କବିତା

ଦାନର ହାତରେ ଚାହିଁନି…

Chittaranjan Barik's odia poem Daanara Haatare Chahinni

ସେନେହ ସୂତାରେ ବାନ୍ଧିଛି ସଭିଙ୍କୁ
ମମତାର ଟୀକା ଦେଇଛି,
ଏସବୁ ଚୁମ୍ବନ ପ୍ରେମରେ ଦେଇଛି
ଦାନର ହାତରେ ଚାହିଁନି ।

ଦାନର ହାତରେ ଚାହିଁନି...
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସୁନ୍ଦରୀଙ୍କୁ ଧରି ରଖିନି ପ୍ରାଙ୍ଗଣ
ସୁନ୍ଦରଙ୍କୁ ନା ସେ ରଖିଛି ,
କେତେ ଆସିଛନ୍ତି ଚାଲି ଯାଇଛନ୍ତି
କାହା ବାଟକୁ ସେ ଚାହିଁନି ।

ଗୀତିକାରଙ୍କୁ ସେ ଧରିଛି ବକ୍ଷରେ
ଚିତ୍ରକରଙ୍କୁ ବି ଧରିଛି,
କାନ୍‌ଭାସ ଚିତ୍ର , ସୁନ୍ଦର ସଙ୍ଗୀତ
ନିଜ ପାଇଁ କେବେ ମାଗିନି ।

କ୍ରୀଡାବିତ୍‌ଙ୍କୁ ଖେଳାଇଛି କୋଳରେ
ମନବିତ୍‌ଙ୍କୁ ବି ଗଢିଛି,
କେବେ ମାଗିନାହିଁ କା କ୍ରୀଡାର ମୂଲ୍ୟ
ଅନ୍ତର ଭାବନା କହିନି ।

ତାର୍କିକଙ୍କୁ କେତେ ତର୍କ ଶିଖାଇଛି
ଗାଳ୍ପିକଙ୍କୁ ଗଳ୍ପ କହିଛି,
ନିଜ ପାଇଁ କେବେ ତର୍କ ସେ କରିନି
ଗଳ୍ପରେ ଭାବୁକ ହୋଇନି ।

ସୁନ୍ଦରୀ ଲଳନା ଗଢିଛି କୋଳରେ
ସୁନ୍ଦର ଯୁବକ ଗଢିଛି,
କରିନାହିଁ କେବେ ସୋନ୍ଦର୍ଯ୍ୟର ମୂଲ
ନିଜ ସୁନ୍ଦରତା ଦେଖିନି।

ବକ୍ଷରୁ ଅମୃତ ପେଇଛି କକ୍ଷରେ
ନାନାବାୟା ଗୀତ ଗାଇଛି,
ମାଗିନାହିଁ କେବେ ଆମ୍ବିଳା ତୋରାଣି
କ୍ଷୀର ସର କେବେ ମାଗିନି।

ଡାକ୍ତର,ଓକିଲ,ଐତିହାସିକଙ୍କୁ
ତା’ ହାତ ସ୍ପର୍ଶରେ ଗଢିଛି,
ମାଗିନାହିଁ କେବେ ତା ଶ୍ରମର ମୂଲ୍ୟ
ନିଜ ଦେହ ପା ଦେଖିନି।

ମୁଁ ସେଠି ଖେଳିଛି ଝଗଡ଼ା କରିଛି
ଅପୂର୍ବ ଆନନ୍ଦେ ହସିଛି,
ସବୁ ଘଟଣାର ସିଏ ମୁକ ସାକ୍ଷୀ
ବନ୍ଧୁ,ଗୁରୁ ଆଉ ଜନନୀ।

ସେନେହ ସୂତାରେ ବାନ୍ଧିଛି ସଭିଙ୍କୁ
ମମତାର ଟୀକା ଦେଇଛି,
ଏସବୁ ଚୁମ୍ବନ ପ୍ରେମରେ ଦେଇଛି
ଦାନର ହାତରେ ଚାହିଁନି ।

ଖଦ୍ୟୋତ ହୋଇ ମୁଁ ସୂର୍ଯ୍ୟଙ୍କ ବର୍ଣ୍ଣନା
କରିବାକୁ ଚେଷ୍ଟା କରିଛି,
ଉଜ୍ଜଳ ଅଭାରେ ମୋ କ୍ଷୀଣ ଆଲୋକ
ଧୃଷ୍ଟତାର ରୂପ ନେଇନି ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top