଟିଏ ଜିନିଷ ଭର୍ତ୍ତି ହୋଇ ଯାଇଥିଲା । ସେ ଟିକିଏ ଡେରିରେ ଜାଣିଲା, ସେଇଟା ତା ଦିଲ୍ ।
ରହିମ୍ ଆଉ ଡୁ-ଡୁ ଖେଳିଲା ନାହିଁ । ଆଖଡ଼ାକୁ ଗଲା ନାହିଁ । ଚାଳ ଘର ସାମ୍ନାରେ ଛୋଟ ମାଟି ଚୁଲାଟିଏ ତିଆରି କଲା । ସଲ୍ମା ଆଉ ସିଏ ମିଶି ଚାହା ତିଆରି କଲେ । ଲୋକେ ଆସିଲେ ଚାହା ପିଇଲେ , ମନ ଖୁସିରେ ଗପ ସପ କରି ଫେରିଗଲେ । ଗଲା ବେଳେ ପୁଣି କହିଲେ ରହିମ୍ ଆମର ମଣିଷ ହୋଇଗଲା । ଆଲ୍ଲା ତାକୁ ପିଲାଟିଏ ଦେଇ ସୁଖୀ କରାନ୍ତୁ । ବରଷେ ଯାଇଛି କି ନାହିଁ ରହିମ୍ ଦିନେ ଦେଖିଲା ସାହି ଯାକ ମରଦ ମାଇପେ ତାକୁ ଥଟା କରୁଛନ୍ତି , ଚିଡାଉଛନ୍ତି, ମିଠା ମାଗୁଛନ୍ତି , ତାର ସତକୁ ସତ ପୁଅଟିଏ ହୋଇଛି ।
ରହିମ୍ ସେ ରାତିରେ ଆଉ ଶୋଇ ନାହିଁ । ମିଠା ମିଠା ଖିଆଲ ସବୁ ତା ମନ ଜେଲ୍ ଖାନା ଭିତରକୁ କେଉଁ ବାଟେ ପଶି ଆସିଲେ ସେ ବୁଝି ପାରିଲା ନାହିଁ । ଲଣ୍ଠନ ଟା ଧିକି ଧିକି ଜଳୁଥିଲା । ସଲ୍ମା ସେମିତି ନିରୀହ ଆଖିରେ ତାକୁ ଚାହିଁ ରହିଛି, କିଛି କହିବ କହିବ ହୋଇ ତା ଓଠ ଥରି ଉଠୁଛି, ସଲ୍ମାର କଅଁଳିଆ ଛୁଆଟା ତାକୁ ଜୁଳୁ ଜୁଳୁ ନାରୀ ଚାହିଁ ରହିଛି । କୁନି କୁନି ନାଲି ଗୁରୁଗୁରୁ ହାତ ପାଦ ଧିରେ ଧିରେ ହଲାଉଛି । ଏଇ ବରଷ ଗୋଟିଏ ଗଲେ ଗୁରୁଣ୍ଡିବ , ତା ପରେ ତା ହାତ ଧରି ଚାଲିବା ଶିଖିବ । ସଲ୍ମା କୋଳରେ ତାକୁ ଶୁଆଇ ଚାହା କରି ସାହିଲୋକଙ୍କୁ ଦେବା ବେଳେ ସେମାନେ କହିବେ ନାକଟା ରହିମ୍ ପରି ହେଇଛି , ଆଖି ଟା ତ ପୁରା ରହିମ୍ଠୁ ଛିଣ୍ଡାଇ ଆଣିଛି, ଆଉ କେହି ହୁଏତ କହିଦେବ ରହିମ୍ଟା ସିନା ହୁଣ୍ଡା ଟାଏ, ହେଲେ ମୁନ୍ନା ନିଶ୍ଚୟ ପାଠ ପଢିବ, କିରାଣୀ ହେବ । ଆଉ ରହିମ୍ ସେତେବେଳେ ଯୁକ୍ତି କରିବ କିରାଣୀ ନୁହେଁ ମେଜିଷ୍ଟର ହେବ । ହେଲେ ପରକ୍ଷଣରେ ଭାବନା ରାଇଜର ସେଇ ସୁନ୍ଦର ବଗିଚା ଭିତରୁ ଓଟାରି ହୋଇ ଆସି ସେ ନିଜକୁ ଚରମ ଦାରିଦ୍ରତାର ପଙ୍କିଳ ପୁଷ୍କରିଣୀ ଭିତରେ ଉବୁଟୁବୁ ହେବାର ଲକ୍ଷକଲା ତା ଶ୍ବାସରୁଦ୍ଧ ହୋଇଗଲା ଯେମିତି ହଠାତ୍ ସେ ଚିତ୍କାର କରି ଉଠିଲା – ହେଲେ ପଇସା କାହିଁ ? ପଇସା କାହିଁ ?
ସଲ୍ମା ଚମ୍କି ପଡିଲା । ରହିମ୍ ସଲ୍ମାର ହାତକୁ ଖୁବ ଜୋର୍ରେ ନିଜର ସ୍ବେଦାକ୍ତ ପାପୁଲିରେ ଜାବୁଡି ଧରି ଅସଂକ୍ଷ ଚୁମ୍ବନରେ ସଲ୍ମାର ଶୁଷ୍କ କପାଳଟିକୁ ଅଠା ଅଠା କରି ତୋଳିଲା । ରହିମ୍ ଆଖି କୋଣରୁ ଧାର ଧାର ହୋଇ ବୋହି ଯାଉଥିବା ଲୁହ ସଲ୍ମାର ଲୁହ ସଙ୍ଗେ ମିଶି ଯେଉଁ ମିଳନ ଗୀତି ଗାଉଥିଲେ , ତାହା ସାଧାରଣ ମାନବ ପକ୍ଷେ ହୃଦୟଙ୍ଗମ କରିବା ଆଦୌ ସମ୍ଭବ ନ ଥିଲା । ସେହି ଲବଣାକ୍ତ ଲୁହ ଭିଜା ଓଠକୁ ଥରାଇ, ଛାତି ତଳର ଅନେକ ଆବେଗକୁ ପ୍ରକାଶ କରିବାର ଉପକ୍ରମ କରିବାକୁ ଯାଇ ରହିମ୍ କହିଲା ସଲ୍ମା ତୁ ମୋର ଜାନ୍ । ତୋ ଉପରେ ମୋର ବହୁତ ଭରଷା ଅଛି , ତୁ ମୁନ୍ନା କୁ ମଣିଷ କରିବୁ, ତାକୁ କିରାଣୀ କରିବୁ ନାହିଁ , ମେଜିଷ୍ଟର୍ କରିବୁ, ମୁଁ ଯାଉଛି । ସଲ୍ମା ରହିମ୍ର ମୁହଁଟାକୁ ଜାବୁଡି ଧରି କହିଲା – କୁଆଡେ ଯିବ ? ରହିମ୍ ସଲ୍ମା ପାପୁଲି ଭିତରୁ ନିଜ ମୁହଁକୁ ଦୁରେଇ ନେଲା ।
ଏକ ସୁକ୍ଷ୍ମ ଅଥଚ ଉଷ୍ମ ଚୁମ୍ବନ ମୁନ୍ନା ଗାଲରେ ଆଙ୍କି ଦେଇ ସେ ଉଠି ଠିଆ ହେଲା । କହିଲା – ସଲ୍ମା, ପୁଅକୁ ମେଜିଷ୍ଟର କରିବାକୁ ହେଲେ ପଇସା ଦରକାର । ତୁ ବ୍ୟସ୍ତ ହେବୁନୁ । ମୁନ୍ନା ଯେମିତି ମେଜିଷ୍ଟର ହେବ । ମୁଁ ଯାଉଛି ସଲ୍ମା ।
ସଲ୍ମା ପ୍ରତିବାଦ କରିପାରି ନ ଥିଲା । ଲୋକେ କହିଲେ, ରହିମ୍ ମିଲିଟାରୀରେ ଭର୍ତ୍ତି ହେଇଛି, ସଦ୍ୟ ବିବାହିତା ସଲ୍ମା ବିରହ ଜ୍ବାଳାରେ ଶୁଖି ଶୁଖି ଯେତେବେଳେ ଥୁଣ୍ଟା ବରଗଛ ପାଲଟି ଯାଉଥିଲା, ମୁନ୍ନାର ଦରୋଟି ହସ ହସ ମୁହଁ ଦେଖି ତା ମନ ବଗିଚାରେ ଅସୁମାରୀ ଫୁଲର ସମ୍ଭାର ଖେଳି ଉଠୁଥିଲା । ମାସକୁ ମାସ ରହିମ୍ ଟଙ୍କା ପଠାଉଥିଲା । ସଲ୍ମା ହାତ ଟିପ ଦେଇ ଟଙ୍କା ନେଉଥିଲା । ପଡ଼ିଶା ଘରର ତୃତୀୟ ଶ୍ରେଣୀ ପଢ଼ୁଥିବା ଜମାଲ ଆସି ମନି ଅର୍ଡର କୁପନର କୁଶଳ ପଢ଼େ । “ସଲ୍ମା କେମିତି ଅଛୁ ? ମୁଁ ଜାଣେ । ମୁଁ ଯାହା ଟଙ୍କା ପଠାଉଛି ଅଣ୍ଟୁ ନ ଥିବ । ତତେ ବଡ଼ ଦୁଃଖ ଦେଲି ସଲ୍ମା । ତୁ ମୋର ବାପ, ତୁ ମୋର ମାଆ । ମୁଁ ଗୋଟିଏ ଅମଣିଷ । ମୁଁ ପାରିବିନି । ତୁ ମୁନାକୁ ବଡ଼ ମଣିଷ କରିବୁ । ମେଜିଷ୍ଟର କରିବୁ । ମୋ କଥା ଭାବିବୁନି ।” ପ୍ରତିଥର ଚିଠିଟା ପଢି ସାରିଲା ପରେ ଜମାଲ ସେଇ ଗୋଟିଏ ଦୃଶ୍ୟ ଦେଖେ । ସଲ୍ମା ଓଢ଼ଣୀରେ ଆଖି ପୋଛୁଚି । ଆଉ ଖୁବ ଜୋରରେ ମୁନ୍ନାକୁ କୋଳରେ ଜାବୁଡି ଧରି ଅସୁମାରୀ ଚୁମ୍ବନ ବର୍ଷି ଯାଉଛି ।
xxxxxx
ସଲ୍ମା ଜମାଲକୁ କହିଲା – ହଁ ଲେଖେ ; ଶୁଣୁଛ ସାତ ବରଷ ହେଲାଣି ତମେ ଯୋଉ ଯାଇଥିଲ ମୁନ୍ନାର ଜନ୍ମ ହେବା ଦିନ ବାସ୍, ଆଉ ଆସି ନାହଁ । ଖାଲି ଟଙ୍କା ପଠାଇ ଦେଉଛି । ତମ ମୁନ୍ନାକୁ କଣ ଦେଖିବ ନାହିଁ ? ମୁନ୍ନା ଆମର ଇସ୍କୁଲ୍ କୁ ଗଲାଣି । ଭଲ ପଢୁଛି । ଆର ସପ୍ତାହରେ ତା ଜନ୍ମ ଦିନ । ମଝିରେ ମଝିରେ ତା ବାପାକୁ ଖୋଜୁଛି । ତମେ ଦିନ ଆସନ୍ତନି ?
ରହିମ୍ ସାତ ବର୍ଷ ପରେ ଘରକୁ ଫେରୁଛି । ସାତ ବର୍ଷ ତଳର ସେହି ଜୀର୍ଣ୍ଣ ଅଥଚ ମମତା ମୟୀ କୁଡ଼ିଆ ଟା ତାର ଝାପ୍ସା ହୋଇ ମନେ ପଡୁଛି । ମନେ ପଡୁଛି ସଲ୍ମାର ସେଇ ଶାନ୍ତି, କୋମଳ, ନିରୀହ ଆଖି ଯୋଡ଼ିକ । ତାର ସ୍ନେହ ବୋଳା କଥା କେଇ ପଦ ଆରେ ହଁ , ସଲ୍ମା କଣ ଲେଖିଥିଲା ଟି ? ମୁନ୍ନା ବଡ଼ ହୋଇଗଲାଣି । ଇସ୍କୁଲ୍ ରେ ପଢୁଛି । ଭଲ ପଢୁଛି । ଆଚ୍ଛା , ଆଚ୍ଛା ଭଲ କଥା । ଆଲ୍ଲା ତାର ମଙ୍ଗଳ କରନ୍ତୁ । ଯେତେ ପଇସା ଦରକାର ମୁଁ ଦେବି – ମୋ ନିଜ କଥା ପଛେ ଥାଉ । ମୁନ୍ନା ଆମର ମେଜିଷ୍ଟର ହବ ଆମର ଦୁଃଖ ଯିବ ।
ମୁନ୍ନା ପାଇଁ ଖୋଜି ଖୋଜି ଗୋଟିଏ ବଢିଆ କଲମ କିଣିଛି । ମୁନ୍ନା ପଢି ଲେଖି ମେଜିଷ୍ଟର ହେବ । ଆଉ ସଲ୍ମା ? ସଲ୍ମା ତାର ଜାନ । ତା ପାଇଁ କଣ ବା ନବ ସିଏ ? କଣ ନେବ ଏଇଆ ଭାବୁ ଭାବୁ କେତେବେଳେ ବଜାରରୁ ଆସି ଟ୍ରେନରେ ବସିଲାଣି । ତାର ଆଉ ଖିଆଲ ନାହିଁ ।
ସାହି ମୁଣ୍ଡରେ ଗୋଡ଼ ଦେଉ ଦେଉ ଗୋଟିଏ ଅଜଣା ପୁଲକରେ ତାର ମିଲିଟାରି ରୋମ ସବୁ ଟାଙ୍କୁରି ଉଠିଲେ । ସାତ ବର୍ଷ ଭିତରେ ସାହିଟା କେତେ ବଦଳି ଗଲାଣି । ଆରେ, ତାଙ୍କ ଝାଟି ମାଟିରେ ଆଖଡ଼ା ଘରଟା ୟା ଭିତରେ ସିମେଣ୍ଟ ରେ ବନା ସାରିଲାଣି । ଆଉ ସେହି କବାଡି ମୈଦାନ ଟା ? ସାହି ଦାଣ୍ଡ ମଝିରେ ଆଣ୍ଠେଇ ପଡି ସେ ସେହି ପୁରୁଣା ଖେଳର ଗାରଟାକୁ ଖୋଜି ବସିଲା – ଛାତି ଉପରେ ସ୍ନେହ ଶ୍ରଦ୍ଧାର ଗହିରିଆ ଗାର ଯେତେବେଳେ କାଳକ୍ରମେ ଲିଭି ଯାଉଛି ମାଟି ଉପରେ ଗାରଟାଏ ବା ଆଉ କେତେ ଦିନ ରହିଥାନ୍ତା ?
ହେଇ ତା’ର ଘର ଦିଶିଲାଣି । ଆରେ, ଜମା ଚିହ୍ନି ହେଉନି ତ । ନୂଆ ଛପର ହୋଇଛି । ଏସବୁ ସଲ୍ମାର କାମ । ଏତେ ଦୁଃଖ ଜଞ୍ଜାଳ ଭିତରେ ସୌନ୍ଦର୍ଯ୍ୟ ପ୍ରତି ସଲ୍ମାର ନଜର ଅଛି । ଏଇଆ ଭାବି ରହିମ୍ ଆନନ୍ଦରେ ଅଧୀର ହୋଇପଡିଲା । ରହିମ୍ର ପାଦ ଚଞ୍ଚଳ ହୋଇ ଉଠିଲା । ଏ ସାହି, ଏ ଧାଡି ଧାଡି କୁଡ଼ିଆ ଘର ସବୁ ଘର ଆଗରେ ମିଲିଟାରୀ ଟ୍ରାକ୍ ଭଳି ଲମ୍ବି ନାଇଯାଇଥିବା ନର୍ଦମା ସେଠି ଭଣ ଭଣ ହେଉଥିବା ମଶା, ମାଛି ଆଉ ନାକ ଫଟା ଦୁର୍ଗନ୍ଧ । ଏ ସବୁ ରହିମ୍ର ଅତି ନିଜର । ସାତ ବର୍ଷ ପରେ ଏ ଦୃଶ୍ୟ ଦେଖି ଘୃଣାରେ ତା ଭୃକୁଞ୍ଚିତ ହୋଇ ଯାଇ ନ ଥିଲା । ବରଂ ଏସବୁ ଅନେକ ଦିନ ଧରି ଦେଖା ହୋଇ ନ ଥିବା ଅନ୍ତରଙ୍ଗ ବନ୍ଧୁ ଭଳି ତାର ମନେ ହେଲା ।
ରହିମ୍ର ଘର ଆଗରେ ଆସି ଠିଆ ହେଲା । ଭିତରୁ ସଲ୍ମା ଲୁହା ନାଲ ଦିଆ ମିଲିଟାରୀ ଜୋତାର ଶବ୍ଦ ଠିକ୍ ବାରି ପାରିଲା । ସେ ଦୌଡ଼ି ଆସି ରହିମ୍ର ଛାତିରେ ଲପଟି ଗଲା । ଆନନ୍ଦୋତ୍ସାହ ରେ ଅଧୀର ହୋଇ ରହିମ୍ ପଚାରିଲା – ସଲ୍ମା ଆମ ମୁନ୍ନା କାହିଁ ? ସଲ୍ମା ପଡୋଶୀ ଘରେ ଖେଳୁଥିବା ମୁନ୍ନାକୁ ଧାଇଁ ଯାଇ ରହିମ୍ ଆଡକୁ ଚାହିଁ କହିଲା – ଏଇ ନିଅ ତୁମ ମୁନ୍ନା କୁ । ଦିନରାତି ପଚାରୁଛି ଅବ୍ବାଜାନ କେବେ ଆସିବେ ?
ସାତ ବର୍ଷର ରୁଦ୍ଧ ଆବେଗ ବନ୍ଧ ଭାଙ୍ଗି ବୋହି ଯାଉଥିବା ପ୍ରବଳ ଶ୍ରୋତସ୍ୱିନୀ ନଦୀ ପରି ଆଉ ଥଳ କୂଳ ମାନିଲା ନାହିଁ । ମୁନ୍ନା ମେରା ଲାଲ୍, ମୁନ୍ନା ମେରା ମାଜିଷ୍ଟର ବୋଲି କମ୍ପିତ କଣ୍ଠରେ ଚିତ୍କାର କରି ରହିମ୍ ଅତିଲ୍ଲାସରେ ମୁନ୍ନାକୁ ଭୀଷଣ ଭାବେ ନିଜ ଛାତିରେ ଜଡାଇ ଧରିଲା । ରହିମ୍ ଆଖିରୁ ଟୋପା ଟୋପା ଲୁହ ଝରିପଡିବାର ଦେଖି ସଲ୍ମାର ଆଖି ଦୁଇଟି ଆଉ ଧୈର୍ଯ୍ୟ ଧରି ପାରିଲା ନାହିଁ ।
ରହିମ୍ କିନ୍ତୁ ମୁନ୍ନାକୁ ଆହୁରି ଗଭୀର ଭାବେ ଜାବୁଡି ଧରି ତା ଉପରେ ଏକ ରକମ ନଇଁ ପଡି ଅସଂଖ୍ୟ ଚୁମ୍ବନ ରେ ତା କୋମଳ ମୁଖ ମଣ୍ଡଳକୁ ଶିକ୍ତ କରିବାରେ ଲାଗି ପଡିଥାଏ ।
ହଠାତ୍ ‘ଆଃ’ ବୋଲି ଏକ ସୁକ୍ଷ୍ମ ଅଥଚ ତିକ୍ଷ ଆବାଜ ମୁନ୍ନା କଣ୍ଠରୁ ବାହାରି ଆସିଲା । ସଲ୍ମା ସହସା ସଚେତନ ହୋଇ ଚିତ୍କାର କରି ଉଠିଲା – ମୁନ୍ନାକୁ ଛାଡ଼ି ଦିଅ, ଛାଡି ଦିଅ । ତା ବେକ ଚିପି ହୋଇ ଗଲାଣି । ତା ଆଖିଡୋଳା ବୁଲି ଗଲାଣି ।
କିନ୍ତୁ ପିତୃତ୍ୱର ପ୍ରଥମ ଗୌରବରେ ଗର୍ବିତ ହୋଇ ଉଠିଥିବା ରହିମ୍ ଆହୁରି ନିବିଡ ଭାବେ ମୁନ୍ନାକୁ ଆବୋରି ନେଇ ଉଦ୍ଧମ ଭାବେ ପାଟି କରି ଉଠିଲା – ସାତ ବର୍ଷ ପରେ ମୋ ମୁନ୍ନା କୁ ଦେଖୁଛି । ବିଚାରାକୁ ଟିକିଏ ଗେଲ ହେଲେ କରି ପାରିବି ନାହିଁ ? କିଛି ତ ଦେଇ ପାରିଲି ନାହିଁ । ଗେଲ ଟିକିଏ ନ କଲେ ମୁନ୍ନା ମେଜିଷ୍ଟର ହେଲେ କଣ କହିବ ? କହିବ – ପିଲାବେଳୁ ମୋ ବାପା ମରିଯାଇଥିଲା । ରହିମ୍ର କଣ୍ଠ ରୁଦ୍ଧ ହୋଇ ଆସିଲା । ତାର ହଠାତ୍ ମନେ ହେଲା ଯେମିତି ମୁନ୍ନା ତା ଆଗରେ ମେଜିଷ୍ଟର ହୋଇ ଠିଆ ହୋଇ କହୁଛି – ମୋ ବାପା ମରିଯାଇଛି । ଗଭୀର ଭାବେ ଭିଡି ଧରିଲା ସେ ମୁନ୍ନାକୁ ।
ସଲ୍ମା ଏଥର ମୁନ୍ନାକୁ ରହିମ୍ ଠାରୁ ଜବରଦସ୍ତ ଛଡାଇ ଆଣିବା ପାଇଁ ଚେଷ୍ଟା କରି କହିଲା – ମୁନ୍ନାକୁ ଛାଡ଼ି ଦିଅ , ତା ବେକ ଚିପି ହୋଇ ଗଲାଣି । ତା ମୁହଁ ଶେତା ପଡି ଗଲାଣି ।
ଏମିତି ଟଣା ଓଟରା କିଛି ସମୟ ଚାଲିଲା ପରେ ଆଲିଙ୍ଗନ ଶୀତଳ ହୋଇ ଆସିଲା । ମୁନ୍ନା ରହିମ୍ର ବାହୁ ବନ୍ଧନ ଭିତରୁ ଠପ୍ କରି ଖସି ପଡିଲା । ତା ବେକ ମୂଳ ଧୂଷର, ଆଉ ମୁହଁ ବଙ୍କା ହୋଇ ଯାଇଥିଲା । ଆଖି ଡୋଳା ଦୁଇଟି ବୋଧ ହୁଏ ଓଲଟି ପଡିଥିଲା । ମୁନ୍ନା ର ଯନ୍ତ୍ରଣା କ୍ଳିଷ୍ଟ ନିର୍ଜୀବ ଶରୀର ଟା ଭୂଇଁ ଉପରେ ସେମିତି ବିକୃତ ଭାବେ ପଡି ଥାଏ । ମିଲିଟାରୀ ଫେରନ୍ତା ରହିମ୍ର ବିଶାଳ ଏବଂ ଶକ୍ତ ବାହୁ ଦ୍ବୟର ଅସହ୍ୟ ଚାପ ଏବଂ ଘନ ଘନ ଚୁମ୍ବନାଘାତରେ ଶିଶୁ ମୁନ୍ନା ଅତିଷ୍ଟ ହୋଇ ସାମନ୍ୟ ନିଶ୍ୱାସ ନେବାରେ ସୁଯୋଗ ପାଇ ପାରିଲା ନାହିଁ ।
ଦୀର୍ଘ ସାତ ବର୍ଷ ଧରି ଅକଥନିୟ ଲୁହ ଆଉ କୋହ ଚାପି ଧରି ମୁନ୍ନାକୁ ବଢ଼ାଇ ମଣିଷ କରିବାର ଗୁରୁଭାର ବହନ କରିଥିବା ସଲ୍ମା ମୁନ୍ନା ବୋଲି ବିଳାପ କରି କଚାଡି ହୋଇ ପଡିଗଲା । ମୃତା ସଲ୍ମାର ବିସ୍ତାରିତ ଆଖି ଯୋଡ଼ିକ ସେମିତି ସ୍ଥିର ଏବଂ ଅପଲକ ରହିଯାଇ ଥିଲା ।
ରହିମ୍ର ମନେ ପଡିଲା ଠିକ ସାତ ବର୍ଷ ତଳେ ଏହି ଦିନରେ ସଲ୍ମା ଆଉ ମୁନ୍ନା ତାକୁ ଜୁଳୁ ଜୁଳୁ କରି ଚାହୁଁଥିଲେ । ଆଉ ସେ ବସି ସ୍ୱପ୍ନର ଜାଲ ବୁଣୁଥିଲା । ସେ ଦିନ ବି ଏଇ ଲଣ୍ଠନ ଟା ଧପ ଧପ ହୋଇ ଜଳୁଥିଲା । ଆଜି ସବୁ ପୂର୍ବବତ ଯେ ଯାହା ଯାଗାରେ ଅଛନ୍ତି । ଅଥଚ ତା ଜୀବନର ଦୁଇଟି ମହନୀୟ ଶ୍ରଦ୍ଧାର ପ୍ରଦୀପ ନିଷ୍ପ୍ରଭ ହୋଇ ଗଲା ପରେ କୃତ୍ରିମ ଲଣ୍ଠନ ଆଲୁଅର କଣ ବା ଆବଶ୍ୟକତା ଥିଲା ? ସେହି ଶକ୍ତ ମିଲିଟାରୀ ହାତକୁ ମୁଠା କରି ନେଇ ସେ ଏକ ପ୍ରଚଣ୍ଡ ଆଘାତରେ ଲଣ୍ଠନଟାକୁ ଭାଙ୍ଗି ଚୁର୍ମାର୍ କରିଦେଲା ।
